10/03/2019

ଛୁଆ ଗୋଟିଏକୁ ଗଛ ଗୋଟିଏ

ବୈଜୟନ୍ତୀ ସାହୁ 
ଈଶ୍ବରଙ୍କ ସୃଷ୍ଟି ବଡ ବିଚିତ୍ର । ଏହାର ରହସ୍ୟ ଭେଦ କରିବା ସାଧାରଣ ମନୁଷ୍ଯ ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ । କୁଶଳୀ ଚିତ୍ରକରଟି ପରି ବିଶ୍ବକୁ ସେ କେଡେ ସୁନ୍ଦର ଭାବରେ ଚିତ୍ରିତ କରିଛନ୍ତି । ଏହାର ନୀଳସମୁଦ୍ର ଯେପରି ସୁନ୍ଦର, ଦିଗନ୍ତ ବିସ୍ତାରିତ ସବୁଜ ଶସ୍ଯକ୍ଷେତ୍ର, ସୁବିସ୍ତୃତ ଅରଣ୍ୟ ସମ୍ପଦ ମଧ୍ୟ ସେହିପରି ସୁନ୍ଦର । ସୁନ୍ଦର ତା'ର ବନଭୂମି'ଅରଣ୍ୟର ଶ୍ୟାମଳିମା ବୃକ୍ଷର ସ୍ନିଗ୍ଧ ଶୀତଳ ଛାୟା ସବୁ ଯେପରି ମନୋରମ ଓ ଅମୃତମୟ । ଆଦିମାନବର ପ୍ରଥମ ବାସସ୍ଥାନ ଥିଲା ଘନ ଅରଣ୍ଯ । ସଭ୍ୟତାର ବିକାଶ ପୂର୍ବରୁ ମଣିଷର ସମସ୍ତ ଆବଶ୍ଯକତା ଅରଣ୍ୟ ହିଁ ପୂରଣ କରୁଥିଲା ଏବଂ  ଖାଦ୍ୟ ଓ ଜଳ ଯୋଗାଇ ଦେଉଥିଲା । ଗଛମାନେ ଏକତ୍ର ଯେଉଁଠାରେ ଥାଆନ୍ତି, ସେଠାରେ ଶୋଭାର ପଟାନ୍ତର ନାହିଁ, ଏହା ପ୍ରାଣକୁ ପୁଲକିତ କରେ । ତା'ର ସବୁଜ ଶ୍ଯାମଳିମା ରୂପ ମୁଗ୍ଧ କରେ ଅନ୍ତରକୁ । ଜୀବନ ଧାରଣ ପାଇଁ ଏହା ଯୋଗାଇ ଦେଇଥାଏ ବିଭିନ୍ନ ଉପାଦାନ । ବୃକ୍ଷଲତା ମାନବ ସମାଜର ପରମ ହିତୈଷି ।


