10/03/2019

ଧ୍ବଂସ ହେଉଛି ଐତିହ୍ୟ

⏯⏯⏯⏯⏯⏯⏯⏯⏯
ନିବେଦିତା ମହାପାତ୍ର 

ମର୍ତ୍ତ୍ଯ ବୈକୁଣ୍ଠ ନାମରେ ବିଦିତ

ଆମରି ଶ୍ରୀକ୍ଷେତ୍ର ଧାମ         
ବିଶ୍ବ ପର୍ଯ୍ଯଟନେ ସ୍ବର୍ଣ୍ଣାକ୍ଷରରେ
ଲିପିବଦ୍ଧ ତା'ର ନାମ ।
ଯୁଗ ଯୁଗର ଐତିହ୍ଯରାଜିକୁ
ବକ୍ଷରେ ଜାବୁଡି ଧରି
ବଡ ଶରଧାରେ ଭକତ ଜନଙ୍କୁ
ଡାକୁଛି ସେ ହାତ ଠାରି ।ା
ପୁରାତନ କେତେ ଗାଥା କାହାଣୀର
ସ୍ମୃତି ସାଇତିବା ପାଇଁ
ଗଢି ଉଠିଥିଲା କେତେ ଯେ ମଠ
ଶ୍ରୀଜିଉଙ୍କ ସେବା ପାଇଁ।ା 
ରାମାନୁଜ ଚୈତନ୍ଯ ବଳରାମ
କେତେ ଭକତ ପ୍ରବୀର
କରି ଅବସ୍ଥାନ ବଣ୍ଟୁଥିଲେ ସେ
ବାର୍ତ୍ତା ଭକ୍ତି ଚେତନାର।ା
ବଡ ଦେଉଳେ ପାଳିତ ହୁଅଇ
ବାରମାସେ ତେର ଯାତ
ସମସ୍ତ ପର୍ବର ନୀତି କାନ୍ତିରେ
ସଂପୃକ୍ତ ଥାଆନ୍ତି ମଠ।ା
ବଡ ସିଂହାରେ ପୁଷ୍ପ ଅଳଙ୍କାର
ସାଥେ ଚାମର ଆଲଟ
ଯାନିଯାତ୍ରାରେ ପଂକ୍ତି ଭୋଗ ସେବା
ଯୋଗାନ୍ତି ଏମାର ମଠ।ା
ସମର୍ପଣ କରୁଥିଲେ ଦୈନିକ
ଗୋପାଳ ବଲ୍ଲଭ ଭୋଗ
ରାମାନୁଜୀ ଚିତା ଅଙ୍କିତ କରି
ପାଉଥିଲେ କେତେ ସୁଖ।ା
ବଡ ଓଡିଆ ମଠର ମହନ୍ତ
କରନ୍ତି ସେବା ଅନେକ
ରତ୍ନ ସିଂହାସନ ମାର୍ଜନା କରି
ପାଆନ୍ତି ଆତ୍ମ ସନ୍ତୋଷ।ା
ଫୁଲୁରି ତେଲ ଅଣସର ପଣା
ଚନ୍ଦନ କାଠ ଯୋଗାଣ
ତ୍ରିମୁଣ୍ତି ଚାନ୍ଦୁଆ ବାନ୍ଧିବା ଶ୍ରେୟ
ଦେଇଛନ୍ତି ନାରାୟଣ।ା
କାର୍ତ୍ତିକ ମାସେ ଦୀପ ପ୍ରଜ୍ଜଳନ
ହେଉ ଅବା ସଂକୀର୍ତ୍ତନ
ସୋଲ ଚିତାଲାଗି ମହନ ଭୋଗ
ଯୋଗାଇ ଦିଅନ୍ତି ମଠ।ା
କିପରି ହୋଇବ ଆଉ ଏ ନୀତି
ଦିଶୁନାହିଁ କିଛି ବାଟ
ଅତୀତ ଗୌରବର କୀର୍ତ୍ତିସ୍ତମ୍ଭ
ପ୍ରଶାସନ କରେ ଧ୍ବଂସ।ା 
ସରକାରଙ୍କ ନିଷ୍ପତ୍ତିକୁ ମାନି
ଚାଲୁଛି ଲୌହ ମାନବ
ମୁହୁର୍ତ୍ତକେ ଧୂଳିସାତ୍ କରୁଛି
ବିଶ୍ବ ଐତିହ୍ଯର ଚିହ୍ନ।ା
ଚକାଆଖି ମେଲି ଦେଖୁଛ ତୁମେ
ଧ୍ବଂସର ତାଣ୍ଡବ ଲୀଳା
ମଠ ପରମ୍ପରା ଲୋପ ପାଉଛି
ଲାଗୁନି ତୁମକୁ ବାଧା।ା

ମୁକୁନ୍ଦ ମିଶ୍ର ନଗର (ପୁରୀ)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।