12/31/2021

ଜୀବେଦୟା ଆଜି ସ୍ବପ୍ନ

ବୈଜୟନ୍ତୀ ସାହୁ
    ପ୍ରତ୍ଯେକ ପ୍ରାଣୀ ଈଶ୍ବରଙ୍କ ସୃଷ୍ଟି ।ମାନବର ଯେପରି ବଞ୍ଚିବାର ଅଧିକାର ଅଛି,ଜୀବଜନ୍ତୁ,ପଶୁପକ୍ଷୀଙ୍କର ବି ସେମିତି ବଞ୍ଚିବାର ହକ ଅଛି । ସେଥିରୁ ତାଙ୍କୁ ବଞ୍ଚିତ କରିବାର ଅଧିକାର କାହାର ନାହିଁ ।ମନୁଷ୍ଯ ଓ ମନୁଷ୍ୟେତର ଜୀବଜନ୍ତୁ ଈଶ୍ବରଙ୍କ ମହାନ ଅବଦାନ ।ପୃଥିବୀ ପୃଷ୍ଟରେ ଏମାନେ କେଉଁ ପ୍ରାଚୀନ କାଳରୁ ମିଳିତଭାବେ ବାସକରି ଆସୁଛନ୍ତି ।ବୈରତା ଓ ମିତ୍ରତା ଏମାନଙ୍କ ମଧ୍ୟରେ ଆରମ୍ଭରୁ ଦୃଷ୍ଟି ଗୋଚର ହୁଏ ।ସଭ୍ଯତା ଓ ସଂସ୍କୃତିର କ୍ରମୋନ୍ନତି ସହିତ ମନୁଷ୍ଯ ଓ ଜୀବଜନ୍ତୁଙ୍କ ମଧ୍ୟରେ ଦୂରତା କ୍ରମଶଃ ବଢିଯାଇଛି ।ଭାରତୀୟ ପୂଣ୍ଯମୟୀ ସଂସ୍କୃତି ର ଉଦ୍ଦାତ୍ତ ଘୋଷଣା "ଜୀବେଦୟା" ଆଜିସ୍ବପ୍ନ ।
                       ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟର ଅନ୍ତରରେ ଜୀବହିଂସା ଆଜି ମାଟିକଣ୍ତେଇ ପରି ସ୍ଥାନପାଇଛି ।ଇତିହାସ ପୃଷ୍ଟାରୁ ଆମେ  ପଢିଛେଯେ, ଆଦିମ ତଥା ପ୍ରସ୍ତରଯୁଗର ମାନବ ପଶୁ ଶୀକାର କରି ପ୍ରଥମେ କଞ୍ଚା ଓ ପରେ ନିଆଁର ବ୍ୟବହାର ଜାଣିବାପରେ ପୋଡିକରି ଖାଇବା ଜଣାଯାଏ ।ସଭ୍ଯତାର କ୍ରମବିକାଶ ସଙ୍ଗେସଙ୍ଗେ ମନୁଷ୍ୟର ମାଂସଲିପସା ଓ ପଶୁବଧ ପ୍ରବୃତ୍ତି ବଢି ବଢି ଚାଲିଛି । ପାଶ୍ଚାତ୍ଯ ସଭ୍ଯତାର  ପ୍ରଭାବ ଓ ଭୌତିକ ଜୀବନର ଆକର୍ଷଣ ମନୁଷ୍ଯକୁ ମାଂସାଶୀ କରିଛି ।ଫଳତଃ ଜୀବବଧ କରିବାକୁ ପ୍ରବୃତ୍ତି ପରିଚାଳିତ ମନୁଷ୍ଯ ଶ୍ରେୟ ମନେ କରୁଛି । ଖାଇବାର ଦୁର୍ବାର ଲୋଭ ଲାଳସା ମନୁଷ୍ଯକୁ ନିର୍ଦ୍ଦୟ କରିଦେଉଛି ।ଏହା ଜୀବମାନଙ୍କ ପ୍ରତି ଘୋର ଅପ୍ରିତୀକର ଓ ନିର୍ଦୟତାର ଏକ ପ୍ରମୁଖ କାରଣ ।ଏତଦ ବ୍ଯତିତ ଅର୍ଥଲୋଲୁପତା ଓ ବ୍ୟବସାୟିକ ମନୋବୃତ୍ତି ଜୀବ ନିର୍ଦ୍ଦୟତାର ଏକ ପ୍ରମୁଖକାରଣ ।
