2/03/2019

ଦୁର୍ଭାଗ୍ୟ

ଚତୁର୍ଭୂଜ ସାହୁ 

                   ସୁଶ୍ରୀ ସୁହାନି ରୂପ-ଗୁଣ-ସୌନ୍ଦର୍ଯ୍ୟରେ ଭରା ଜଣେ ଡାକ୍ତରାଣୀ । ଖୁବ୍ ମଧୁର ଭାଷିଣୀ । ନୀଳ ନୟନା । ଅପୂର୍ବ ସୁନ୍ଦରୀ । ହାଇସ୍କୁଲ ଜୀବନରୁ ମେଡ଼ିକାଲ ପଢା ଶେଷ ଯାଏଁ ତା ପଛରେ ଅନେକ ପାଗଳ । ପାଗଳ ପାଗଳାମୀ କୁ ଖାତିର କରନା ଡ ସୁହାନି । ନିଜ ପରିବାରର ଇଜ୍ଜତ, ପାଠପଢା ଆଉ କ୍ୟାରିଅର ପ୍ରତି ଭାରି ଯତ୍ନବାନ । ସୁହାନି ପରିବାର ତାକୁ ତା' ମନ ପସନ୍ଦ ସ୍ବାମୀ ବାଛିବାକୁ ଅନୁମତି ଦେଇ ଦେଇଥିଲେ । ସୁହାନି ତା' କ୍ୟାମ୍ପସରେ ପ୍ରେମକୁ ଅତି ନକଟରେ ଦେଖିଛି ; ପ୍ରେରଣା ପାଇଛି । ଏପରିକି ଅନେକ ଆସୋସିଏଟ୍ ପ୍ରଫେସର ତାକୁ ପ୍ରେମ ନିବେଦନ କରି ନିରାଶ ହୋଇଛନ୍ତି । ନିଜ ଦୂର ସଂପର୍କୀୟ ଜଣେ ବିଶ୍ବସ୍ତ ପରିବାରରେ ସୁହାନିର ବିବାହ ହେଲା ଡ.ଅଂଶୁମାନଙ୍କ ସହ । ଜଣେ ସାଇଣ୍ଟିଷ୍ଟ୍‌ ଭାବେ ସେ ବି ଖୁବ୍ ଜନପ୍ରିୟ । ଆଉ ଜଣେ ସ୍ବାଧୀନ ଚେତା ମଣିଷ। ହସଖୁସିର ସଂସାରକୁ ଉଚିତ ସମୟରେ ନୂତନ ଆଗନ୍ତୁକ ଆସିଗଲେ । ଦୁଇ ମନ ଦୁଇ ପରିବାର ବନ୍ଧୁ ବର୍ଗଙ୍କ ଆନନ୍ଦ କହିଲେ ନ ସରେ । କିଛିଦିନ ପରେ ବେସରକାରୀ ଡାକ୍ତରଖାନାରେ ଚାକିରୀ କଲେ ଡ.ସୁହାନି । ପୁଅ ଟିକିଏ ବଡ ହୋଇଗଲା ପରେ ସରକାରୀ ଡାକ୍ତରଖାନାରେ ଯୋଗଦେଲେ ନିଶ୍ଚେତକ ବିଭାଗରେ । ପୁଅକୁ ନେଇ ଦେଖୁଥିଲେ ଅନେକ ସ୍ବପ୍ନ । ସ୍ବାମୀ  ଆଂଶୁମାନ ମଧ୍ୟ ପୁଅକୁ କଟକରେ ମାଆ ପାଖରେ ରହି ପଢିବାକୁ ବ୍ୟବସ୍ଥା କରି ଥିଲେ । କାହିଁକି ନା ବୋର୍ଡିଂ ସ୍କୁଲର ପିଲାଙ୍କୁ ଅଭିଭାବକ ଆଉ ପିତାମାତା ଙ୍କ ପ୍ରକୃତ ସ୍ନେହ ମିଳିନଥାଏ ।                  
