12/31/2021

କରୋନା ଓ ବାପା

ସତ୍ୟନାରାୟଣ ଗନ୍ତାୟତ
ମିସ୍ କଲ୍ ଆସିଲା ବାପାଙ୍କର । ସତ୍ୟେନ୍ଦୁ ପତ୍ନୀ ସରିତା ଉଦ୍ଦେଶ୍ୟରେ କହିଲା," ଦେଖ,ଲକଡାଉନ ସମୟ ସରି ଆସୁଥିବା ଦେଖି ବାପା ବି ଫୋନ କଲେଣି ।  ପୁଣି ଏଠିକି ଆସିବା କଥା କହିବେ, କହିବେ ନାତିଙ୍କ ସହ ଖେଳିବାକୁ ମନ ହେଲାଣି।"

   "ବୁଢା ମଉକା ଦେଖି ଫୋନ କରିଛନ୍ତି ମ', ଆମ ଏରିଆରେ ସଂକ୍ରମଣ କମିଛି  ତ' ! ତେଣୁ ପୁଣି ସେଇ ସେଇ ପୁରୁଣା କଥାଗୁଡା କହି ଏଠାକୁ ଆସି ଯିବାକୁ ଅଡି ବସିବେ ! ଗଲା  ଆମ ପ୍ରାଇଭେସି ! " ଗଜଗଜ ହେଲା  ସରିତା । 

   'ଯାହାବି ହେଉ ,କଲ୍ ବେକ୍ କରୁଚି' କହି ଅଗତ୍ୟା ସତ୍ୟେନ୍ଦୁ ଫୋନ୍ ଲଗାଇଲା ବାପାଙ୍କୁ ! 

   ବାପା ଫୋନ ଧରୁଧରୁ ଗଦଗଦ ହୋଇ କହି ଉଠିଲେ," ବାବୁରେ ! ତମ ସେଠି ଏଠିକା ଭଳି ଏତେ କରୋନା ବଢୁ ନ ଥିବା କଥା ଟିଭିରୁ ଶୁଣି ଆଶ୍ୱସ୍ତ ଲାଗିଲା । ୟା ବୋଲି ତମେ ସବୁ ବେପରୁଆ ହୋଇ ଯିବନିଟି ! ଦେଖୁଛ ତ  ଏ ମହାମାରୀର ଭରସା ନାଇଁ ।ବାରମ୍ବାର ଲେଉଟୁଛି କେମିତି । ତେଣୁ ବେପରୁଆ ଜମା ହୋଇ ଯିବନି । ସବୁବେଳେ ମାସ୍କରେ ମୁହଁ ଘୋଡାଇ,ବାରମ୍ବାର ହାତ ଧୋଇ, ଦୂରେଇ ରହିଲେ ହିଁ ସିଏ ବି ଆମଠୁ ଦୂରେଇ ରହିଥିବ ! ବୋହୁକୁ, ପିଲାମାନଙ୍କୁ କହିବୁ ଏସବୁ ମାନି ହୁସିଆରରେ ରହିଥିବେ ! ବାପ ମନ ତ', ଏତକ କହିଲେ ହିଁ ମୋତେ ଶାନ୍ତି ବୋଲି ଜାଣ। 


    ହଁ, ମୁଁ ଆଉ ତମ ସେଠିକି ଯିବିନି। କଥା କ'ଣକି ବାହାରେ  ଥିବା ଆମର ବହୁ ବନ୍ଧୁ ବାନ୍ଧବ ଏବେ ଗାଁ କୁ ଫେରି ଆସିଛନ୍ତି। ସେମାନେ ଜିଗର କରୁଚନ୍ତି ମୋତେ ଏଠି ରହିଯିବା ପାଇଁ । ତେବେ ମଝି ମଝିରେ ମୁଁ ତୋ ମାମୁଁର ବଡ ମୋବାଇଲରେ ଭିଡିଓ କଲ କରି ତମ ମାନଙ୍କୁ ଟିକେ ମନ ପୂରାଇ ଦେଖି ନେଉଥିବି । ସତର୍କ ରହିଥିବୁ ବାପା !" କହି ବାପା ଫୋନ ରଖିଲେ।

      ବାପା ପୁଣି ଆସି ଯିବେଟି ?  ପଚାରିଲା ସରିତା। ଏଥର କିନ୍ତୁ ଗମ୍ଭୀର ହୋଇ ସତ୍ୟେନ୍ଦୁ କହିଲା, "ନା, ବାପାଙ୍କର  ଆଉ ଏଠିକି ଆସିବାର ନାଇଁ, କି ତାଙ୍କ କଥା ମାନିଲେ ଆମର ବି ଏ କରୋନାକୁ ଆଉ ଡରିବାର ନାଇଁ !! "

ସୁହାସିତମ୍, କସ୍ତୁରୀ ନଗର
ରାୟଗଡା: ୭୬୫୦୦୧
୯୪୩୭୯୦୯୬୭୫
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।