ପ୍ରିୟଦର୍ଶିନୀ ସାମନ୍ତରାୟ
ରାତି ପ୍ରାୟ ଏଗାରଟା ହେବ । ଦାସବାବୁଙ୍କ ଘରୁ ଲାଗ୍ ଲାଗ୍ ଚାରୋଟି ଗୁଳି ଫୁଟି ଉଠିଲା । ସାହିପଡିଶା ଦୌଡି ଆସିଲେ । କବାଟ ଭିତର ପଟୁ ବନ୍ଦ, ଛୁଆଟିର କାନ୍ଦ ଘର ଭିତରୁ ଶୁଭୁଥିଲା । କେହି ସାହସ କଲେନି ଭିତରକୁ ଯିବା ପାଇଁ । ପୋଲିସ୍କୁ ଫୋନ କରାଗଲା । ପିଲାଟିର କାନ୍ଦଣା ବ୍ୟତି ବ୍ୟସ୍ତ କରିଦେଉଥାଏ ପରିବେଶକୁ । ପୋଲିସ୍ ଆସି କବାଟଟିକୁ ଧକ୍କା ମାରି ଧରାଶାୟୀ କରିଦେଲା । ଓଃ..... ଭିତରର ଦୃଶ୍ୟଟି ଛାତି ଥରାଇ ଦେଲା ଦେଖଣାହାରୀଙ୍କର । ଚାରି ଚାରିଟି ରକ୍ତ ଜୁଡୁ ବୁଡୁ ମୃତ ଶରୀର , ପାଖରେ ଚାରିବର୍ଷର ଛୁଆଟି ରାହା ଧରି କାନ୍ଦୁଛି ଓ ଦାସ ବାବୁ ପଥରଟି ପରି କାଠ ଚୌକିରେ ବସିଛନ୍ତି । ପ୍ରାଣ ଅଛି କି ନାହିଁ ବୁଝି ହେଉନାହିଁ । ସାହି ମାଇପି ଜଣେ ଯାଇ ଛୁଆଟିକି କୋଳେଇ ଆଣିଲେ । ଘଟଣା ସ୍ଥଳୀରୁ ଗୋଟିଏ ଦେଶୀ ବନ୍ଧୁକ ଜବତ୍ କଲା ପୋଲିସ୍ । ଦାସବାବୁଙ୍କୁ ହଲାଇ ଦେଖିଲେ, ଜୀବିତ । ଘଟଣା ସମ୍ପର୍କରେ ପଚରାଗଲା ତାଙ୍କୁ, ହେଲେ ସେ ନିରୁତ୍ତର । ପୋଲିସ୍ ଏସ୍.ଆଇ. ସାହି ପଡ଼ିଶାରେ ପଚାରିବାରୁ ଜଣାଗଲା, ମନୋହର ଦାସ ଦି ବର୍ଷ ହେଲା ଚାକିରୀରୁ ଅବସର ନେଇ ଗାଁ କୁ ଫେରିଛନ୍ତି । ଯାହା ଶବ ଏଠି ପଡିଛି, ସେମାନେ ହେଲେ, ତାଙ୍କ ସ୍ତ୍ରୀ ମଧୁ, ବଡ଼ ପୁଅ ମଣ୍ଟୁ, ବୋହୂ ସୂଚୀ ଓ ସାନ ପୁଅ ଚିଣ୍ଟୁ । ମଣ୍ଟୁ ଠିକାଦାରୀ କରୁଥିଲା, ଚିଣ୍ଟୁ କଷ୍ଟେ ମଷ୍ଟେ ବି.ଏ. ପାସ୍ କରି ଚାକିରୀ ଖୋଜୁଥିଲା । ଗୋଟିଏ ବୋଲି ଝିଅ ମିନୁ ପାଖ ଗାଁରେ ବାହା ହେଇଛି । ଶିକ୍ଷିତ ପରିବାର, ବାହାରକୁ ସବୁ ଠିକ୍ ଠାକ୍, ହେଲେ.... କେହି ବୁଝି ପାରୁ ନାହାନ୍ତି ଏ ସବୁ କଣ ଘଟିଗଲା ଓ କାହିଁକି !
