ପ୍ରଦୀପ କୁମାର ସାହୁ
ଯା' ପାଣି ପବନ ରଖିଅଛି ପ୍ରାଣ ସେହି ମୋ ଜନମ ମାଟି,
ପାହାଡ଼ ପର୍ବତ ନଦୀ ନାଳ ସ୍ରୋତ
ଶୋଭା ପାଉଅଛି ନିତି ।
ଶସ୍ୟ ଶ୍ୟାମଳା ସବୁଜିମା ଭରା
ଆମ ପ୍ରିୟ ଜନ୍ମ ମାଟି,
ଆହାର ଯୋଗାଇ ରଖିଛି ବଞ୍ଚାଇ
ଭୁଲି ଯିବା ବା କେମିତି ।
ଜନ୍ମ ଭୂମି ପରା ସ୍ୱର୍ଗ ଠାରୁ ବଡ
ତା' ସମାନେ ହେବ କିଏ ,
ଧୈର୍ଯ୍ୟ ଗୁଣ ତା'ର ସଦା ରହିଅଛି
ମାଆ ସମାନଟି ସିଏ ।
ମା' ବକ୍ଷେ ସଦା ବହେ ଅବିରତ
ପୁଣ୍ୟତୋୟା ଗଙ୍ଗାନଦୀ ,
ଅମୃତ ଧାରା ଯେ' ପାନ କରିଅଛି
ମୋକ୍ଷ ହୋଇଯାଏ ଆଜି ।
ଉତ୍କଳ ମାଟିରେ ଯେ' ଜନ୍ମିଛି ଥରେ
ତା' ଠାରୁ ମହାନ କିଏ ,

ନ ଜନ୍ମି ଏଠାରେ ଭାଗ୍ୟହୀନ ଯୋଗୁଁ
ଅଭାଗା ବୋଲାଏ ସିଏ ।
ଯା' ପାଣି ପବନ ମୃଦୁ ସଂଚରଣ
ଆମ ପ୍ରିୟ ଜନ୍ମ ମାଟି ,
ମହାନଦୀ ଏଠି କୁଳୁ କୁଳୁ ନାଦେ
ହାତ ଠାରି ଡାକେ ଏଠି ।
କେତେ କେତେ ବୀର ଜନ୍ମ ନେଇଛନ୍ତି
ଧନ୍ୟ ତ ଏ ବୀର ମାଟି ,
ନିଜର ଜୀବନ ଢାଳିଛନ୍ତି ସର୍ବେ
ଭୁଲି ଯିବା ବା କେମିତି ।
ତା ଦେହରେ କେତେ ଯନ୍ତ୍ରଣା ରହିଛି
ଦୁଃଖ ବୁଝିବେନି କେହି ,
ମାତୃ ଋଣ ଶୁଝି ଧନ୍ୟ ଯେ ମଣିବେ
ଭାଗ୍ୟବାନ ହେବ ସେହି ।
ମାଟି ଯେ ଅଟଇ ଦୁଇଟି ଅକ୍ଷର
ଅତି ମୂଲ୍ୟବାନ ପରା ,
ଜନମ ଦେଇଛି ଯତନେ ପାଳିଛି
ମାଆ ସଙ୍ଗେ ହେବ ଧରା ।
ଯା' ଦେହରେ ଆମେ ବାସ କରିଅଛୁ
ସିଏ ମୋ' ଜନମ ମାଟି ,
ଧରା ବସୁନ୍ଧରା ବସୁଧା ଧରିତ୍ରୀ
ବସୁମତୀ ପୃଥିବୀଟି ।
(ଜନମ ମାଟି ତ ଅମୃତର ସମ
ଭୁଲିଯିବା ବା କେମିତି )
ସହକାରୀ ଶିକ୍ଷକ ( ବି.ଏ - ଶିକ୍ଷା ଅନର୍ସ - ବି.ଇ.ଡ଼ି )
ବବା ବୈଦ୍ଯନାଥ ନୋଡ଼ାଲ ଉଚ୍ଚବିଦ୍ୟାଳୟ (ସରସରା)
ସରସରା - ବୌଦ୍ଧ
ଦୂରଭାଷ-୮୬୫୮୧୦୯୩୭୧
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।