ଲୀଳାବତୀ ମହାପାତ୍ର
ହଠାତ୍ ମୋଟରସାଇକେଲଟିଏ ତା' ସମ୍ମୁଖେ ରହିବାରୁ ଭବାନୀ ପ୍ରକୁତିସ୍ଥ ହେଲା । ଦୁର୍ଦ୍ଦିନରେ ସହାୟତାର ହାତ ବଢାଇ ବାବୁ ଜଣକ କହିଲେ ରହ ମୁଁ ଗାଡି ବନ୍ଦୋବସ୍ତ କରି ଦେଉଛି । ଦୀର୍ଘ ନିଃଶ୍ୱାସଟିଏ ମାରି କାନ୍ଧରେ ବୋହିଥିବା ଭାରଟିକୁ ରଖି ଭବାନୀ ବସିବାକୁ ଚାହିଁ ଲା । ଏହା ଦେଖି ବାବୁ ଜଣକ କହିଲେ ରହ ରହ ତୁମର ଫଟୋ ଉଠାଇବା ; ଭାରଟିକୁ କାନ୍ଧରେ ରଖ । ନିଷ୍କପଟ ଭବାନୀ ବାବୁଙ୍କ କହିବା ଅନୁସାରେ ଛିଡା ହେଉଛି । କେତେ ପ୍ରକାର ଭଙ୍ଗୀରେ ତା' ଫଟୋ ଉଠା ଚାଲିଛି । ଏସବୁ ପ୍ରତି ଭବାନୀର ସ୍ପୃହା ନାହିଁ । ସେ ତା' ଭାବନା ରାଜ୍ୟରେ ବିଚରଣ କରିବାକୁ ଲାଗିଲା ।
ବାର ବର୍ଷ ହୋଇଗଲେ କନ୍ଧ ପିଲେ ହାତକୁ ଦୁଇ ହାତ ହୋଇଯା'ନ୍ତି । ସଂସାର ଚଳାଇବାକୁ ସକ୍ଷମ ବୋଲି ଭାବି ନିଅନ୍ତି । ବାର ବର୍ଷର ଭବାନୀ ନଅ ବର୍ଷର ଭଉଁରୀର ହାତ ଧରି ସଂସାର କରିବାକୁ ଆରମ୍ଭ କରିଥିଲା । ସଂସାରଟା ଏପରି ଫଟା ଯେ ଦଦରା ପଣତ କାନି ପରି ପାଖେ ସିଇଁଲେ ପାଖେ ଚିରି ଯାଉଥିବ ; ସେକଥା ଭବାନୀକୁ ଜଣା ନଥିଲା । ଭବାନୀ ଜଙ୍ଗଲରୁ ଆଣିଥିବା କୁରେଇ ଫୁଲରେ ଭଉଁରୀର ଗଳା ସଜାଇ ଦେଇ ଦୁଇ ହାତରେ ତା' ମୁହଁକୁ ତୋଳି ଧରି ଘଡିଏ ଦେଖି ନିଏ । ତା'ପରେ ଭଉଁରୀର ହାତ ଧରି ନଦୀ ପଠାକୁ ଟାଣି ନେଇ ନଦୀଜଳରେ ଭଉଁରୀର ସୌନ୍ଦର୍ଯ୍ୟକୁ ମନ ଭରି ନିରୀକ୍ଷଣ କରିବା ସମୟରେ ଫିକ଼୍କିନା ଲାଜ ମିଶା ହସଟେ ହସି ଭଉଁରୀ ଚାଲି ଆସେ ତା' ପତ୍ର କୁଡିଆ ଭିତରକୁ । ମଲ୍ଲୀଫୁଲରେ ସଜାଇ ଦିଏ ଘରଟିକୁ । କଳସୀ ଜଳରେ ମଲ୍ଲୀଫୁଲ ପକାଇ ରଖେ । ମଲ୍ଲୀଫୁଲିଆ ବାସ୍ନାରେ ପର୍ଣ୍ଣ କୁଟୀରଟି ଇନ୍ଦ୍ର ଭବନ ହୋଇଯାଏ । ଜୀବନଟି ଐଶ୍ୱର୍ଯ୍ୟମୟ ହୋଇଉଠେ । ଏହି ପ୍ରେମମୟ ସଂସାରର ଶୋଭା ବର୍ଦ୍ଧନ କରି ଆସିଲା ଏମାନଙ୍କ ପ୍ରଥମ ସନ୍ତାନ ଦିନେଶ । ପୁତ୍ର ଆଗମନ ଖୁସିରେ ଭଉଁରୀ ମଦମତ୍ତ ହୋଇ ପାରିଲା ନାହିଁ ; ଅନୁଢା କିଶୋରୀ ମାତୃତ୍ବ ଲାଭ କଲେ ଯାହା ହୁଏ ତା' ଜୀବନରେ ସେୟା ଘଟିଥିଲା ।
ଶିକ୍ଷା ଦୀକ୍ଷା ଅଭାବରୁ ଦାମ୍ପତ୍ୟ ସୁଖ ଉପଭୋଗରେ ଏମାନେ ଏପରି ତଲିନ ହୋଇ ଉଠିଲେ ଯେ ଗୋଟିଏ ପରେ ଗୋଟିଏ ସନ୍ତାନ ପୃଥିବୀର ଆଲୋକ ଦେଖିବା ପୂର୍ବରୁ ଆରପାରି ଚାଲି ଯାଇଥିଲେ । ତତ୍ ସଙ୍ଗେ ସଙ୍ଗେ ଭଉଁରୀର ଶରୀର ଦିନକୁ ଦିନ ଦୁର୍ବଳ ହୋଇ ଯାଉଥିଲା । ସେମାନଙ୍କ ଜାତିରେ ଏସବୁ ଦେହସୁହା । ଭଉଁରୀ ପରି କେତେ ଯେ ଝିଅ ଏ ଅବୟସରୁ ବିବାହ କରି କୋଡିଏଟି ଫଗୁଣ ହେଉ ନ ହେଉଣୁ ମୃତ୍ୟୁ ମୁଖରେ ପଡନ୍ତି । ସେହିପରି ପୁରୁଷଙ୍କ ଆୟୁ ତିରିଶିରୁ ତେତିଶି ବର୍ଷ ମଧ୍ୟରେ ସୀମିତ ଥାଏ । ଶିଶୁମାନେ ମଧ୍ୟ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁ ମୁଖରେ ପଡନ୍ତି । ସତେକି ସେମାନେ ଏ ସଭ୍ୟ ସମାଜରୁ ବହୁ ଦୂରରେ ଭିନ୍ନ ଏକ ପୃଥିବୀରେ ବାସ କରୁଛନ୍ତି । ଅତି ନିରଣ ଲୋକ ଗୁଡାକ । ଭଉଁରୀ ତା'ର ଏ ସନ୍ତାନକୁ ଯେପରି ହେଉ ରକ୍ଷା କରିବ । ତାଙ୍କ ଗ୍ରାମକୁ ଆସି ଥିବା ସମାଜ ସେବିକା ସରୋଜ ବାଳା ଦେଇଙ୍କ ସଙ୍ଗତର ପରିଣତି ସ୍ୱରୂପ ଭଉଁରୀ ଡାକ୍ତରଖାନା ବିଷୟରେରେ ଅବଗତ ଥିଲା ।
ନଈନାଳ ,ବଣ ପଥ ଦେଇ ଏପରି ପ୍ରାୟ ଚାରି କିଲୋମିଟର ଅତିକ୍ରମ କରି ଡାକ୍ତରଖାନାରେ ପହଞ୍ଚି ଥିଲା । ପ୍ରଥମ କରି ସହରରେ ପାଦ ଥାପି ଥିବା ଭବାନୀ ସହରର ଜଟିଳତାକୁ ପାରକରି ଡାକ୍ତରଙ୍କ ପାଖରେ ପହଞ୍ଚି ପାରି ନଥିଲା । ସେହି ହସ୍ପିଟାଲ ବାରଣ୍ଡାରେ ସୁନ୍ଦର କନ୍ୟା ସନ୍ତାନଟିକୁ ଜନ୍ମ ଦେଇ ଭଉଁରୀ ଆରପାରିକୁ ଚାଲି ଯାଇଥିଲା । ଭବାନୀ ଖୁବ୍ ଜୋରରେ ରଡି ଛାଡି କାନ୍ଦି କାନ୍ଦି ନିଜ ଶିଶୁ କନ୍ୟାଟିର ଜୀବନ ଭିକ୍ଷା କରିଥିଲା ; କିନ୍ତୁ ପାରିନଥିଲା । ଶବ ଦୁଇଟିକୁ ତା' ଗାଁ ଯାଏଁ ନେବାକୁ ପଡିବ । ଆମ୍ବୁଲାନ୍ସ ଡ୍ରାଇଭରକୁ ତା' ପକେଟରେ ଥିବା ପଚାଶ ଟଙ୍କା ଯାଚି ଥିଲା । ଏତେ କମ୍ ପଇସାରେ ପୋଷାଇବ ନାହିଁ କହି ଆମ୍ବୁଲାନ୍ସ ଡ୍ରାଇଭର ମୁହଁ ଫେରାଇ ନେଇଥିଲା । ଭବାନୀ ବହୁ ନେହୁରା ହୋଇଥିଲା କିନ୍ତୁ କିଏ ଶୁଣି ନଥିଲେ । ଭାରରେ ମାଆ-ଝିଅଙ୍କ ଶବ ରଖି ସେ ତା' ଗ୍ରାମ ଅଭିମୁଖେ ଚାଲିବାକୁ ଲାଗିଲା । ଠିକ୍ ଅଛି ଏଥର ହେଲା ପୂରା ପର୍ଫେକ୍ଟ୍ଟା । କାଲି ନ୍ୟୁଜ ଚ୍ୟାନେଲଟି ଭାରରେ ଶବ ବୁହା ହେଡଲାଇନ୍ ସରଗରମ ହୋଇ ଉଠିବ । ବାବୁ ଭବାନୀକୁ ହଲାଇ ଦେଇ କହିଲେ - ଚାଲ ଗାଡ଼ିରେ ବସ । ତମକୁ ନେଇ ତମ ଗାଁରେ ଛାଡି ଆସିବୁ । ଭବାନୀ ପ୍ରକୃତିସ୍ଥ ହୋଇ ଗାଡିରେ ଯାଇ ବସିଲା ।
ତା' ପରଦିନ ସତକୁ ସତ ତା' ଜୀବନର ବହୁତ କିଛି ପରିବର୍ତ୍ତନ ଆଣି ଦେଇଥିଲା । ଚାରିଆଡୁ ସହାୟତାର ହାତ ତା' ଆଡକୁ ଆଗେଇ ଆସିଲା । ଭବାନୀ ଭାବିଲା ଭଉଁରୀଟା ସହର ଯିବ ଯିବ ହେଉଥିଲା ; ସହରକୁ ଗଲା ଯେ ଆଉ ଫେରିଲା ନାହିଁ । ତା' ବଦଳରେ ଅଜସ୍ର ସଂପଦ ଦେଇ ଗଲା , ସତରେ ସେ କ'ଣ ଅନ୍ନପୂର୍ଣ୍ଣା !
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।