ପ୍ରଥମେ ପୋଲିସ୍ ଅନୁସନ୍ଧାନରେ ଡକାୟତି ଦିଗଟିକୁ ପ୍ରାଥମିକତା ଦିଆଗଲା, ବୋଧହୁଏ ଘରେ ଲୁଟ୍ କରିବା ଉଦ୍ଦେଶ୍ୟରେ ଆସି କେହି ଏ କାଣ୍ଡ ଭିଆଇ ଥିବ I ହେଲେ ଫରେନ୍ସିକ୍ ରିପୋଟରେ ସଫା ସଫା ଜଣା ପଡ଼ିଗଲା ଯେ ବନ୍ଧୁକଟିରେ ଦାସ ବାବୁଙ୍କର ହିଁ ଆଙ୍ଗୁଠିର ଚିହ୍ନ ଥିଲା । ପୋଲିସ୍ ବାବୁ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ନିଜେ ଦାସ ବାବୁ ନିଜ ପରିବାର କୁ ନାଶ କରିଥିଲେ ? ଏହା ଭିତରେ ଦଶ ଦିନ ବିତିଯାଇଥିଲା, ଦାସ ବାବୁ ମୁହଁ ଖୋଲି ନ ଥିଲେ । ପୋଲିସ୍ ତାଙ୍କୁ କଷ୍ଟଡ଼ିରେ ନେଇସାରିଥିଲେ ହେଁ ତାଙ୍କଠୁ କିଛି ଆଦାୟ କରିପାରି ନଥିଲା । ବୁଢା ଲୋକ, ଜୋର୍ ଜବରଦସ୍ତି କରି ହେଉ ନଥାଏ । ମନୋଚିକିତ୍ସକଙ୍କ ସାହାଯ୍ୟ ବି ନିଆଯାଇଥିଲା, ହେଲେ ସବୁ ବୃଥା । ଗାଁ ଲୋକଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦାସ ବାବୁ ଜଣେ ଶାନ୍ତ ସରଳ ବ୍ୟକ୍ତି ଥିଲେ । ପୋଲିସ୍ର ଅଡୁଆ ବଢି ଚାଲିଥାଏ । ଦାୟିତ୍ଵ ଗଲା ଓ . ଆଇ. ସି. କାନୁନ୍ଗୋ ବାବୁଙ୍କ ପାଖକୁ | ବିକ୍ରମ କାନୁନ୍ ଗୋ ଜଣେ ନାମକରା ପୋଲିସ୍ ଅଫିସର୍ । ରିଟାୟର୍ଡ ହେବାକୁ ଆଉ ମାସ କେତୋଟି ବାକି । ଅନେକ କେସ୍ ସମାଧାନ କରିଛନ୍ତି । ତାଙ୍କ ବୟସ ଓ ଅନୁଭବକୁ ଡିପାର୍ଟମେଣ୍ଟରେ ସମ୍ମାନ ମିଳେ । ତାଙ୍କରି ନିର୍ଦ୍ଦେଶାନୁଯାୟୀ ଦାସ ବାବୁଙ୍କ ଝିଅ କୁ ଅଣାଗଲା ଥାନାକୁ । କାନ୍ଦୁଥାଏ ଝିଅଟି । କାନୁନ୍ଗୋ ବାବୁ ତାକୁ ବୁଝାବୁଝି କରି ନେଇଗଲେ, ଦାସ ବାବୁ ଥିବା ସେଲ୍ ନିକଟକୁ । ମିନୁ ଡାକି ଦେଲା , " ବାପା...... "
ଥରେ ଝିଅ ମୁହଁକୁ ଚାହିଁ ପୁଣି ମୁହଁ ବୁଲାଇ ଦେଲେ । ମୁଣ୍ଡ ପିଟି କାନ୍ଦୁ ଥାଏ ମିନୁ । ଦାସ ବାବୁ ବସିଥାଆନ୍ତି ନିର୍ବିକାର ଭାବେ । ଥାନା ବାବୁଙ୍କ ଇଙ୍ଗିତରେ ଜଣେ ଲେଡ଼ି କନ୍ଷ୍ଟେବଲ୍ ଆସି ନେଇଗଲା ମିନୁକୁ l କାନୁନ୍ଗୋ ବାବୁଙ୍କ ଚାକିରୀ ଜୀବନରେ ଏପରି କେସ୍ ପ୍ରଥମ ଥିଲା । ଜଣେ ଶିକ୍ଷିତ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କର ଏମିତି ବିଭତ୍ସ ହତ୍ୟା କରିପାରେ ! ରାତିରେ ଶୋଇପାରନ୍ତିନ ସେ । କାହିଁକି କେଜାଣି ଲୋକଟି ପ୍ରତି ମନରେ ସହାନୁଭୂତି ଜାଗ୍ରତ ହେଉଥିଲା । ବହୁତ୍ ଚିନ୍ତା କଲା ପରେ ସେ ଦାସ ବାବୁଙ୍କ ନାତିକୁ ତାଙ୍କ ସାମ୍ନା କୁ ଆଣିବାକୁ ବ୍ୟବସ୍ଥା କଲେ ।
ଥାନାର ସେ କୋଠରୀ ଭିତରେ କାଠଗଣ୍ଡିଟି ପରି ବସିଥାଆନ୍ତି ଦାସ ବାବୁ । ଶରୀର, ଦୃଷ୍ଟି ସବୁ ସ୍ଥିର । "ଜେଜେ . . . . . " , ଏହି ଗୋଟିଏ ଡାକରେ ସେ ହଠାତ୍ ପାଷାଣରୁ ଜୀବନ୍ତ ପାଲଟି ଗଲେ ।
" ବୁବୁ....." ଏତେ ଦିନରେ ତାଙ୍କ ମୁହଁରୁ କଥା ପଦେ ବାହାରିଥିଲା । ନାତିକୁ ଜାବୁଡ଼ି ଧରି ଭୋ ଭୋ ହେଇ କାନ୍ଦିବାକୁ ଲାଗିଲେ ଛୋଟ ପିଲାଙ୍କ ପରି । ସତେ ଯେପରି ବରଫ ଖଣ୍ଡଟି ନିଆଁ ସଂସ୍ପର୍ଶରେ ଆସି ଯାଇଛି । ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ବୁବୁକୁ ଚାହିଁ ଚମକି ଉଠିଲେ । ଓଠ, ଆଖିତଳ କଳା ପଡ଼ିଯାଇଛି । ସେ ନିରୀହ ଆଖିଟିର ଚାହାଣି ଯେପରି ତାଙ୍କୁ ଭିତରୁ କୋରି ପକାଉ ଥିଲା । ନିଜକୁ ସମ୍ଭାଳି ପାରୁ ନ ଥିଲେ । ତାଙ୍କୁ ପାଣି ଦିଆଗଲା ପିଇବା ପାଇଁ । କିଛି ସମୟ ପରେ ସାଷ୍ଟାମ ହେଲେ ।
ଦୁଇଟି ଚେୟାର୍ ରେ ସାମନା ସାମ୍ନି ବସିଲେ ଦାସ ବାବୁ ଆଉ କାନୁନଗୋ ବାବୁ । ଦୃଷ୍ଟି ଗୋଟିଏ ସ୍ଥାନରେ ସ୍ଥିର କରି କହି ଚାଲିଲେ ଦାସ ବାବୁ ।
ସରକାରୀ ଚାକିରୀରେ ବାରମ୍ଵାର ବଦଳି ହେଉଥିବାରୁ ପିଲାମାନଙ୍କ ପାଠପଢ଼ା ପାଇଁ ସେମାନେ ଗାଁରେ ରହୁଥିଲେ । ଯେତେବେଳେ ଗାଁ ପାଖାପାଖି ପୋଷ୍ଟିଂ ହେଉଥିଲା ପ୍ରତି ଶନିବାର ଆସେ । ଦୂରରେ ହେଲେ ଦି ମାସରେ ଥରେ ନିହାତି ଆସେ । ମନଟା ଘର ଆଉ ପିଲାଙ୍କଠି ଲାଖିଥାଏ । ଘରକୁ ଯାଇଥିବା ବେଳେ ସ୍ତ୍ରୀ ପିଲାଙ୍କ ଖୁସି ଦେଖି ମନ କୁଣ୍ଢେ ମୋଟ ହୋଇଯାଏ । ମୋ ପସନ୍ଦର ଖାଇବା ବନା ହୁଏ । ଜୋକ ପରି ସଭିଏଁ ଲାଖି ହେଇଥାଆନ୍ତି ମୋ ସହ | ସମସ୍ତେ ମୋ କଥା