10/03/2019

🐧🐧🐧 ବାଇମନ 🐧🐧🐧

ଅକ୍ଷୟ ଓଝା 
ଭାଇର କୋକେଇ ଉଠିଲା । ତଥାପି ମୁଁ ଜିଦିରେ ଅଟଳ ଥିଲି ଭାଇ ଶବ ପାଖକୁ ନ ଯିବାକୁ। ଆମ ଘର ଦୁଆର ବନ୍ଦ ଥିଲା । ଭାଇ ପରିବାରର କ୍ରନ୍ଦନ , ରୋଦନରେ ଦୁଃଖ ଭରା ବାତାବରଣ ସୃଷ୍ଟି ହେଇଗଲା । ତଥାପି ମୁଁ ଅଟଳ ଥିଲି, ଭାଇର ପିଲାମାନେ କେହି ମୋତେ ଡାକିବାକୁ ଆସିଲେନି । ମୋ ପିଲାମାନେ ବି ଗଲେନି ଶବ ସତ୍କାରକୁ। ଶବ ଉଠିଲା ବେଳକୁ ଛାତି ଫାଟି ଗଲା ଭଳି କ୍ରନ୍ଦନ ରୋଦନର ମୁହୂର୍ତ୍ତ ଥିଲା ।  ଚେଷ୍ଟା କରୁଥିଲି ମଝି ଅଗଣାରେ ଛିଡା ହେଇଥିବା କାନ୍ଥ ଉପରୁ କିଛିଟା ଦେଖି ପାରନ୍ତି ଭାଇର ଶବକୁ । ଚେଷ୍ଟା ବିଫଳ ହେଲା । ପୁଣି ସେଇ କର୍କଶ ଅନୁଭବ ଆସୁଥିଲା ବିତିଥିବା ଝଗଡାରୁ ।


    ତଥାପି ଅଜଣାରେ ବାହାର ଘରକୁ ଆସି ଦାଣ୍ଡ ଘରେ ଛିଡା ହେଇ ଭାଇର ଶବକୁ କବାଟ ଫାଙ୍କରେ ଦେଖିଲି । ଗାଁ ଵାଲା ,ସାହିଭାଇ,କାନ୍ଧେଇ ନେଉଥିବାର । ଭାଇ ଛ' ମାସେ ରୋଗରେ ପଡ଼ି ଆଜି ମରିଗଲା । ଧଳା ଚଦରରେ ଘୋଡେଇ ହେଇ କୋକେଇରେ ବନ୍ଧା ହେଇ ଗାଁ ସାହିଵାଲାଙ୍କ କାନ୍ଧରେ ମଶାଣି ଚାଲି ଯିବାର ଦୃଶ୍ୟ ପଥର ହେଇ ଦେଖୁଥିଲି । ରାମ ନାମ ସତ୍ୟ ହେ ମୋ ଛାତିରେ ଢ଼ିଙ୍କି କୁଟିଲା ଭଳି ପାହାର ଦେଉଥିଲା । ବୋହି ନେଇ ଯାଉଥିଲେ ଭାଇର ଶବକୁ । ଭାଇ ଶେଷ ଯାତ୍ରାରେ ଥିଲା ।

     ଦାଣ୍ଡ କବାଟ ଖୋଲି ଦେଲି । ହୃଦୟରୁ ଆତ୍ମଗର୍ଵ ଧୂଳିରେ ମିଶି ଯାଉଥିଲା । ମୋ ବିବେକ ମୋତେ ଶହେ ଜୋତା ମାରୁଥିଲା । ମୋ ଅହଂକାର ମଣିଷ ପାଦ ଚକଡ଼ା ଧୂଳିରେ ହାମୁଡେଇ ଥିଲା । ମୁହଁରେ ଗାମୁଛା ଦେଇ କୋହରେ ଆକୁଳ ହେଇ କାନ୍ଦୁଥିଲି, ତଥାପି ଆସି ପାରୁ ନ ଥିଲି ଭାଇକୁ କାନ୍ଧରେ ନେବାକୁ । ମୁଣ୍ଡରେ ହାତ ଦେଇ ବସିଗଲି ଦାଣ୍ଡ ପିଣ୍ଡାରେ । ଭାଇକୁ ଶ୍ମଶାନ ଆଡକୁ ନେଇ ଯିବାର ଦୃଶ୍ୟ ଆଉ ଦିଶୁ ନଥିଲା ତଥା ନା ରାମ ନାମ ଆଉ ଶୁଭୁଥିଲା । ଭାଇର ଶବ ଶ୍ମଶାନ ଘାଟରେ ପହଂଚି ଯାଇ ଥିଲା ବୋଧହୁଏ । ମୁଁ ମୋ ଦାଣ୍ଡ ପିଣ୍ଡାରେ ପଥର ପାଲଟି ଯାଇଥିଲି ।

