12/31/2021

ମୋ' ଗାଆଁ

କାମ୍ବିନୀ ଖୁଣ୍ଟି
**********************

ପ୍ରକୃତି ମଣ୍ଡିତ ସବୁଜ ବନାନୀ 
ଦିଶେ ଏଇ ମୋର ଗାଆଁ 
ଧାନ କ୍ଷେତ ଧାରେ ଚଷା ପୁଅ ଗାଏ 
ବିଜେ ହୁଅ ଲକ୍ଷ୍ମୀ ମାଆ...
  ଏଇ ମୋ' ଗାଆଁ ଏଇ ମୋ' ଗାଆଁ...

ସୂରୁଜ ଉଇଁଲେ ବୃକ୍ଷ ଉହାଡ଼ରେ 
ଝରକା ଫାଙ୍କରେ ଦିଶେ
ଶିଶୁକୁ ଦେଖିଲେ ମନ ଆନନ୍ଦିତ 
ଖିଲିଖିଲି ହୋଇ ହସେ...

ଗୁରୁଣ୍ଡି ଗୁରୁଣ୍ଡି ଚାଲି ଯାଉଥାଏ 
ଡାକି ଦିଏ ଯେବେ ମାଆ 
ମାଆର ମମତା ଝରି ପଡୁଥାଇ 
ଆ' ଧନ ମୋ' କୋଳକୁ ଆ'... 
    ଏଇ  ମୋ' ଗାଆଁ... ଏଇ ମୋ' ଗାଆଁ...

ଗାଁ ପର୍ବପର୍ବାଣୀ ମନ ନିଏ କିଣି 
ଭାଇ - ଭାଇ ସ୍ନେହ ପ୍ରୀତି 
ବିପଦ ଆପଦେ ରହିଥା'ନ୍ତି ସଦା 
ଦୂରେ ଯାଏ ଭୟ ଭୀତି...

ଗାଆଁଟି ମୋହର କୃଷିରେ ଜଡ଼ିତ 
ଖୁସି ହୁଏ ମାଟି ମାଆ 
ମାଟିରେ ମିଶିଲେ ମାଟି ହୋଇଗଲେ 
କି ଆନନ୍ଦ ମିଳେ ଆହାଃ...
    ଏଇ ମୋ' ଗାଆଁ ଏଇ ମୋ' ଗାଆଁ...

ନଦୀ ଧାରେ ଧାରେ ତାଳ ଗଛ ବଣ 
ବାଈଚଢେ଼ଇର ବସା
ରାତି ପାହିଗଲେ ସକାଳ ହୋଇଲେ 
ମନେ ଉଙ୍କି ମାରେ ଆଶା... 

ଗାଆଁକୁ ଭୁଲିଣ ବିଦେଶରେ ଥିଲେ 
କରୋନା କହିଲା ଯାଆ
ଫେରିଲେ ଭୟରେ ଡ଼ାକିଲେ ଆତୁରେ 
ଫେରିଯିବୁ ମାଟି ମାଆ... 
ଏଇ ମୋ' ଗାଆଁ... ଏଇ ମୋ' ଗାଆଁ... 

ଗାଆଁକୁ ଫେରିଲେ ଚାଷରେ ମଜ୍ଜିଲେ 
ଧାନ କ୍ଷେତ ଗଲା ପୂରି 
ପରିବାର ଠାରୁ ଗାଆଁଠୁ ନେଇକି 
ଖୁସି ଭରେ ଅସୁମାରୀ... 

ସବୁ କର୍ମ ପରା ସରିଗଲେ ଏଠୁ 
ଛାଡିବାକୁ ହେବ ଗାଆଁ 
ପାପ ପୁଣ୍ୟ ଫଳ କଷାକଷି ଥାଉ 
ମଶାଣି ଡ଼ାକଇ ଆ' ଆ'... 
ଏଇ ମୋ' ଗାଆଁ... ଏଇ ମୋ' ଗାଆଁ... 

କରମକୂଳ , କେନ୍ଦ୍ରାପଡ଼ା
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।