10/03/2019

ସ୍ବାର୍ଥପର ବନ୍ଧୁ

ନରେନ୍ଦ୍ର ପ୍ରସାଦ ବେହେରା



ସ୍ବାର୍ଥପର ଏହି ମଣିଷ ସମାଜେ
                ଚଳିବା ହେଲାଣି କଷ୍ଟ
ସ୍ବାର୍ଥ ଲାଭ ପରେ ମୁହଁ ମୋଡି ଦେଇ
                  ଯାଆନ୍ତି କେବଳ ଦୁଷ୍ଟ ।

ଯେତେଦିନ ସ୍ବାର୍ଥ ଥିବ ମୋ' ପାଖରେ
                  କରନ୍ତି କେତେ ଆଦର
ସ୍ବାର୍ଥ ସରିଗଲେ ନ ଚାହାଁନ୍ତି ମୁହଁ
               କୁହନ୍ତି ମୋତେ ବେକାର ।

ବେକାର ପଛରେ ଧାଉଁଥିଲା ଦିନେ
                 ନଦେଇ କେଣେ ନଜର
ପାଇଗଲା ହାତ ଆଜି ତା' ମୁଣ୍ଡକୁ
              କରୁନି ମୋତେ ଆଦର ।

ବନ୍ଧୁତା ଦିବସେ ଫୋନ୍‌ କରିଥିଲି
                 କହିଲା କେଉଁଠି ଘର
ଜାଣି ତ ପାରୁନି ନାମ ଯେ ତୁମର
                   ପଡୁନି କାହିଁ ମନର ।

ପୁରୁଷ ହେଉକି ମହିଳା ହେଉ ସେ
                  କହିବିନି ନାମ ତା'ର
ସେଦିନ ସମୟ ନାହିଁ ଆଜି ଆଉ
               ଚାକିରୀ କରେ ମାଷ୍ଟର ।

ଚାକିରୀ କରିଲା ସମ୍ମାନ ବଢିଲା
                ପାଇଲା ସେ ପୁରସ୍କାର
ବେଶି କହିଲେ ସେ ରାଗିଯିବ କାଳେ
                  ମାରିବ ମୋତେ ପଥର ।

ବନ୍ଧୁତା ଦିବସେ ମାଡ ଖାଇବାଟା
                  ନୁହଁଇ ଅଟେ ସୁନ୍ଦର
ଧନ୍ଯ ମହାପ୍ରଭୁ କି ଲୀଳା ତୁମର
                 ବସିଛ ହୋଇ ପଥର ।

ପଥର ହେଲ କି କାଠର ଠାକୁର
               ଶ୍ରୀମନ୍ଦିର ତୋର ଘର
କାହିଁକି ଜାଳିଲୁ ବନ୍ଧୁତାକୁ ମୋର
                ପିଟିବି ତୋତେ ଏଥର ।

ବନ୍ଧୁତା ଦିବସେ ସାଜିଲ ବଇରୀ
                 ମନରେ ଦେଇ ଯେ କଷ୍ଟ
ଆଜି ମୁଁ କହୁଛି ତୋତେ ରେ କାଳିଆ
                     ହେବୁନି କେବେ ତୁ ଦୁଷ୍ଟ ।

ସ୍ବାର୍ଥ ସରିଗଲା ବନ୍ଧୁ ଭୁଲିଗଲା
                 ରହିଲାକି ଅବଶିଷ୍ଟ
ବନ୍ଧୁତା ଦିବସେ ବନ୍ଧୁକୁ ଛଡେଇ
              କଟିଲାକି ତୋର ରିଷ୍ଟ ।।

ଆଳଦା-ଖଇରା-ବାଲେଶ୍ବର 
ମୋ-୯୮୫୩୧୪୨୫୧୦
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।