12/31/2021

ମୋ' ଗାଁ

ଛନ୍ଦ - ରସକୁଲ୍ଯା

ଶିବ ପ୍ରସାଦ ହାତୀ 
ଜନମ ଯେଉଁଠି ହୋଇଛି ମୁହିଁ
ପୁଷ୍ଟ ମୋ'ଶରୀର ଯା'ଅନ୍ନ ଖାଇ
ଯା'ମାଟି ପବନେ ଗଢ଼ା ଶରୀର
ଯା'କୋଳେ ବିତିଛି ଶୈଶବ ମୋର
ଯାହାକୁ ପାଏ ମୁଁ ଭଲ ଯେ
ସେହି ମୋର ପ୍ରିୟ ଜୀବନଠୁ ବଳି ପଲ୍ଲୀଗ୍ରାମ ବିଜାଢୋଲ ଯେ ।୧।

କାନନ କେଦାର ପର୍ବତ ଘେରା
ଅପରୂପ ଶୋଭା ଦିଶଇ ତୋରା
ଗ୍ରାମ ସନ୍ନିକଟେ ବହୁଛି ନଈ
ଦର୍ଶନେ ମନକୁ ନିଅଇ ମୋହି
ସେହି ମୋ' ଜନମ ଭୂଇଁ ଯେ
ପୁଷ୍କରିଣୀ ଶୋଭା କେଡ଼େ ମନଲୋଭା ଫୁଟିଥିଲେ ପଦ୍ମ କଇଁ ଯେ ।୨।

ନଈ ପରେ ଅଛି ଜଳଭଣ୍ଡାର
ସ୍ୱଚ୍ଛ ସୁଶୀତଳ ଜଳ ତାହାର
ତା'ଜଳେ ସ୍ନାହାନ କରିଲେ ଭାଇ
ଶ୍ରମଭାର କ୍ଷଣେ ଲାଘବ ହୋଇ
ଆମରି ଗାଆଁର ଶିରୀ ଯେ
ଚାଷବାସ ପାଇଁ ଯୋଗାଉଛି ଜଳ ସବୁ ଦୁଃଖ ନିଏ ହରି ଯେ ।୩।

ନାନା ଜାତି ଲୋକେ କରନ୍ତି ବାସ
ଗ୍ରାମବାସୀ ବନ୍ଧା ଏକତା ପାଶ
ମିଳିମିଶି ପର୍ବ କରୁ ପାଳନ
ଲକ୍ଷ୍ମୀପୂଜା ପୁଷପୁନି ନବାନ୍ନ
ବାଦ ବିବାଦକୁ ଭୁଲି ଯେ
ବିପଦେ ଆପଦେ ସାହା ହୋ'ନ୍ତି ସର୍ବେ ମନ ହୃଦୟକୁ ଖୋଲି ଯେ ।୪।

ପ୍ରବାସେ ଥିଲେ ମୁଁ ତା'ରୂପ ଝୁରେ
ସପନେ ଆସି ମୋ'ମନକୁ ହରେ
ସାଙ୍ଗସାଥୀ କଥା ପଡଇ ମନେ
ମନେ ସୁଖ ନାହିଁ ତାହାରି ବିନେ
ଯେବେ ହେବ ମୋ'ମରଣ ଯେ
ତାହାରି କୋଳରେ ଗ୍ରାମ ଶ୍ମଶାନରେ ଶରୀର ହେବ ମୋ' ଲୀନ ଯେ ।୫।
********************************************

ବିଜାଢ଼ୋଲ , ଝାରବନ୍ଧ , ବରଗଡ଼
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।