2/03/2019

ଚକ୍ର ଆଢ଼ୁଆଳେ

ବସନ୍ତ ମଞ୍ଜରୀ ଦାସ

-ନାରଦ !

-ଆଜ୍ଞା ପ୍ରଭୁ  (ଚମକି ପଡ଼ିବା)
କାଲି ଠାରୁ ମର୍ତ୍ତ୍ୟରୁ ପ୍ରତ୍ଯାବର୍ତ୍ତନ କଲଣି, ଅଥଚ ମର୍ତ୍ତ୍ୟର ସମ୍ବାଦ ଜଣାଇବା ପରିବର୍ତ୍ତେ ଏପରି ନିରବ ରହିବାର କାରଣ କ'ଣ ?

-ପ୍ରଭୁ ! "ମର୍ତ୍ତୁଂ ଯା'ନ୍ତି ଯେ ତେ ମର୍ତ୍ତ୍ଯା" ଆମେ ତ ଅମରବାସୀ ; ମୃତ୍ୟୁଲୋକରେ ଆମର କାମ କ'ଣ ?

-ନାରଦ ! ତୁମର ହୋଇଛି କ'ଣ ? ତୁମେ ପରା ସ୍ବର୍ଗ ଦୂତ ! ସମ୍ବାଦ ପରିବହନ ତ ତୁମର କାମ । ଆଉ ତା' ଛଡ଼ା ଏପରି ବାଚାଳତା ତୁମକୁ ଶୋଭା ପାଏନା । 

-ପ୍ରଭୁ ! ସମ୍ବାଦ ବହନ କାର୍ଯ୍ଯ କ'ଣ ଖାଲି ଦୂତ ମାନଙ୍କର ?  ରାଷ୍ଟ୍ରନାୟକଙ୍କର ଏଥିରେ କିଛି ଭୂମିକା ନାହିଁ ? ତେବେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ମହାଶୟ ରାଷ୍ଟ୍ର ପରେ ରାଷ୍ଟ୍ର ବୁଲୁଛନ୍ତି କାହିଁକି ? 

-ବାଃ, ନାରଦ ବାଃ !!! ତୁମ ସମ୍ବାଦରେ ତ ନୂତନ ସମ୍ଭାର !! ହେଲେ ନାରଦ ! ତୁମେ ଏକଥା ଭୁଲି ଯାଉଛ ଯେ ମୋଦୀ ଆବାହକ ନୁହଁନ୍ତି ; ବରଂ ସଂଯୋଜକ । ଉଦ୍ଭାବକ ନୁହଁନ୍ତି ; ବରଂ ଆବର୍ତ୍ତକ । ସୃଷ୍ଟି ସଂରଚନାର ପରିକଳ୍ପନାରେ ବୁଡ଼ି ରହି ମୁଁ ଯେ କେତେ ଭୂଲ୍‌ କରିଛି ସେକଥା ମୋ ବ୍ଯତୀତ ଆଉ କିଏ ବୁଝିବ କହିଲ ?

-ଆପଣଙ୍କ ସଂରଚନା ତ କେବଳ  ଔତ୍ସୁକ୍ଯ ପ୍ରତିଲିପି ପ୍ରଭୁ । ହେଲେ ଟାଟା, ବିର୍ଲା, ଡ଼ାଲ୍‌ମିଆଁ ପ୍ରଭୃତିଙ୍କ କଥା ଭାବିଲେ ! କୃତି ସଂଯୋଜାତ୍ମକ କେନ୍ଦ୍ରବିନ୍ଦୁ ଗୁଡ଼ିକୁ ସାଉଁଟୁ ସାଉଁଟୁ ମୁଖ୍ଯ କେନ୍ଦ୍ରବିନ୍ଦୁଟି କେତେ ଅସହ୍ୟବୋଧ ଆଉ ଅସମ୍ପର୍ଣ୍ଣାତ୍ମକ ଭାବରେ କାଳାତିପାତ କରୁ ନଥିବ ସତେ !!

-ବାଃ,ନାରଦ ବାଃ ! ଏଇମାତ୍ର କେତେ ସମୟର ସଂଶ୍ଳିଷ୍ଟତାରେ ତୁମେ ସାଜି ଯାଇଛ ମର୍ତ୍ତ୍ଯବାସୀଙ୍କର ସମ୍ବେଦନଶୀଳ ପ୍ରକୃଷ୍ଟ ବାନ୍ଧବ ; ଆଉ ଭୁଲି ଯାଇଛ ସୃଷ୍ଟିର ଅଧିନାୟକ ତୁମ ପ୍ରଭୁଙ୍କୁ । ଜାଣିଛ ନା ନାରଦ ! ସେ ସୃଷ୍ଟି ସଂରଚନାର ପ୍ରାରମ୍ଭିକ ଉତ୍‌ଫୁଲ୍ଲତା ଏବେ ଅନୁତାପାନଳରେ ଦଗ୍ଧ ହେଉଛି ପ୍ରତିକ୍ଷଣ ? କେବଳ ମୁଁ ନୁହଁଇ ପରନ୍ତୁ ନଟରାଜ ବିଷାଦଗ୍ରସ୍ତ ; ପ୍ରଜାପତି ଧିକ୍କାର କରୁଛନ୍ତି ଆପଣାକୁ ଅହରହ । 

-ହେଲେ -ପ୍ରଭୁ ! ଏସବୁ କାହିଁକି ?

-କାହିଁକିର ଉତ୍ତର ତୁମେ ଖୋଜ ନାରଦ ! ତୁମେ ପରା ଏ ଟିକକ ଆଗରୁ ମର୍ତ୍ତ୍ଯବାସୀଙ୍କ ପାଇଁ ନିନ୍ଦୁକ ସାଜୁଥିଲ ଆପଣାର ପ୍ରଭୁଙ୍କର ? 

- ନା,ନା ପ୍ରଭୁ ! ମୋ କଥାର ମର୍ମ ଆପଣ ବୁଝି ପାରିଲେନି ବୋଧହୁଏ ? ଆପଣ ଦିବସ-ରଜନୀ ମର୍ତ୍ତ୍ଯବାସୀଙ୍କ ଚିନ୍ତାରେ ଉଦ୍‌ବିଗ୍ନ । ହେଲେ ସେମାନେ ? ସେମାନେ କେବଳ ଆପଣାର ଶ୍ରୀବୃଦ୍ଧି ପାଇଁ ସଦା ତତ୍ପର । ଭୁଲି ଯାଉଛନ୍ତି ସେମାନେ ସୃଷ୍ଟିକର୍ତ୍ତାଙ୍କୁ ଓ ତାଙ୍କ ପ୍ରଣୀତ ନିୟମଧାରାକୁ । ହେଲେ ଆପଣ ! ସ୍ବୟଂ ଅମୃତ ଭୋଜନ କରି ଏବଂ ଦେବତାଗଣଙ୍କୁ ଅମୃତ ଖୁଆଇ ଦିନ-ରାତି କେବଳ ଲାଗି ରହୁଛନ୍ତି ତାଙ୍କରି କାମରେ । ସେଇଥିପାଇଁ ତ ମର୍ତ୍ତ୍ୟର ବାର୍ତ୍ତାବହ ହେବାର ଉତ୍ସାହ ମରି ମରି ଯାଉଛି ପ୍ରଭୁ । 

- ଦେଖ, ନାରଦ ! ମର୍ତ୍ତ୍ୟରେ କ'ଣ ଖାଲି ପରସ୍ବ ହରଣକାରୀ ଅଛନ୍ତି ? ନିଜସ୍ବ ଦାନକାରୀ ବି ଅଛନ୍ତି ନା ? ସେମାନଙ୍କୁ ସୁରକ୍ଷା ଦେବା କ'ଣ ଆମର କର୍ତ୍ତବ୍ୟ ନୁହେଁ  ?

- ସେଇ କଥା ତ ମୁଁ କହୁଛି ପ୍ରଭୁ ! ଆପଣଙ୍କ ପାପୁଲି ଗୁଡ଼ ବର୍ତ୍ତମାନ କହୁଣୀ ଅତିକ୍ରମ କରି ସାରିଲାଣି । ଆଉ ସେଥିପାଇଁ ଦାୟୀ ଆପଣଙ୍କ ସରଳତା । ଆପଣ ଆପଣାର ଦାୟୀତ୍ବ ଯେତେବେଳେ ମଣିଷ ମାନଙ୍କ ଉପରେ ନ୍ଯସ୍ତ କରି ଆଶ୍ବସ୍ତ ହେଲେ ; ସେତେବେଳେ ସେ ମଣିଷ ଗୁଡ଼ା ନିଜେ ନିଜକୁ ଦ୍ବିତୀୟ ଇଶ୍ବର ବୋଧ କରି ଆପଣଙ୍କ ଅନୁସନ୍ଧାନରେ ଲିପ୍ତ ରହିଲେ । ଆଉ ଯିଏଏ ହୀତକାମୀ ହୋଇ ସମଗ୍ର ଶରୀରକୁ ଉତ୍ସର୍ଗ କଲେ ସେମାନଙ୍କୁ ପୃଥିବୀ ବକ୍ଷରୁ ନିଶ୍ଚିହ୍ନ କରିବାର ଯୋଜନାବଦ୍ଧ ମଧ୍ୟ ହେଲେ । ଟାଟା, ବିର୍ଲା,ଡ଼ାଲ୍‌ମିଆଁ ପରି ଲୌହ ଦାନବଗଣଙ୍କୁ ପ୍ରାଧାନ୍ୟ ଦେଇ ନିରୀହ ଉଦ୍ଭିଦ ଗୁଡାଙ୍କୁ ପୃଥିବୀ ପୃଷ୍ଠରୁଉ ନିଶ୍ଚିହ୍ନ କରିବାର ଭ୍ରମାତ୍ମକ ଔଦ୍ଧତ୍ୟ ତାଙ୍କୁ ଦିନେ ନା ଦିନେ ଧ୍ବଂସ ଆଡ଼କୁ ଟାଣି ନେବ ସେକଥା କ'ଣ ସେମାନେ ବୁଝୁଛନ୍ତି ପ୍ରଭୁ !!

