ଆଖିରୁ କ୍ରନ୍ଦନାଶ୍ରୁ ବିଗଳିତ ହେଉଛି ଅସୀମାର।ରାତି ପାହିଲେ ନେତାଜୀ ଜୟନ୍ତୀ,ବକ୍ତୃତା ପ୍ରତିଯୋଗୀତାରେ ସେ ନେଇଛି ଭାଗ । ମାତ୍ର ତା'ର ଦୁର୍ଭାଗ୍ୟ ଯେ ତା' ପ୍ରସଙ୍ଗର ଭାଷଣ କିଏ ବା ଶିଖାଇବ ତାକୁ ? ଯାହା ସହାୟତା ଲୋଡିଲା ସେମାନଙ୍କୁ ତାହା ଜଣା ନାହିଁ । ଯାହା କିଛି ଜାଣିଥିଲା ତାକୁ ହିଁ ଆଶ୍ରାକରି ସେ ପ୍ରତିଯୋଗୀତା ଜିତି ପାରିବନି । ଜିଣିବା ମୋ ଭାଗ୍ୟରେ ନାହିଁ କହି ଶୋଇପଡିଲା ନିଘୋଡ ନିଦରେ । ନିଶା ଗର୍ଜ୍ଜନ ସାଙ୍ଗକୁ ଶୀତର ପ୍ରକୋପ ବଢୁଥାଏ । ସପନରାଣୀ ସତେ ଯେମିତି ତା ଆଖିରୁ ଲୁହ ପୋଛି ତାକୁ ଆଉଁସୁ ଥାଏ । ତା ସମ୍ମୁଖେ ଦଣ୍ଡାୟମାନ ରାଣୀ ଲକ୍ଷ୍ମୀବାଈ ବେଶଧାରିଣୀ ମା' ଭାରତମାତା । ହୀରକ ସମ ଚକ୍ ଚକ୍ କରୁଥାଏ ସେ ଆସ୍ଥାନ। ଆଖିରୁ ଝରି ପଡୁଥାଏ ଦୁଃଖ ଅସହାୟର ଲୁହ ଧାର । ମା'ର ଆଖିରୁ ଲୁହ ପୋଛୁଥାଏ ଅସୀମା । ପ୍ରଣାମ ଜଣାଇ ଧୀର ଗମ୍ଭୀର ସ୍ୱରରେ ପଚାରିଲା, ମା' ! ତୁମେ..କାନ୍ଦୁଛ ? ତୁମ ଆଖିରେ କ'ଣ ଅଶ୍ରୁ ? କୁହ ମା' ...କାହିଁକି ??? ମା' ଅସୀମାର ମୁଣ୍ଡ ଆଉଁସୀ..ଛଳଛଳ ଆଖିରେ କହିଲେ...ଶୁଣିବୁ ଧନ ! ଆଜି ପାକିସ୍ଥାନ, ବାଂଲାଦେଶ ମୋ ନିରୀହ ସନ୍ତାନ ମାନଙ୍କୁ କଲବଲ କରି ମାରୁଛି।ତାଙ୍କର ଅସହାୟତା ଓ ଆର୍ତ୍ତ ଚିତ୍କାରେ ମୋ ଛାତି ଫାଟି ଯାଉଛି । ଚୀନ୍ ବାରମ୍ବାର ଧମକ ଦେଉଛି । ମୋ ଦେଶ ଆଜି ଟଳମଳ ହେଉଛି । ଆଜି ମୋ ସନ୍ତାନସନ୍ତତିଗଣ ସ୍ୱାର୍ଥପର ଅବିବେକୀ ହୋଇ ଗୋଲାମର ଗୋଲାମ ହୋଇ ଗଲେଣି ।ଗାନ୍ଧୀର ଅହିଂସାକୁ ପୋଡି ଦେଲେଣି ହିଂସା ନିଆଁରେ । ଚାଚାର ହୃଦୟକୁ ଭଲପାଇବା ବାଣୀ ବନ୍ଧୁକ ଗୁଳିର ମୁଣିରେ ରହିଲାଣି । ଥିଲା ମୋର ଗୋଟେ ପୁଅ । ସେ ଯଦି ଆଜି ଥାଆନ୍ତା ମୋ ଆଖିରୁ କ'ଣ ଲୁହ ଗଡାଇ ଦେଇ ଥାଆନ୍ତା ! ଅସୀମା କହିଲା .. ମା' ..କିଏ ସେ ? କ'ଣ ତାଙ୍କ ନାମ ? ସେ କ'ଣ ଏଡେ ବୀର ଥିଲେ ? କୁହନା ମା'...ତାଙ୍କ ବିଷୟରେ ? ହଁ ରେ ଧନ ମୁଁ ନିଶ୍ଚୟ କହିବି।ମନଦେଇ ଶୁଣୁ ।
