9/01/2019

ନିରଣ

ଲୀଳାବତୀ ମହାପାତ୍ର

    ହଠାତ୍  ମୋଟରସାଇକେଲଟିଏ ତା' ସମ୍ମୁଖେ  ରହିବାରୁ ଭବାନୀ ପ୍ରକୁତିସ୍ଥ ହେଲା । ଦୁର୍ଦ୍ଦିନରେ ସହାୟତାର ହାତ ବଢାଇ ବାବୁ ଜଣକ କହିଲେ ରହ ମୁଁ ଗାଡି ବନ୍ଦୋବସ୍ତ କରି ଦେଉଛି । ଦୀର୍ଘ ନିଃଶ୍ୱାସଟିଏ ମାରି କାନ୍ଧରେ ବୋହିଥିବା ଭାରଟିକୁ ରଖି ଭବାନୀ ବସିବାକୁ ଚାହିଁ ଲା । ଏହା ଦେଖି ବାବୁ ଜଣକ କହିଲେ ରହ ରହ ତୁମର ଫଟୋ ଉଠାଇବା ; ଭାରଟିକୁ  କାନ୍ଧରେ  ରଖ । ନିଷ୍କପଟ ଭବାନୀ ବାବୁଙ୍କ  କହିବା ଅନୁସାରେ ଛିଡା ହେଉଛି । କେତେ  ପ୍ରକାର  ଭଙ୍ଗୀରେ ତା' ଫଟୋ  ଉଠା ଚାଲିଛି । ଏସବୁ  ପ୍ରତି  ଭବାନୀର ସ୍ପୃହା  ନାହିଁ । ସେ ତା' ଭାବନା ରାଜ୍ୟରେ ବିଚରଣ  କରିବାକୁ  ଲାଗିଲା ।

     ବାର ବର୍ଷ ହୋଇଗଲେ କନ୍ଧ ପିଲେ ହାତକୁ  ଦୁଇ ହାତ  ହୋଇଯା'ନ୍ତି । ସଂସାର ଚଳାଇବାକୁ ସକ୍ଷମ  ବୋଲି  ଭାବି ନିଅନ୍ତି । ବାର ବର୍ଷର ଭବାନୀ ନଅ ବର୍ଷର ଭଉଁରୀର ହାତ ଧରି  ସଂସାର  କରିବାକୁ  ଆରମ୍ଭ  କରିଥିଲା । ସଂସାରଟା ଏପରି ଫଟା ଯେ ଦଦରା ପଣତ କାନି ପରି ପାଖେ ସିଇଁଲେ  ପାଖେ ଚିରି ଯାଉଥିବ ; ସେକଥା ଭବାନୀକୁ ଜଣା ନଥିଲା । ଭବାନୀ  ଜଙ୍ଗଲରୁ ଆଣିଥିବା କୁରେଇ  ଫୁଲରେ ଭଉଁରୀର ଗଳା ସଜାଇ ଦେଇ ଦୁଇ ହାତରେ ତା' ମୁହଁକୁ  ତୋଳି ଧରି ଘଡିଏ ଦେଖି ନିଏ । ତା'ପରେ  ଭଉଁରୀର ହାତ ଧରି ନଦୀ ପଠାକୁ ଟାଣି ନେଇ  ନଦୀଜଳରେ  ଭଉଁରୀର ସୌନ୍ଦର୍ଯ୍ୟକୁ ମନ ଭରି  ନିରୀକ୍ଷଣ କରିବା ସମୟରେ  ଫିକ଼୍‌କିନା  ଲାଜ ମିଶା ହସଟେ ହସି ଭଉଁରୀ  ଚାଲି ଆସେ ତା'  ପତ୍ର କୁଡିଆ ଭିତରକୁ । ମଲ୍ଲୀଫୁଲରେ ସଜାଇ ଦିଏ ଘରଟିକୁ । କଳସୀ ଜଳରେ ମଲ୍ଲୀଫୁଲ  ପକାଇ ରଖେ । ମଲ୍ଲୀଫୁଲିଆ ବାସ୍ନାରେ ପର୍ଣ୍ଣ କୁଟୀରଟି ଇନ୍ଦ୍ର ଭବନ ହୋଇଯାଏ । ଜୀବନଟି ଐଶ୍ୱର୍ଯ୍ୟମୟ ହୋଇଉଠେ । ଏହି ପ୍ରେମମୟ  ସଂସାରର ଶୋଭା ବର୍ଦ୍ଧନ କରି  ଆସିଲା ଏମାନଙ୍କ ପ୍ରଥମ ସନ୍ତାନ ଦିନେଶ । ପୁତ୍ର  ଆଗମନ ଖୁସିରେ ଭଉଁରୀ ମଦମତ୍ତ ହୋଇ  ପାରିଲା ନାହିଁ ; ଅନୁଢା କିଶୋରୀ ମାତୃତ୍ବ ଲାଭ  କଲେ ଯାହା ହୁଏ ତା' ଜୀବନରେ ସେୟା ଘଟିଥିଲା ।

