🎄ସସ୍ମିତା ସାହୁ🎄
"ପ୍ରକୃତି ସୁନ୍ଦର ନକର ବାନ୍ଦର..
ଜ୍ଞାନୀ ଗୁଣୀ ମନଦେଇ ଶୁଣ
ଟଙ୍କା ପଇସାରେ... ସୁନା ଗହଣାରେ
ସୁଝି ପାରିବାନି ତାର ଋଣ ||
ପ୍ରଦୂଷଣ ରୋକ ନ ଆସିବ ଶୋକ
କଥା ଶୁଣ ମୋ' ଲଗାଇ ଧ୍ୟାନ
ସମୟ ଆସିଛି ଘଣ୍ଟି ବି ବାଜିଛି
ପ୍ରକୃତି ମା'ର ରଖିବା ମାନ ||
ଆଦିମ ଯୁଗରୁ ଆରମ୍ଭ କରି ବର୍ତ୍ତମାନର ଅତ୍ୟାଧୁନିକ ଯୁଗ ଯାଏଁ ମନୁଷ୍ୟର ଅତି ଘନିଷ୍ଠ ବନ୍ଧୁ ଯଦି କିଏ ଥାଏ ତେବେ ତାହା ପରିବେଶ ।ପରିବେଶ କହିଲେ ଆମ ଚାରି ପାର୍ଶ୍ୱରେ ଥିବା ଜିନିଷକୁ ବୁଝାଏ । ପ୍ରାକୃତିକ ପରିବେଶ କହିଲେ ଗଛ, ନଦୀ, ଝରଣା, ପାହାଡ, ଜଙ୍ଗଲ, ଆକାଶ, ପବନ ଇତ୍ୟାଦିକୁ ବୁଝାଏ । ମଣିଷ ଶରୀର ବି ଏଇ ପ୍ରକୃତିକୁ ନେଇ ତିଆରି । ପ୍ରକୃତିର ପଞ୍ଚତତ୍ତ୍ୱ ଯଥା ଅଗ୍ନି, ଜଳ, ବାୟୁ, ଆକାଶ ଓ ପୃଥିବୀକୁ ନେଇ ମଣିଷ ଶରୀର ଗଠିତ । ବର୍ତ୍ତମାନର ପ୍ରଗତିଶୀଳ ସମାଜରେ ମନୁଷ୍ୟ ନିଜର ସ୍ଵାର୍ଥ ସାଧନ ପାଇଁ ପ୍ରକୃତିର ଅବଦାନକୁ ଉପେକ୍ଷା କରି ଚାଲିଛି । ନଷ୍ଟ କରି ଚାଲିଛି ପ୍ରକୃତିର ସୌନ୍ଦର୍ଯ୍ୟକୁ । ନିଜର ପାଳନକର୍ତ୍ତୀ ମା' , ପ୍ରକୃତି ମା' ପ୍ରତି କରି ଚାଲିଛି ଅମାନୁଷିକ ବ୍ୟବହାର । ସେ ଭୁଲି ଯାଉଛି ଯେ ଯେଉଁ ପ୍ରଗତି କରିବା ନାଁରେ ଦୌଡି ଚାଲିଛି, ନିଜେ ସର୍ବଶ୍ରେଷ୍ଠ ହେବା ନିଶାରେ ପ୍ରକୃତି ମା' ପ୍ରତି ଯେଉଁ ପ୍ରକାରର ଅବମାନନା କରୁଛି ସେଥିରେ ସେ ଉନ୍ନତି ରାସ୍ତାରେ ଯେତିକି ପାଦ ଆଗକୁ ଯାଉଛି ସେତିକି ପାଦ ପଛକୁ ଆସୁଛି । ଚାରିଆଡେ ଖାଲି କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ହେଇଚାଲିଛି । ଏପରିକି ଚାଷଜମି ସବୁ ଆଜିକାଲି ବଡ଼ ବଡ଼ ଅଟ୍ଟାଳିକାରେ ପରିଣତ ହେଇଗଲାଣି । ମୁର୍ଖ ମଣିଷ ଏତିକି ବୁଝି ପାରୁନି ଯେ ମାଟି ଯଦି ନରହିବ ତେବେ ଫସଲ ହେବ କେମିତି ? ଆମେ ଖାଇବା କ'ଣ ?