              ଜାତୀୟ ,ଆର୍ନ୍ତଜାତୀୟ ସ୍ତରରେ ଚୋରାବେପାରୀଦଳ  ଏଥିପାଇଁ ବି ଢେର ସକ୍ରିୟ ଅଛନ୍ତି ।ଏପରିକି  ଭୟାରଣ୍ଯଭଳି ପଶୁପକ୍ଷୀ ସଂରକ୍ଷିତ ସ୍ଥଳରୁ ବି ଜୀବଜନ୍ତୁ ବଧ କରାଯିବାର ଆମେ ଟିଭି, ଖବରକଗଜରୁ  ଜାଣୁଛୁ ।ଜୀବଜନ୍ତୁଙ୍କୁ ଯଦି ଅବାଧରେ ହତ୍ଯା କରାଯାଏ,ତେବେ ପ୍ରକୃତି ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟିହେବ ।ଜୈବ ସନ୍ତୁଳନ ରକ୍ଷା ହୋଇ ପାରିବନାହିଁ । କାଳକ୍ରମେ ବିଭିନ୍ନ ଜୀବଜନ୍ତୁ ହ୍ରାସପାଇ ଲୋପ ବି ହୋଇଯିବେ ।ବିଭିନ୍ନ ଜୀବ  ବିଭିନ୍ନ ରଙ୍ଗ ଆକୃତିର ସେମାନଙ୍କୁ ଦେଖିଲେ ମନପ୍ରାଣ ପୂରିଉଠେ । ପ୍ରକୃତିକୋଳରେ ସେମାନଙ୍କୁ ଦେଖି ପ୍ରକୃତିପ୍ରେମୀ ମାନବ ବିମଳ ଆନନ୍ଦଲାଭ କରେ । ଭାରତୀୟ ସଭ୍ଯତା ଓ ସଂସ୍କୃତିରେ ,ସାହିତ୍ଯରେ ବିଭିନ୍ନ ଜୀବଜନ୍ତୁଙ୍କୁ ଉଚ୍ଚସ୍ଥାନ ଦିଆଯାଇଛି ।ପଶୁପକ୍ଷୀ ମନୁଷ୍ୟର ବହୁ ଉପକାରୀ । ସୁତରାଂ ପଶୁପକ୍ଷୀଙ୍କ ସହିତ ଆମମାନଙ୍କର  ଆତ୍ମୀୟତା ଓ ଦୟାଭାବ ରହିବା ଉଚିତ ।ବିଭିନ୍ନ ଔଷଧ ଓ ଅତି ଆବଶ୍ଯକ କାର୍ଯ୍ଯ ପାଇଁ ଆମେ ପଶୁପକ୍ଷୀଙ୍କଠାରୁ ବିଭିନ୍ନ  ଉପାଦାନ ପାଉ ।ତେଣୁ ସେମାନଙ୍କୁ ବଞ୍ଚିବାର ଅଧିକାର ଦେବା  ଆମ୍ଭମାନଙ୍କର କର୍ତ୍ତବ୍ୟ ।ଉପକାରୀ ପ୍ରତି ଦୟାପ୍ରଦର୍ଶନ ଓ ତା'ର ସେବା ମଣିଷପଣିଆର ମାପକାଠି ଅଟେ।