    ବନଭୂମି ସହିତ ମନୁଷ୍ଯର ସମ୍ପର୍କ ପ୍ରାଗ୍‌ଐତିହାସିକ ଯୁଗରୁ ରହି ଆସିଛି । ଦିନେ ବନଭୂମିରେ ହିଁ ପ୍ରଥମ ସୂଯ୍ଯୋଦୟ ହୋଇଥିଲା । ମନୁଷ୍ଯର କ୍ରମୋନ୍ନତି, ସଭ୍ଯତା, ସସ୍କୃତିର ପରିପୃଷ୍ଟି ପାଇଁ ଜଙ୍ଗଲର ଦାନ  ମହାନ ଓ ଅବିସ୍ମରଣୀୟ । ସମୟକ୍ରମେ ବନଭୂମିରେ ଗଢି ଉଠିଥିଲା ଗୁରୁକୁଳାଶ୍ରମ । ସ୍ନିଗ୍ଧ - ଶାନ୍ତ କମନୀୟ ସୁଶୀତଳ ଛାୟା ତଳେ ଜ୍ଞାନର ପ୍ରବାହନୀ ଧାରା ହେଲା ପ୍ଲାବନ । ମୁନୀ ମନ ମୋହିନୀ ବନଭୂମି ହେଲା ତପଶ୍ଚରଣର ପ୍ରଧାନକ୍ଷେତ୍ର । ଆଧ୍ୟାତ୍ମିକତାର ସୌରଭ ବନଭୂମିକୁ କଲା ବିଛୁରିତ ଓ ଦିଗଦିଗକୁ କଲା ଆମୋଦିତ । ନିସର୍ଗ ସୁଷମାର ଚାରୁ ଚିତ୍ରଶାଳା ଉତ୍କଳର ପୁରପଲ୍ଲୀ,ବାଡି-ବଗିଚା,ବନକନ୍ଦର ସବୁ ସମୟରେ ସୌନ୍ଦର୍ଯ୍ଯର ପରିପ୍ରକାଶରେ ଛବିଳ ବିମୋହନ ରୂପମାଧୁରୀର ଅପାଶୋରା ଆରଣ୍ଯକ ଦୃଶ୍ଯ ସମ୍ଭାର,କବି, ଭାବୁକ,ଦାର୍ଶନିକ ମାନଙ୍କୁ ଲେଖନୀ ଚାଳନା କରିବା ପାଇଁ ଦେଇଛି ଅଶେଷ ପ୍ରେରଣା । ସୁରମ୍ଯ ବୄକ୍ଷରାଜିର ସ୍ନିଗ୍ଧ ଶୀତଳ ଛାୟାର ପ୍ରକୃତି କୋଳରେ ଜନ ଜୀବନର ନିବିଡ ନିଦର୍ଶନ । କାନ୍ତକମନୀୟ ପ୍ରକୃତି ଜନଜୀବନର ଅନ୍ତରରକୁ ସ୍ପର୍ଶ କରେ ନିଘଞ୍ଚ ଅରଣ୍ଯାନୀ ସବୁଜଶ୍ରୀମଣ୍ତିତ ହୋଇ ତରୁ - ଲତା ବେଷ୍ଟିତ ବନ ପ୍ରକୃତି ଛବିଳ-ମଞ୍ଜୁଳ ରୂପ ବିକଶିତ କରେ । ସେହି ବନଭୂମି ଆଜି ଯାନ୍ତ୍ରିକ ସଭ୍ଯତାର ଶିକାର ହୋଇ ହୋଇଛି ହତଶ୍ରୀ । ଗଛଟିଏ ବଞ୍ଚିବା ପାଇଁ ସଂଗ୍ରାମ
କରୁଛି । ଅତି କ୍ଷୁଦ୍ର ଦୁବଗଛ ହେଉ ଅବା ବିରାଟକାୟ ବରଗଛ ହେଉ ; ଆଧ୍ୟାତ୍ମିକବାଦୀ ତୁଳସୀଗଛ ହେଉ ଅବା ବେଲଗଛ ହେଉ,ବରକୌଳି ଗଛ ହେଉ ଅବା ମୁଥାଘାସ ଗଛ ହେଉ, ବଞ୍ଚିବା ପାଇଁ ସଭିଏଁ ସଂଗ୍ରାମରତ । ନିଜର ଆତ୍ମରକ୍ଷା ପାଇଁ ଗଛର ଏ ଉକ୍ତି‐‐

"ଘାସଟିଏ ଛୋଟ ଗଛଟିଏ
ବାଡି-ବଗିଚାର ଦୁବଟିଏ
ବାହା,ବ୍ରତ,ଶ୍ରାଦ୍ଧେ ଆଙ୍ଗୁଠିରେ ନାଏ
ପାପ-ତାପ ସବୁ ହରିନିଏ ।"
  
ଆଉ ମଧ୍ଯ କୁହାଯାଇଛି ଯେ :-                                                  
ଗଛଟିଏ ମୁଁ ଗଛଟିଏ
ତୁମରି ଘରର ପିଲାଟିଏ
ସେବା-ଯତ୍ନ କଲେ ବଡ ହେବ,
ବଞ୍ଚିବାକୁ ସିଏ ରାହା ଦେବ  ।"

ପୁଣି ବରଗଛଟିଏ କହୁଛି :-

"ଗଛଟିଏ ବରଗଛଟିଏ
ପିଲାଙ୍କର ଦୋଳି ଓହଳାଏ
ଥକ୍ମା ମାରି ବସେ ବାଟୋଇଟିଏ
କେତେ ଚଢେଇଙ୍କ ଆଶ୍ରା ସିଏ
ପତ୍ର,ଫୁଲ,ଫଳ,ଖାଦ୍ୟ ଦିଏ
ଗଛଟିଏ ମୁଁ ଗଛଟିଏ ।"