ମାନନ୍ତି, ମୋତେ ନ ପଚାରି କିଛି କରନ୍ତି ନି । ଚାକିରୀ କ୍ଷେତ୍ରକୁ ଫେରିବା ସମୟରେ ସ୍ତ୍ରୀର ସେ ଲୁହ ଢଳ ଢଳ ଆଖିକୁ ଚାହିଁ ହୁଏ ନା । ଭାରି କଷ୍ଟରେ ସେମାନଙ୍କୁ ଛାଡି ଯିବାକୁ ପଡ଼େ । ଛୋଟ ପିଲାଟି ଯେପରି ହଷ୍ଟେଲ୍ ରେ ରହି ନିଜ ଘରକୁ ଝୁରି ହୁଏ, ସେହିପରି ଗୃହ ବିରହୀ ଟିଏ ଥିଲି ମୁଁ l ଛଅ ବର୍ଷ ତଳେ ଝିଅ କୁ ବିଭା ଦେଇଥିଲି । ତା ପର ବର୍ଷ ପୁଅ ବାହାଘର କଲି । ପନ୍ଦର ଦିନ ପାଇଁ ଛୁଟି ମିଳିଥିଲା ପୁଅ ବାହାଘର ବେଳେ । ବୋହୁ ପରସା ଖାଇବା ପୂର୍ବରୁ ହିଁ ଯିବାକୁ ପଡିଥିଲା । ଆଉ ମାତ୍ର ତିନି ବର୍ଷ ବାକି ଥିଲା ଅବସର ନେବାକୁ । ଯେତେବେଳେ ନାତି ବୁବୁର ଜନ୍ମ ଖବର ଶୁଣିଲି ଅଫିସ୍ରେ ଛୁଟି ଦରଖାସ୍ତ ନ ଦେଇ ଦଉଡ଼ି ଆସିଥିଲି ଗାଁ କୁ । ନାତିକି କୋଳରେ ଧରିବା ବେଳେ କୋଟିନିଧି ମିଳିଯାଇଥିଲା ମୋତେ । ଆଦୌ ମନ ହେଉ ନ ଥିଲା ଚାକିରୀ କି ଫେରିବା ପାଇଁ ।
ଦିନ ଗଣୁ ଥିଲି ଅବସର ପରେ ଗାଁଆକୁ ଫେରିବା ପାଇଁ । ସହକର୍ମୀ ମାନେ ଅବସର ପରେ ଅଧା ଦରମାରେ ପୁଣି ଚାକିରୀ କରିଥିଲେ । ମୋତେ ଉପରିସ୍ଥ ଅଧିକାରୀ ପଚାରିବାରୁ ବିନା ଦ୍ବିଧାରେ ମନା କରି ଦେଲି । ଏବେ ତ ପରିବାର ସହ ଖୁସିରେ ସମୟ ବିତାଇବାର ବେଳ , ବିଶ୍ରାମ ର ବେଳ ।
ଘରେ ପହଞ୍ଚିବା ପରେ, ଧିରେ ଧିରେ ମୋ ଉତ୍ସାହରେ ଗ୍ରହଣ ଲାଗିବା ଆରମ୍ଭ କଲା । ଘରଣୀ ପଚାରିଲେ, ପେନସନ୍ ପେପର ରେଡ଼ି ନ କରି କାହିଁ ଚାଲିଆସିଲ, ପୁଅ ମାନେ କହିଲେ ଅଧା ଦରମାରେ ଚାକିରୀ ନ କରି ଆସିବାଟା କ'ଣ ବୁଦ୍ଧିମାନୀର କାମ ! ଆଶ୍ଚର୍ଯ୍ୟ ହେଲି । ଚାକିରୀ ସମୟରେ ନିୟମିତ ବ୍ୟବଧାନରେ ଗାଁକୁ ଆସିବା ବେଳେ ଗାଁଆର ପରିବର୍ତ୍ତନ ଲକ୍ଷ କରିଥିଲି, ହେଲେ ନିଜ ପରିବାରର ପରିବର୍ତ୍ତନ ଦୃଷ୍ଟି ଆଢୁଆଳରେ ରହି ଯାଇଥିଲା । ଧିରେ ଧିରେ ନିଜକୁ ଅଲୋଡ଼ା ଅନୁଭବ କରିବାକୁ ଲାଗିଲି । ପୂର୍ବରୁ ମୋତେ ନ ପଚାରି ଘରେ କେହି କିଛି କରୁ ନ ଥିଲେ କିନ୍ତୁ ଏବେ ସବୁ ମୋ ଅଜାଣତରେ ହୁଏ । ମୋତେ କିଛି କହିବା କେହି ଜରୁରୀ ଭାବନ୍ତିନି । ଘରେ ଅନୁଶାସନ ବୋଲି କିଛି ନ ଥିଲା । ଭାବି ଥିଲି ସବୁ ଭୁଲି ନାତି ବୁବୁ ସହ ହସିଖେଳି ସମୟ କଟାଇ ଦେବି ।
