ରାମଚନ୍ଦ୍ର ପ୍ରଧାନ (ଶିକ୍ଷକ)
କେଡେ ସୁନ୍ଦର ମୋ' ଛୋଟିଆ ଗାଆଁଟି
ସାନ୍ତରାପଲ୍ଲୀ ତା' ନାଆଁ
ତା' ପାଣି ପବନ ପଲ୍ଲୀ ପରିବେଶ
ସବୁରି ହୃଦୟ ଛୁଆଁ...
ଗାଆଁର ପୂରୁବେ ବାଘୁଆ ନଈଟି
କୁଳୁ କୁଳୁ ନାଦେ ବହେ
ପଶ୍ଚିମରେ ଶିବ ରାଧାକୃଷ୍ଣ ପୀଠ
ଆଧ୍ୟାତ୍ମିକ କଥା କହେ...
ଗାଁ ମଝିରେ ପ୍ରଭୁ ଶନିଶ୍ଚର ପୀଠ
ଦକ୍ଷିଣେ ମାଁ ଠାକୁରାଣୀ
ଉତ୍ତରେ ମଙ୍ଗଳା ଗାଆଁ ବନ୍ଧ ନାମେ
ରହିଛି କେତେ କାହାଣୀ...
ଭାଇଚାରା ପଣ ପ୍ରତିବେଶୀ ଶ୍ରଦ୍ଧା
ଲାଗେ ମୋତେ ଭଲ ଏଠି
ଆପଣାପଣର ନିଆରା ବାସନା
ବାରି ହୁଅଇ ସବୁଠି...
ଗାଆଁଠାରୁ ଯେତେ ଦୂରରେ ଥିଲେ ବି
ମଣେନା ମୁଁ ପରବାସୀ
ମନ କାଗଜରେ ତା ' ସୁନ୍ଦର ଛବି
ନିତି ଆଙ୍କୁଥାଏ ବସି...
ବରଷକୁ ଥରେ ହୁଏ ଦୋଳ ଯାତ
ସର୍ବେ ହୁଅନ୍ତି ଏକାଠି
ରଜଦୋଳି ଖେଳ ସାଙ୍ଗସାଥି ମେଳ
ଭାରି ମଜାଲାଗେ ଏଠି...
ନାହିଁ ଜାତିଭେଦ ଅବା ହିଂସାବାଦ
କେହି ନୁହେଁ ବଡସାନ
ବିକାଶ ପଥରେ ଏବେ ସେ ଆଗରେ
କଳହର ନାହିଁ ଚି଼ହ୍ନ...
ମାଆ ଠୁ ସେନେହି ଅଟେ ସେ ନିଜର
ତା' ପରିକା କେହି ନାହିଁ
ମୋ ପ୍ରିୟ ଗାଆଁର ସ୍ୱାଭିମାନ ପାଇଁ
ଏ ଜୀବନ ଦେବି ମୁହିଁ...

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।