ଯଶୋବନ୍ତ ସେଠୀ
ବର୍ଷ ବର୍ଷର ଜଉମୁଦଦିଆ ସମ୍ପର୍କଟା ଦୁଇ ଭାଗ ହୋଇଗଲା
ଅମିନର ଛାର ଚେନ୍ ଓ କଡିରେ ।
ବଡଭାଇ ହିସାବରେ ଅବଶ୍ୟ
ଏ ଅସମୟ ପାଟିସନ୍ ପାଇଁ
ସମାଜ ମତେ ବେଶି ଦାୟୀ କରିବା କଥା
ମୋ' ସ୍ତ୍ରୀକୁ ଘରଭାଙ୍ଗୀ ଆଖ୍ୟା ଦେଇ ।
କ'ଣ କହିଲେ !
ଘର ଭାଙ୍ଗିଗଲା !
ହଁ ହଁ, ଘର ଭାଙ୍ଗି ବାସଗୃହ ପାଲଟି ଗଲା ।
ସଜନା ଗଛ , କୁନ୍ଦୁରି ଲଟା, କୁଲା,ମସିଣା,ଚଟେଇ
ମଶା , ମାଛି , ପ୍ରଜାପତି, ଦୁହୁଳ ଗାଈ,
ବାପାଙ୍କ ଗାମ୍ଭୀର୍ଯ୍ୟ ,
ବୋଉ ପଣତର ଛାଇ ,
ଏବେ ତାର ଅଧେକୁ ମୋର ଅଧେ ।
ବଡଭାଇ ସ୍ନେହର ପ୍ରତିବଦଳରେ (ବୋଧେ)
ଅଧିକ ଦି'ଅଖା ଚାଉଳ ଯାଚିଥିଲା ।
ତୁ ଛୋଟ ଛୁଆଟା
ଦୟା କରିବାକୁ ତୋର ବୟସ ହୋଇନିରେ--
କହି ଫେରେଇ ଦେଲି ।

ଟୋକା ଚଣ୍ଡିଆ ସରପଞ୍ଚଟା
ବୋଧେ ତା' ଲୋକ ।
ସଞ୍ଜବେଳେ ଦେଶୀ ଭାଟିଆଡୁ
ଅସମାନ୍ତରାଳ ପଦପାତରେ
ଦୁହେଁ ଆସୁଥିବାର ଦେଖିଲି ।
ଟୋକା ବାହା ହେଇନି ବୋଲି ଆଉ ବର୍ଷେ
ବୋଉ ତାପାଖରେ ପଡି ରହିଲା
ବାହାହବା ପର୍ଯ୍ୟନ୍ତ ।
ଏଇଲେ ବାପା ମୋ ପାଖରେ ।
ଟୋକା ହାତକୁ ଦି'ହାତ ହେଲାପରେ
ଉଭୟ ବାପା-ବୋଉଙ୍କ ସ୍ନେହ
ମୋ'ଠି ପନ୍ଦର, ତା'ଠି ପନ୍ଦର ।
ମୁଁ ଜଣେ ଶିକ୍ଷକ ।
କୋଉ ଉପପାଦ୍ୟ ବଳରେ ତେବେ
ପିଲାଙ୍କୁ ପ୍ରମାଣ ଦେବି - ଏକତା ହିଁ ବଳ,
ନିଜର ରକ୍ତ ଯୋଉଠି ଚାହୁଁଛି
ବାପା-ବୋଉଙ୍କୁ ଦ୍ୱିଭାଗ କର !
କୋଉ ଆଧାରରେ ପିଲାଙ୍କୁ ଶିକ୍ଷା ଦେବି
ଦେଶକୁ ବିଭାଜନରୁ ରୋକିବାକୁ
ଜାମ୍ମୁ-କାଶ୍ମୀର ହାଇକୋର୍ଟ କିମ୍ବା
ସୁପ୍ରିମ୍ କୋର୍ଟରେ ନୁହେଁ,
ସିଧା ମିଳିତ ଜାତିସଂଘରେ
ପିଟିସନ ଦାଏର୍ କର ! ! !
□ ■ □ ■ □
ଏ ସି ପି (ନିରାପତ୍ତା)
ପୋଲିସ କମିଶନରେଟ୍, ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ
ବହୁତ ସୁନ୍ଦର ଏବଂ ସମୟୋପଯୋଗୀ କବିତା। କବିଙ୍କୁ ସାଧୁବାଦ
ReplyDeleteGreat deeds.Nice
ReplyDeleteବଢିଆ !
ReplyDelete