ମହାସ୍ମିତା ଓଝା
ସେ ଦିନ ତରବରରେ ସ୍କୁଟିରେ ଫେରୁ ଫେରୁ ମୋ ଗାଡିଟି ଦରଘା ବଜାର ପୀରଙ୍କ ପାଖରେ ହଠାତ୍ ରହିଗଲା ।ଚିନ୍ତାରେ ପଡିଗଲି , ଭାବିଲି ଏ ପୀରଙ୍କ ପାଖରେ ଏତେ କାହିଁକି ଭିଡ ବୋଲି । କିଛି ଗୋଟେ ନିଶ୍ଚୟ ଘଟିଛି,ଗାଡିଟି ଆଗକୁ ଯିବାକୁ ଟିକେ ବି ଜାଗା ନଥାଏ । ତଥାପି ଗାଡିଟିକୁ ପାଖରେ ସାଇଟ୍ କରି ଭିଡ ଠେଲି ପଶିବାକୁ ଚେଷ୍ଟା କଲି ଯେ ଏତେ ଭିଡ ହେବାର କାରଣଟା କ'ଣ ? ସମସ୍ତେ ମୂକ ଭଳି ଦେଖୁଥାନ୍ତି ଯେମିତି କିଛି ଫିଲିମ୍ ଚାଲିଛି । ଦେଖିଲି ଅଠର - ଉଣେଇଶି ବର୍ଷର ଝିଅଟେ ସାଲ୍ୱାର ପିନ୍ଧିଛି ହେଲେ ଜୋର୍ରେ ଚିତ୍କାର କରୁଛି ମତେ ଛାଡି ଦିଅ ବୋଲି , ପୀର ବାବା କିଛି ଫିଙ୍ଗୁଥାନ୍ତି ତା' ଉପରକୁ । ସେ ଛାଟିପିଟି ହୋଇ ଖାଲି କହୁଥାଏ ମତେ ଛାଡି ଦିଅ , ମୁଁ ମରିଯିବି । ମୁଁ ନିଜକୁ ସମ୍ଭାଳି ପାରୁ ନ ଥାଏ ଜଣେ ଦେଖଣାହାରୀକୁ ପଚାରିଲି ଆରେ ଏ ଝିଅକୁ କାହିଁକି ଏମିତି କରାଯାଉଛି ବୋଲି ,ଲୋକଟି ମତେ କହିଲା ମ୍ଯାଡାମ୍ ଝିଅଟିକୁ ଭୂତ ଲାଗିଛି । ବହୁତ୍ ଆଡେ ଦେଖାଇଲା ପରେ ଏଠାର ମହିମା ଶୁଣି ଏଠାକୁ ଆଣିଛୁ । ଦେଖୁ ନାହାନ୍ତି ଆଜ୍ଞା, ସେ କେମିତି ଚିତ୍କାର କରି କହୁଛି ମତେ ଛାଡି ଦିଅ, ମୁଁ ମରିଯିବି। ଭୂତ ପୁଣି ଏ ବିଂଶ ଶତାବ୍ଦୀରେ ! ବିଶ୍ବାସ ନ ହେଉଥିଲେ ମଧ୍ୟ ଅଗତ୍ୟା ଠିଆ ହୋଇ ରହିଲି ।
ପୀର ବାବା ସେ ଝିଅଟି ଉପରେ କିଛି ଧଳା ସୋରିଷ ଫିଙ୍ଗି ଦେଇ କହିଲେ ତୁ କିଏ , କାହିଁକି ଆସିଛୁ ? ଝିଅଟି ବଡ ବଡ ଆଖି କରି କହିଲା ମତେ ଚିହ୍ନିନୁ ? ମୁଁ ମମତା । କାହିଁକି ଆସିଛୁ ? ଜାଣି ପାରୁନୁ ? ଆସିଛି ଯେଉଁମାନେ ମତେ ଦହଗଞ୍ଜ କରି ମାରିଛନ୍ତି ସେମାନଙ୍କୁ ନିଶ୍ଚୟ ମାରିବି । କେଉଁମାନେ ତତେ ମାରିଲେ ଅଥଚ ଏ ନିରୀହ ଝିଅଟିକୁ ତୁ କାହିଁକି ଯନ୍ତ୍ରଣା ଦେଉଛୁ ? - କହିଲେ ପୀରବାବା । ଝିଅଟି କହିଲା - ହଁ ମୁଁ ବି ନୀରିହ ଥିଲି ହେଲେ ସେମାନେ ମତେ ଏମିତି ମିଳିମିଶି କଲ୍ ବଲ୍ କରି ମାରିଦେଲେ, ଆଜି ବି ମୋ ବାପା, ବୋଉ ଥାନାକୁ ଦଉଡୁଛନ୍ତି ନ୍ୟାୟ ପାଇବାକୁ ; ପାଇଛନ୍ତି କି ? ହେଲେ ଏ ଝିଅର ଦୋଷ କ'ଣ ତୁ କାହିଁକି ତା ଉପରେ ସବାର୍ ହୋଇଛୁ , ଏ ଝିଅର କିଛି ଦୋଷ ନାହିଁ କିନ୍ତୁ ସେ କଲେଜରୁ ଯେଉଁ ପିଲା ସହ ଫେରୁଥିଲା ସେ ଓ ତା ସାଙ୍ଗ ମାନେ ମତେ ଏମିତି ମିଳିମିଶି ମାରିଛନ୍ତି । ପୀର ବାବା ପଚାରିଲେ - କେମିତି ମାରିଲେ ? ଝିଅଟି କଇଁ କଇଁ ହୋଇ କାନ୍ଦି ପକାଇଲା । କହିଲା - "ଏମିତି ଜାନୁଆରୀ ମାସ କୋଡିଏ ତାରିଖରେ ମୁଁ କଲେଜରୁ ଘରକୁ ଫେରୁଥାଏ । ମୁହଁସଞ୍ଜ ବେଳ , ସବୁଦିନ ଭଳି ଟ୍ୟୁସନ୍ ସାରି ଫେରୁ ଥାଏ । ସଞ୍ଜ ହୋଇ ଯାଇଥାଏ ବୋଲି ଜୋର୍ରେ ପେଡାଲ୍ ମାରି ଘରକୁ ଫେରୁଛି ହଠାତ୍ ସାଇକେଲ୍ ଚକାରେ ଓନିଟା ପଶି ଯିବାରୁ ବାଧ୍ୟ ହୋଇ ଓନି ବାହାର କରୁଥାଏ । ସେତିକି ବେଳେ ବାଇକ୍ରେ ତିନି ଜଣ ପିଲା ସେହି ବାଟରେ ଅଟକି ଗଲେ । ଏକେ ତ ସନ୍ଧ୍ୟା ହୋଇ ଯାଇଥାଏ , ଦୁଇରେ ଏମାନଙ୍କୁ ଦେଖି ମୁଁ ଗୋଟାପଣେ ଥରୁ ଥାଏ । ବାଇକ୍ରୁ ତିନିଜଣ ଯାକ ଓହ୍ଲାଇ ପଡିଲେ ଏବଂ କହିଲେ କ'ଣ ଓନି ପଶି ଯାଇଛି ? ମୁଁ ସେମାନଙ୍କୁ କିଛି କହୁ ନଥାଏ ।ସେମାନେ କହିଲେ ଆମେ ଅଛୁନା କାଢିଦେବୁ , କାହିଁକି ବ୍ୟସ୍ତ ହେଉଛ ? ତଥାପି ସେମାନଙ୍କୁ ମୁଁ କିଛି ବି କହୁ ନଥାଏ । ସମସ୍ତେ ମୋ ଚାରିପଟ ଖାଲି ଘୂରିବାକୁ ଲାଗିଲେ । ଭୟରେ ମୁଁ ଗୋଟାପଣେ ଥରୁଥାଏ , ଯେତେ ଠାକୁର - ଠାକୁରାଣୀଙ୍କୁ ପ୍ରାଣ ବିକଳରେ ଡାକି ପକାଉଥାଏ ; ହେଲେ ସବୁ ନିରର୍ଥକ । ସେମାନେ ମୋ ମୁହଁକୁ ଚାପି ଧରି ଶୂନ୍ୟ ଶୂନ୍ୟ ଟେକି ନେଇଗଲେ ପାଖରେ ଥିବା ଗୋଟେ ଭଙ୍ଗା ଘରକୁ । ଯେତେ କାକୁତି ମିନତି ହୋଇଛି , କିନ୍ତୁ ଜଣକ ପରେ ଜଣେ ହିଂସ୍ର ଜନ୍ତୁ ଭଳି ମତେ ଝୁଣି ପକାଇଲେ ।