12/31/2021

ସାବିତ୍ରୀ

ଶାରଦା ପ୍ରଶନ୍ନ ସାହୁ
                                        ସାବିତ୍ରୀ କାଳ ବିଳମ୍ବ ନକରି ଯଦି କିଛି ବର ମାଗିବାର ଅଛି ମାଗିନିଅ
ମୋଠାରୁ । କାରଣ ଆଜି ଏ ମୃତ୍ୟୁର ରାଜା ଯିଏ କେବଳ ଆୟୁ ପୁରି ଯାଇଥିବା ଶରୀରରୁ ପ୍ରାଣ ନେଇଯାଏ ସିଏ ଆଜି କିଛି ଦେବାକୁ ମନସ୍ଥ କରିଛି ମାଗିନିଅ ଅବିଳମ୍ବେ ,......  ଏମିତି କିଛି ଗୀତିନାଟ୍ୟର ସଂଳାପ ଭାସି ଆସୁଥାଏ କାହାର ମୋବାଇଲ୍ ରୁ   ଏତିକି କାନରେ ବାଜୁ ବାଜୁ ମୁଁ ପଶି ଯାଇଥିଲି କଟକ ବଡ଼ ମେଡ଼ିକାଲ ର ମେଡ଼ିସିନ୍  ୱାର୍ଡ ଭିତରକୁ।ବାପା ଚାରିଦିନ ଆଗରୁ ଚିକିତ୍ସିତ ହେଉଥିଲେ କାରଣ ତାଙ୍କର ମଧୁମେହ ରୋଗ ହଠାତ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।ମୁଁ ପହଞ୍ଚୁ ପହଞ୍ଚୁ ବାପା ମତେ ଦେଖି ଏତେ ଖୁସି ହେଇଯାଇଥିଲେ ଯେ ଛୋଟ ପିଲାଙ୍କ ଭଳି କେତେ କଣ ଗପିଯାଉଥିଲେ , ମୁଁ ଖାଲି ଚାହିଁ ମିଛ ଖୁସିର ଅଭିନୟ କରୁଥିଲି ନିଜର ଭାବନାକୁ ଚାପିରଖି।ତାପରେ ଡକ୍ଟର ଆସିଥିଲେ ସୁଗାର ଚେକ କଲେ ଏବଂ କହିଲେ ଏବେ ସିଏ ଭଲ ଅଛନ୍ତି ଏଇ ଦିନ ଦୁଇଦିନ ଭିତରେ  ସୁସ୍ଥ ହୋଇଯିବେ।

ରାତି ପାଖାପାଖି ସାଢ଼େ ଦଶଟା ହେବ ଦୁଇଜଣ ଭେଣ୍ଡିଆ ପୁଅ ଜଣେ ଅସୁସ୍ଥ ବୃଦ୍ଧ ବୟସ ପାଖାପାଖି ୭୫ବର୍ଷ ଏବଂ ଆଉ ଜଣେ  ବୃଦ୍ଧା ବୟସ ସେଇ ସତୁରି ପାଖାପାଖି , ବୃଦ୍ଧା ଲୋକଟି ବାହୁନି ବାହୁନି କାନ୍ଦୁଥାନ୍ତି ହାତରେ ଗୋଟିଏ ମଇଳା ବ୍ୟାଗ ଓ ସେଥିରେ କିଛି ଶୁଖିଲା ଖାଇବା ଜିନିଶ ଏବଂ ପାଣି ବୋତଲ। ଖଟିଆ ନଥିଲା ସେଥିପାଇଁ ଗୋଟିଏ ପ୍ଲାଷ୍ଟିକ୍ ମସିଣା ଓ ଚାଦର ଖଣ୍ଡିଏ ପାରି ବୃଦ୍ଧ ଲୋକଟିକୁ ଶୁଆଇଦେଲେ ଡାକ୍ତର ସଂଗେ ସଂଗେ ଚିକିତ୍ସା ଆରମ୍ଭ କରିଦେଲେ ଏବଂ  କହିଲେ  ମୁଁ ଇଞ୍ଜେକ୍ସନ ସଲାଇନ୍ ଲଗେଇଦେଇଛି ଡରିବାର ନାହିଁ ମୁଁ କାଲି ସକାଳେ ଆସିବି।ବୃଦ୍ଧା ଜଣକ ବହୁତ ଉଦାସ ଥିଲେ ଏବଂ ଥକି ଯାଇଥିଲେ ସେଥିପାଇଁ  ସେ ପୁଅ ଦୁଇଜଣଙ୍କୁ କହିଲେ  ବାପା ଆଡେ ଟିକେ ନିଘା ରଖିଥିବ ଏ ନିଆଁଲଗା ଆଖି ଦୁଇଟା ମାଡି ପଡ଼ୁଛି, ଏତିକି କହି ବୃଦ୍ଧା ଜଣକ ଶୋଇପଡ଼ିଥିଲେ ।