-ତାହା ହିଁ ତ ମୋର ପରିତାପର ବିଷୟ ନାରଦ ! କାଲି ପରି ମନେ ହୁଏ ; ବ୍ରହ୍ମନିଳୟରେ ପଶୁ ପଶୁ ଧବଳ ଶ୍ମଶ୍ରୁ ସାଉଁଳି ସାଉଁଳି ପିତାମହ ଯେତେବେଳେ ପଦ୍ମାସନ ବଢ଼ାଇ ଦେଇ ମୋ ପ୍ରସ୍ତାବିଇତ ପତ୍ରଟିକୁ ବଢ଼ାଇ ଦେଲେ ମୋ ହାତରେ  ; ସେତେବେଳେ ତନ୍ନ ତନ୍ନ ନିରୀକ୍ଷଣ କରିଥିଲି ପିତାମହଙ୍କ ସ୍ବଚ୍ଛ, ଶୁଭ୍ର, ହସ୍ତାକ୍ଷରରାଜିକୁ । ତା'ପରେ ସହାୟତା ଲୋଡ଼ିଥିଲି ସମଗ୍ର ଅମରବାସୀଙ୍କର । ଅବଶ୍ଯ ଜଟାଜୁଟ ଏଥିରେ ପୂର୍ଣ୍ଣ ଏକମତ ନଥିଲେ ; ତଥାପି ପିତାମହଙ୍କ ଅନୁରୋଧ କ୍ରମେ ହସି ହସି କହିଥିଲେ -"ଆପଣ ତ  ଜାଣନ୍ତି ବ୍ରହ୍ମଦେବ ! ମୁଁ କାହାରି ଔଦ୍ଧତ୍ୟ ସହି ପାରେନା ।" ହସରେ ହସ ମିଳାଇ ବ୍ରହ୍ମଦେବ କହିଥିଲେ -" ତୁମକୁ ତ ସେହି ସମୟ ପାଇଁ ଲୋଡ଼ା ପଡ଼ିବ ଶମ୍ଭୋ !" ଜୀବ ଗଠନ ମୋର ଦାୟୀତ୍ବ । ବାସ୍‌, ଏତିକି ପରେ ମୁଁ ହେବି ଧ୍ଯାନସ୍ଥ । ପରଂବ୍ରହ୍ମ ପାଳନ ଦାୟିତ୍ୱ ବହନ କରିବେ । ଆପଣ କେବଳ ଅନ୍ତ କରିବେ ଔଦ୍ଧତ୍ୟକୁ ସଂହାର ଲୀଳା ବିରଚନ କରି । ସେ ପର୍ଯ୍ଯନ୍ତ ଆପଣ ରହିବେ ଧ୍ଯାନସ୍ଥ ।" ଏତିକିରେ ଖୁସି ହୋଇ କୈଳାସ ଆଡ଼େ ବୃଷଭକୁ ନିର୍ଦ୍ଦେଶ ଦେଇଥିଲେ ମହେଶ୍ୱର । କଳ୍ପନା -ଜଳ୍ପନାର ନିର୍ଯାସ ସ୍ବରୂପ ବେଦ ପୁସ୍ତିକା ଏବଂ ଅମରାବତୀରୁ କଳ୍ପବୃକ୍ଷଟିଏ ଆଣି ମୋ' ହାତରେ ଧରାଇ ଥିଲେ ବ୍ରହ୍ମଦେବ  । ଶୈଶବତ୍ବକୁ ବହନ କରି କଳ୍ପବୃକ୍ଷରୁ ଗଳିତ ପତ୍ରରେ ଶୟନ କରି ଜଳରାଶିରେ ଭାସି ଭାସି ପରିକଳ୍ପନା କରୁଥାଏ ମୁଁ ସୁନ୍ଦର ପୃଥିବୀର । 