ମନେ ପଡ଼ିଲା ; ପିଲା ବେଳର କେତେକ ଝଲକ ମୁଣ୍ଡ ଭିତରେ ମନକୁ ଆନ୍ଦୋଳିତ କଲା । ପିଲାବେଳେ ଆମେ ଦୁହେଁ ବୋଉ ଚାରିପଟେ ଘୁରିଘୁରି ମାଡ ଗୋଳ ହେଉ ଥିବାର ଦୃଶ୍ୟ ।  ଗୋଟିଏ ଥାଳିରେ ଦୁହେଁ ଖାଉଥିବାର ଦୃଶ୍ୟ । ଭାଇ ସାଙ୍ଗରେ ଖେଳିବା , କେଉଁଠି ନା କେଉଁଠି ଦୁହେଁ ତୋଳି ଆଣିଥିବା ଆମ୍ବ , ପିଜୁଳି , କୋଳିକୁ ଏକ ସାଥିରେ ଖାଉଥିବାର ଦୃଶ୍ୟ । ମୋ ସହିତ କେହି ଝଗଡା କଲେ ଦୌଡ଼ି ଆସି ମୋତେ ଭାଇ ବଞ୍ଚେଇବାର ଦୃଶ୍ୟ ଦିଶି ଯାଉଥିଲା ମୋତେ । ଥରେ ମନେ ଅଛି । ଆମେ ଦୁହେଁ ଚାଟଶାଳୀରେ ପାଠ ପଢ଼ୁଥିଲୁ । ମୁଁ ନୂଆ ନୂଆ କରି ସ୍କୁଲ ଯାଉଥିଲି । ଭାଇ ଯେଉଁଠି ବସିବ ମୁଁ ତା' ପାଖରେ ବସେ ।ଅବଧାନେ ଅଲଗା କରି ବସାନ୍ତି । ମୁଁ ଖୁବ କାନ୍ଦେ । ମୋ କାନ୍ଦ ଦେଖି ଭାଇ କାନ୍ଦି ପକାଏ । ପୁଣି ଅବଧାନେ କହିଲାରୁ ମୋତେ ପାଖକୁ ନେଇଯାଏ । ମୋ ଲୁହ ପୋଛୁ ପୋଛୁ ନିଜ ଲୁହ ପୋଛେ । ସ୍କୁଲରୁ ଫେରିଲେ ଭାଇ ହାତ ଧରି ଘରକୁ ଆଣେ ସାଙ୍ଗରେ । ସେଦିନ ଛୁଟି ହେଲା ବେଳେ ଭାଇର ଜଣେ ସାଙ୍ଗ ପରିଆ କହିଲା ଘରକୁ ଫେରିବାକୁ ହେଲେ ଚାଟଶାଳୀ ପଛ ପଟେ ଆଉଏକ ପାଖ ରାସ୍ତା ଅଛି ଘରେ ପହଞ୍ଚିବାକୁ । ଆଜି ଆମେ ସେଇବାଟେ ଯିବା । ଭାଇ ହଁ କଲା ଓ ମୋ ହାତଧରି ଚାଲିଲା । କିଛିବାଟ ଗଲା ପରେ ଛୋଟ ପାଣିନାଳଟିଏ ଆସିଲା । ଭାଇର ସାଙ୍ଗ ପରିଆ ପାଣିରେ ପଶି ନାଳପାର ହେଇଗଲା  କିନ୍ତୁ ମୁଁ ଖୁବ ଡରିଲି ପାଣିରେ ପଶିବାକୁ । ପରିଆ ଅପେକ୍ଷା ନ କରି ସେଠାରୁ ଆଗକୁ ଚାଲିଗଲା । ଭାଇ ମୋତେ ବୁଝେଇଲା , ଚେଷ୍ଟା କଲା ମୋତେ କାନ୍ଧରେ ଉଠେଇ ପାଣିନାଳ ପାର କରିବାକୁ । କିନ୍ତୁ ମୁଁ ରାଜି ହେଲିନି ; ଆହୁରି ଜୋର୍‌ରେ କାନ୍ଦିଲି । ଭାଇ ପାଖରେ ଆଉ ଉପାୟ ନଥିଲା ।ଭାଇ କହିଲା  ଚାଲେ ଫେରିଯାଇ ଆମେ ସବୁଦିନ ଯାଉଥିବା ପୁରୁଣା ରାସ୍ତାରେ ଯିବା । ଆମେ ଫେରିଲୁ କିନ୍ତୁ ଆଗକୁ ରାସ୍ତା ପାଇଲୁନି ।
ସଞ୍ଜ ହେଇ ଆସୁଥିଲା । ମୁଁ କାନ୍ଦିବା ଆରମ୍ଭ କରିଦେଇ ଥିଲି । ଭାଇ କାନ୍ଦୁଥିଲା କିନ୍ତୁ ସାହସ ରଖିଥିଲା । ମୋତେ ପୁଣି ପାଣି ନାଳ ରାସ୍ତା ଆଡକୁ ଫେରେଇ ଆଣିଲା । ନିଜେ ପାଣିରେ ଆଗେ ପଶି ଆମ ଦୁହିଁଙ୍କର ବସ୍ତାନୀକୁ ଆର କୂଳରେ ରଖିଲା ପୁଣି ଫେରି ଆସି ମୋତେ ବୁଝେଇ ସୁଝେଇ ସାହସର ସହିତ ନାଳ ପାର କରେଇଲା । ପୁଣି ଟିକେ ଆଗକୁ ଆସିଲା ପରେ ଆମେ ଆମ ରାସ୍ତା ପାଇଗଲୁ । ଭାଇ ତା ସାଂଗ ପରିଆ ସହିତ ମୋ ପାଇଁ ଖୁବ ଲଢ଼ିଥିଲା । ସବୁମନେ ଅଛି ଭାଇର ମୋ ପ୍ରତି ଅନାବିଳ ସ୍ନେହ କଥା ।  ଆଜି ଭାଇ ଦୁନିଆରୁ ଚାଲିଗଲା । ମୁଁ ଭାବି ଭାବି ଦାଣ୍ଡ ପିଣ୍ଡାରେ କୋହରେ ଫାଟି ପଡୁଥିଲି । ତିନି ଘଂଟା ବିତି ଯାଇଥିଲା । ସ୍ମଶାନରୁ ଭାଇର ଶବ ଦାହ କରି ସାହି ଭାଇ ଫେରିଲେ ଭାଇର ଦାଣ୍ଡକୁ ଚୁଡା ଦହି ପାଇବା ପାଇଁ ।

