12/31/2021

ପ୍ରକୃତିର ରୋଷ

ସମିତା ସ୍ବାଇଁ
ପ୍ରକୃତି ର ରୋଷ ବୁଝୁନି ମଣିଷ                                        ବିଶ୍ବ ବିଭୀଷିକା ଗ୍ରସ୍ତ 
ଋତୁ ଆସେ ଏବେ ବିପର୍ଯ୍ୟୟ ନେଇ
     ସର୍ବ ପ୍ରାଣୀ ଅସ୍ତବ୍ଯସ୍ତ।।

ପଡିଲେ ଦୁର୍ଭିକ୍ଷ ମରୁଡି ମଡକ 
     ଶୁଷ୍କ ହୁଏ ନଦୀଧାର
ଜଳବିନା ପୁଣି ଶୁଭେ ହାହାକାର
    କାରୁଣ୍ଯ ତୃଷାର୍ତ୍ତ ସ୍ବର।।

କେତେ ବେଳେ ଆସେ ବାତ୍ଯା ରୂପନେଇ 
    କେବେ ବନ୍ଯା ମହାମାରୀ
ତାଣ୍ଡବ ରଚଇ ତା ନିଜ ଇଛାରେ 
     କେତେ ଲୀଳା କରିକରି।।

ତାପ ମାନ ଏବେ ଚାଲେ ବଢି ବଢି 
       ଜଳସ୍ତର ପାଏ ହ୍ରାସ
ଅମ୍ଳଜାନ ସବୁ ସରି ସରି ଆସେ
       ପ୍ରଦୂଷିତ ପରିବେଶ ।।

ମାଆ ସେ ଆମରି ଧାତ୍ରୀ ଯେ ଧରିତ୍ରୀ 
     ଶରୀର ତାର ବିଦୀର୍ଣ୍ଣ 
ଲୋତକେ ଭିଜୁଛି ନୟନର ଧାର
     ଛାତି ହୁଏ କମ୍ପମାନ।।

ପ୍ରକୃତି ପ୍ରଳୟ ଅଭିପ୍ରେତ ଏବେ
     ବିଧ୍ବଂସ୍ତ ଅରଣ୍ଯ ଗିରି 
ଜୀବ ଜନ୍ତୁ ଠାରୁ ତରୁଲତା ଦ୍ରୁମ 
      ତୁଟି ଯାଏ ସବୁ ଶିରୀ।।

ଖର ଶ୍ବାସରେ ତା ଝଡ ଆସିଥାଏ 
     କୋପରେ ହୁଏ କରୋନା 
ସହିବାର  ସବୁ ସୀମା ପାର ହେଲେ
        ରଚେ ବିହି ବିଡମ୍ବନା ।।

କ୍ଲାନ୍ତ ଅବସନ୍ନ ମଳୟ ପବନ
    ବିକାଶ ର ମାୟାଜାଲେ 
ବର୍ଷ, ମାସ, ଋତୁ ଆସି ଯାଉଥାଏ 
    ଅସ୍ଥିର ଭସା ବାଦଲେ।।


ବୈଷୟିକ ଜ୍ଞାନ ପ୍ରୟୋଗ ବଳରେ
      ସନ୍ତୁଳନ କରି ନାଶ
ଆବଶ୍ୟକତା କୁ ପୂରଣ କରୁଛି 
    ସଭ୍ଯ ସମାଜ ମଣିଷ।।

ଭୂମି ଠାରୁ ଭୂମା କାୟାକୁ ବିସ୍ତାରୀ 
    ମହାମାରୀ ମହାଯୁଦ୍ଧ
ଦିଏ ମହାଶିକ୍ଷା ମଣିଷ ଜାତିକୁ
     ପ୍ରମାଣିତ ଏବେ ମଧ୍ୟ।।

ତରୁ ଠାରୁ ତୃଣ ପ୍ରକୃତି ସନ୍ତାନ
    ପ୍ରାଣୀରୁ ଉଦ୍ଭିଦ ଯାଏ 
ଦିଗରୁ ଦିଗନ୍ତ ସବୁ ପ୍ରାଣବନ୍ତ 
    ନଦୀ ନକ୍ଷତ୍ର ସଭିଏଁ।।

ପ୍ରକୃତି ବିରୁଦ୍ଧେ କିଏ ସେ ବା ଯିବ
       କାହାର ଅଛି ସାହସ
ସତର୍କ ର ଘଣ୍ଟି ବଜାଇ ଭୁତାଣୁ 
       ହସୁଛି ମୁରୁକି ହସ।।

ବଦଳାଇ ଦିଅ ଜୀବନ ଧାରାକୁ
    କାନେକାନେ ସେ କହୁଛି
ଏ ମାଟିରେ  ପୁଣି ମୁକୁତା ଝରିବ 
     ଏବେବି ସମୟ ଅଛି।।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।