"କରାର ବିନ୍ଦେନ ପଦାରବିନ୍ଦଂ, ମୁଖାରବିନ୍ଦେ ବିନିବେଶୟନ୍ତଂ
ବଟସ୍ଯ ପୁଟସ୍ଯ ପତ୍ରେ ଶୟନଂ, ବାଳ ମୁକୁନ୍ଦଂ ଶିରସା ନମାମି ।"

     ସ୍ତୋତ୍ରଟିରେ ମାର୍କଣ୍ଡେୟ ଋଷି ଫେରାଇ ଆଣିଥିଲେ ମୋର ସଂବିତ୍‌ । ମୋର ସ୍ବରକୁ ପରିବର୍ତ୍ତନ କରାଇ ଥିଲି ଏକ ବିରାଟ କାୟ କରି । ତହୁଁ ଲୋମ ଉତ୍‌କ୍ଷେପଣ କରି ଫିଙ୍ଗି ଥିଲି ଉର୍ଦ୍ଧ୍ବକୁ । ମେଦ ନାମଧାରୀ ବିରାଟକାୟ ରାକ୍ଷସ ସୂର୍ଯ୍ୟଙ୍କ ଲେଲିହାନ ଶିଖାରେ ଛିନ୍ନ ବିଚ୍ଛିନ୍ନ ହୋଇ ପଡ଼ିଥିଲା ଜଳରାଶିରେ । ତା'ର ଜ୍ଜ୍ବଳନ ଅଙ୍ଗରାଶି ଜଳଭାଗ ଶୁଷ୍କ କରିଥିଲା ବେଳେ ସୃଷ୍ଟ ହୋଇଥିଲା ମେଦିନୀ । କଳ୍ପବୃକ୍ଷର ସହାୟତାରେ ସୁନ୍ଦର ସୃଷ୍ଟିଟେ ଗଢ଼ିଥିଲି ମୁଁ ବହୁ ସମ୍ଭାବନା ନେଇ । 

- ଆପଣଙ୍କ କାର୍ଯ୍ଯ ତ ସରି ଯାଇଛି ପ୍ରଭୁ ! ଏଥର ଶମ୍ଭୁଙ୍କ ଧ୍ଯାନ ଭଗ୍ନ ପାଇଁ ଅପେକ୍ଷା  ।

- ନା ନା, ନାରଦ ! ତୁମଠୁ ଶୁଣିଥିଲି ସେଦିନ ନୂତନତାର ଆଶାରେ ପୁରାତନ ଗୃହ ଭଗ୍ନର ଆର୍ତ୍ତନାଦ ତୁମକୁ ବିଚଳିତ କରି ଦେଇଥିଲା । ରାସ୍ତା ଅବରୋଧ ତୁମର ମର୍ତ୍ତ୍ଯରୁ ଅମରର ଦୂରତା ବୃଦ୍ଧି କରେଇଥିଲା । ବରଂ ଅପେକ୍ଷା କରିଯିବା ଆଉ କିଛିକ୍ଷଣ । ସେମାନେ ତାଙ୍କ ଆର୍ତ୍ତଚିତ୍କାରରୁ ମୁକ୍ତ କରନ୍ତୁ ନିଜକୁ । ଅସହ୍ଯ ରୌଦ୍ରତାପରୁ ଉଦ୍ଧାର ପାଇବାର ଚିନ୍ତା କରନ୍ତୁ ।

- କେତେଥର ପରୀକ୍ଷା କରିବେ ପ୍ରଭୁ ? ତିତ୍‌ଲିଠୁଁ ଆରମ୍ଭ କରି ହୁଡ୍‌ହୁଡ୍‌ ପର୍ଯ୍ଯନ୍ତ ଖିଆଲ୍‌ର ଝଲକ ଭାବି ଆକାଶକୁ ମାଡ଼ି ବସିବାକୁ "ଆସ୍‌ଗାରିଆ" ନିର୍ମାଣ କଲେଣି ପରା ସେମାନେ ?

-ତଥାପି ଅପେକ୍ଷା କରିବାକୁ ପଡ଼ିବ ନାରଦ ! "ଆସ୍‌ଗାରିଆ"ର ପର ଲଗା ମନରେ ଯଦି ସବୁଜ ବଳୟର ସମ୍ଭାବନା ଦେଖାଦେଲା ତେବେ ତ ନଦୀ ସଙ୍ଗୀତରେ ହଜି ଯିବେ ପକ୍ଷୀଗଣ ତାଙ୍କ ଡ଼େଣା ଦୋହଲାଇ । ଫୁଲର ସୌରଭରେ ନୃତ୍ଯରତା ହେବେ ମୃଗୁଣୀଗଣ ; ଆଉ ମୁଁ..... ।

ସମ୍ପାଦିକା - ସୁଶ୍ରୀ ଶୁଭଶ୍ରୀ 
ସାଗବାରିଆ, ତିରଣ, ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।