ଚାରିପଟେ କଳକାରଖାନା ମାନ ଗଢି ଉଠୁଛି । ଏ କଥା ସତ ଯେ ମଣିଷ ସମାଜର ଅଗ୍ରଗତି ପାଇଁ କଳକାରଖାନା ସହାୟକ ହେଉଛି । କିନ୍ତୁ କଳକାରଖାନାରୁ ବାହାରୁଥିବା ବିଷାକ୍ତ ବର୍ଜ୍ୟବସ୍ତୁ , ବିଷାକ୍ତ ଧୂଆଁ ପରିବେଶକୁ କେତେ କ୍ଷତି ପହଞ୍ଚାଉଛି କହିଲେ ? କଳକାରଖାନାରୁ ବାହାରୁଥିବା ବିଷାକ୍ତ ଜଳ ସବୁ ନଦୀରେ ମିଶି ନଦୀକୁ ତ ପ୍ରଦୂଷିତ କରୁଛି ତା' ସହିତ ଭୂତଳ ଜଳକୁ ମଧ୍ୟ ପ୍ରଦୂଷିତ କରିବାରେ ଲାଗିଛି । ଏମିତି ଯଦି ଜାରି ରହିବ ତେବେ ଆମେ ପିଇବା କ'ଣ ? ପାଣି ବିନା ବଞ୍ଚିବା ଅସମ୍ଭବ । କେମିତି ବଞ୍ଚିବା ଆମେ ?
ବାୟୁମଣ୍ଡଳକୁ ପ୍ରଦୂଷଣ କରିବା ପାଇଁ ଗାଡିମୋଟର ମଧ୍ୟ ଏକ ପ୍ରମୁଖ ଭୂମିକା ନିଏ । ଗାଡିମୋଟରରୁ ବାହାରୁଥିବା କାର୍ବନ ମନୋକସାଇଡ଼ ପରି ବିଷାକ୍ତ ଗ୍ୟାସ୍ ମନୁଷ୍ୟ ପାଇଁ ପ୍ରାଣ ଘାତକ । ଏବେ ତ ଯାନବାହନ ସଂଖ୍ୟା ଏତେ ବଢ଼ି ଗଲାଣି ଯେ ରାସ୍ତା ପାର କରିବାକୁ ବି ଡର ଲାଗୁଛି। ଗାଁ ପାଖ ରାସ୍ତାରେ ମଧ୍ୟ ପ୍ରତି ମିନିଟ୍ରେ ଗାଡି ମାନେ ରାସ୍ତାରେ ଦୌଡୁଥିବାର ଦେଖା ଯାଉଛି । ପ୍ରତି ମିନିଟ୍ରେ କର୍ଣ୍ଣଫଟା ହର୍ଣ୍ଣ୍ର ଚିତ୍କାର । ଉଭୟ ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ହେଉଛି, ଏଇ ବାୟୁ ପ୍ରଦୂଷଣକୁ ଯଦି ନିୟନ୍ତ୍ରଣ କରା ନ ଯାଏ ତେବେ ଆମ ରାଜଧାନୀ ଦିଲ୍ଲୀର ଅବସ୍ଥା ତ ଜାଣିଥିବେ ; ସେହିପରି ଆମକୁ ବି ସବୁବେଳେ ମୁହଁରେ ମାସ୍କ୍ ଲଗେଇବାକୁ ପଡ଼ିବ। ଗ୍ୟାସ୍ ସିଲିଣ୍ଡର ରଖିଲା ପରି ଆମକୁ ଅକ୍ସିଜେନ୍ ସିଲିଣ୍ଡର୍ ରଖିବାକୁ ପଡିବ । ପ୍ରକୃତି ବାୟୁମଣ୍ଡଳକୁ ପରିଷ୍କାର ରଖିବା ପାଇଁ ଗଛକୁ ନିୟୋଜିତ କରିଛି , ଯିଏ କି ବିଷାକ୍ତ ଅଙ୍ଗାରକାମ୍ଳକୁ ନେଇ ଆମକୁ ଅମ୍ଳଜାନ ଦିଏ । କିନ୍ତୁ ଆମେ ମୂର୍ଖ ମଣିଷମାନେ ଗଛକୁ କାଟିକି ପଦା କରି ଚାଲିଛୁ , ଅର୍ଥାତ୍ ଜଙ୍ଗଲ କାଟି ପଦା କରି ଚାଲିଛୁ । ଏଥିରେ ଆମେ ତ କଷ୍ଟ ପାଉଛୁ ; ତା' ସହ ଅଧିକ କଷ୍ଟ ଦେଉଛୁ ସେଇ ଜଙ୍ଗଲୀ ପ୍ରାଣୀ ମାନଙ୍କୁ , ସେହି ଆଦିବାସୀ ମାନଙ୍କୁ ଯାହାଙ୍କର ଜୀବନରେଖା ହେଉଛି ସେହି ଜଙ୍ଗଲ । କେମିତି ବଞ୍ଚିବେ ସେମାନେ କେବେ ଭାବିଛନ୍ତି କି ? ସଭ୍ୟ ସମାଜରେ ଜଳର ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ମନଇଚ୍ଛା ଡ୍ୟାମ ନିର୍ମାଣ କରି ଚାଲୁଛେ । କେବେ ଭାବିଛନ୍ତି ସେଥିରେ କେତେ ଜଙ୍ଗଲ , ପ୍ରାକୃତିକ
ସମ୍ପତ୍ତି ସବୁ ଜଳସମାଧି ନେଉଛନ୍ତି ? କେତେ ଯେ ବନ୍ୟଜନ୍ତୁ ଲୋପ ପାଇଗଲେଣି ତା'ର କଳନା ନାହିଁ । ଏକଥା ବି ମନେ ରଖିବା ଉଚିତ ଯେ ସେମାନେ ଆମ ପାଇଁ କେତେ ଉପକାରୀ । ଆମର ଜୀବିକା ସନ୍ତୁଳନ ଓ ଖାଦ୍ୟ ଶୃଙ୍ଖଳାକୁ ଠିକ୍ ରଖିବା ପାଇଁ ସେମାନଙ୍କ ଅବଦାନ ଅତୁଳନୀୟ ।
ଅଧିକ ଧନ ଉପାର୍ଜନ ପାଇଁ , ନିଜର ପ୍ରତିପତ୍ତିକୁ ବଢ଼େଇବା ପାଇଁ ପ୍ରକୃତି ଉପରେ ଏ ଯେଉଁ ଭୟଙ୍କର ଅତ୍ୟାଚାର ସବୁ କରା ଯାଉଛି ତା'ର ପରିଣାମ ଅତ୍ୟନ୍ତ ଭୟଙ୍କର । ସତର୍କ ଘଣ୍ଟି ବାଜି ସାରିଲାଣି । ଗ୍ଲୋବାଲ ୱାର୍ମିଂ ଫଳରେ ଗ୍ଲେସିଅର ସବୁ ତରଳିବାକୁ ଆରମ୍ଭ ହେଲାଣି । ଛଅଟି ଋତୁ ପରିବର୍ତ୍ତେ ଏବେ ଖାଲି ଗୋଟିଏ ଋତୁ ଅନୁଭବ ହେଉଛି । ସେଇଟା ହେଲା ଗ୍ରୀଷ୍ମ ଋତୁ । ଅଦିନରେ ଝଡ ,ବର୍ଷା, ତୋଫାନ, ସୁନାମି, ଭୂମିକମ୍ପ ଆଦି ହେଉଛି । ନିକଟରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫନିର ପ୍ରକୋପ ତ ଆପଣମାନେ ଜାଣିଥିବେ । କିପରି ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ତାଣ୍ଡବ କରି ଯାଇଛି । ଏତେ ପରିମାଣରେ ଧନ ସମ୍ପତ୍ତି କ୍ଷୟ ହେଇ ଯାଇଛି ଯେ ସେଠିକା ଲୋକମାନେ କହୁଛନ୍ତି ସେମାନେ କୋଡ଼ିଏ ବର୍ଷ ତଳକୁ ଚାଲି ଯାଇଛନ୍ତି । ବର୍ତ୍ତମାନ ସମୟ ଆସି ଗଲାଣି ଆମେ ସମସ୍ତେ ଆମ ପ୍ରକୃତି