2/03/2019

ବ୍ୟାସକବି

କମଳିନୀ ଦେବୀ
ଭାଷା ସାହିତ୍ୟର ଗଢିଲ କୋଣାର୍କ     
ଶିଳ୍ପୀ ସାଜି ଉତ୍କଳର 
ସେନାପତି ପଦେ ବିଭୂଷିତ ତୁମେ 
ଅସ୍ତ୍ର ଥିଲା ଲେଖନୀର ।।
ଅସୀ ଠାରୁ ମସୀ ବଡ ବୋଲି ଯାହା 
ଜନଶ୍ରୁତି ଥିଲା ରହି 
ଓଡ଼ିଆ ଗୋଟିଏ ସମୃଦ୍ଧ ଭାଷା 
ଲେଖାରେ ଦେଲ ଦେଖାଇ ।।
ବରପୁତ୍ର ତୁମ୍ଭେ ଉତ୍କଳ ମାଟିର 
କରିଛ ତା' ଯୋଗ୍ଯ ପୂଜା 
ଫକୀର ମୋହନ ସେନାପତି ନାମେ 
ଉଡୁଅଛି ଦେଶେ ଧ୍ବଜା ।।
ମଲ୍ଲିକାଶପୁରୁ ମହକି ଉଠିଛି 
ଓଡିଶାର ପୁରପଲ୍ଲୀ 
ବାଣୀ ଭଣ୍ଡାରକୁ ଭରି ଦେଇ ଗଲ 
ଗଳ୍ପ, ଉପନ୍ୟାସ ବଳି ।।
ନାରୀଶିକ୍ଷା, କୁସଂସ୍କାର ଭାବନା 
ଜାତିପ୍ରଥା ଲୋକମନେ 
ଦୂର କରିବାକୁ କରିଛ ପ୍ରୟାସ 
ମନ ଦେଇ କାନେ କାନେ ।।
ରେବତୀ, ଲଛମା, ମାମୁଁ , ପ୍ରାୟଶ୍ଚିତ                                                                                              
ରାଣ୍ଡିପୁଅ ଯେ ଅନନ୍ତା 
ଛଅମାଣ ଆଠଗୁଣ୍ଠ,ଲୋକପ୍ରିୟ 
ପେଟେଣ୍ଟ ମେଡିସିନ କଥା ।।
ରାମାୟଣ ଗ୍ରନ୍ଥ ଅନୁବାଦ କଲ 
ମହାଭାରତ ଗାଥା 
ସେଥିପାଇଁ ତୁମ୍ଭେ ଲଭିଛ ଉପାଧି 
ବ୍ୟାସକବି ଭାବେ ଯଥା ।।
ପିତୃ, ମାତୃହରା ଥିଲ ଶୈଶବରୁ 
ରୋଗକ୍ଲିଷ୍ଟ ଶରୀରରେ 
ତଥାପି ମନରେ ଅଦମ୍ୟ ସାଧନା 
ବାଣୀ ସେବା କରିବାରେ ।।
ସଂକ୍ରାନ୍ତି ପୁରୁଷ କୁହନ୍ତି ତୁମକୁ 
ଯେତେ ତୁମ ପ୍ରିୟଜନ 
ସଂକ୍ରାନ୍ତିରେ ଜନ୍ମ ସଂକ୍ରାନ୍ତିରେ ଲୀନ 
ତୁମ୍ଭେ ଅଟ ଭାଗ୍ୟବାନ ।।
ତୁମ୍ଭ ଜନ୍ମ ତିଥି ମକର ସଂକ୍ରାନ୍ତି 
ଏହି ପୂଣ୍ଯ ଦିବସରେ 
ଭକତି ଅନ୍ତରେ କରେ ପ୍ରଣିପାତ 
ତୁମ୍ଭରି ପୂତ ପୟରେ ।।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।