ଓଡିଶା ବୋଲି ଥିଲା ଏକ ବୀରଭୂଇଁ..ଧର୍ମ ଭୂଇଁ । ସେହି ରାଜ୍ୟର ଏକ ଐତିହାସିକ ସହର..ନାଁ ତା'ର କଟକ। ସେହି କଟକର ଓଡିଆ ବଜାରରେ ଜନ୍ମହୋଇଥିଲା ଇଂରାଜୀ ବର୍ଷ ପ୍ରଥମ ମାସ ୨୩ ତାରିଖରେ । ତାଙ୍କ ବାପା ଥିଲେ ଜଣେ ବଡ ଓକିଲ, ମା' ଥିଲେ ଜଣେ ଧର୍ମପ୍ରାଣା ମହିୟସୀ ମହିଳା । ଦିବ୍ୟ ଚେହେରା, ସାକ୍ଷାତ ରାଜ କୁମାର । ବୁଦ୍ଧି-ଜ୍ଞାନ- ବିଚକ୍ଷଣତାରେ ସାକ୍ଷାତ ବିଜୁଳି। ପାଠ ପଢିଲା.. ବିଦ୍ୟାଳୟର ଗୁରୁଜୀ ଗୁରୁମା ଆଶ୍ଚର୍ଯ୍ୟଚକିତ। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ବାଃ ବାଃ ରେ କି ଅଦ୍ଭୂତ ପିଲା !! କି ଯାଦୁ ! କି ଧୀଶକ୍ତି ! ଭବିଷ୍ୟତରେ ନିଶ୍ଚୟ ହେବ ଏକ ମହାପୁରୁଷ ।
ଦିନକର କଥା ପରୀକ୍ଷା ସରଥାଏ,କୌତୁହଳ କେତେ ନମ୍ବର ସେ ରଖିଛି। ଶିକ୍ଷକଙ୍କୁ ପଚାରିବାରୁ କହିଲେ ସବୁ ଫେଲ୍..ମାତ୍ର ଜଣେ ପାଶ୍ । ଦମ୍ଭରେ ସେ କହିଲା ସାର୍ ଯଦି ଜଣେ ପାଶ୍..ତେବେ ସେ ଜଣକୁ ମୁଁ । ଶିକ୍ଷକ ଅବାକ୍..କି ଆତ୍ମବିଶ୍ୱାସ.. କୁଣ୍ଢେଇ ପକାଇ ପିଠି ଥାପୁଡାଇ ଦେଲେ ତା'ର ।ଖାଲି ପାଶ୍ ନୁହଁ..ସବୁଥିରେ ଫାଷ୍ଟ କ୍ଲାସ୍ ଫାଷ୍ଟ।
ଗଲେ ଇଂଲଣ୍ଡ...ବାପାଙ୍କ ଇଚ୍ଛା ସିଭିଲ୍ ସର୍ଭିସ୍ କରୁ । ଚମକାଇ ଦେଲେ ସେ ।ଆଇ.ସି.ଏସ୍. ପରୀକ୍ଷାରେ ଚତୁର୍ଥ ସ୍ଥାନ ମାତ୍ର ଓଡିଆ ପିଲା ହୋଇ ଇଂରାଜୀରେ ପ୍ରଥମ । ମିଳିଲା ଅଧିକାରୀ ପଦବୀ ।ଶୁଣିଲେ, ନୃଶଂସ ଇଂରେଜ ପ୍ରିୟ ଭାରତୀୟଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ମନ ଏବଂ ବିବେକ କହିଲା ତୁ ଏ ସୈତାନ୍ଙ୍କ ଗୋଲାମୀ ହେବୁ..ଚାକିରୀ କରି ତାଙ୍କ ଚାକର ହେବୁ । ଛି.. କରିଦେଲେ.. ପରିତ୍ୟାଗ କଲେ ଆଇ.ସି.ଏସ୍.ପଦବୀ । ଫେରିଲେ ଭାରତ, କଲେ ଦେଶବାସୀଙ୍କୁ ଏକଜୁଟ୍। ରଚିଲେ ବିଦ୍ରୋହ ; ବିପ୍ଳବ ସଂଗ୍ରାମର ଚକ୍ରବ୍ୟୁହ। କି ବଜ୍ର ବାଣୀ.. କି ବୀର ଚାହାଣୀ.. ସତରେ ବଜ୍ରଠୁ କଠିନ.. ଆଉ ବିଜୁଳିଠୁ ବି ତେଜିୟାନ୍ । ଦେଖିଲେ ଗାନ୍ଧୀ ବୋଲି ଜଣେ ମହାନ ବ୍ୟକ୍ତି ଅହିଂସା ପଥରେ ଲୋକଙ୍କୁ ଏକଜୁଟ୍ କରି ସ୍ୱାଧୀନ ପାଇଁ ଲଢୁଛନ୍ତି ।