            ଗଛ ହେଉଛି ମାନବର ପରମ ବନ୍ଧୁ । ଏହା ଅମ୍ଲଜାନ ପ୍ରଦାନ କରି  ଅଙ୍ଗାରକାମ୍ଲ ଗ୍ଯାସ ଗ୍ରହଣ କରି ବାୟୁମଣ୍ତଳର ଭାରସାମ୍ଯ ରକ୍ଷାକରେ । ଗଛ ପ୍ରକୃତିର ଏକ ବିଶେଷ ଅବଦାନ । ଅତୀତରେ ୪୫ ଭାଗ ଅରଣ୍ଯରୁ ଗଛ କଟା ହେଇ ୨୨ ଭାଗରେ ପହଞ୍ଚିଛି । ଗଛ କାଟି ମୂଲ୍ଯବାନ କାଠରୁ ଆମ୍ଭେମାନେ ଗୃହର ଆସବାବପତ୍ର, କତି, ଚୌକାଠ, ଦୂଆର-ଘର ତିଆରି ଓ ସାଜସଜାରେ ଲଗାଇ ଥାଉ । ଜାଳେଣୀକାଠ ସହିତ ଔଷଧ ପାଇଁ ଗଛର ଚେର, ମୂଳ, ପତ୍ର, ଫୁଲ,ଫଳ,ଛେଲି,ବ୍ଯବହୃତ ହୁଏ । ଝୁଣା , ଲାଖ, ହରିଡା, ବାହାଡା, ବାଉଁଶ,ସବାଇଘାସ,ବେତ,ପ୍ରଭୃତି ଜଙ୍ଗଲଜାତ ଦ୍ରବ୍ଯ ଆମର ଉପକାରରେ ଆସେ ।ଗଛମୂଳେ ଆଶ୍ରୟ କରି ଗାତରେ ରହୁଥିବା ପ୍ରାଣୀମାନେ ଆଶ୍ରୟ ନିଅନ୍ତି । ପକ୍ଷୀମାନେ ଗଛଡାଳରେ ବସା ବାନ୍ଧି ନିରାପଦରେ ରହନ୍ତି । ବିଭିନ୍ନ ପଶୁ-ପକ୍ଷୀମାନେ ନିର୍ଭୟରେ ରହନ୍ତି । କିନ୍ତୁ ଏ ମଣିଷ ଟିକିଏ ସୁଖ ପାଇଁ ଗଛକାଟିବା ସହିତ ପଶୁ-ପକ୍ଷୀଙ୍କୁ ବି ମାରିବାକୁ ପଛାଉ ନାହିଁ । ପଶୁ ଶୀକାର କରି ହାତୀ ଦାନ୍ତର ମୂଲ୍ଯବାନ ବିଳାସ ସାମଗ୍ରୀ ଓ ଅଳଙ୍କାର ତିଆରି କରୁଛି । ବନ୍ୟଜନ୍ତୁ ପ୍ରାଣୀଙ୍କ ଚମଡାରେ ଜୋତା,ଶିଙ୍ଗରେ ପାନିଆ ଆଦି କରୁଛି । ଜଙ୍ଗଲରୁ ମିଳୁଥିବା କେନ୍ଦୁପତ୍ର ରାଜ୍ଯ ସରକାରଙ୍କ ଟିକସ ବୃଦ୍ଧିରେ ସହାୟକ ହେଉଛି ।

      ବଣ - ଜଙ୍ଗଲରେ ଥିବା ଉଭିଦ୍ଦମାନେ ବାଷ୍ପମୋଚନରେ ସାହାଯ୍ଯ କରନ୍ତି । ଏହି ବାଷ୍ପ ମେଘ ସୃଷ୍ଟିକରେ । ସାଗରୀଗତ ବାୟୁ  ବଣଜଙ୍ଗଲରେ ଥିବା ବଡବ ଡଗଛ ଓ ପାହାଡରେ ବାଧା ପାଇ ବୃଷ୍ଟି କରେ । ଘଞ୍ଚ ଅରଣ୍ଯ ମୃତ୍ତିକା ସଂରକ୍ଷଣରେ ସାହାଯ୍ୟ କରେ ।ବଡ ବଡ ଗଛମାନେ ଝଡର ଗତିପଥକୁ ବଦଳାଇ ଦିଅନ୍ତି । ଶାଳ,ପିଆଶାଳ,ଗଛର କାଠ  ରେଳ,ଲଞ୍ଚ,ଜାହାଜ,ନୌକା ଆଦି ତିଆରିରେ ଦରକାର ହୁଏ । ଗଛ ମାନଙ୍କର ପ୍ରାକୃତିକ ସୁଷମା ଯୁଗେ ଯୁଗେ ମୁନୀ-ଋଷି,ସାଧୁ-ସନ୍ଥ,ଭାବୁକ ମାନଙ୍କୁ ଆକୃଷ୍ଟ କରିଥାଏ । ମାତ୍ରଆଜି ମଣିଷ ଗଛର ଯତ୍ନ ନ ନେଇ ଗଛକାଟି କ୍ଷୟ କରିବାରେ ଲାଗୁଛି । ଗଛକ୍ଷୟର କୁପରିଣତି ବିଶ୍ବପରିବେଶକୁ ପ୍ରଭାବିତ କରୁଛି । ଆମର ପୂର୍ବପୁରୁଷ ଜେଜେ, ଅଜା, ବାପା,ମାଆମାନେ ବାଡି-ବଗିଚାରେ ଗଛ ଲଗାଇ  ସମ୍ପଦର ସୁରକ୍ଷା କରୁଥିଲେ । ଆମେ କିନ୍ତୁ ଗଛଟେ ନ ଲଗାଇ ତାହାର ଉପକାରିତାକୁ ହୃଦୟଙ୍ଗମ ନ କରି ନିଜର ସ୍ବାର୍ଥ ସାଧନ ନିମିତ୍ତ ଗଛ ଗୁଡିକ ହାଣି ପଦା କରି ପକାଉଛୁ । ପୁଣି ରକ୍ଷଣାବେକ୍ଷଣ ମଧ୍ୟ କରୁନାହୁଁ ।

    ମୋର ଗୋଟିଏ କଥା ମନେପଡୁଛି‐ ବୈଶାଖ ମାସର ଉଦୁଉଦିଆ ଖରାବେଳ,ମୁଣ୍ତ ଉପରେ ସୂର୍ଯ୍ଯ ନିଆଁ ପିଣ୍ତୁଳା ପରି ଦାଉଦାଉ ଜଳୁଥାନ୍ତି । ପ୍ରବଳ ଗରମ । ପାଠପଢା ସାରି ପିଲାମାନେ ଘରକୁ ଫେରୁଥାନ୍ତି । ସେମାନେ ଦେଖିଲେ ରାସ୍ତାପାଖ ଢିପ ଜମିରେ ବୁଢା ବୁଢୀ ଦୁଇଜଣ ଅନବରତ ଗାତ ଖୋଳିବାରେ ବ୍ୟସ୍ତ , ବୟସ ସେମାନଙ୍କର ୬୦ବର୍ଷରୁ ଉର୍ଦ୍ଧ୍ବ । ଦେହରୁ ତାଙ୍କର ଗମଗମ ଝାଳ ବୋହି ଯାଉଥାଏ । ତଥାପି ସେଥିପ୍ରତି ତାଙ୍କର ଖାତିରି ନ ଥାଏ । ପିଲାମାନେ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ଯ ହୋଇଗଲେ । ସେମାନଙ୍କ ନିକଟକୁ ଯାଇ ପଚାରିଲେ‐‐"ଏ ଟାଣଖରାରେ କାହିଁକି ଏତେ ପରିଶ୍ରମ କରି ଗାତ ଖୋଳୁଛନ୍ତି ? "ବୁଢା ବୁଢୀ ପିଲାମାନଙ୍କୁ ଚାହିଁଲେ । କିଛି ଦୂରରେ ଥିବା ଏକ ଆମ୍ବଗଛ ଛାଇରେ ବସି ପଡି ସେମାନଙ୍କୁ କହିଲେ‐‐‐ "ପିଲେ ଗଛ ଲଗାଇବା ପାଇଁ ଆମେ ଗାତ ଖୋଳୁଛୁ"। ପିଲାମାନେ ଆଶ୍ଚର୍ଯ୍ଯରେ ପଚାରିଲେ ‐"ଗଛ ଲଗାଇବା କଣ ଏତେ ଆବଶ୍ଯକ  ?" ବୁଢା ବୁଢି ବୁଝାଇବା ଭଙ୍ଗୀରେ କହିଲେ -"ବିଶ୍ବ ସୃଷ୍ଟିରେ ଉଦ୍ଭିଦ ଓ ପ୍ରାଣୀ ପରମ ବନ୍ଧୁ । ପରସ୍ପର ନିର୍ଭରଶୀଳ ଓ ପରିପୂରକ । କିନ୍ତୁ ଯେଉଁ ମନୁଷ୍ଯ ନିଜର ସ୍ବାର୍ଥ ସାଧନ ପାଇଁ ଗଛକାଟି ପଦା କରୁଛି, ସେ ପ୍ରକୃତିର ଚରମ ଶତ୍ରୁ ।ଏହା ଫଳରେ ପୃଥିବୀର ତାପମାତ୍ରା ବଢୁଛି । ବର୍ଷା ଠିକ୍‌ ସମୟେ ହେଉ ନାହିଁ । ଅଶୁଂଘାତରେ ପ୍ରାଣୀ ମରୁଛନ୍ତି । ପରିବେଶର ସନ୍ତୁଳନ ବିଗିଡି ଯାଉଛି । ଭବିଷ୍ଯତରେ ଜୀବଜଗତ ତିଷ୍ଠି ରହିବାର ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗଛ ଅଙ୍ଗାରକାମ୍ଲ ଗ୍ରହଣ କରି ଖାଦ୍ଯ ରନ୍ଧନ କରେ । ଶ୍ବାସକ୍ରିୟା ପାଇଁ ଅମ୍ଲଜାନ ଯୋଗାଏ । ବାୟୁମଣ୍ତଳ ଥଣ୍ତା ରଖେ ।ସର୍ବୋପରି ପରିବେଶl  l ସନ୍ତୁଳିତ ରହେ । ଗଛ ଫଳ,ଫୁଲ ଦିଏ । ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ଯୋଗୁଁ ରୋଗ ଉପଶମ ହୋଇଥାଏ । ପିଲା ମାନେ‐ ଉପଶମ ଓଡିଆ ଭାଗବତର ଦଶମ ସ୍କନ୍ଦ ଗୋପ ଲୀଳା ଅର୍ନ୍ତଗତ ତ୍ରୟୋବିଂଶ ଅଧ୍ୟାୟରେ ଶ୍ରୀକୃଷ୍ଣଙ୍କ ମୁଖରେ ବୃକ୍ଷର ମାହାତ୍ମ ର୍ଣ୍ଣନା କରାହୋଇଛି‐‐





