10/03/2019

ସ୍ମାର୍ଟ୍‌ ସିଟି ରାଜଧାନୀ

ଭାରତୀ ରଥ (ଶିକ୍ଷୟିତ୍ରୀ)
ମା' ଲୋ ମଲି
ଭଲା ରାଜଧାନୀ ବୁଲି ଆଇଲି
କେହି କହିଲେନି ବସ ବୋଲି
ଏଠି ଆସି ମୁଁ ଯାହା ଦେଖିଲି
ତାକୁ ଲେଖୁ ଲେଖୁ ଲେଖି ଦେଲି ।

ରାଇଜ କହିଲେ ବୁଝେ ମୁଁ ଆଜ୍ଞା
ସ୍ମାର୍ଟ ସିଟି ରାଜଧାନୀ
ଆରେ ଓଲା ଓ ଉବେର ଡ଼ଙ୍ଗା ପଡ଼ିଅଛି
କାହିଁରେ କେତେ ଯେ ପାଣି
ମୁଁ ଏକଥା କି ଥିଲି ଜାଣି ?
ସେଥିପାଇଁ କାଳେ ଛତିଶଗଡକୁ ଓଡିଶା ବାଣ୍ଟିଛି ପାଣି ।

ଶୁଣିଥିଲି କାଳେ ବ୍ଲାକରୋଜ୍‌କୁ
ମୁଖ୍ୟମନ୍ତ୍ରୀ ଆମ ଚଳାଇବେ ଏଠି ଆଣି
ସେଥିପାଇଁ ବୋଧେ ଏତେବର୍ଷ ହେଲା
ତାକୁ ଧରି ରଖିଛନ୍ତି ଟାଣି


ହେଲେ ସୂର୍ଯ୍ୟ ପ୍ରକାଶ ହୋଇଲେ ପରା
ଶୁଖି ଯିବ ସବୁ ପାଣି
ଆଉ ରହିବ କି ତାଙ୍କ ଠାଣି ?
ବିନା ପାଣିରେ ଯେ କେମିତି ଖେଳିବେ
ସିଏ ଘୋ' ଘୋ' ରାଣୀ ?

ଗଙ୍ଗବତୀ ନଦୀ ରେକର୍ଡରେ ଏବେ
ହୋଇଛି ଗଙ୍ଗୁଆ ନାଳ
କାଗଜ ଡ଼ଙ୍ଗାକୁ ଭସାଇବା ପାଇଁ
ସ୍କୁଲ୍‌ ପିଲାଙ୍କ ମେଳ,
ଦି' ଦିନ ବର୍ଷାରେ ଘୋଷଣା ହୋଇଲା
ସ୍ମାର୍ଟ୍‌ ସିଟି ସ୍କୁଲ୍‌ ଛୁଟି
ଉଜ୍ଜଳ, ଉତ୍ଥାନ କାର୍ଯ୍ୟକ୍ରମ ପଛେ
ଯାଉ ହେ ଫସର ଫାଟି ।

ଏଥିପାଇଁ କ'ଣ ଦାୟୀ ଆମ ସରକାର
ଦକ୍ଷତା ହାସଲ ନହେଲେ ଶିକ୍ଷକ
ଦରମା ବନ୍ଦ କର
ଦୀପ ତଳ ପରା ସବୁବେଳ ପାଇଁ
ରହି ଥାଏ ଅନ୍ଧକାର ।

ନିର୍ମାଣଧୀନ ସବୁଦିନ ଏଠି
ଆମ ବମିଖାଲ ପୋଲ
ପଡ଼ି ପଡ଼ି ସିନା ଉଠିବା ଶିଖିଲେ
ହେବ ସେ ଶକତ ଭଲ ,
ନେତା ଠାରୁ ମନ୍ତ୍ରୀ, କଣ୍ଟ୍ରାକ୍ଟର ଯନ୍ତ୍ରୀ
ନେଇଛନ୍ତି P.C.ନିଜର
ବଳି ପଡ଼ିଗଲେ କେତେ ଯେ ଜୀବନ
କ୍ଷତି ହୋଇଯିବ କାହାର ?
ବରଂ ଲୋକସଂଖ୍ୟା କିଛି
କମିଯିବ ଆମ ରାଜ୍ୟର ।

ଖଟାରେ ଯେମିତି ବାସନା ଆସେନି
ନ ପଡିଲେ ଟିକେ ହେଙ୍ଗୁ
ରାଜଧାନୀ ଆମ ଚିହ୍ନଟ ହୁଏନି
ନ ରହିଲେ ରୋଗୀ ଡେଙ୍ଗୁ ;
ସେଥିପାଇଁ ଦେଖ କେତେ ତତ୍ପର
ଆମ ରାଜ୍ୟ ସରକାର
ଜେସିବି ଲଗାଇ ତୁରନ୍ତ ଭାଙ୍ଗିଲେ
ଇସ୍କନର ପରିସର ;
ଭାବିଛନ୍ତି କାଳେ ଏତିକିରେ ସିଏ
ହୋଇଯିବେ ପୁଣି ପାର
ଆରେ ଯେତିକି ପୋଷିଛ ମଶା-ମାଛି
ତୁମେ ତାକୁ ଆଗ ସଫା କର ;
ସ୍ୱଚ୍ଛ ଡେଙ୍ଗୁରା ପିଟିବା ଆଗରୁ
ନିଜକୁ ତ ସ୍ୱଚ୍ଛ କର ।

ରଗଡ଼ି-ବାଙ୍କୀ-କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।