ଅବଧୂତ ଜ୍ଞାନାନନ୍ଦ
ଦର୍ଶନ-ଶାସ୍ତ୍ରରେ ତାଦାତ୍ମ୍ୟକୁ ସମସ୍ତ-ଦୁଃଖର ମୂଳ ଭାବରେ ବର୍ଣ୍ଣନା କରା ଯାଇଛି । ମନସ୍ତାତ୍ତ୍ବିକ ଚିକିତ୍ସା ଶାସ୍ତ୍ରରେ schizophrenia ର ଏକ ପ୍ରକାର ଭାବରେ ମଧ୍ୟ ତାଦାତ୍ମ୍ୟକୁ ଏକ ଜଟିଳ ମନୋ-ବିକାର ଭାବରେ ଦେଖା ଯାଇ ଥାଏ । ଏହି ତାଦାତ୍ମ୍ୟ ଦୀର୍ଘକାଳିକ ଅଥବା ପ୍ରଗାଢ-ଅବସାଦରୁ ଉତ୍ପନ୍ନ ହୋଇ ଥାଏ । ଏହି ରୋଗ କ୍ଵଚିତ୍ ଅଳ୍ପକାଳ ସ୍ଥାୟୀ ହୋଇଥାଏ ତଥା କ୍ଵଚିତ୍ ଆଜୀବନ ଭୋଗିବାକୁ ପଡେ । ଏହି ରୋଗୀ ମାନଙ୍କର ଜୀବନ ଯାପନ ସାଧାରଣ ଲୋକଙ୍କ ପରି ହୋଇଥାଏ । ଏହା ସତ୍ତ୍ବେ ତାଦାତ୍ମ୍ୟ-ପୀଡିତ ରୋଗୀଟି ନିଜର ବର୍ତମାନ-କାଳିକ ଯଥାର୍ଥ-ଅସ୍ତିତ୍ୱକୁ ଅପୂର୍ଣ, ଆଗନ୍ତୁକ, ଅମୌଳିକ ବା ଏକ ବୈତଥ୍ୟ ମନେ କରେ । ସେଥି ପାଇଁ ସେ ନିଜକୁ ପୂର୍ବର କୌଣସି ଐତିହାସିକ ବା ପୌରାଣିକ ପ୍ରସିଦ୍ଧ ବ୍ୟକ୍ତି ବା କଳ୍ପିତ ଅନ୍ୟ କୌଣସି ବିଶିଷ୍ଟ ବ୍ୟକ୍ତି ବୋଲି ନିଶ୍ଚିତ ଭାବରେ ଭାବିନିଏ । ଅଥବା ବର୍ତମାନର ନାମ, ରୂପ, ସ୍ଵଭାଵ ଓ ସମ୍ବନ୍ଧ ଅପେକ୍ଷା ନିଜକୁ ଅତୀତର କୌଣସି ବ୍ୟକ୍ତିର ନାମ, ରୂପ, ସ୍ଵଭାଵ ଓ ସମ୍ବନ୍ଧ ସହିତ ଅଧିକ ଏକୀକୃତ ମନେ କରେ । ସର୍ବସାଧାରଣ ପରି ଚଳୁଥିବା ଅବସ୍ଥାରେ କେବେ-କେବେ ସେ ସେହିପରି ଦାବୀ କରେ । ସମାଜ ତା' ପ୍ରତି ସେହି ଭୂତପୂର୍ବ ବ୍ୟକ୍ତି ପରି ବ୍ୟବହାର କରୁ ଏହା ସେ ଚାହେଁ । ସେ ନିଜର ଏପରି ବିକୃତ-ଅଭିପ୍ସାକୁ ସର୍ବସାଧାରଣରେ ଅଭିବ୍ୟକ୍ତ କରିବାରେ ସଙ୍କୋଚ କରେ ନାହିଁ ।
କଦାଚିତ୍ ଏମାନେ ସମାଜର ଅନ୍ଧବିଶ୍ୱାସର ଲାଭ ପାଇଥାନ୍ତି । ଅନେକ ଅନ୍ଧବିଶ୍ୱାସୀ ଲୋକେ ଏମାନଙ୍କ କଥାକୁ ଶୁଣି ସତ୍ୟ ମନେ କରି ଏମାନଙ୍କୁ ପୂର୍ବ ଐତିହାସିକ ବ୍ୟକ୍ତିବିଶେଷ ଭାବେ ଅଥବା ପୂର୍ବ ମୁନି-ଋଷିଙ୍କ ଆଧୁନିକ ଅବତାର ବା ପ୍ରତିନିଧି ଭାବରେ ଗ୍ରହଣ କରି ନିଅନ୍ତି । ସେହିପରି ଏମାନଙ୍କର ସମାଦର ଓ ପୂଜା କରନ୍ତି । ଏମାନଙ୍କର ତଥ୍ୟହୀନ-ଆଦର୍ଶ-ଅନୁସାରେ ଚଳିବାକୁ ଚେଷ୍ଟା ମଧ୍ୟ କରନ୍ତି । ସେତେବେଳକୁ ଏହି ରୋଗ ଦ୍ୱାରା ତା'ର ଅନୁଗାମୀ ମାନେ ମଧ୍ୟ ଯତ୍କିଞ୍ଚିତ୍ ସଂକ୍ରମିତ ହୋଇ ସାରିଥାନ୍ତି ।
ଧର୍ମ ନାମରେ ପ୍ରଚଳିତ ଏହି ଏକାତ୍ମତା-ରୂପକ ବ୍ୟାଧି ଉପରେ ଧର୍ମଭୀରୁ ଲୋକେ ପ୍ରଶ୍ନ ଉଠାନ୍ତି ନାହିଁ । ତେଣୁ ସମାଜରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜକୁ ରାମ , କୃଷ୍ଣ , ବୁଦ୍ଧ , ଶଙ୍କରାଚାର୍ଯ୍ୟ, ରାମାନୁଜ, କଳ୍କୀ ଅବତାର ଇତ୍ୟାଦି ମନେ କରନ୍ତି । ଅନେକ ଲୋକେ ଅନ୍ଧବିଶ୍ୱାସର ବଶୀଭୂତ ହୋଇ ବା ସମ୍ମୋହନ-ସଂକ୍ରମିତ ହୋଇ ସେମାନଙ୍କର ଅନୁସରଣ କରନ୍ତି ।
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।