କେଇଘଣ୍ଟା ଅତିବାହିତ ପରେ ଜୋର୍ ରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ଲାଗିଥିଲା କିଏ ବାପାଙ୍କ ଦେଖାରେଖା କରିବ, ସାନ ପୁଅ କହୁଥାଏ ମୁଁ ରହିପରିବିନି ଏଠି ମୋର ତେଣେ ସିଆଡେ କେତେ କାମଏହାସୁଣି ବଡ଼ କହୁଥାଏ ମୋର ପୁଣି କେତେ କାମ ମୁଁ ରହିପାରିବିନି।ୱାର୍ଡ୍ ରେ  ଥିବା ଲୋକମାନେ କହିଲେ ଏଇଟା ଡାକ୍ତର ଖାନା ତମର ଘର ନୁହେଁ ଯାହା କଥା ହେବାର ଅଛି ବାହାରେ କଥା ହୁଅ।ଏଠି ରୋଗୀ ମାନଙ୍କୁ ଟିକେ ଶାନ୍ତିରେ ଶୋଇବାକୁ ଦିଅ, ବୃଦ୍ଧାଙ୍କର ନିଦ ଭାଙ୍ଗିଲା ଦୁଇପୁଅଙ୍କୁ ତାଗିଦ୍ କରି କହିଲେ ଘରେ ତ ଶାନ୍ତିରେ ରଖେଇଦଉନ ଏଠି ବି ସେମିତି ।

ତା'ପରଦିନ ସାନପୁଅ ମାଆକୁ କହିଲା ମା ତୁ ଏଠି ଥା ମୁଁ ଯାଉଛି ତମ ଦୁଇଜଣଙ୍କ ପାଇଁ କିଛି ଖାଇବା ନେଇ ଆସୁଛି କହି ବାହାରକୁ ଚାଲିଗଲା ଯାଇଛି ଯେ ଯାଇଛି ଦିନ ବାରଟା ଯାଏଁ ଦେଖା ନାହିଁ।ତାପରେ ବଡ଼ଭାଇ ଫୋନ୍ କଲା କୋଉଠିକିରେ ତୁ ସେପଟୁ ଜବାବ ଆସିଥିଲା ମୁଁ ଗାଁରେ ,ସେ ବୁଢା ବୁଢ଼ୀ ଥାଆନ୍ତୁ ମୁଁ ଯାଇପାରିବିନି।ତାପରେ ବଡ଼ ପୁଅ ଆରମ୍ଭ କରିଦେଲା ମୁବି ଯାଉଛି ମୋର ଏଠି ରହିବାର ନାହିଁ ଖାଲି ମୁଁ କଣ ଠିକା ନେଇଛି,ସମ୍ପତିରୁ ତ ଅଧା ନେଇଯାଇଛି ସେ,ଏତିକି କହି ଚାଲିଗଲା ।ବୃଦ୍ଧା ଜଣକ କିଛି ସମୟ ନୀରବତା ରେ ବସିବା ପରେ କହିଲେ ହଉ ଖାଲି ବୋପା ଦେହ ଟା ଭଲହେଇଯାଉ  ମୁବି ଦେଖିଦେବି ଦୁଇଜଣଙ୍କୁ,  ଫଟା କପାଳ ତ ମୋର କାହାକୁ କହିବି କହି ବୃଦ୍ଧା ଜଣକ  କାନ୍ଦିକାନ୍ଦି କହୁଥାଆନ୍ତି ଏକୁଟିଆ ବୁଢ଼ୀ ଲୋକଟା ମୁଁ ଏତେ ବଡ ଡାକ୍ତରଖାନାରେ କଣ କରିବି ମୁଁ କାହାକୁ ଚିହ୍ନିନି କି ଜାଣିନି।