10/03/2019

ଚ଼େନାଏ ସପନ

ସତ୍ଯଜିତ୍‌ ସ୍ବାଇଁ
କୌଣସି ଏକ ସହରର ଠିକ ଶେଷ ଭାଗରେ ଅଛି ଗୋଟେ ଘର | ସହରର କୋଳାହଳ ଠାରୁ ଦୂରରେ ଶାନ୍ତ ବାତାବରଣରେ ଜୀବନକୁ ଏଠି ଉପଭୋଗ କରିହୁଏ | ସେଇ ଘର ପାଖରେ ଥିବା ଗୋଟେ ଗଛରେ ଅଛି ଗୋଟେ ଚଢ଼େଇ ବସା, ସେଥିରେ ଅଛନ୍ତି ଗୋଟେ ଚଢ଼େଇ ଦମ୍ପତି | କିଛି ଦିନ ହେବ ଏଇଠି ବସା ବାନ୍ଧି ରହିଛନ୍ତି | ଅନେକ କଷ୍ଟ ସହିବାକୁ ପଡ଼ିଛି ତାଙ୍କୁ | ବାତ୍ୟାରେ ନିଜର ପୁରୁଣା ଠିକଣା ହଜି ଯିବା ପରେ ବହୁତ କଷ୍ଟରେ ପାଇଛନ୍ତି ଏଇ ଜାଗା |ପୁରୁଷ ଚଢ଼େଇ ସବୁବେଳେ ନିଜ ଭାଗ୍ୟକୁ ନିନ୍ଦିବାରେ ବ୍ୟସ୍ତ | ଭଗବାନ କି ପାପ ଯୋଗୁଁ ତାକୁ ପକ୍ଷୀ ଜନ୍ମଦେଲେ କେଜାଣି ? ପକ୍ଷୀ ତ' ପକ୍ଷୀ ପୁଣି ପୁରୁଷ | ସ୍ତ୍ରୀ ମାନେ କୁଆଡ଼େ ନିଜ ଦୁଃଖ ଲାଘବ ପାଇଁ କାନ୍ଦି ପକାନ୍ତି ଆଉ ପୁରୁଷଙ୍କ ପାଇଁ ଟିକେ କଷ୍ଟ |

       ଅନେକ ଆଶା ତା' ମନରେ, କିଛି ଦିନ ଭିତରେ ତା'ର ଦୁଇଟି କୁନି କୁନି ଛୁଆ ବି ହୋଇ ଗଲେଣି |ପିତୃତ୍ୱକୁ ବଞ୍ଚାଇବାକୁ ସେ କୌଣସି ଚେଷ୍ଟା ବାକି ରଖିନି | ସେ ରହୁଥିବା ଗଛ ପାଖରେ ଥିବା ଘରେ ଗୋଟିଏ ବୃଦ୍ଧ ଦମ୍ପତି ରହୁଥିଲେ |କେବେ ପାଟି ଶୁଭେନି |ଦୁହେଁ ଦୁହିଁଙ୍କର ସାଥୀ ହୋଇ ଖୁସିରେ ଚଳୁଥିଲେ, ହେଲେ ଏଇ କିଛିଦିନ ହେଲା ସହରରୁ ପୁଅ, ବୋହୁ ଆସିଛନ୍ତି, ଖୁସିରେ ସେମାନଙ୍କ ସହ ଦିନ କାଟିବାକୁ ନୁହେଁ, ସମ୍ପତ୍ତିର ଅଧିକାରୀ ହେବାପାଇଁ , ଆଉ ଗଲାବେଳେ ଅନେକ କଟୁଭାଷା ଶୁଣେଇ ଦେଇ ଫେରି ଯାଇଛନ୍ତି |

     ଶାନ୍ତ ଥିବା ଘରୁ ଏବେ ଶୁଭେ କାନ୍ଦର ସ୍ୱର, କାନ୍ଦ ସେଇ ବୃଦ୍ଧ ବାପାର, ଯିଏ ଦିନେ ପୁଅକୁ ହାତ ଧରି ଚାଲିବା ଶିଖାଇ ଥିଲା , ସେଇ ବୃଦ୍ଧା ମାଆର ,  ଯିଏ ପୁଅ ନଖାଇଲେ ଉପାସ ରହୁଥିଲା | ଚଢ଼େଇଟି  ମନେ ମନେ ଭାବୁଥାଏ ବାପା ମାଆ ଛୁଆଙ୍କ ପାଇଁ ନିଜ ଆଖିରେ ସଜାଇ ଥିବା ଚେନାଏ ସପନ କିପରି ଆଖି ପିଛୁଳାକେ ଧୋଇ ହୋଇଯାଏ | ଭଗବାନ ମଣିଷକୁ ଦେଇଥିବା ସମ୍ପର୍କଗୁଡାକୁ ସେ କିପରି ଭାଙ୍ଗି ଦେଇ ପାରେ | ବୃଦ୍ଧ ଦମ୍ପତିଙ୍କ ଦୁଃଖ ନ ଦେଖିପାରି ନିଜ ପରିବାରକୁ ନେଇ ଆଖିରେ ଚେନାଏ ସପନ ସଜାଇ ଚଢ଼େଇଟି ଉଡ଼ିଗଲା ବହୁ ଦୂରକୁ |
ଅଡ଼ଶପୁର-କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।