"ପତ୍ର,କୁସୁମ,ଫଳ,ଛାଇ
ମୂଳ,ବକଳ,ଦାରୁ,ଦେଇ
କ୍ଷାର,ଅଙ୍ଗାର,ଭଷ୍ମ,ଅଠା
ଗୃହକୁ ସାଜିବାଡ କଣ୍ଟା           
ଶୀତ,ବରଷା,ଘର୍ମ,ଦୁଃଖ
ସହି ଆମ୍ଭଙ୍କୁ ଦ୍ଯନ୍ତି ସୁଖ।"
ବୃକ୍ଷ ଆମର ବହୁତ ଉପକାର କରେ । ତୁମ ପରି ବାଟୋଇ ମାନେ ପ୍ରଚଣ୍ତ ଖରାରେ କ୍ଲାନ୍ତି ମେଣ୍ଟାଇ ଥାନ୍ତି । ବୃକ୍ଷର ଉପକାରିତା ବିଷୟରେ  ଶୁଣି ପିଲାମାନେ ବହୁତ ଖୁସି ହେଲେ । ନିଜେ ଗଛ ଲଗାଇବା  ସହ ସାଙ୍ଗ ମାନଙ୍କୁ ଗଛ ଲଗାଇବା ପାଇଁ ପ୍ରବର୍ତ୍ତାଇଲେ । ବୁଢା ବୁଢି ଜଙ୍ଗଲର ଆଉ ଏକ ଉପକାର ପିଲା ମାନଙ୍କୁ ବୁଝାଇଲେ ।ପିଲାମାନେ ଶୁଣ‐ ଆଜି ଆମେ ଭୁଲି ଯାଉଛୁ ଜଙ୍ଗଲ ହିଁ ଏକମାତ୍ର ମଙ୍ଗଳକାରୀ । ଜଙ୍ଗଲ ବିଷୟରେ ଶୁଣ ।