                                ବୈଦିକଯୁଗରୁ ଏଯାବତ"ଜୀବେଦୟା" ସପକ୍ଷରେ ସ୍ବର ଉଠୁଛି ।ଜୀବବଧ ପାପର କାରଣ ଓ ଜୀବହତ୍ଯା ନରକ ଭୋଗକରେ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।ଅଶୋକ,କନିଷ୍କ, ହର୍ଷବର୍ଦ୍ଧନ ଆଦି ପ୍ରାଚୀନ ନରପତିମାନେ ତାଙ୍କ ସାମ୍ରାଜ୍ଯରେ  ଜୀବ ବଧ ନିଷେଦ୍ଧ ଘୋଷଣାକରିଥିଲେ ।ଦେବବ୍ରତଙ୍କର ହଂସ ଶୀକାର, ଗୌତମଙ୍କର ଆହତ ହଂସର ସେବା ଓ ଜୀବଦାନ ଜୀବେଦୟାର ଏକ ଉଦାହରଣ । ଉତ୍କଳୀୟ କବି ଜୟଦେବ ମଧ୍ୟ
ଦଶାବତାର ସ୍ତୋତରେ କହିଛନ୍ତି‐ 
"ନିନ୍ଦସିଯଜ୍ଞବିଧେ ରହହ ଶ୍ରୁତିଜାତଂ
ସଦୟ ହୃଦୟ ଦର୍ଶିତ ପଶୁଘାତଂ
କେଶବଧୃତ ବୁଦ୍ଧଶରୀର 
ଜୟଜଗଦୀଶ ହରେ "।
                        ସବୁଜକବି ବୈକୁଣ୍ଠନାଥ "ଚିଲିକାରେ ପକ୍ଷୁ ବଧକୁ ଲକ୍ଷ୍ଯକରି ଲେଖିଛନ୍ତି‐ 
"ମାନବ ଅନ୍ତରେ ଜଳେ ବର୍ବର ପିପାସା,କିଏବା ଶୁଣିବ ଆଜି ମୁକପକ୍ଷୀଭାଷା "। ସତ୍ଯବାଦୀ ଯୁଗର କବି ପଣ୍ତିତ ଗୋଦାବରୀଶ  "କାଳିଯାଇ ପାହାଡରେ ପରିତ୍ଯକ୍ତ ଛେଳିଛୁଆ ପାଇଁ"ଅନାଥଶିଶୁ" କବିତାରେ ଯେଉଁ ସହାନୁଭୂତି ଝରଣା ଝରାଇଛନ୍ତି ତାହା ବିଚାର୍ଯ୍ଯ ।ତଥାପି ଭାରତବର୍ଷରେ ପ୍ରତିବର୍ଷ "ଜୀବମଙ୍ଗଳ ସପ୍ତାହ" ପାଳନ କରାଯାଉଛି ।ଈଶ୍ବରଙ୍କ ସୃଷ୍ଟିକୁସରସ,ସୁନ୍ଦର ଶୃଙ୍ଖଳିତ କରିବାପାଇଁ ଜୀବ ବଧଠାରୁ ମନୁଷ୍ଯଜାତି ଦୂରରେ ରହିବା ଉଚିତ ।ଇଶ୍ବରସୃଷ୍ଟ ଜୀବଜନ୍ତୁଙ୍କ ପ୍ରତି ନିର୍ଦ୍ଦୟତା ପରିହାର କରି ଦୟା,ସ୍ନେହ,ସହାନୁଭୁତି ଦେଖାଇବା ମନୁଷ୍ୟର ମହତଗୁଣର ପରିଚାୟକ । ମନୁଷ୍ଯ ପଶୁତ୍ବରୁ ଦେବତ୍ବ ଆଡକୁ  ନେବାପାଇଁ ଜୀବେଦୟା ହେଉଛି ଏକ ଧର୍ମୀୟ ଶିଡି ।
***୦୦***୦୦**

ପିପିଲି,ପୁରୀ
ଫୋ‐୯୪୩୮୨୨୧୫୯୦
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।