ପାଖ ବେଡ୍ ରେ ଥିବା କେହିଜଣେ ଵ୍ୟକ୍ତି ତାଙ୍କୁ ପଚାରିଲେ ଆପଣଙ୍କ ଘର ଚାନ୍ଦବାଲିକି ବୃଦ୍ଧା ଜଣଙ୍କ କହିଲେ ହଁରେ ବାପ , ବୃଦ୍ଧା ଜଣକ ପଚାରିଲେ ଆରେ ବାପ ମୁଁ ତ ଚିହ୍ନି ପାରୁନି , ସେ ଵ୍ୟକ୍ତି ଜଣଙ୍କ କହିଲେ ମୁଁ ହେଉଛି ତମ ଗାଁର ବାରିକ ଘର ଜ୍ବାଇଁ।ସେହି ଵ୍ୟକ୍ତି ବୃଦ୍ଧା ଙ୍କୁ ଡାକ୍ତର ଖାନାରେ କିଛି ଛୋଟ ମୋଟ କାମରେ ସାହାଯ୍ୟ କରିଚାଲିଲେ । ଡାକ୍ତର ଆସିଲେ ବୃଦ୍ଧା ଜଣକ ପଚାରିଲେ ବାପରେ ୟାଙ୍କର ଦେହାପା  ଭଲ ହେଇଯିବ ନା ଡାକ୍ତର ଜଣକ ବୃଦ୍ଧାଙ୍କର ସେ ମୁଁହଙ୍କୁ ଚାହିଁଲେ ଦେଖିଲେ ବୃଦ୍ଧା ଜଣଙ୍କ ଯେମିତି ଅସହାୟ ହୋଇପଡିଥିଲେ, ତାପରେ ସେ ପଚାରିଲେ ଏକୁଟିଆ ଆସିଛ ନା ଆଉ କିଏ ଆସିଛି ବୃଦ୍ଧା କାନ୍ଦକାନ୍ଦ ହୋଇ କହିଲେ ଆସିଥିଲେ ହେଲେ ବୁଢା ବୁଢ଼ୀ କୁ ଏଇଠି ଫୋପାଡ଼ିଦେଇ ପଳେଇଲେ, ଡାକ୍ତର ବାବୁ କହିଲେ ନାଇଁ ମାଉସୀ ଏବେତ ମଉସା ଙ୍କ ଦେହ କାଲିଠାରୁ ଭଲ ଅଛି ଏ ମେଡ଼ିସିନ୍ ଗୁଡିକ ଖାଇବାକୁ ଦିଅନ୍ତୁ , କାଲି ପୁଅଙ୍କୁ ଡାକନ୍ତୁ dialysis କରିବାକୁ ପଡିବ କହି ଅକ୍ସଞ୍ଜେନ ସିଲିଣ୍ଡର ଲଗାଇବାକୁ କହିଦେଇଗଲେ।ଏତିକି ଶୁଣିବାପରେ ବୃଦ୍ଧା ବହୁତ ଫୁର୍ତ୍ତି ହୋଇଯାଇଥିଲେ ।ତାଙ୍କର ସେ ମଳିନ ପଡିଯାଇଥିବା ଗୋରା ତକ ତକ ମୁଁହଟି ପୁଣି ହସିଉଠିଥିଲା ।ଏକା ଏକା ବହୁତ କାମ କରିଚାଲୁଥାନ୍ତି, ରାତି ଅନିଦ୍ରା ହୋଇ ଜଗିବସୁଥାନ୍ତି, ବୃଦ୍ଧ ଲୋକଟିରୁ ଆଖିରୁ ଝରୁ ଥିବା ଅଶ୍ରୁ ବାରୀକୁ ପୋଛି ଦେଇକହୁଥାନ୍ତି , ହାତ ଗୋଡ ଆଉଁସିଦେଉଥାନ୍ତି ଆଉ କହୁଥାଆନ୍ତି; ଡାକତର ବାବୁ ଆସିଥିଲେ କହିଲେ କାଲି  କଣ ଗୋଟେ କରିବେ ବୋଲି କହିଲେ ଇଏ ନିଆଁ ଲଗା ପାଟିରେ  ସେ ଇଙ୍ଗିଲିଶ ତାପରେ  ତମ ଦେହ ଭଲ ହୋଇଗଲେ ଆମେ ପଳେଇବା। କେତେ ଠାକୁର ଠାକୁରାଣୀଙ୍କୁ ଡାକୁଥାନ୍ତି "ଏ ବୁଢ଼ୀ ଠାକୁରାଣୀ ମୋ ପାଖରେ ଦକ୍ଷିଣା କିମ୍ବା ଭୋଗ ଚଢ଼େଇବା ପାଇଁ ପାଇସାଟିଏ ନାହିଁ ହେଲେ ମୁଁ ତୋର ସେ ମାଟି ବେଢ଼ାଟିକୁ ଝାଡୁମାରି ଗୋବର ପାଣିରେ ଲିପିଦେଇପାରିବି ।