      ସଭ୍ୟତାର ବିକାଶ ସହିତ ବନଭୂମିର ଧ୍ବସଂସାଧନ ମାନବଜାତି ପାଇଂ ଏକ ଅଭିଶାପ  ହେଉଛି । ଜନ୍ନାକିର୍ଣ୍ଣ ଜଙ୍ଗଲ ସ୍ଥାନରେ ମରୁଭୂମି ମୁଣ୍ତ ଟେକୁଛି । ଜନସଂଖ୍ଯା ବୃଦ୍ଧି ସହିତ ବାସଗୃହ ଓଚାଷଜମିର ଆବଶ୍ଯକତା ରହିଛି  lମନୁଷ୍ଯ ମନଇଛା ଜଙ୍ଗଲ କାଟି ପୋଡୁଚାଷ କରୁଛି  l ନଦୀବନ୍ଧ ଯୋଜନା ଓ ସଡକ ଚଉଡା ଦ୍ବାରା ବହୁ ଗଛ କଟା ଯାଉଛି । ଜାଳେଣି ଓ ଗୃହ ଉପକରଣ ନିମିତ୍ତ ଅବାଧ ଗଛ କଟା ହେଉଛି । ରେଳପଥ ନିର୍ମାଣ,କଳକାରଖାନା ସ୍ଥାପନ, ସହର ନିର୍ମାଣ, ଭୂମିହୀନ ତଥା ସରକାରୀ କର୍ମଚାରିଙ୍କୁ ଜମିପଟ୍ଟା ଦାନ ଆଦିରେ ଗଛ ଧ୍ବଂସ କ୍ରୁରତର ହେଉଛି  l ଜଙ୍ଗଲ ଧ୍ବଂସ ଯୋଗୁଁଁ ଅନିୟମିତ ବୃଷ୍ଟିପାତ, ବର୍ଷାଭାବ ଯୋଗୁଁ ମରୁଭୂମି ସୃଷ୍ଟି ହେଉଛି । ଗଛ ବର୍ଷାଭାବ, ଖାଦ୍ୟାଭାବ, ଦୁର୍ଭିକ୍ଷକୁ ନିୟନ୍ତ୍ରଣ କରୁଛି । ଜଙ୍ଗଲ ଧ୍ବଂସ ଯୋଗୁଁ ମେସୋପଟାମିଆଁ ସଭ୍ୟତା ଧ୍ବଂସ ପାଇଲା,ପୀତନଦୀ ଚିନ ଦେଶର ଦୁଃଖର କାରଣ ହେଉଛି ଗଛ ଏବଂ ମିସସିପ ନଦୀର ଉପତ୍ୟାକା  ମରୁଭୂମିରେ ପରିଣତ ହେଲା । ତେଣୁ ବିକଶିତ ବନରାଜି ଉନ୍ନତଦେଶର ଜୀବନ୍ତସାକ୍ଷୀ । ବୄକ୍ଷ - ଲତା ଯୋଗୁଁ ବର୍ଷା ହୁଏ । ଖାଦ୍ୟ ହି ଜୀବନ । ପରିବେଶକୁ ବିଷମୁକ୍ତ କରିବାରେ ବ୍ବନର ଅବଦାନ ହିଁ ଅବଦାନ ।"
          ଏକ ହିସାବ ଅନୁଯାୟୀ ‐ ୨୦ ମିଟର ଉଚ୍ଚ ୨ମିଟର ବ୍ଯାସର ଏକ ମଧ୍ୟମାକାର ବୃକ୍ଷ ୫୦ବର୍ଷ ବଞ୍ଚେ   l ଜୀବିତାବସ୍ଥାରେ ପ୍ରାୟ ୫୦ ଟନ ଅମ୍ଲଜାନ ବାୟୁମଣ୍ତଳକୁ ଛାଡେ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା । କୃତ୍ରିମ ଉପାୟରେ ଏତେ ପରିମାଣର ଅମ୍ଲଜାନ ସୃଷ୍ଟି କରି ବାୟୁମଣ୍ତଳରେ ବିଭିନ୍ନ ଗ୍ଯାସର ଭାରସମ୍ୟର ରକ୍ଷା କରିବା ଅସମ୍ଭବ । ଗୋଟିଏ ମଧ୍ୟମ ଆକାର ଗଛ ତା ଜୀବନକାଳ ମଧ୍ୟରେ ଯେଉଁ ଶୋଧନ କ୍ରିୟା ସମ୍ପନ୍ନ କରେ , ତା'ର ମୂଲ୍ଯ ୫ ଲକ୍ଷ ଟଙ୍କାରୁ ଅଧିକ ହେବ   l ଜାତୀୟ ଜଙ୍ଗଲ ନିତୀ ଅନୁଯାୟୀ ଆମ ଦେଶର ୩୩.୩ ଭାଗ ଜଙ୍ଗଲ ରହିବା କଥା । ମାତ୍ର ପ୍ରକୃତରେ ଅଛି‐୨୨.୭ ଭାଗରୁ କମ  । ତେଣୁ ଆମେମାନେ ସଚେତନ ହୋଇ ଆମ ଗ୍ରାମାଞ୍ଚଳରେ ଥିବା ବାଡି-ବଗିଚା,ବନ୍ଧହୁଡା,ବିଲହୁଡାରେ ଗଛ ଲଗାଇବାକୁ ଆଗେଇ ଆସିବା । ଗ୍ରାମାଞ୍ଚଳରେ ଖାଦ୍ୟ, କୃଷି, ଜାଳେଣୀ,ଗୃହପୋକରଣ ନିମିତ୍ତ ନିମ୍ବ,ମହୁଲ, କରଞ୍ଜ, ଜଡା,କାଜୁ,କୁସୁମ,ବାଉଁଶ,ଝାଉଁ,ଚାକୁଣ୍ତା, ଆମ୍ବ, ଜାମୁ, ପଣଷ,ଟଭା,କଦଳୀ, ଅମୃତଭଣ୍ତା,ସଜନା ଗଛ ଆଦି ଲଗାଇବା ବାଞ୍ଛନୀୟ । ଶିଳ୍ପାଞ୍ଚଳ,ଦେବାଳୟ,ସ୍କୁଲ,କଲେଜ ଓ ବିଭିନ୍ନ କାର୍ଯ୍ଯାଳୟ ହତା ମାନଙ୍କରେ ଆକାଶ, ମଲ୍ଲି, ଚମ୍ପା, ତରାଟ,ଟଗର,ବଉଳ,କନିଅର ଆଦି ଗଛ  ଲଗାଇବା ଉଚିତ ।
       