ସହାୟତା କଲେ.. ମାତ୍ର ଆନ୍ତରିକତା ନ ଥିଲା।୧୯୧୯ ମସିହା।ପଞ୍ଜାବ ଅମୃତସରର ଜାଲିୱାନାବାଗ୍ । ଚାଲିଥିଲା ସମ୍ମିଳନୀ.. କେମିତି ଲଢିବେ । ନୃଶଂସ ବ୍ରିଟିଶ୍ ବାହିନୀଙ୍କ ଅତର୍କିତ ଗୁଳିମାଡରେ ମରିଗଲେ ହଜାର ହଜାର ସରଳ ନିରୀହ ଲୋକ । ଛାତି ଫାଟିଗଲା ତାଙ୍କର।ପ୍ରାଣ କାନ୍ଦି ଉଠିଲା..ଲାଗୁଥିଲା ଏଇନେ ଯାଇ ଗୁଳି କରନ୍ତେ କି । ଭୁଲିଗଲେ ଗାନ୍ଧିଙ୍କର ବାଣୀ"ତୁମ ଏ ଗାଲକୁ ଯେ ମାରୁଛି.. ଆର ଗାଲ ଦେଖାଅ" ।ପ୍ରତିବଦଳରେ ସେ ଗର୍ଜି କହି ଉଠିଲେ..ତୁମକୁ ଯେ ଆଙ୍ଗୁଳି ଦେଖାଉଛି ତାକୁ ବନ୍ଧୁକ ଦେଖାଅ । ତୁମ ଉପରକୁ ଯେ ଟେକା ପକାଉଛି ତା ଉପରେ ପଥର ପକାଅ, କଥାର ଜବାବ୍ ଗୁଳିରେ ଦିଅ । ଆମେ କା'ର ଗୋଲାମ ନୁହଁ । ଆମ ଭାରତ ଇଂରେଜଙ୍କ ବୋପା ସମ୍ପତ୍ତି ନୁହଁ । ମୋତେ ରକ୍ତ ଦିଅ ମୁଁ ସ୍ୱାଧିନତା ଦେବି । ତାତି ଉଠିଲେ ବୀର ଭାରତୀୟ । ମିଳାଇଲେ ତାଙ୍କ ହାତରେ ହଜାର ହଜାର ଶକ୍ତ ହାତ । ମନୋବଳ ଶରୀର ବଳ ନୈତିକ ବଳ ବଢିଲା । ମାତ୍ର ତାଙ୍କ ଏ ନୀତି ସେତେବେଳର ଆଗ ଧାଡିର ନେତାଙ୍କୁ ସୁହାଇଲା ନାହିଁ । ତେଣୁ ତାଙ୍କ ପ୍ରାଣ କାନ୍ଦିଲା । ବନ୍ଦୀ..ବନ୍ଦୀ ପରେ ତା'ଙ୍କ ଚରମପନ୍ଥୀ ନୀତି ପାଇଁ ଆଙ୍କୁଶ ବୀରକୁ ଦୁର୍ବଳ କି ହତାଶ କଲା ନାହିଁ କାରଣ ସେ ସାଧାରଣ ନେତା ନ ଥିଲେ, ଥିଲେ ନେତାଙ୍କର ନେତାା । ଚାଲିଲେ ଜାପାନ୍ ଜର୍ମାନ.. ନେଲେ ତାଙ୍କ ସହାୟତା । ବୀର ବୀରକୁ ଚିହ୍ନେେ । ହିଟଲର୍ ପରି ବୀର ତାଙ୍କ ବୀରତ୍ୱକୁ ସାଲୁଟ୍ କରିଥିଲେ।ଅସଂଖ୍ୟ ବୀର ଫଉଜ ମେଳରେ ଗଢିଲେ ଆଜାଦ୍ ହିନ୍ଦ୍ ଫୌୌଜ ।ସ୍ଳୋଗାନ୍ ଦେଲେ ଦିଲ୍ଳୀ ଚଲୋ।ଭାରତ ମାତା କୀ ଜୟ । ଗଗନ ପବନ ପ୍ରକମ୍ପିତ ହେଲା । ଚାଲିଲେ ଦିଲ୍ଲୀ ଅଭିମୂଖେ ..। ଥରି ଉଠିଲା ବ୍ରିଟିଶ୍ ସୈନ୍ୟ ।ମଥା ନଇଁଗଲା ଏପରି ବୀରର ବୀରତ୍ୱରେ । ମାତ୍ର ଆବଶ୍ୟକ ହେଉଥିଲା ଆହୁରି କିଛି ସମୟ ଓ ବୀରତ୍ୱର ସୁଯୋଗ । ବିଶ୍ୱ ଚକିତ ହୋଇ କହୁଥାଏ ହେ ଆନ୍ତର୍ଜାତିକ ନାୟକ..! ତୁମକୁ ସାଲ୍ୟୁଟ୍ ।