        ଏଥି ମଧ୍ୟରେ ବୈବାହିକ ଜୀବନରେ ୧୨ ବର୍ଷ ବିତି ଯାଇଛି । ପୁଅ ଅର୍ଣ୍ଣବ ମଧ୍ୟ ବାପାମାଆଙ୍କ ଭଳି ଶୀର୍ଷତା ଛୁଇଁବାକୁ ଆଶାବାଦୀ । ସ୍କୁଲରେ ପ୍ରଥମ ହୁଏ । ମା'ର ଗଣ୍ଠିଧନ ଥିଲା ସେ । ବାପା ଆମେରିକାରେ ରୁହୁଥିଲେ ବି ଅର୍ଣ୍ଣବର ଦେହପା', ପାଠପଢା, ଆଚାର-ବ୍ୟବହାର ସର୍ବୋପରି ସର୍ବାଙ୍ଗୀନ ବିକାଶ ଉପରେ ଧ୍ୟାନ ଦେଉଥିଲେ । ଫୋନ ଭିଡିଓ କଲରେ ଟିକିନିଖି ବୁଝୁଥିଲେ । ଦାମ୍ପତ୍ୟ ଜୀବନ ଥିଲା ସଂପୂର୍ଣ୍ଣ ଜୀବନ୍ତ । ନା ମାଆ ନା ପୁଅ ବାପାଙ୍କ ଅନୁପସ୍ଥିତି ଅନୁଭବ କରୁଥିଲେ ।
ବଡ ଡାକ୍ତରଖାନା ଯୋଗ ଦେବାର କିଛି ବର୍ଷ ପରେ
ସେହି ବିଭାଗର ଜଣେ ଡାକ୍ତର ବନ୍ଧୁଙ୍କ ସହ ଡା.ସୁହାନିଙ୍କର ଆତ୍ମୀୟତା ବଢିବାରେ ଲାଗିଲା । ସ୍ବାମୀ ଆମେରିକାରେ ; ବହୁତ ସୁଯୋଗ ମିଳିଲା । ଆତ୍ମୀୟତାକୁ ଅନ୍ତରଙ୍ଗରେ ପରିଣତ କରିନେବାକୁ । ପୁଅ ସ୍କୁଲ ଯାଏ । ଡିପାର୍ଟମେଣ୍ଟରେ ଚହଳ ପଡିଗଲେ ବି ସ୍ବାମୀ, ଶାଶୂଘର କି ବାପଘର ଲୋକେ କିଛି ଜାଣନ୍ତି ନାହିଁ । ପରକୀୟା ପ୍ରୀତିରେ ମସଗୁଲ ସୁହାନି ମାମ୍ ବେଳେ ବେଳେ ବିରକ୍ତରେ ପୁଅକୁ ମାରନ୍ତି । ବାପା ବାହାରେ ଅଛନ୍ତି , ଆଜେ ବାଜେ ନ ଗପିବାକୁ ନାଲିଆଖି ଦେଖାନ୍ତି । ପୁଅକୁ ଫୋନ ବି ଦିଅନ୍ତିନି । କିନ୍ତୁ ମାଆର ଏସବୁ ସ୍ବଭାବ କୁ ନାପସନ୍ଦ କରେ ଅର୍ଣ୍ଣବ । ସେ ବାପାର ଅନୁପସ୍ଥିତି କୁ ଆଦୌ ଭୃକ୍ଷେପ କରେନା । ମାତ୍ର ଏଇ ୨/୩ ବର୍ଷ ହେଲା ମାଆ କୁ ବହୁତ ମିସ୍ କରୁଛି । ଏକାଠି ଖିଆପିଆ । ଗୋଟିଏ ବିଛଣାରେ ଶୋଇବା । ତଥାପି ମାଆ ର ଅବହେଳା ସେ ଅନୁଭବ କରେ । ବେଳେ ବେଳେ ପ୍ରତିବାଦ ସ୍ବରୂପ ଅଳି ଅଝଟ କରେ । କିନ୍ତୁ ମାଆ ର ମମତା ମିଠା କଥାରେ ଭୁଲି ଯାଏ । ଯେବେ ମାଆ ଙ୍କ ବୟଫ୍ରେଣ୍ଡ ଡ଼.ରାଜେଶ ମହାନ୍ତି ଆସନ୍ତି ସେ ନିଜ କୁ ଅସହାୟ ମନେକରେ । ମାଆ ସେ ଡକ୍ଟର ଅଙ୍କଲ ଙ୍କ ସହ ହୋଟେଲ ରେ ଖାଇ ଆସନ୍ତି । ପାର୍କ ଯାଆନ୍ତି । ମାତ୍ର ତାଙ୍କ ଗୁଣ୍ଠିଧନ କୁ ଆଉ ମନେ ପକାଇ ପାରନ୍ତିନି ।  