ପୁଅ ମାନେ ଛାଡି ପଳେଇଲେ ବୋଲି ତମେ କଣ କାନ୍ଦୁଛ ଦେଖିବା ମୁ ଥାଉ ଥାଉ ତମକୁ କିଏ ନେଇଯିବ ଦେଖିବା, ବୁଢା ବାସ୍ ମୁଣ୍ଡ ଟୁଙ୍ଗାରୁଥାଏ କହିବାକୁ ଚାହୁଁଥିଲେ ମଧ୍ୟ କାହିପାରୁ ନଥାଏ ଅକ୍ସଞ୍ଜେନ ମାସ୍କ୍ ଲଗାଯାଇଥାଏ।ଏହାକୁ ହିଁ କୁହାଯାଏ ନିଃସ୍ୱାର୍ଥପର ଭଲପାଇବା ।

ସନ୍ଧ୍ୟା ହୋଇଗଲା ହେଲେ ପୁଅର ଦେଖାନାହିଁ , ଡାକ୍ତର ବାବୁ ପୁଣି ପଚାରିଲେ ପୁଅ ଆସିନି ମାଉସି, ବୃଦ୍ଧା ଉତ୍ତର ଦେଲେ ନାଇଁ;ବାପା ମାଆ ଙ୍କର ବୟସ ହୁଡ଼ିଗଲା ପରେ ସେମାନେ ଅଦରକାରୀ ହେଇଯାଆନ୍ତି ଯେମିତି ବଳଭାଙ୍ଗି ଗଲା ପରେ ଢ଼ିଙ୍କିକୁ କାଠଗଣ୍ଡି ପରି। ଡାକ୍ତର ବାବୁ  କହିଲେ ଆପଣଙ୍କ ପୁଅଙ୍କ ନମ୍ବର୍ ଟା ଦେଲେ ବୃଦ୍ଧା ତାଙ୍କ ପଣତ କାନି ଗଣ୍ଠିରୁ ବହାରକରିଥିଲେ କାଗଜଟି ଡାକ୍ତରବାବୁ ସେଥିରେ ଲେଖାଯାଇଥିବା ନମ୍ବର୍ରେ କଲ କଲେ ଏବଂ ପଚାରିଲେ ଆପଣ କେମିତି ବାପା ମାଙ୍କୁ ଡାକ୍ତରଖାନାରେ ଛାଡି ପଳେଇଲେ କାଲି ତାଙ୍କର dailysisଅଛି ଆସିକି ପହଁଞ୍ଚିବେ , ମୁ ଆସିପାରିବିନି ସେପଟୁ ଉତ୍ତର ଆସିଥିଲା, ଡାକ୍ତରବାବୁ ଉତ୍କ୍ଷିପ୍ତ ହୋଇ ଜାଛ ତା ଗାଳି କଲେ ଏବଂ କହିଲେ କାଲି ସକାଳ ୯ ତା ସୁଦ୍ଧା ନପହଂଚିଛ  ତାହେଲେ ଦୁଇଭାଇଙ୍କୁ ଥାନାରେ ଭର୍ତ୍ତି କରିଦେବି, ବାସ୍ ଏତିକି ଶୁଣିଲା ପରେ ପୁଅଟି ନାଇଁ ସାର୍ ଆମେ ଯେମିତି ହେଲେ ପହଁଞ୍ଚି ଯିବୁ।ଡାକ୍ତର କାର୍ଯ୍ୟ ରତ ଥିବା ନର୍ସଙ୍କୁ କହିଦେଇଗଲେ,  ତାଙ୍କର ପୁଅ ଝିଅ କେହି ଅସିନାହାଁନ୍ତି ଟିକେ ଧ୍ୟାନ ଦଉଥିବେ ଏକା ବୁଢ଼ୀଲୋକଟି, ନର୍ସ କହିଥିଲେ ଠିକ ଅଛି ସାର୍ ମୁଁ ଦେଖିଦେବି।