10/03/2019

ଶ୍ଯାମଳ ସପନ

ଜୟଶ୍ରୀ ପଟ୍ଟନାୟକ
ଶ୍ୟାମଳ ଶ୍ୟାମଳ ମଧୁର ସପନ
ତୁମେ ଦେଇଛ ଜଗାଇ
ରିମ୍‌ଝିମ୍‌ ସୁରେ ଗାଇ ମଲହାର
ମନ ମୋ ଦିଅ ହଜାଇ ।0।

କଳାମେଘି ଶାଢ଼ୀ ପିନ୍ଧି ଆସୁଥାଅ
ବିଜୁଳିକୁ ସାଥେ ନେଇ
ଝରି ଯାଅ ଯେବେ ମଧୁ ବରଷାରେ
ପୁଲକିତ ଯାଏ ହୋଇ
ମାଟି ଆକାଶର ମିଳନ ଗୀତିକା
ସଭିଏଁ ଉଠନ୍ତି ଗାଇ
ଶ୍ୟାମଳ ଶ୍ୟାମଳ........।1।

ଯାତନାର ବେଳ ଗଲା ସରି ଏବେ
ତୁମରି ପରଶ ପାଇ
ଫଣି ର କୋପରେ ଅସହାୟ ବୃକ୍ଷ
ନାଚନ୍ତି ଆନନ୍ଦେ ଗାଇ
ଯୁଈ, ଯାଇ କଦମ୍ବ ମାଳତୀ ଟଗର
ସବୁ ଉଠିଲେଣି ଚେଇଁ
ଶ୍ୟାମଳ ଶ୍ୟାମଳ.......।2।

ତୁମରି ଭରସା ପାଇ ପାଦପର
ବିରହ ଯାଏ ଦୂରେଇ
ଶୁଖିଲା କିଆରି ପାଣି ଟୋପେ ପାଇ
ଖୁସିରେ ହସି ଉଠଇ
ପ୍ରକୃତିରାଣୀ କି ପ୍ରାଣ ବିନା ଦେହ
ତୁମ ଛଡା ଧରିଥାଇ ?
ଶ୍ୟାମଳ ଶ୍ୟାମଳ............।3।

ଗଙ୍ଗନଗର-ଭୁବନେଶ୍ବର 
ଦୂରଭାଷ - ୯୪୩୮୩୬୮୯୬୭
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।