       ଶିକ୍ଷା ଦୀକ୍ଷା ଅଭାବରୁ ଦାମ୍ପତ୍ୟ ସୁଖ ଉପଭୋଗରେ ଏମାନେ ଏପରି ତଲିନ ହୋଇ ଉଠିଲେ ଯେ ଗୋଟିଏ ପରେ ଗୋଟିଏ ସନ୍ତାନ ପୃଥିବୀର ଆଲୋକ ଦେଖିବା ପୂର୍ବରୁ  ଆରପାରି  ଚାଲି ଯାଇଥିଲେ । ତତ୍‌ ସଙ୍ଗେ ସଙ୍ଗେ ଭଉଁରୀର ଶରୀର ଦିନକୁ ଦିନ ଦୁର୍ବଳ ହୋଇ ଯାଉଥିଲା । ସେମାନଙ୍କ ଜାତିରେ ଏସବୁ ଦେହସୁହା । ଭଉଁରୀ ପରି କେତେ ଯେ ଝିଅ ଏ ଅବୟସରୁ  ବିବାହ କରି କୋଡିଏଟି ଫଗୁଣ ହେଉ ନ ହେଉଣୁ ମୃତ୍ୟୁ ମୁଖରେ ପଡନ୍ତି । ସେହିପରି  ପୁରୁଷଙ୍କ  ଆୟୁ ତିରିଶିରୁ ତେତିଶି ବର୍ଷ ମଧ୍ୟରେ ସୀମିତ  ଥାଏ । ଶିଶୁମାନେ ମଧ୍ୟ ଅପପୁଷ୍ଟିର ଶିକାର  ହୋଇ ମୃତ୍ୟୁ ମୁଖରେ  ପଡନ୍ତି । ସତେକି ସେମାନେ ଏ ସଭ୍ୟ ସମାଜରୁ ବହୁ ଦୂରରେ ଭିନ୍ନ  ଏକ ପୃଥିବୀରେ  ବାସ କରୁଛନ୍ତି । ଅତି ନିରଣ  ଲୋକ ଗୁଡାକ । ଭଉଁରୀ ତା'ର ଏ ସନ୍ତାନକୁ ଯେପରି ହେଉ ରକ୍ଷା କରିବ । ତାଙ୍କ  ଗ୍ରାମକୁ ଆସି ଥିବା ସମାଜ ସେବିକା ସରୋଜ ବାଳା ଦେଇଙ୍କ ସଙ୍ଗତର ପରିଣତି ସ୍ୱରୂପ ଭଉଁରୀ  ଡାକ୍ତରଖାନା ବିଷୟରେରେ  ଅବଗତ  ଥିଲା ।