         ସ୍ବର୍ଗତ ଇନ୍ଦିରା ଗାନ୍ଧୀ ତାଙ୍କର ବିଂଶସୂତ୍ରୀ   ଅର୍ଥନିତି କକାର୍ଯ୍ଯକ୍ରମରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ପ୍ରାଧାନ୍ଯ ଦେଇଥିଲେ ,ଏଥିପାଇଁ ଲୋକ ମାନଙ୍କ ମନରେ ଜାଗରଣ ସୃଷ୍ଟି ହେବା ଆବଶ୍ୟକ । ଆଜିର ଧ୍ବନି ହେଉ‐"ଗଛ ଗୋଟିଏକୁ ଛୁଆ ଗୋଟିଏ ।" ପୁଣି ସକ୍ରେଟିସଙ୍କ ସତର୍କବାଣୀକୁ ଆମେ ବିଚ୍ୟୁତ ହେବାନାହିଁ । "ବୃକ୍ଷରୁ ଜଳ, ଜଳରୁ ଶସ୍ଯ, ଶସ୍ଯ ହିଁ ଜୀବନ।" ଏହାଦ୍ବାରା ଆମର ଲୁପ୍ତ ହୋଇଯାଉଥିବା ପ୍ରାଣୀ, ବାଘ, ଭାଲୁ, ସିଂହ, ସମ୍ବର, ହାତୀ, ବାରହା ପ୍ରଭୃତି ଓ ଶୁଆ,ଶାରୀ,ବଣି,କଜଳପାତି,ଗୋବରା, କାଠହଣା, କୋଇଲି,ଝିଙ୍କ,ମୟୂର,ଭଦଭଦଳିଆ ଆଦି ପକ୍ଷୀ ମାନଙ୍କ ବଂଶବୃଦ୍ଧିରେ ସହାୟକ ହେବ । ଏହା ବ୍ଯତିତ ଗୌଧି, ଅହିରାଜ, ଅଜଗର, ତମ୍ପ,ନାଗ, ଚମ୍ପେଇନେଉଳ, ଏଣ୍ତୁଅ ଆଦି ବଂଶବୃଦ୍ଧି କରିବେ । ସମୁଦ୍ରକୂଳ ଅନାବାଦି ଜମି ତଥା ପଥପାଶ୍ବରେ ଗଛ ଲଗାଯାଇ କୃତ୍ରିମ ଜଙ୍ଗଲ ସୄଷ୍ଟି କରାଯାଉ ।

