ଅରୂପ କୁମାର ବିଶ୍ବାଳ
ଭାରି ସୁନ୍ଦର ଗାଆଁ ଆମର
ବନିଯାଇଛି ଆଜି ସହର,
ଅଚିହ୍ନା ଲାଗେ ରୂପ ତାହାର
ଯୁଗର ସାଥେ ତାଳ ଦେଇକି କେତେ
ଆଗେଇଛି ଆଜି ଗାଆଁ ମୋହର ।
ଖୋଜିଲେ ମିଳେନି ଚାଳ ଛପର ।
ହୋଇଛି ଖାଲି କଙ୍କ୍ରିଟ୍ ଘର ।।
ଭାରି ସୁନ୍ଦର.......
ଏଠି ହୋଇଛି କଙ୍କ୍ରିଟ୍ ରାସ୍ତା
ମଦ ଠାରୁ ଏଠି କ୍ଷୀର ଶସ୍ତା,
ଦେଶି ଠାରୁ ବି ବିଦେଶୀ ସବୁ
ଏଇଠି ମିଳେ କେତେ ପ୍ରକାର ।
ଛୁଟୁଛି ସୁଅ ନାଲି ପାଣିର ।
ନିଶାରେ ଗାଆଁ ଆଜି ଅସ୍ଥିର ।
ଭାରି ସୁନ୍ଦର..........
ଭାଗବତ ଟୁଙ୍ଗି ନାହିଁ ଗାଆଁରେ
ସମସ୍ତେ ବ୍ୟସ୍ତ ମୋବାଇଲରେ ,
ଚାଷବାସ ନାହିଁ ପଡିଆ ପଡିଛି
ବିଲବାଡି ସବୁ ଆମ ଗାଆଁର ।
ଖେଳ ଚାଲୁଛି ରାଜନୀତିର ।
ଚାଲୁଛି ଏଠି କେତେ ବେପାର ।
ଭାରି ସୁନ୍ଦର-----------
କଥା କଥାକେ ଚାଲେ ବନ୍ଧୁକ ,
ମାଗଣା ପାଇଁ ବଢେ ସଉକ ।
କାକୁଡି କଷି,ଲଙ୍କା ମାରିଚ
ବାହାରୁ ଆସେ ହୋଇ ସବାର ।
ପାଠ ପଢିକି ପିଲା ବେକାର,
ଦାଦନ ଖଟେ ଯାଇ ବାହାର ।
ଭାରି ସୁନ୍ଦର------------
ଯୋଗ୍ୟ ହୋଇକି ଗାଁ ଭେଣ୍ଡିଆ,
ହେଉଛି ସିଏ ସହର ମୁହାଁ
ବୁଢା ବାପା ମା ଜରାଶ୍ରମରେ ।
ବିତାନ୍ତି ଦିନ ଦୁଃଖ ଅପାର ।
ଦୁଃଖ ବଢୁଛି ନିତି ନାରୀର,
ଅସହ୍ୟ ଦୁଃଖ ଗାଆଁରେ ତାର
ଭାରି ସୁନ୍ଦର ଗାଆଁ ଆମର.....
ସହକାରୀ ଶିକ୍ଷକ
ଏନ୍.ଏ.ସି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ, ପାରାଦୀପ
ମୋ-୯୦୪୦୮୭୦୧୦୦


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।