ଚାଲିଲା ବୀରଙ୍କ ପ୍ରଚେଷ୍ଟା । ହେଲେ ସବୁବେଳେ ଆକାଶ ଚାନ୍ଦିନୀ ରାତି ଦେଖେ ନାହିଁ ।ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟ । ଜାପାନର ଏକ ବିମାନରେ ଆସୁଥାନ୍ତି ସେ ବୀର । ଆମେରିକା ନିକ୍ଷେପ କଲା ଜାପାନର ହିରୋସୀମା ନାଗାସାକି ଉପରେ ପରମାଣୁ ବୋମା । ସେଇ ବିସ୍ଫୋରଣରେ ଉଭାନ୍ ହୋଇଗଲା ମୋ ଗେହ୍ଲା ବୀର ପୁଅ । ଏତେ ଦୂରକୁ ଚାଲିଗଲା ଯେ ସେଇଦିନୁ ତା ଏ ହତଭାଗିନୀ ମାଆର କୋଳରେ ସେଭଳି ବୀର ପୁତ୍ର ସ୍ଥାନ ପାଇନି । ସେ ଥିବା ପର୍ଯ୍ୟନ୍ତ ମୋ ଆଖିରୁ କେବେ ବି ଲୁହ ଝରେଇ ଦେଇନି ।
ମା' ତାଙ୍କ ନାଆଁ ତ କହିଲନି..? ହଁ ରେ ଧନ ସେ ପରା ନେତାଙ୍କର ନେତା... ଆନ୍ତର୍ଜାତିକ ମହାନାୟକ.. ମହାଯୋଦ୍ଧା... ଭାରତୀୟ ସ୍ୱାଧିନତାର ଜନ ନାୟକ ନେତାଜୀ ସୁଭାଷ ବୋଷ । ଫେରିଆ ଧନ... ଫେରିଆରେ.. ସୁଭାଷ... ତୋ ମା' ଡାକ କ'ଣ ଶୁଭୁନି ? ତୋ ମା' ଆଖିର ଲୁହ କ'ଣ ତୁ ପୋଛିବୁ ନାହିଁ ? ମୋ ସୁନାଟା ପରା ଏବେର ଗୋଲାକୁ କିଛି ଶିଖାଇ ତୁ ଚାଲିଯା' ଧନ ।ମା' କ'ଣ ମାତୃଭୂମି କ'ଣ ସନ୍ତାନର କର୍ତ୍ତବ୍ୟ କ'ଣ ଟିକେ ଶିଖେଇ ଯା' । ଫେରିଆରେ... ଧନ, ଫେରିଆ.. ସୁଭାଷ । ଏଭଳି ଚିତ୍କାରରେ ଅସୀମାର ନିଦ ଭାଙ୍ଗିଗଲା... ସ୍ୱପ୍ନ ସରିଗଲା।ବାଉଳି ହୋଇ ସେ ଖୋଜୁଥିଲା କାହାକୁ। କିଛିକ୍ଷଣ ସ୍ଥିତପ୍ରଜ୍ଞ ହୋଇ ସେ କଳ୍ପନା ଦୁନିଆଁରେ ହଜିଗଲା । ଦେହ,ମନ, ଆତ୍ମା ସିନା ପ୍ରକମ୍ପିତ ହେଲା, ହେଲେ ଅନ୍ତରରେ ଲୁଚିଥିବା ମୂରୁକି ହସି ଚୁପ୍ଚୁପ୍ କହିଲା,ମିଳିଗଲା ମୋତେ ମିଳିଗଲା । ଫେରିଆରେ..ସୁଭାଷ।
ଜମ୍ଭରା,
କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ


Dhanya Bharat maata, dhanya ta putra subasa. Bharat maata ki jay. Sundar lekha sir.
ReplyDeleteDhanya Bharat maata, dhanya ta putra subasa. Bharat maata ki jay. Sundar lekha sir.
ReplyDelete