ମୈତ୍ରେୟୀ କମିଳା
ନିରାକାର ଗୋଟେ ହୋଟେଲରେ କାମ କରେ। ଚାରି ପାଞ୍ଚ ଦିନରେ ଥରେ ଗାଁକୁ ଯାଏ , ଗାଁରେ ବୁଢା ବାପା ମାଆ ଓ ତା' ସ୍ତ୍ରୀ ମାଳ ,ପୁଅ କିନୁ, ଝିଅ ଟିକିଲି ରୁହନ୍ତି । ଗାଁ ସ୍କୁଲରେ ପାଠ ପଢ଼ନ୍ତି ଛୁଆ । ଗାଁରୁ ସହର ସତୁରୀ କିଲୋ ମିଟର। ଦିନରେ ହୋଟେଲରେ ଦେଖା ଶୁଣା କାମ କରେ ସଂଜ ହେଲେ ଭାଟିରୁ ଟିକେ ପକେଇ ଦେଇ ରିକ୍ସା ଚଳାଏ , ସହରରୁ ରିକ୍ସା ଗାଁ ଆଡେ ଗଡେ । ଖାଲ - ଢ଼ିପ - ଉଠାଣି - ଗଡାଣି ସବୁ ଥାଏ ସେ ରାସ୍ତାରେ ,ଆକାଶରେ ଜହ୍ନଟା ସିଧା ତା'ରି ଆଡେ ମୁହଁ କରି ଅନେଇ ଥାଏ। କ୍ଷେତ ମଝିରେ ସରୁ ଗଡାଣି ରାସ୍ତାଟା ଠିକ୍ ମଥା ସିଂଥା ଭଳି ଆଗକୁ ଗଡି ଯାଇଛି । ସବୁଦିନ ପ୍ରାୟ ରିକ୍ସା ନେଇ ସେ ବାଟରେ ଯିବା ଆସିବା କରେ । ସେଦିନ ପୁଷ ପୁନେଇ ଜହ୍ନଟା ରୂପା ଥାଳିଆ ପରି ଝଲକୁ ଥିଲା, ସଂଜ ବେଳେ ରାମୁ ଆସି ଡାକି ନେଇଗଲା ଭାଟିକୁ, ଦୁଇଜଣ ଦେଶୀ ଟିକେ ପକେଇ ଦେଇ ବାହାରି ଗଲେ ରିକ୍ସା ନେଇ । ଏଥର ଗୀତ ଗାଇ ଗାଇ ଗରାଖ ନେଇ ଚାଲିଲା ନିରାକାର , ଦିନ ସାରା ଏଇ ଯୋଉ ମୁହୂର୍ତ୍ତ ତାକୁ ଅନେଇ ବସେ । ହୋଟେଲରେ କାମ କରୁ କରୁ ଭାବୁଥିବ କେତେବେଳେ ସଂଜ ହବ ଆଉ ତା' ସବୁ ମିଜାଜ ରଙ୍ଗୀନ ପାଲଟିବ ।
ଗରାଖ ଥିଲେ ତା' ରିକ୍ସାରେ , ହଠାତ ନେଇ ଗୋଟେ ଖାଲରେ ପକେଇ ଦେଲା ରିକ୍ସା । ସ୍ତ୍ରୀ ଛୁଆକୁ ନେଇ ଯାଉଥିଲେ ବାବୁ ଗାଁକୁ , ଯେମିତି ଖାଲରେ ପଡିଛନ୍ତି ଜୋରସେ ପାଟି କଲେ ମାଆ ଛୁଆ , ବାଟୋଇ କାଁ ଭାଁ ସଉଦା ସାରି ଫେରନ୍ତି । ଦୂରରୁ ଦେଖା ଯାଉଥିବା ଲୋକ ପାଖରେ ପହଂଚିବା ବେଳକୁ ନିରାକାରର ନିଶା ଛାଡ଼ିଲାଣି । ଡରି ଯାଇ ଲୋକଙ୍କୁ ଡାକ ପକେଇ ସମସ୍ତଙ୍କୁ ଖାଲରୁ ବାହାର କଲା । ବାବୁ ରାଗି ଯାଇ ପୋଲିସରେ ଖବର ଦେବେ ବାହାରିଲେ , ପିଇଦେଇ ଚଲାଉଛୁ , ଧୁମ୍ ଗାଳି ଦେଲେ । ନିରାକାରକୁ ଆଉ କିଛି ଦିଶିଲାନି , ଗୋଡ଼ ହାତ ଧରି ଭୁଲ୍ ମାଗିଲା , ଆଉ ଦିନେ ଏମିତି ହେବ ନାହିଁ ବହୁତ କାକୁତି ମିନତୀ ହେବା ପରେ ବାବୁ ଚୁପ୍ ହେଲେ। ତାଙ୍କୁ ନେଇ ଜାଗାରେ ଛାଡିବା ପରେ ଘର କଥା ମନେ ପଡ଼ିଲା ।ମାଳ ନିତି ଠାକୁରଙ୍କୁ ନିଜ ହାତରେ ମାଳ ଗୁନ୍ଥି ଚଢାଏ , ମୁଁ ସେଇଥିପାଇଁ ବଂଚିଗଲି ।
ତା' ପରଦିନ ଶନିବାର ଦୁଇଦିନ ଛୁଟି ନେଇ ଘରକୁ ଗଲା । ସକାଳୁ ଗାଁରେ ପହଂଚିଲା ବେଳକୁ ସ୍କୁଲ ସାମ୍ନାରୁ ଛୁଆ ସବୁ ହାତରେ ନିଶା ନିବାରଣ କାର୍ଡ ଧରି ପାଟି କରି ଚାଲିଛନ୍ତି । ତା' ଝିଅକୁ ଦେଖି ପକେଇ ଅଟକି ଗଲା ।ଶୋଭାଯାତ୍ରା ଆସୁଛି ,ପାଟି ଶୁଭୁଛି "ବନ୍ଦ କର ବନ୍ଦ କର ମଦ ବେପାର ବନ୍ଦ କର ", "ଚାଲିବ ନାହିଁ ଚାଲିବ ନାହିଁ , ଆଉ ଆମେ ସହିବୁ ନାହିଁ" । ଟିକିଲିକୁ ଦେଖି କାଲି ରାତି କଥା ମନେ ପଡ଼ିଲା । ତା'ରି ପରି ଛୋଟ ଛୁଆଟେ ମାଆ କୋଳରେ ତା' ରିକ୍ସାରେ ବସିଥିଲା । ରାସ୍ତାରେ ତାକୁ ଧରି କାନ୍ଦି ପକେଇଲା ନିରାକାର । ତା' ମୁଣ୍ଡ ଛୁଇଁ କହିଲା "ନା ଆଉ ଦିନେ ଯିବିନି ଭାଟିକୁ"। ପିଲାଙ୍କ ଧାଡି ଆଗକୁ ମାଡି ଯାଉଥିଲା। ଟିକିଲି ମଧ୍ୟ କେତେବେଳୁ ଆଗକୁ ଗଲାଣି ।ଆଉ ନିରାକାର ନୂଆ ଏକ ଶପଥ ନେଇ ରାସ୍ତାରେ ସେ ଯିବା ବାଟକୁ ଅନେଇ ରହିଛି ।
ନାଭିମୁମ୍ବାଇ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।