     ନଈନାଳ ,ବଣ ପଥ ଦେଇ ଏପରି ପ୍ରାୟ ଚାରି କିଲୋମିଟର ଅତିକ୍ରମ କରି ଡାକ୍ତରଖାନାରେ  ପହଞ୍ଚି  ଥିଲା । ପ୍ରଥମ କରି ସହରରେ ପାଦ ଥାପି ଥିବା ଭବାନୀ ସହରର ଜଟିଳତାକୁ ପାରକରି ଡାକ୍ତରଙ୍କ ପାଖରେ ପହଞ୍ଚି ପାରି ନଥିଲା । ସେହି ହସ୍ପିଟାଲ ବାରଣ୍ଡାରେ ସୁନ୍ଦର  କନ୍ୟା ସନ୍ତାନଟିକୁ ଜନ୍ମ ଦେଇ ଭଉଁରୀ ଆରପାରିକୁ ଚାଲି ଯାଇଥିଲା । ଭବାନୀ ଖୁବ୍ ଜୋରରେ ରଡି ଛାଡି କାନ୍ଦି କାନ୍ଦି  ନିଜ ଶିଶୁ  କନ୍ୟାଟିର ଜୀବନ ଭିକ୍ଷା  କରିଥିଲା ; କିନ୍ତୁ  ପାରିନଥିଲା । ଶବ ଦୁଇଟିକୁ ତା' ଗାଁ ଯାଏଁ ନେବାକୁ ପଡିବ । ଆମ୍ବୁଲାନ୍ସ ଡ୍ରାଇଭରକୁ ତା' ପକେଟରେ ଥିବା ପଚାଶ ଟଙ୍କା ଯାଚି ଥିଲା । ଏତେ କମ୍ ପଇସାରେ ପୋଷାଇବ ନାହିଁ କହି  ଆମ୍ବୁଲାନ୍ସ ଡ୍ରାଇଭର ମୁହଁ  ଫେରାଇ ନେଇଥିଲା । ଭବାନୀ ବହୁ ନେହୁରା ହୋଇଥିଲା କିନ୍ତୁ  କିଏ ଶୁଣି ନଥିଲେ । ଭାରରେ ମାଆ-ଝିଅଙ୍କ ଶବ ରଖି ସେ ତା' ଗ୍ରାମ ଅଭିମୁଖେ ଚାଲିବାକୁ ଲାଗିଲା । ଠିକ୍ ଅଛି ଏଥର ହେଲା ପୂରା ପର୍‌ଫେକ୍ଟ୍‌ଟା । କାଲି ନ୍ୟୁଜ ଚ୍ୟାନେଲଟି ଭାରରେ ଶବ ବୁହା ହେଡଲାଇନ୍‌ ସରଗରମ ହୋଇ ଉଠିବ । ବାବୁ ଭବାନୀକୁ ହଲାଇ ଦେଇ କହିଲେ - ଚାଲ ଗାଡ଼ିରେ ବସ । ତମକୁ ନେଇ ତମ ଗାଁରେ ଛାଡି ଆସିବୁ । ଭବାନୀ ପ୍ରକୃତିସ୍ଥ ହୋଇ ଗାଡିରେ ଯାଇ ବସିଲା ।

    ତା' ପରଦିନ ସତକୁ ସତ ତା' ଜୀବନର ବହୁତ କିଛି ପରିବର୍ତ୍ତନ ଆଣି ଦେଇଥିଲା । ଚାରିଆଡୁ ସହାୟତାର ହାତ ତା' ଆଡକୁ ଆଗେଇ  ଆସିଲା । ଭବାନୀ ଭାବିଲା ଭଉଁରୀଟା ସହର ଯିବ ଯିବ ହେଉଥିଲା ; ସହରକୁ ଗଲା ଯେ  ଆଉ ଫେରିଲା  ନାହିଁ । ତା' ବଦଳରେ ଅଜସ୍ର  ସଂପଦ  ଦେଇ ଗଲା , ସତରେ ସେ  କ'ଣ ଅନ୍ନପୂର୍ଣ୍ଣା !
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।