2/03/2019

ତୁମରି ଗାଁ

କୈଳାସଚନ୍ଦ୍ର ପାଢୀ
ତୁମରି ଗାଁର    ନୀଳ ଝରଣାରେ
      ଦେହ ଧୋଇଥିଲି ଦିନେ,
ସେଇ କଥା ଆଜି   ବାରବାର ମୋର
          ପଡି ଯାଉଅଛି ମନେ ।

ସେଇ ଝରଣାରୁ   ତୋଳି ଆଣିଥିଲି
       ପଦୁଅଁ କୋରକ ଗୋଟେ,
ଆଜି ବି ସେ ସ୍ମୃତି  ସାଇତା ଅଛିଗୋ
       ଏଇ ମୋ ହୃଦୟ ଘଟେ ।

ତୁମରି ଗାଁର   ନୀଳ ଆକାଶରେ
           ଜହ୍ନର ସୁନେଲି ଛବି,
ଲେଖନୀ ଧରାଇ  ହାତରେ ମୋହର
          ସଜାଇ ଥିଲାଗୋ କବି ।

ଆଜି ଯେତେବେଳେ ଲେଖନୀ ଧରେ ମୁଁ                            
          ମନେପଡେ ତୁମ ଗାଆଁ,
ମନେପଡିଯାଏ  କିଶୋରୀ ବଧୂର
         ନରମ ହାତର ଛୁଆଁ ।

ସେ ପୁଲକ ରାଜି  ସ୍ମୃତି ହୋଇ ଆଜି
         ରହିଚି ହୃଦୟ କୋଣେ,
ଚପଳ ଛନ୍ଦାର  ମନେ ଥିବକି ନା
     ବିହି ଏକା ସିନା ଜାଣେ ।

ତା ଆଖିର ସେଇ  ନିରବ ସଂକେତ
          ଓଠର ମଧୁର ହାସ,
ବେଳ ଅବେଳରେ  ମନେପଡିଗଲେ
          ଜୀବନଟା ଲାଗେ ବିଷ ।
କୁମାରପୁର
ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।