ତାପରେ ଡାକ୍ତର  ଆସି କହିଲେ ଆପଣଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି କାଲି ମର୍ନିଂ ଆଉଅର ରେ ଡିଶ୍ଚାର୍ଜ ହେଇଯିବେ ।ମୁଁ ନାନୀକୁ କହିଲି କାଲି ଡାକ୍ତର ବାବୁ କହିଛନ୍ତି discharge କରେଇନେବାକୁ ତେବେ ଅଫିସ୍ ରୁବି ଫୋନ୍ ଆସିଥିଲା ,ଭାଇକି ଡାକିଦେଇଛି ସେ ସକାଳୁ ଆସିଲେ dischargeକରେଇନେବେ, ମତେ କାଲି ଭୋର ୫ଟାରେ ବାହାରିବାକୁ ପଡିବ ।

ସେଦିନ ଗୋଟାଏ ରାତି ଯାଏଁ ନିଦ ନାହିଁ ଦେଖୁଥାଏ ବୃଦ୍ଧାଙ୍କର ସେ  ଶୁଖିଲା ମୁହଁଟିକୁ  ଭରପୁର ଆଶା ରହିଥାଏ ସ୍ୱାମୀକୁ ମୃତ୍ୟୁ ମୁଁହରୁ ଛଡେଇ ଆଣିବାକୁ ଆଉ ସେ ଅକ୍ସଞ୍ଜେନ ସିଲିଣ୍ଡର ର ଭୁଟୁ ଭୁଟୁ ହୋଇବାହାରୁଥିବା ସେ ଫୋଟୋକା ଯେମିତି ଲାଗୁଥିଲା ସିଏ ବି ଅହରହ ଚେଷ୍ଟା କରିଚାଲିଛି ବୃଦ୍ଧାଙ୍କର ମନକୁ ଆହୁରି ଦୃଢ କରିବାକୁ ସେ ଯେପରି ବଦ୍ଧ ପରିକର।ତାପରେଶୋଇଯାଇଥିଲି । ମୁଁ ଠିକ୍ ସାଢ଼େ ତିନିଟା ରେ ନିଦ ଭାଙ୍ଗିଥିଲା ମୋର ବୃଦ୍ଧା  ସେମିତି ଚାହିଁରହିଥାଆନ୍ତି, ଅକ୍ସଞ୍ଜେନ ସିଲି ଣ୍ଡର   ଭୁତୁଭୁତ କରି ଫୋଟୋକା ଛାଡୁଥାଏ, ତାପରେ ମୁଁ ଚାଲିଗଲି ବାଥରୁମ୍ ନିତ୍ୟକର୍ମ ସାରି ଫେରିଲା ବେଳକୁ ବୁଢ଼ୀଟିର ଆଖିଲାଗିଯାଇଥାଏ, ତାପରେ ଅନ୍ୟମନସ୍କ ଭାବେ ମୁଁ ଟିକେ ବାହାରକୁ ଯାଇଥିଲି।ହଠାତ୍ ନର୍ସ ଙ୍କର ପାଟି ଶୁଣାଗଲା  ମାଉସି ମାଉସି ଟିକେ ଉଠିଲେ । ଦେଖିଲା ବେଳକୁ ଆଉ ଅକ୍ସଞ୍ଜେନ ସିଲିଣ୍ଡର୍ ଆଉ  ଭୁଟୁ ଭୁଟୁ ଫୋଟୋକା ଛାଡୁନି , ବୃଦ୍ଧଙ୍କର  ଆଖି ଦୁଇଟି ନିଶ୍ଚଳ ହୋଇଯାଇଚି, ଆଖିରୁ ଆଉ ଲୁହ ଝରୁନଥିଲା ବାସ ଲୁହଧାର ର ଶୁଖିଯିବାର ଚିହ୍ନ ଲାଗୁଥିଲା ଯେମିତି ଖରାଦିନର ଶୁଷ୍କ ନଦୀଟି ଭଳି ।ନର୍ସ ନାଡୀ ଚିପଧରିଲେ ତାପରେ ଡାକ୍ତର ଙ୍କୁ ଡାକିଲେ, ବୃଦ୍ଧା ଉଠିଲେ,କେତେ ଡାକିଲେ, ମୁଣ୍ଡ ଆଉଁସିପକାଉ ଥିଲେ, ଆଉ କେତେ କଣ କହିଯାଉଥିଲେ କାନପାଖରେ, ହେଲେ ବୃଦ୍ଧ ଆଜି ମୁଣ୍ଡ ଟୁଙ୍ଗରୁ ନଥିଲେ, ନିସ୍ତେଜ ପାଲଟିଯାଇଥିଲବ ଆଜି ।