ବେଳେ ବେଳେ ମାଆ  ଡ୍ରଇଂ ରୁମ୍ ରେ ରାଜେଶ ଅଙ୍କଲ ଙ୍କ ସହ ରାତି ରାତି ଗପସପ କରନ୍ତି । ସେ ବେଡ୍ ରୁମ୍ ରେ ଏକା ରାତି କାଟେ । ଡରିଡରି ଭିତର ଟଏଲେଟ କୁ ଯାଏ । ମାଆ ଆଉ ଅଙ୍କଲ ତାକୁ ବାହାରୁ ଲକ୍ କରିଥାନ୍ତି । ସାହସ ହୁଏନା ବାପାଙ୍କୁ ଜଣେଇବାକୁ । ମାଆର ମାଡ ଏବେ ଟିକେ ଉଗ୍ର ଆଉ ଭୟଙ୍କର । ସେ ନିଜକୁ ଦୋଷୀ ମନେକରେ । ଡାକ୍ତର ଅଙ୍କଲ ଆଉ ମାଆଙ୍କ ମିଳାମିଶା ତାକୁ ବହୁତ ବାଧେ । କିନ୍ତୁ ସେ ନାଚାର ।ଅର୍ଣ୍ଣବ ବୁଝିଛି , ମାଆ ତାକୁ ୩ ଜାଗାକୁ ଟିଉସନ୍ ପଠାଉଛନ୍ତି । ଆଗଭଳି ପାଠ ପଢାଉନାହାଁନ୍ତି ।
ସେ ଷ୍ଟାଣ୍ଡାର୍ଡ ୫ର ଛାତ୍ର । ମାତ୍ର ମାଆଙ୍କ ଅଙ୍କଲ ପ୍ରୀତି ବହୁତ । ଖାଇବା ପିଇବା ବୁଲିବା ଉପରେ ଧ୍ୟାନ ରଖିଛନ୍ତି । ଅଙ୍କଲ ବି ବହୁତ ଗିଫ୍ଟ ଆଣନ୍ତି ।
ମାଆ ଭୁଲି ଗଲେଣି ଯେ ତାଙ୍କର ପୁଅଟିଏ ଅଛି ।
ଚାକରାଣୀ ହିଁ ତାର ସବୁକିଛି । ତିନି ଦିନ ତଳେ
ଟିଉସନ୍ ସାର୍ ଘର ସମାନାରେ ଅର୍ଣ୍ଣବକୁ ଛାଡି ଦେଇଗଲେ । ଅର୍ଣ୍ଣବ ଘର ଭିତରକୁ ଗଲା ଏକା ଏକା । ଦେଖିଲା ମାଆ ଆଉ ଅଙ୍କଲ ନଙ୍ଗୁ ହୋଇ ଗୋଟିଏ ବେଡ୍ ରେ ଗଡୁଛନ୍ତି । କି ଗନ୍ଦିଆ ଦୃଶ୍ୟ ।ସେ ସହି ପାରିଲାନି । ସିଧା ବେଡ୍ ରୁମ୍ ବନ୍ଦ କରି ଶୋଇଲା । କବାଟ ଖୋଲିଲାନି ।
       ମାଆ କିନ୍ତୁ ଧମକ ଦେଇ ତାଗିଦ୍ କଲା । କଲିଂ ବେଲ୍ କିଆଁ ଦେଲୁନି । ଗାଳିକରି କହିଲା ଭଦ୍ରାମି ଶିଖିନୁ ?  ତଥାପି ଆଉ ଘଣ୍ଟାଏ ଅଙ୍କଲଙ୍କ ସହ ବିତାଇଲା ପରେ ମାଆ ଡାକଦେଲା - ଧନ ଆ ଖାଇବୁ । ମାଡ ଭୟରେ କବଟ ଖୋଲିଲାନି ଅର୍ଣ୍ଣବ । ମାଆ ତାକୁ ଭଦ୍ରାମି ଶିଖିବାକୁ କହି ଡାଇନିଂରେ ଖାଇବା ଦେଲା । ଅର୍ଣ୍ଣବ ଖାଇବନି ଜାଣି ନାଲି ଆଖି ଦେଖାଇଲେ ମାଆ, ଡ.