ସେତିକିରେ ବି ସରିଲାନି ସେମାନଙ୍କର କ୍ଷୁଧା, ହୋସ୍ ନଥାଏ ମୋର ତଥାପି ସେମାନେ ସେହି ଅବସ୍ଥାରେ ଝୁଣି ଚାଲିଥା'ନ୍ତି । ଶେଷରେ କେହି ଜାଣିବେ ବୋଲି ମୋରି ଓନିରେ ଭିଡିଦେଲେ ମୋର ତଣ୍ଟି ଏବଂ ଫୋପାଡି ଦେଲେ ଗୋଟେ ପରିତ୍ୟକ୍ତ କୂଅକୁ । ଭଲ ହେଲା ମୁକ୍ତି ମିଳିଗଲା ମତେ ।।ଆଜି ଯାଏଁ ମୋ ବାପା ,ବୋଉ ଥାନାକୁ ଦଉଡୁଛନ୍ତି, ହେଲେ ଏ ପର୍ଯ୍ୟନ୍ତ ମୋ ଲାସ୍ ସେମାନେ ପାଇପାରି ନାହାଁନ୍ତି । କି ଅପରାଧ ମୋର ଥିଲା ଶେଷରେ ସେମାନେ ମତେ ଏମିତି କଲବଲ କରି ମାରି ପକାଇଲେ ? କ'ଣ କରୁଛି ଆଇନ୍ , କି ଦଣ୍ଡ ଦେଇଛି ସେମାନଙ୍କୁ ? ଆଜି ବି ସେମାନେ ମୁକ୍ତ ଭାବରେ ବୁଲୁଛନ୍ତି । ଏ ଝିଅ ସେଇ ତିନିଜଣଙ୍କ ଭିତରୁ ଜଣଙ୍କ ସହିତ ଆସୁଥିଲା , ତେଣୁ ମୁଁ ତା' ସହ ଚାଲି ଆସିଲି । କିଏ ଜାଣେ ମୁଁ କେଉଁଠି ଅଛି ? ମୋ ବାପା ଓ ବୋଉ ଏବେ ବି କାନ୍ଦୁଛନ୍ତି , ହେଲେ କିଏ କହିବ ମୁଁ କେଉଁଠି ବୋଲି ।"
ଝିଅଟିର କଥାରେ ମୁଁ ଜଡ ପାଲଟି ଯାଇଥିଲି । ଯଦିଓ ମୁଁ ଜଣେ ରିପୋର୍ଟର ତଥାପି ଲେଖିବି ତ, କ'ଣ ଲେଖିବି , କିଏ ଦେବ ଏ ଝିଅକୁ ନ୍ୟାୟ ? ତଥାପି ନିଶ୍ଚୟ ସାହାଯ୍ୟ କରିବି ଏ ଝିଅକୁ । ଘରକୁ ଫେରିଲି, ଲୋକମାନେ ରୁଣ୍ଡ ହୋଇଥାନ୍ତି । ଯେମିତି ବେବିନା, ଇତିଶ୍ରୀ, କସ୍ତୁରୀ, ପୂଜା, ମାଧବୀଲତାର ପୁନଶ୍ଚ ଘଟଣାର ଦୃଶ୍ୟ । କେତେ ଦୃଶ୍ୟ ! ନିଜେ ନିଜକୁ ପ୍ରଶ୍ନ ପଚାରୁଥାଏ, କାହିଁକି ଏମିତି ପୁରୁଷଙ୍କର ଅଧପତ୍ତନ ଓ ହୀନମନ୍ୟତା ? ନାରୀକୁ ନିର୍ଯ୍ୟାତନାର ହାତ ବଢାଇବା ପୂର୍ବରୁ ଥରୁଟିଏ ଭାବି ପାରୁନି ସେ ଯେ କାହାର ଝିଅ, ଭଉଣୀ ଓ ମାଆଟିଏ ବୋଲି ? ହଠାତ୍ ମନେ ପଡିଯାଏ ପ୍ରତିଭା ରାୟଙ୍କ "ଯାଜ୍ଞସେନୀ" କଥା । କେତେ ଅସହାୟ ଏ ନାରୀ ଜାତି ! ସେ ଯୁଗରୁ ଏ ଯୁଗ ଯାଏଁ ତା'ର ନିର୍ଯ୍ୟାତନାର କ'ଣ ଅନ୍ତ ନାହିଁ ? କାହିଁକି ପୁରୁଷ ତାକୁ କନ୍ଦାଏ, ନିଯ୍ୟାତିତା