ଜଣେ ମହିଳା ଡାକ୍ତର ସଂଗେ ସଂଗେ ଆସି, ଆଖି ଚେକ କଲେ, ନାଡ଼ିଚିପିଧରିଲେ ଷ୍ଟେଥୋସ୍କୋପ୍ ରେ ହୃଦୟ ର ସ୍ପନ୍ଦନ  ଚେକ କଲେ, ତାପରେ ବୃଦ୍ଧା ଙ୍କୁ ପଚାରିଲେ ମାଉସୀ ସାଙ୍ଗରେ କିଏ ଆସିଛନ୍ତିକି, ମାଉସୀ କହିଲେ ନାଇଁ ସେତବଳକୁ ଡ଼ାକ୍ତରଙ୍କ  ଆଖି ମଧ୍ୟ ଛଳଛଳ ସେ ବୁଝି ପାରୁଥିଲେ ନାରୀ ର ମନ କଥା।କେମିତି କହିବେ ଯେ ତାଙ୍କ ସ୍ବାମୀ ଆଉ ନାହାନ୍ତି ବୋଲି।ମାଉସୀ ଟିକେ ଭିତରକୁ ଆସିବେ ଟିକେ କଥା ଥିଲା  ଜାଣିନି ଡ଼ାକ୍ତର କଣ କହିଲେ।ବାସ୍ ଭିତରୁ ଜୋର୍ ରେ କାନ୍ଦିବାର ସ୍ୱର ତାପରେ ହଠାତ୍ କାନ୍ଦ ବନ୍ଦ ।ବୃଦ୍ଧା ବି ଚାହୁଁ ଥିଲେ ଛାତି ପିଟି କାନ୍ଦିବାକୁ ନିଜ ପୁଅକୁ ଧରି କାନ୍ଦିବାକୁ ହେଲେ ଏଠି ତ ତାର କେହି ନାଁହାନ୍ତି ନିଜକୁ ସଜାଡ଼ିବାକୁ ଲାଗିଲେ, ନିଜକୁ ନିଜେ ଧିକରୁଥାଆନ୍ତି , ଏ ପୋକଡା  ଆଖିକୁ କାହିଁକି  ନିଦ ଆସୁଥିଲା  କେଜାଣି।
ହେଲେ ଆଜି ଯମରାଜ ବି ଚାଲାକ ହୋଇଯାଇଥିଲେ, ଏତେଦିନ ଚେଷ୍ଟା କରି କରି ଯାହା କରି ପାରିନଥିଲେ ।ବାସ୍ବୃଦ୍ଧା ଙ୍କର ଆଖି କିଛି କ୍ଷଣ ପାଇଁ ଥକି ଯାଇଥିଲା, ଏହାକୁ ନିଜର ସୁବର୍ଣସୁଯୋଗ ଭାବି ଛଡେଇ ନେଇଯାଇଥିଲେ  ଜଣେ ବୃଦ୍ଧା ର ଆଶାକୁ ଯିଏ ଏଠି ଆହରହ ଚେଷ୍ଟା କରିଆସୁଥିଲେ ନିଜର ସତ୍ୟବାନଙ୍କ ପାଇଁ ।ଯେଉଁ ସାବିତ୍ରୀ ଏକ ଶତ ପୁତ୍ରର ଜନନୀ ହେବାର ଆଳରେ ନିଜ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ଯମ ରାଜା ଙ୍କ ପାଖରୁ ହେଲେ ଆଜି  ଆଉ ଜଣେ ସାବିତ୍ରୀ ଦୁଇଦୁଇଟି ଭେଣ୍ଡିଆ ପୁଅମାନଙ୍କର ପ୍ରତାରଣାର ଶିକାର ହୋଇ ହରିଯାଇଥିଲା ଯମ ରାଜାଙ୍କ ଆଗରେ।
Kholadwar,Badatota,Jatni
Khordha,752050
Contact No 7077339519
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।