ସୁହାନି । ବାପା କି ଘର ଲୋକ କାହାକୁ କିଛି ନ କହିବାକୁ ତାଗିଦ୍ କଲେ । ଆଉ କହିଲେ ମୁଁ ରାଜେଶ୍ ଅଙ୍କଲ ସହ କଥାବାର୍ତ୍ତା ବେଳେ ତୁ ଷ୍ଟଡି ରୁମ୍ ରୁ ବାହାରିବୁନି । ଭୟରେ ହଁ ଭରିଲା ଅର୍ଣ୍ଣବ । ମାଆ କହିଲେ ମୋ ବଏଫ୍ରେଣ୍ଡ ରାଜେଶ୍ । ଆମେ ବେଡ୍ ରୁମ୍ ସେୟାର କଲେ ତୁ ସୋଫାରେ ଶୋଇଯିବୁ । ତା'ପରେ ଲୁହ ଛଳଛଳ ଅର୍ଣ୍ଣବ ବାଧ୍ୟରେ ଭୋକ ସମ୍ଭାଳି ନ ପାରି ଖାଇଥିଲା ଖଣ୍ଡେ ରୁଟି, ସବଜି ଆଉ ଗୋଟିଏ ରସଗୋଲା । ମାଆଙ୍କୁ କହିଥିଲା ସେ ଆଜିଠୁ ଏକା ଶୋଇବାକୁ । ଡାଇନିଂରେ ସେ ଏକା ଶୋଇଲା । ତଥାପି ମାଆ ମନରେ ଅନୁଶୋଚନା ନ ଥିଲା । ସ୍କୁଲ ପ୍ରୋଗ୍ରେସ୍ ରିପୋର୍ଟ ଦେଖାଇ ମାଆ ତାକୁ ଦୁଇ ଧକ୍କା ଦେଇ ବେଡ୍ ରୁମ୍‌ରେ ଶୋଇବାକୁ କହିଲେ । ଲୁହ ଛଳଛଳ ଅର୍ଣ୍ଣବ ବାପାଙ୍କ ଆଖିରେ ନିଜକୁ ଦୋଷୀ ଭାବୁଥିଲା । ଆଗରୁ ସେ ଯେଉଁ ଅବିଶ୍ୱାସର ସ୍ନେହ ପାଇଛି ସେଥିପାଇଁ ତ ଜଣାଇ ପାରିଥାନ୍ତା । ମାତ୍ର ତା' ଭୂଲ୍‌ ଯୋଗୁଁ ତା' ବାପା ସବୁଦିନ ପାଇଁ ଅନ୍ଧାରରେ ରହିଯିବେ । ଭାବୁଥିଲା ବଞ୍ଚିକି ଲାଭ ନାହିଁ । ବାପା ଫୋନ୍ କଲେ ମାଡ ଖାଆନ୍ତା ପଛେ ଟିକିନିଖି ସତ କହିଯାଆନ୍ତା । ତା ବାପା ଆମେରିକାରେ ଥାଇ ଜାଣି ପାରନ୍ତେ ତା'ମାଆର ଅସଲ ରୂପକୁ ।   
         ସେତେବେଳେ ମାଆ ଡାଇନିଂ ରୁମ୍ ବେଡ୍‌ରେ ଗପୁଥିଲେ ସହକର୍ମୀ ବୟଫ୍ରେଣ୍ଡଙ୍କ ସହ । ଅର୍ଣ୍ଣବକୁ କିଛି ଭଲ ଲାଗୁ ନଥିଲା ; ପେଟ କାଟୁଥିଲା । ସେ ମାଆ ପାଖକୁ ଯାଇ ସବୁଦିନ ଭଳି ଗୁଡ୍ ନାଇଟ୍ ଜଣେଇ ଆସି ଶୋଇଗଲା ଗଭୀର ନିଦରେ .... ସବୁଦିନ ପାଇଁ । ସକାଳେ କଟକ ସହରର ତେଲେଙ୍ଗା ବଜାର ରେ ଶୋକର ଛାୟା ଖେଳିଗଲା ଡ. ସୁହାନିଙ୍କର ଏକମାତ୍ର ପୁତ୍ର,ଅର୍ଣ୍ଣବର ମୃତ୍ୟୁ ଖବର ପାଇ ।
ଓଷ୍କାପାଲି, ଅନୁଗୋଳ- ୭୫୯୧୨୬
                             
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।