ମା'କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିବା ଉଚିତ ଏବଂ ଏଥିପାଇଁ କାମ ଆରମ୍ଭ କରିବା ଉଚିତ । ସେ ଆଦିବାସୀ ଲୋକମାନେ ଯେମିତି ଆଗେଇ ଆସୁଛନ୍ତି ସେମିତି ଆମେ ସଭ୍ୟ ଓ ଶିକ୍ଷିତ ବୋଲାଉଥିବା ଜନ ସମୁଦାୟ ମଧ୍ୟ ଆଗେଇ ଆସିବା ଉଚିତ । ଚାଷ ଜମିକୁ
ସରଂଣକ୍ଷ କରିବା ଉଚିତ । ଏଇ କଥା ସତ ଯେ ଜନସଂଖ୍ୟାର ଯେଉଁ ବିସ୍ଫୋରଣ ହୋଇଛି ସେଥିପାଇଁ ଅଧିକ ବାସସ୍ଥାନର ଆବଶ୍ୟକତା ପଡୁଛି । କିନ୍ତୁ ଦେଖା ଯାଉଛି ଯେ ଆବଶ୍ୟକତା ଠାରୁ ଅଧିକ ଘର ତିଆରି କରା ଯାଉଛି । କେତେକ ସ୍ଵାର୍ଥଲୋଭୀ ମଣିଷ ଚାଷ ଜମିକୁ ହଡପ କରି ସେଠାରେ ଘର ତିଆରି କରି ଚାଲିଛନ୍ତି । ଏସବୁ ଉପରେ ସରକାରଙ୍କର କଠୋର ଆଇନ ପ୍ରଣୟନ କରିବା ଦରକାର । ସମାଜର ପ୍ରଗତି ପାଇଁ କାରଖାନା ଦରକାର କିନ୍ତୁ ଆମେ ଯଦି ଟିକିଏ ସଚେତନ ହେଇଯିବା କାରଖାନା ଚାରିପାର୍ଶ୍ୱରେ ସବୁଜ ବଳୟ ଅର୍ଥାତ ବୃକ୍ଷରେ ଆଚ୍ଛାଦିତ କରିବା ତେବେ ବାୟୁ ପ୍ରଦୂଷଣ ବହୁତ ମାତ୍ରାରେ କମ ହୋଇ ଯାଆନ୍ତା । ଯଦି କାରଖାନାର ବର୍ଜ୍ୟବସ୍ତୁକୁ ସୁପରିଚାଳନା କରିହୁଅନ୍ତା ତେବେ ମୃତ୍ତିକା ପପ୍ରଦୂଷଣ ରୋକାଯାଇପାରନ୍ତା। ଯଦି କାରଖାନା ଦୂଷିତ ପାଣିକୁ ନଦୀ, ପୋଖରୀ ଓ ସମୁଦ୍ରରେ ନଛାଡି ତାକୁ ପ୍ରକ୍ରିୟାକରଣ କରି ହୁଅନ୍ତା ତେବେ ଜଳ ପ୍ରଦୂଷଣ ରୋକାଯାଇ ପାରନ୍ତା। ଯାହା ଦ୍ୱାରା ଜଳଜୀବ ମାନେ ମଧ୍ୟ ଶାନ୍ତି ରେ ବଞ୍ଚି ପାରନ୍ତେ । ସେହିପରି ନିଜସ୍ୱ ଗାଡିକୁ ବେଶୀ ବ୍ୟବହାର ନକରି ପବ୍ଲିକ୍ ଟ୍ରାନ୍ସପୋର୍ଟ୍କୁ ବହୁଳ ପରିମାଣର ବ୍ୟବହାର କରିବା ଦ୍ୱାରା ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରା ଯାଇ ପାରନ୍ତା । ଅଧିକ ଅମଳ ପାଇଁ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ପ୍ରୟୋଗ ଦ୍ୱାରା ମାଟିର ଉର୍ବରତା ମଧ୍ୟ ରୋକା ଯାଇପାରନ୍ତା । ବର୍ଷାଜଳ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନେବା ଦ୍ୱାରା ଆମେ ଭୁତଳ ଜଳକୁ ମଧ୍ୟ ସଂରକ୍ଷଣ କରିପାରନ୍ତେ । ଏଥିପାଇଁ ସର୍ବନିମ୍ନ ସ୍ତରରେ ଗାଡ଼ିଆ, ପୋଖରୀ ଓ କୂଅ ଖୋଳା ଯିବା ଦରକାର । ବିଜୁଳି ଶକ୍ତି ପାଇଁ ଜଳ ବିଦ୍ୟୁତ ଉପରେ ନିର୍ଭର ନ ହୋଇ ଯଦି ସୌର ଶକ୍ତି ଉପରେ ଅଧିମ ଧ୍ୟାନ ଦିଆଯାଇ ପାରନ୍ତା ତେବେ ବହୁତ ଭଲ ହୁଅନ୍ତା । ପରିବେଶ ଦିବସରେ ଗଛ ଲଗେଇବା ସହିତ ତାହାର ଯତ୍ନ ନେଇ ବଡ କଲେ ଯାଇ ସେଇ ଦିବସର ମହତ୍ତ୍ୱ ରୁହନ୍ତା । ମନୁଷ୍ୟକୁ ଏତିକି ବୁଝିବା ଉଚିତ ଯେ ଏଇ ପ୍ରକୃତି ମା' ହିଁ ବଞ୍ଚଉଛି । ତା' ସୁରକ୍ଷା ଆମର କର୍ତ୍ତବ୍ୟ । ପ୍ରତ୍ୟେକ ବାପା ମା' ନିଜର ସନ୍ତାନକୁ ତା'ର ଜନ୍ମ ଦିନରେ ଗଛଟିଏ ଲଗେଇବାକୁ କୁହନ୍ତୁ ଓ ତା' ସହ ନିଜେ ବି ଗଛ ଲଗାନ୍ତୁ । ସରଳ ଆଦିବାସୀଙ୍କଠୁ ତାଙ୍କର ଜଙ୍ଗଲକୁ ଛଡାଇ ନିଅନ୍ତୁ ନାହିଁ । ସେମାବେ ହିଁ ଜଙ୍ଗଲର ପ୍ରକୃତ ରକ୍ଷକ । ସେମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ । ବର୍ତ୍ତମାନ ଯଦି ଆମେ ସଚେତନ ହୋଇ ପରିବେଶକୁ ପରିଷ୍କାର ରଖିବା ପାଇଁ କାମ ଆରମ୍ଭ କରିବା ତେବେ ଯାଇ ଆମେ ଆମ ଭବିଷ୍ୟତ ପିଢ଼ିକୁ କିଛି ଭଲ ଜିନିଷ ଉପହାର ଦେଇପରିବା । ନହେଲେ ଧ୍ବଂସ ଖୁବ ନିକଟରେ ଅଛି। ପ୍ରକୃତି ମା' ପାଇଁ ପଦେ..
"ପ୍ରକୃତି ସୁନ୍ଦର ନକର ବାନ୍ଦର..
ଜ୍ଞାନୀ ଗୁଣୀ ମନଦେଇ ଶୁଣ
ଟଙ୍କା ପଇସାରେ... ସୁନା ଗହଣାରେ
ସୁଝି ପାରିବାନି ତାର ଋଣ ||
ପ୍ରଦୂଷଣ ରୋକ ନ ଆସିବ ଶୋକ
କଥା ଶୁଣ ମୋ' ଲଗାଇ ଧ୍ୟାନ
ସମୟ ଆସିଛି ଘଣ୍ଟି ବି ବାଜିଛି
ପ୍ରକୃତି ମା'ର ରଖିବା ମାନ ||
ଥେଣ୍ଟପୁର ,ବୀରନରସିଂହପୁର(ପୁରୀ)
ଜୟ ସାହିତ୍ୟ, ଜୟ ସମାଜ


ଧନ୍ୟବାଦ
ReplyDeleteNature is very important for our socity
ReplyDeleteବହୁତ ମୂଲ୍ୟବାନ ଉପସ୍ଥାପନା।
ReplyDelete