      ଗାଁର ଭାଇର ସେଇ ପିଲାଦିନର ସାଙ୍ଗ ପରିଆ ମୋତେ ଦେଖିଲା ମୁଁ ମୋ ପିଣ୍ଡାରେ ବସିଛି । ପାଖକୁ ଆସିଲା । ସାମ୍ନାରେ ଛିଡା ହେଲା ; ପ୍ରଶ୍ନଟିଏ ପଚାରିଲା । ଆରେ ତୁ ସେଇ ସାନ ଭାଇ ତୋରି ପାଇଁ ମୋତେ କେତେ ମାଡ ମାରିଥିଲା ତୋ ଭାଇ ଯିଏ ମରିଗଲା ଆଜି । ମୁଁ ଭୋ ଭୋ ହେଇ କାନ୍ଦୁଥିଲି । ମୋ ପାଖରେ ଜବାବ ନଥିଲା । ପୁଣି ପ୍ରଶ୍ନ କଲା ,ଆଜି ତମ ଦି ଜଣଙ୍କ ପାଇଁ ଦଳୀୟ ରାଜନୀତି ଏତେ ବଡ ହେଇଗଲା ଯେ ତୁ ତୋ ଭାଇର ମୁହଁ ଦେଖିଲୁନୁ ? ଗୋଟିଏ ମାର ପିଲା ତମେ ଆଜିର ରାଜନୀତି ତମ ଦୁହିଁଙ୍କ ଭିତରେ ଏତେବଡ଼ ଫାଟ ସୃଷ୍ଟି କରିଦେଲା ? ତୁ ତୋ ଭାଇକୁ ଭୁଲିଗଲୁ ? ମନେ ଅଛି ସେ ପିଲା ଦିନ କଥା ?

     ଅସହ୍ୟ ହେଇ ଗଲା ପରିଆ କଥା ମୋ ପାଇଁ। ଦୌଡ଼ିଲି ମଶାଣି ଆଡେ ଭାଇ ଭାଇ ହେଇ ।  ପହଞ୍ଚିଲା ବେଳକୁ ଭାଇ ପାଉଁଶରେ ପରିଣତ ହେଇ ଯାଇଥିଲା । ଶେଷ ଧୂଆଁର ଶେଷ ସରୁଶିଖାଟିଏ ଆକାଶକୁ ଉଠୁଥିଲା ।

ରାଇଁଲୋ-ନୂଆପଡ଼ା-ଆଳି-କେନ୍ଦ୍ରାପଡା 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।