ମୃଣ୍ମୟୀ ବେହେରା
🌼🌼🌼🌼 🌼🌼🌼🌼
ସହରୀ ଦୁନିଆ ଚାକଚକ୍ୟ କାହିଁ
ମନେ ଦିଏ ନାହିଁ ଶାନ୍ତି,
ସ୍ମୃତି କଦମ୍ବଟି ମହମହ ବାସେ
ଯହିଁରେ ମୋ'ଗାଁଆ ପ୍ରୀତି।।
ବିସ୍ମରି ହୁଏନା ମାତୃଭୂମି ପ୍ରୀତି
ହୃଦୟେ ଅତୀତ ଗାଥା,
ଗାଁ ମାଟି କାହିଁ ନୀରବେ ଡାକଇ
ମନରେ ଅସୀମ ବ୍ୟଥା ।।
ଆତ୍ମୀୟ ସ୍ୱଜନ ଛାଡି ଦୂରେ ରହି
ନୟନେ ଅଶ୍ରୁ ଝରଇ,
ମାଟି ମା ଠାରୁ ମୋ'ପ୍ରାଣ ଆଜି ବି
ରହେ ଅବିଚ୍ଛେଦ୍ୟ ହୋଇ ।।
ଯହିଁ ବିଲପଦା, ନଦୀ ର ଆସର
ହାତ ଠାରି ମୋତେ ଡାକେ,
ଭଳି ଭଳି ବୃକ୍ଷେ ଫଳ, ଫୁଲ ଧରି
ସ୍ମିତ ହାସ୍ୟ ଦିଏ ମୁଖେ ।।
ଗ୍ରାମ ଦେବୀଙ୍କର କୃପାର ପୀୟୂଷ
ଆଶିଷ ଢାଳେ ଜୀବନେ,
କଣ୍ଟକିତ ପଥ କରେ କୁସୁମିତ
ସାହାସ ସଞ୍ଚରେ ମନେ ।।
ଅତୀତର ଶିରୀ ସଂସ୍କୃତି ସଂସ୍କାର
ପ୍ରବାହିତ ସର୍ବ ଶିରେ,
ବିଦ୍ୟାପୀଠ ସିଞ୍ଚେ ବିଦ୍ୟାମୁକ୍ତା ବାରି
ଜ୍ଞାନ ସୁଧାରସ ଝରେ ।।
ନାହିଁ ଏଠି ହୃଦେ ହିଂସା ବୈରୀ ଦ୍ୱେଷ
ଏକତା ହିଁ ମୂଳ ମନ୍ତ୍ର ,
ସ୍ନେହ, ପ୍ରେମ,ଦୟା ବହ୍ନି ପ୍ରଜ୍ଜଳିତ
ମୋ' ଗାଁଆ ଟି ସ୍ଵତନ୍ତ୍ର ।।
ଝାରପଡ଼ା - ଭୁବନେଶ୍ବର

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।