ଜଗନ୍ନାଥ ଜେନା
ଏତେ ଧନି ହୋଇ ଜଗା ମଗା ସ୍ଵଭାଵକେଉଁ କଥାରେ ବା ତୋ'ର ଅଛି ଅଭାବ
ପେଟ ପୂରିଲାନି ହୋଇ ଛପନ ଭୋଗୀ
ଦାସିଆ ହାତୁ ନଡ଼ିଆ ନେଲୁ ତୁ ମାଗି ,
ଜାଣେ ମୁଁ ମାଗି ଖାଆନ୍ତି ସିନା ଗରିବ
ଏତେ ଧନୀ ହୋଇ ତୋ'ର ମଗା ସ୍ଵଭାଵ ।
ହାତୁ ତୋ'ର ରତ୍ନମୁଦି ଦେଇଣ ବନ୍ଧା
ମାଣିକ ଦହି ଖାଇଲୁ କହ କି ନିନ୍ଦା
ଯେତେ ଖାଇଲେ ବି ତୋ'ର ରଙ୍କଣା ଭାବ
ଏତେ ଧନି ହୋଇ ତୋ'ର ମଗା ସ୍ଵଭାଵ।
ଯୁଗେ ଯୁଗେ ଯିଏ ଯାହା ଦେଇଛି ତତେ
ମନା ନ କରି ଖାଇଛୁ ଆପଣା ହାତେ
ଶବରୀ ଅଇଁଠା କାହାକୁ ବା ରୁଚିବ
ଏତେ ଧନି ହୋଇ ତୋ'ର ରଙ୍କଣା ଭାବ ।
ସୁଦାମା କାଖରୁ ନେଲୁ ତୁ ଖୁଦ ଭଜା
ବିଦୁରର ଶାଗଭଜା ଲାଗିଲା ମଜା
ଏବେ ସେଇ ଗୁଣ ଆଉ କୁଆଡେ ଯିବ
ତୋ' ଭଳି ଭକତ ମନ କିଏ ବୁଝିବ ।
ତିନି ପାଦ ଭୂମି ମାଗି ବଳିକୁ ଛଳେ
ନିଜେ ଜଗି ରହିଅଛୁ ପରା ପାତାଳେ
ଧନବନ୍ତ ବୋଲି ନାହିଁ ଗରବ ତୋ'ର
ନିନ୍ଦା ପ୍ରଶଂସାକୁ ଟିକେ ନାହିଁ ଖାତର
ଗୋବିନ୍ଦ ତୋ' ଛନ୍ଦ ଏତେ କିଏ ଜାଣିବ
ତୋ' ଭଳି ଭକତ ମନ କିଏ ବୁଝିବ ।
କେନ୍ଦୁଝର
ହାଲୋ - ୮୯୧୭୫୮୧୨୫୫
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।