କରେ ? କ'ଣ ପାଏ ? ଟିକିଏ ଆନନ୍ଦ ପାଇଁ ହଜିଯାଏ ନାରୀ ସମାଜରୁ । ଏ ଘଟଣାର ଅନ୍ତ କେମିତି ହେବ ଗୋବିନ୍ଦ । ଥରେ ତ କହି ଦିଅ , ଆଙ୍କିଦିଅ ଏ ପୁରୁଷ ଜାତିଙ୍କ ହୃଦୟରେ ଦୟା, କ୍ଷମା, ମମତା, ସ୍ନେହ ଓ ସମ୍ମାନ । ଥରେ ତ ଅବତରି ଆସ ଗୋବିନ୍ଦ , ସେଦିନ ଯେମିତି କୁରୁସଭା ସଭାତଳେ ରଖିଥିଲ ଦ୍ରୈାପଦୀର ମାନ ସେମିତି ଉଦ୍ଧାର କରନ୍ତନି ଏ ନାରୀ ଜାତିକୁ ? ବାରମ୍ବାର ପ୍ରଶ୍ନ ଉଠେ ମନରେ ସେ ରାଜକୁମାରୀ ହେଉ ବା ସାଧାରଣ ନାରୀ, ସତରେ କ'ଣ ନିସ୍ତାର ନାହିଁ ତା'ର ? ବଦଳିବନି କ'ଣ ପୁରୁଷର ମାନସିକତା ? ଯେହେତୁ ମୁଁ ଜଣେ ନାରୀ । ମୋ ହୃଦୟ ମଧ୍ୟ ବିଦ୍ରୋହ କରି ଉଠିଲା । ସତରେ କ'ଣ ନାରୀ ହୋଇ ଜନ୍ମ ହେବା ଅପରାଧ ? ଏ ସମାଜରେ ନିଜ ଅସ୍ତିତ୍ବ ଖୋଜୁଥିବା ଆତ୍ମା ମାନଙ୍କର କ'ଣ ସତରେ ମୁକ୍ତି ନାହିଁ ? ରାଜନୈତିକ ଚକ୍ରବ୍ୟୁହ ଭିତରେ, ଅରଣ୍ୟର ନିବିଡତା ମଧ୍ୟରେ, ମରୁଭୂମିର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଏମିତି ନିଜ ଘରେ ଏବଂ ମାଆ ପେଟରେ ବି ନିଜ ଆତ୍ମୀୟ ମାନଙ୍କ ପାଖରୁ ସତରେ କ'ଣ ତା'ର ନିସ୍ତାର ନାହିଁ ? ସତରେ କ'ଣ ଏମିତି ନାରୀ ମାନଙ୍କର ହର୍ଷ ହଜି ଯିବ ସବୁଦିନ ପାଇଁ ଏ ସମାଜରୁ ? ଥରେ ତ ଗୋବିନ୍ଦ ଅବତରି ଆସ ଏ ସମାଜକୁ ଦେଖାଇ ଦେଇଯାଅ ନାରୀ ମାନଙ୍କର ସ୍ଥିତି ଓ ଭବିଷ୍ୟତ ।
ସହ ସମ୍ପାଦିକା
ଜଗତସିଂହପୁର ସାହିତ୍ଯ ପରିଷଦ (ମକର)
ପିନ୍ -୭୫୪୧୦୩
ଜୟ ସାହିତ୍ୟ, ଜୟ ସମାଜ


ବହୁତ ସୁନ୍ଦର ଲାଗିଲା ।
ReplyDeleteମୁଁ ଜାଣେ ତୁ ଭିନ୍ନ ଏକ ପୃଥିବୀର 😊
ReplyDelete3rd para...ଟିକିଏ ଆନନ୍ଦ ପାଇଁ ହଜିଯାଏ ନାରୀ ସମାଜରୁ । ଟିକିଏ ଖୁସି ପାଇଁ ହଜିଯାଏ ନାରୀ,ସମାଜରୁ ।
ReplyDeleteଅତି ଚମତ୍କାର ଓ କଳୁଷିତ ସମାଜର ନିଛକ ଛବିଟିଏ । ପରବର୍ତ୍ତି ଲେଖାର ଅପେକ୍ଷାରେ ।