ଦିନେ ସାନ ପୁଅ ମାଆ ପାଖେ ଅଭିଯୋଗ କରୁଥିବାର ଶୁଣିଲି, " ଆଗରୁ ବାପା ତିନି ଚାରି ଦିନ ପାଇଁ ଘରେ ରହୁଥିଲେ ବୋଲି ମୁଁ ସଂଧ୍ୟାରେ ଘରକୁ ଶୀଘ୍ର ଫେରୁଥିଲି , ତା ବୋଲି ଏବେ ସବୁ ଦିନେ ଏମିତି ଶୀଘ୍ର ଆସିବି, ସାଙ୍ଗସାଥୀ ଖୁସି କିଛି ନାହିଁ ? "
ଜାଣିବାକୁ ପାଇଲି ବାହାର ଲୋକ ସବୁ ପ୍ରାୟ ଘରେ ଆଡ୍ଡ଼ା ଜମାନ୍ତି । ସାହି ଭାଇ କାହା ସହ ଭଲ ସମ୍ପର୍କ ନାହିଁ ।
ଦିନେ ବୋହୁ ଅଭିଯୋଗ ବାଢୁଥିଲା ପୁଅ ଆଗେ, " ମୋର କ'ଣ କିଛି ସ୍ଵାଧୀନତା ନାହିଁ, ବାପା ଆସିବା ଦିନୁ ଘରୁ ଟିକେ ବାହାରି ପାରୁନି । ନା ପାର୍ଲର ଯାଇପାରୁଛି ନା ସାଙ୍ଗ ମାନଙ୍କ ସହ ମାର୍କେଟ । ଆମ ଘରକୁ ଯିବା ତ କେତେ ଦିନ ହେଇଗଲାଣି । ବାପାଙ୍କର ସବୁବେଳେ କମ୍ପ୍ଳେନ୍ ଲାଇଟ୍ କାହିଁ ଲାଗିଲା, ଫ୍ୟାନ୍ ଖାଲି ଘରେ କାହିଁ ବୁଲୁଛି , କ୍ଷୀର କାହିଁ ଉତୁରିଲା, କାଠ ଚୁଲିରେ ରୋଷେଇ କାଇଁ ହଉନି , ଆହୁରି କେତେ କଣ ।"
ଥରେ ବଜାର ଯାଇଥିଲି ସଉଦା ପାଇଁ, ପାର୍କର ପେନ୍ ଟି ଅତି ଶ୍ରଦ୍ଧାର ସହିତ କିଣି ଆଣି ଥିବାରୁ ଘରଣୀ ଅତି ନିକୃଷ୍ଟ ଭାବେ ମୁହଁ ଛିଞ୍ଚାଡ଼ି କୈଫତ୍ ମାଗିଲେ । ଏତେ ଦାମିକା ପେନ୍ ଟିର କିଛି ଆବଶ୍ୟକତା ନଥିଲା ବୋଲି କହିଲେ । ଅନ୍ୟମାନେ ଘରେ କଣ କରୁଥିଲେ ମୋର ଜାଣିବାର ଯୁ ନ ଥିଲା କିନ୍ତୁ ମୋ ଦିନ ଚର୍ଯ୍ୟା ସେମାନଙ୍କ ଉପରେ ନିର୍ଭର କରୁଥିଲା । ନାତିଟି ସହ କେତେ ସମୟ କଟାଇବି , ସେଇଟା ବି ତା ମାଆ ନିର୍ଦ୍ଧାରଣ କରୁଥିଲା ।
ଦିନେ ମୋର ଗୋଟିଏ ପୁରୁଣ ବହି ଖୋଜୁ ଖୋଜୁ ସାନ ପୁଅ ବଖରାକୁ ଯାଇଥିଲି । ସେ ନ ଥିଲା । ବିଖରାଟି ଭାରି ଅଭୂତ ଗନ୍ଧରେ ଭରିଥିଲା । ଜିଜ୍ଞାସା ବଶତଃ . ଖୋଜାଖୋଜି କରିବାରୁ ମୋ ହାତରେ କିଛି ନିଶା ଦ୍ରବ୍ୟ ଲାଗିଥିଲା । ସବୁଠାରୁ ବେଶୀ ଭୟ ଦେଇଥିଲା..... ( କିଛି