                        ଭାରତର ଅରଣ୍ୟ ପୃଥିବୀର ଅରଣ୍ୟର ୨% ହୋଇଥିବା ବେଳେ ଜନସଂଖ୍ୟା ୧୫% ଓ ପଶୁ ସଂଖ୍ଯା ୧୩% ହୋଇ ଥିବାରୁ ଜଙ୍ଗଲ ଉପରେ ଜୈବିକ ଚାପ ପଡୁଛି । ଗଛ ଲଗାଇବା କ୍ଷେତ୍ରରେ ଚୀନ ଦେଶ ସମସ୍ତଙ୍କ ଚକ୍ଷୁ ଉନ୍ନଳିତ କରୁଛି । ୟାଙ୍ଗସିକାୟାଙ୍ଗ ଓ ହୋୟାହୋଙ୍ଗ ନଦୀର ବନ୍ୟା ପ୍ଲାବିତ ଅଞ୍ଚଳରେ ଜନସାଧାରଣ ୧୦୫ ନିୟୁତ ହେକ୍ଟର ଜମିରେ ଗଛ ଲଗାଇ ବନ୍ୟା ନିୟନ୍ତ୍ରଣ ସହିତ ଚାଷ ଉପଯୋଗି ଜମି ସୃଷ୍ଟି କରିଛନ୍ତି । ବ୍ଯକ୍ତିଗତ ମାଲିକାନାରେ ଥିବା ଜମିରେ ସ୍ଥାନୀୟ ଜନସାଧାରଣ,କ୍ଲବ,ସ୍ବେଛାସେବି ଅନୁଷ୍ଠାନମାନେ ଦାୟିତ୍ବ ନେଇ ଆଗେଇ ଆସିଲେ ଆମର ପରିବେଶ ହସି ଉଠିବ । ବର୍ତ୍ତମାନ ଶିକ୍ଷାନୁଷ୍ଠାନମାନଙ୍କରେ "ଇକୋକ୍ଲବ‐" ଜରିଆରେ ଗଛ ଲଗାଇ ପରିବେଶ ସୁରକ୍ଷା ଉପରେ ପଦକ୍ଷେପ ନିଆ ଯାଉଛି ଯାହାକି ସ୍ବାଗତ ଯୋଗ୍ଯ  । ଅଟକଳରୁ ଜଣାଯାଏ ପ୍ରତିବର୍ଷ ୧୦୮ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ଯ ଅରଣ୍ଯରୁ ସଂଗୃହିତ ହୋଇଥାଏ । ଗୋଟିଏ ମଣିଷର ଦୁଇଟି ହାତ  । ତାହେଲେ ଆମେ ଦୁଇଟି ହାତରେ ଦୁଇଟି  ଗଛ ଲଗାଇବା ,ଦେଶ ଉନ୍ନତିରେ ଆଗେଇ ନେବା । ଗଛଟି ମଧ୍ୟ ଆମ ଭଳି ଜନ୍ମ ହୁଏ,ଖାଏ,ପିଏ, ବଢେ, ବଂଶ ବୃଦ୍ଧି କରେ ଶେଷରେ ମରେ । ଗଛଟିକୁ ଆମ ଭଳି ଆମେ ଭାବି ତାର ରକ୍ଷଣାବେକ୍ଷଣ ଠିକ ଭାବେ ନେଲେ ସେ ଆମକୁ ଅସମୟରେ ନିଶ୍ଚୟ ସବୁ ପ୍ରକାର ସାହାର୍ଯ୍ଯ କରିବ । ତେଣୁ ଆସନ୍ତୁ ଗଛର ଦାୟିତ୍ବ ନେବା, ଯତ୍ନ କରିବା,ଗଛକୁ ନଷ୍ଟ କରିବା ନାହିଁ । ଆମ ମନରେ ପ୍ରଭୁ ବୁଦ୍ଧି ଦିଅନ୍ତୁ ଗଛର ଉପଯୁକ୍ତ ଦାୟିତ୍ବ ନେବାପାଇଁ । ଯେପରି ସେ ଛୋଟ ପିଲାଟି ସ୍ବପ୍ନରେ ଗଛର ମହତ୍ବ ହୃଦୟଙ୍ଗମ କରି ଗଛ ଯତ୍ନ ନେବାକୁ ଆଗେଇ ଆସିଛି । ତେଣୁ ଆସନ୍ତୁ ସମସ୍ତେ ମିଳିମିଶି ଗଛ ଲଗାଇ ତା'ର ଯତ୍ନ ନେବା ।

"ବାଡି-ବଗିଚାର ସଡକର ଧାରେ,
ଆସ ଲଗାଇବା ଗଛ,
ମଣିଷ ଗୋଟିକୁ ଦୁଇଟି ଯେ ଗଛ,
ଆଉ ସବୁ ରଖ ପଛ ।
ସବୁଜ ସୁନ୍ଦର ଦିଶିବ ଧରଣୀ
ହସି ଉଠିବ ମୋ ଦେଶ,
ଧରଣୀ ରାଣୀର ମଖେ ଝଟକିବ,
ଖାଲି ଖିଲିଖାଲି ହସ ।

ନରସିଂହପୁର,ଶ୍ରୀରାମନଗର
ପିପିଲି,ପୁରୀ  ।
ଜୟ ସାହିତ୍ୟ, ଜୟ ସମାଜ

1 comment:

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।