ନରେନ୍ଦ୍ର ପ୍ରସାଦ ବେହେରା

ସ୍ବାର୍ଥପର ଏହି ମଣିଷ ସମାଜେ
ଚଳିବା ହେଲାଣି କଷ୍ଟ
ସ୍ବାର୍ଥ ଲାଭ ପରେ ମୁହଁ ମୋଡି ଦେଇ
ଯାଆନ୍ତି କେବଳ ଦୁଷ୍ଟ ।
ଯେତେଦିନ ସ୍ବାର୍ଥ ଥିବ ମୋ' ପାଖରେ
କରନ୍ତି କେତେ ଆଦର
ସ୍ବାର୍ଥ ସରିଗଲେ ନ ଚାହାଁନ୍ତି ମୁହଁ
କୁହନ୍ତି ମୋତେ ବେକାର ।
ବେକାର ପଛରେ ଧାଉଁଥିଲା ଦିନେ
ନଦେଇ କେଣେ ନଜର
ପାଇଗଲା ହାତ ଆଜି ତା' ମୁଣ୍ଡକୁ
କରୁନି ମୋତେ ଆଦର ।
ବନ୍ଧୁତା ଦିବସେ ଫୋନ୍ କରିଥିଲି
କହିଲା କେଉଁଠି ଘର
ଜାଣି ତ ପାରୁନି ନାମ ଯେ ତୁମର
ପଡୁନି କାହିଁ ମନର ।
ପୁରୁଷ ହେଉକି ମହିଳା ହେଉ ସେ
କହିବିନି ନାମ ତା'ର
ସେଦିନ ସମୟ ନାହିଁ ଆଜି ଆଉ
ଚାକିରୀ କରେ ମାଷ୍ଟର ।
ଚାକିରୀ କରିଲା ସମ୍ମାନ ବଢିଲା
ପାଇଲା ସେ ପୁରସ୍କାର
ବେଶି କହିଲେ ସେ ରାଗିଯିବ କାଳେ
ମାରିବ ମୋତେ ପଥର ।
ବନ୍ଧୁତା ଦିବସେ ମାଡ ଖାଇବାଟା
ନୁହଁଇ ଅଟେ ସୁନ୍ଦର
ଧନ୍ଯ ମହାପ୍ରଭୁ କି ଲୀଳା ତୁମର
ବସିଛ ହୋଇ ପଥର ।
ପଥର ହେଲ କି କାଠର ଠାକୁର
ଶ୍ରୀମନ୍ଦିର ତୋର ଘର
କାହିଁକି ଜାଳିଲୁ ବନ୍ଧୁତାକୁ ମୋର
ପିଟିବି ତୋତେ ଏଥର ।
ବନ୍ଧୁତା ଦିବସେ ସାଜିଲ ବଇରୀ
ମନରେ ଦେଇ ଯେ କଷ୍ଟ
ଆଜି ମୁଁ କହୁଛି ତୋତେ ରେ କାଳିଆ
ହେବୁନି କେବେ ତୁ ଦୁଷ୍ଟ ।
ସ୍ବାର୍ଥ ସରିଗଲା ବନ୍ଧୁ ଭୁଲିଗଲା
ରହିଲାକି ଅବଶିଷ୍ଟ
ବନ୍ଧୁତା ଦିବସେ ବନ୍ଧୁକୁ ଛଡେଇ
କଟିଲାକି ତୋର ରିଷ୍ଟ ।।
ଆଳଦା-ଖଇରା-ବାଲେଶ୍ବର
ମୋ-୯୮୫୩୧୪୨୫୧୦
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।