ପୁଷ୍ପାଞ୍ଜଳି ପଣ୍ଡା,
ଷ୍ଟାଟିଷ୍ଟିକାଲ୍ ଅଫିସର
ହୃଦୟ ବାନ୍ଧବ ସଖା ସୁହୃଦ ମମ
ଅବ୍ୟକ୍ତ ଭାଷା ଭାବ କେବେ ମୋର ବୁଝିବ
ଅଧରେ ଧରିନାହିଁ କେବେ ବି ତୁମ ନାମ
ସେପାଇଁ ଆତ୍ମା ମୋର ସତେ ନ ଉଦ୍ଧାରିବ।।
ପକ୍ୱ ପଳିତ କେଶ ଦେଲାଣି ଚେତାବନୀ
ଅନନ୍ତ ସମୁଦ୍ରରେ ଢେଉ ଯେ ଉଠିଲାଣି
ଲଙ୍ଘନ କରିବାକୁ ସଂସାର ସ୍ରୋତସ୍ୱନୀ
ଅଞାତ ଆୟୁଷରେ ସାଜୁଛି ଅନୁଦାନୀ।।
ବାଲ୍ୟ କୈଶ୍ୱର ବିତି ଯାଇଛି ଧୁଳିଖେଳେ
ଜୀବନ ଜମୁନାରେ ଯୌବନ ମାଦକତା
ଅଣ୍ଟିଲା ନାହିଁ କିଛି ସମୟ ପଶା ଖେଳେ
ପ୍ରାଣ ପ୍ରୟାଣ ବେଳେ କିମ୍ପାଇଁ ନୀରବତା।।
ଅସୀମ ଅନ୍ଧକାର ଦେଖି ହରାଏ ଞାନ
କ୍ଲାନ୍ତି ଅବସାଦେ ଝୁରୁଛି ପ୍ରିୟତମ
ଯିବାକୁ ହେବ ଦିନେ, ନଯିବାପାଇଁ ମନ
ଘଟରୁ ଘାଟଯାଏ ଉଦଗ୍ର ତନୁମମ।।
ବିଶ୍ୱ ବ୍ରହ୍ମାଣ୍ଡରେ ତୁମେ ତ ବିଶ୍ୱମୟ
ତରଣୀ ଫୁଟାମୋର ତାରଣ କି ନହେବ
ଶୁଣିଛି ସର୍ବୋପରି ତୁମେ ଶେଷ ଆଶ୍ରୟ
ଶୀତଳ ଆଲିଙ୍ଗନ ସତେ କେବେ ମିଳିବ।।
ମାଗୁଛି ବୋଲି ଲାଜ କରିବି କାହିଁ ପାଇଁ
ତୁମେତ ଦାତା ସର୍ବେ କରୁଣା ର ଭିକାରୀ
ତୁମରି ଇଚ୍ଛା ରେ ଏ ଧରାରେ ରହିଥାଇଁ
ରଖିଲେ ରଖ ବାରେ ନହେଲେ ଦିଅ ମାରି।।
ହୃଦୟ ବାନ୍ଧବ କଥା ପଦେ ରଖିବ
ପ୍ରାଣ ପ୍ରୟାଣ ରେ ଥରୁଟେ ଦେଖାଦେବ।।
ଯାଜପୁର

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।