ସମୟ ନିରବ ରହି ) ସେଇ ଦେଶୀ ବନ୍ଧୁକଟି । ପୁଅ ଯେ ଅବାଟରେ ଚାଲିଛି, ସେଥିରେ ସନ୍ଦେହ ନ ଥିଲା । କାହାକୁ କିଛି ନ କହି ବନ୍ଧୁକଟିକୁ ନିଜ ପାଖରେ ଲୁଚେଇ ରଖିଲି । ଭାବି ଥିଲି ସୁବିଧା ଦେଖି ତାକୁ ବୁଝାଇବି । ମନରେ ଉଠୁଥିବା ଝଢକୁ ଘୋଢାଇ ରଖିଲି । ଠିକ୍ ତା ପର ଦିନ...... ମାନେ ଘଟଣା ଦିନ..... ଦାସ ବାବୁ ଛେପ ଢୋକିଲେ, ଗଳା ଶୁଖିଯାଇଥିଲା ତାଙ୍କର । ପାଣି ପିଇ ସାରି ପୁଣି କହିବା ଆରମ୍ଭ କଲେ ।
ସେଦିନ ଜାଣିବାକୁ ପାଇଲି ମୋ ନାତିର ସ୍କୁଲ୍ରେ ନାମ ଲେଖା ହୋଇଯାଇଛି । ତା' ମାମୁଁ ଘର ସହରର ଗୋଟିଏ ବଡ଼ ନାମକରା ସ୍କୁଲରେ । ଗତ ମାସରେ ବୋହୁ କିଛି ଦିନ ପାଇଁ ତା ବାପଘରକୁ ଯାଇଥିଲା, ସେତିକିବେଳେ ଏତେ ସବୁ ଯୋଜନା କାର୍ଯ୍ୟକାରୀ ହେଇଛି । ଅଥଚ ମୋତେ କେହି ଜଣାଇବା ଉଚିତ୍ ମିଳେନି ! ବୁବୁ ତା' ମାମୁଁ ଘରେ ରହି ପଢିବ । ସେଇ ତ ଏକମାତ୍ର ଶେଷ ଆଶ୍ରା ଥିଲା ମୋ ବାକି ଜୀବନର । ତାକୁ ସେମାନେ ମୋ ଠାରୁ ଛଡାଇ ନେବେ.... ନିଆଁ ଲାଗିଯାଇଥିଲା ମୋ ଦେହ ମନରେ । ଥରି ଉଠିଲି । ଚିତ୍କାର କରି ଉଠିଲି । ବୁବୁକୁ ଜାବୁଡ଼ି ଧରିଲି । ମୋ ଧନକୁ ମୋ ଠାରୁ କେହି ଅଲଗା କରିପାରିବେନି । ବୋହୁ ଆସି ବୁବୁକୁ ମୋ ଠାରୁ ଛଡ଼ାଇବାକୁ ଚେଷ୍ଟା କରିବାରୁ ତାକୁ ଧକ୍କା ଟାଏ ଦେଲି । ପଡି ଯାଇ ସେ ବଡ଼ ପାଟିରେ କାନ୍ଦି କହିଲା, ବାପା ପାଗଳ ହେଇଗଲେ । ମୋ ସ୍ତ୍ରୀ ଓ ଦୁଇପୁଅ ମୋତେ ଠେଲି ପେଲି ଆଣି ମୋ ଖଟରେ କଚାଡ଼ି ଦେଲେ । ସମସ୍ତଙ୍କ ତିରସ୍କାର ଭିତରେ ମୁଁ ଖାଲି ବୁବୁ ପାଇଁ ବ୍ୟାକୁଳ ହେଉଥିଲି । ମୋତେ ଆଉ କିଛି ଦିଶୁ ନ ଥିଲା , ଶୁଭୁ ନ ଥିଲା । ଏତେ ଦିନ ହେଲା ସାଇତା ଥିବା ବାରୁଦରେ ଯେପରି କିଏ ନିଆଁ ହୁଆଟିଏ ଫୋପାଡି ଦେଇଥିଲା । ମୋ ଶରୀର, ଆତ୍ମା, ମନ, ବିବେକ ସବୁ ଛିନ୍ ଛତ୍ର ହେଇ ଯାଇଥିଲା । ଶରୀର ଉପରେ ବୁଦ୍ଧି ବିବେକର କୌଣସି କର୍ତ୍ତୁତ୍ଵ ରହିଲାନି ।
ଲୁଚାଇ ରଖିଥିବା ବନ୍ଧୁକଟି ଆଣି . . . . .
ଜଣକ ପରେ ଜଣେ . . . . .
ଚୁପ୍ ହୋଇଗଲେ ଦାସ ବାବୁ । ଆଉ କିଛି କହିବାକୁ ବାକି ନ ଥିଲା । ବସି ରହିଥିଲେ ନିରବ, ନିଶ୍ଚଳ । ବୋଧହୁଏ ହାଲ୍କା ଅନୁଭବ କରୁଥିଲେ ।
କାନୁନ୍ ଗୋ ବାବୁ କିନ୍ତୁ ଭାରି ମନ ନେଇ ଫେରିଥିଲେ ନିଜ ବସାକୁ । ନିଜ ଚାକିରୀ କାଳରେ ଏତେ କେସ୍ ହ୍ଯାଣ୍ଡେଲ୍ କରିଛନ୍ତି କିନ୍ତୁ ଏ କେସ୍ ଟି ତାଙ୍କ ଅନ୍ତଃର୍ମନକୁ ଭେଦ କରିଛି । ଦାସ ବାବୁଙ୍କ ଭିତରେ କେଉଁଠି ନା କେଉଁଠି ସେ ନିଜକୁ ଖୋଜୁଛନ୍ତି । ବୋଧହୁଏ ଏଇଥିପାଇଁ , କାରଣ ସେ ବି ଖୁବ୍ ଶୀଘ୍ର ଅବସର ନେବାକୁ ଯାଉଛନ୍ତି । ଦାସ ବାବୁଙ୍କ ବିଷୟରେ ସେ ବ୍ୟକ୍ତିଗତ ଭାବେ କୌଣସି ନିଷ୍କର୍ଷରେ ପହଞ୍ଚି ପାରିଲେନି । ସେ ବୁଝିପାରିଲେନି ଲୋକଟି ସମବେଦନାର ପାତ୍ର ନା ଘୃଣାର । କିନ୍ତୁ ଏତିକି ବୁଝିଥିଲେ, ଯେ ଜୀବନ ପରିବର୍ତ୍ତନଶୀଳ ଓ ଏହାକୁ ଗ୍ରହଣ କରିବାକୁ ହିଁ ପଡ଼ିବ । ଚାକିରୀରୁ ଅବସର ମାନେ ଜୀବନରୁ ଅବସର ନୁହେଁ । ଏ ସମୟରେ ବି ଜୀବନରେ ଅନେକ ପରୀକ୍ଷାର ସାମ୍ନା କରିବାକୁ ହୁଏ ।
ଅବଶ୍ୟ କିଛି ଦିନ ଲାଗି ଯାଇଥିଲା କାନୁନ୍ ଗୋ ବାବୁଙ୍କୁ ଏ ସବୁର ନିଶ୍ଳେଷଣ କରିବାକୁ । ପୁଣି ସେଇ ପୁରୁଣା ଫୁର୍ତ୍ତି ନେଇ କେସ୍ ଟିର ଚାର୍ଜସିଟ୍ ବନାଇବାରେ ଲାଗି ପଡିଲେ ।
ଝାରସୁଗୁଡ଼ା
ଫୋ.ନଂ. ୯୪୩୭୫୪୭୭୧୯
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।