9/01/2019

ଚଂଚକତା

ମାଧବାନନ୍ଦ ଭୋଇ
                               ଆଜି ନୂଆ ଖାଇ । ଅଫିସରେ ସେମିତି କିଛି କାମ ନ ଥିଲା । ଛୁଟି ଦିନ ଥିଲେ ବି ବୋଉର ଦେହ ଖରାପ ଏବଂ ପାରିବାରିକ ପରିସ୍ଥିତି ହେତୁ ବିଭିନ୍ନ କାର୍ଯକ୍ରମ ପାଇଁ ଡାକରା ଆସୁ ଥିଲେ ବି ଯାଇ ପାରୁ ନଥିଲା ଡୁନି । ପିଲାମାନଙ୍କ ଆଡମିସନ୍ ପାଇଁ ବାକି ଥିବା ମିସ୍ କେସ୍ ଉପରେ ଆଖି ବୁଲାଇ ଆଣିଲା । ଧେତ୍ ! କେତେ ଗୁଡିଏ ଜରୁରୀ କେଶ୍ ଗୁଡିକ ଥିଲେ ବି ଏ ପର୍ଯ୍ୟନ୍ତ ଶେଷ ହୋଇ ପାରିଲା ନାହିଁ । କେମିତି ହେବ ଯେ ? ସରକାରଙ୍କ ସବୁ କାମ ଗେଜେଟ୍ ହୋଇ ପାସ୍ ହୋଇ ଯାଏ । କିନ୍ତୁ ସେବା କେତେ ଦୂର କାର୍ଯ୍ୟକାରୀ ହୋଇ ଜନ ସାଧାରଣଙ୍କ ନିକଟରେ ପହଂଚିଥାଏ ? ଜନ ସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ କରିବା ପ୍ରରୀପ୍ରେକ୍ଷୀରେ, କଛପ ଗତି ସୁଧାରିବା ପାଇଁ ରକେଟ୍ ଫାଇଲିଂ କରାଗଲା । ଡିଜିଟାଲ ପ୍ରଣାଳୀରେ ଗୋଟିଏ ଫାଇଲ୍,ଏକ କଂପୁ୍ୟଟରରୁ ଅନ୍ୟ କଂପୁ୍ୟଟର ଘୁରି ବୁଲିଲା । ସାଧାରଣତଃ ଏକ ଫାଇଲକୁ କାମ କରିବା ପାଇଁ, ପ୍ରଥମେ କିରାଣୀ କାମ ହେଉଥିବା ଲୋକ ନାମରେ ଏକ ଖାତା ଖୋଲା ହେବା ସହିତ,ଆବଶ୍ୟକୀୟ କାଗଜାତ ପତ୍ରକୁ ସ୍କାନିଂ କରି,ଅପଲୋଡ୍ କରି ଦିଆଯାଏ । ଏହାପରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଖାତାରୁ ଅନ୍ୟ ଏକ ଖାତାକୁ ଫାଇଲଟି ଯାଇଥାଏ । ଶେଷରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏହା ଅନୁମୋଦିତ ହୋଇଥାଏ । ତେବେ ଆହୁରି ସୁବିଧାଜନକ ପାଇଁ ଏକ ଫାଇଲକୁ ସାରିବା ପାଇଁ ସମୟ ସୀମା ବି ଧାର୍ଯ୍ୟ କରାଗଲା । ତଥାପି କାମରେ ବ୍ୟତିକ୍ରମର କାରଣ କଣ ପାଇଁ ହୁଏ, ଡୁନି ମୁଣ୍ଡରେ ପଶୁ ନ ଥିଲା ।
                        ବିଶେଷ କରି, ବେଳେ ବେଳେ ନିର୍ଦ୍ଦିଷ୍ଟ ପଦବୀରେ ଅଧିକାରୀ ଜଣକ କଂପୁ୍ୟଟର କାମ ନ ଜାଣି ଥାନ୍ତି । ତେଣୁ ଅକଳରେ ପଡି ତାଙ୍କର ତଳିଆ କର୍ମଚାରୀ ଜରିଆରେ କିଛି ପଇସାପତ୍ର ଦେଇ କାମ କରାଇ ଦେଇଥାନ୍ତି । ଯଦି ସେଥିରେ ଢିଲା ହେଲା, ଲୋକମାନଙ୍କ କାମରେ ଢିଲା ହେଲା । ଦୁର୍ନୀତିର ପ୍ରସଙ୍ଗକୁ ବି ଏଡାଇ ଦିଆଯାଇ ନ ପାରେ ? ସେ କଥା କାହାକୁ କହିବା । ଆହୁରି ପୁଣି ସର୍ଭର ଜାମ୍, ପାଓା୍ୱର କଟ୍, ପାଣିପାଗ ସମସ୍ୟା, ଇଂଟରନେଟ୍ ଫେଲ୍ କେତେ ଅସୁବିଧା ଅଛି ?କିନ୍ତୁ ଶାସନ କଳରେ ବେଳେ ବେଳେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଜନ ସାଧାରଣଙ୍କ ହିତକୁ ବଳି ଦିଆ ଯାଏ । ଯୋଜନା ପରେ ଯୋଜନା କରାଯାଏ । ଗରିବ ଖଟି ଖିଆମାନଙ୍କ କ୍ଷେତ୍ରରେ ଏହା ଫଳପ୍ରଦ ହୋଇ ନ ଥାଏ । ବରଂ ଯୋଜନାର ସିଂହ ଭାଗ ଶାସକ ଦଳର ନେତା, ବୁ୍ୟରୋକାଟ୍ ଏବଂ ଚାମଚାମାନଙ୍କ ପକେଟକୁ ଚାଲି ଯାଇଥାଏ । କେବେ କେବେ ବିରୋଧୀମାନଙ୍କ ବିରୋଧର ତୁମ୍ବି ତୋଫାନରେ , ଚଂଚକତା ପୂର୍ବକ ଯୋଜନାକୁ ବଦଳାଇବା ସହିତ ଆଉ କିଛି ଲୋଭନୀୟ ମୁଆଁ ଦେଖାଇ ଦିଆଯାଏ । ଯେମିତି ଏକ କଳଙ୍କିତ ଘଟଣାକୁ ଚପାଇବା ପାଇଁ ଭକୁଆ ଜନ ସାଧାରଣଙ୍କ କୃତ୍ୟ କୃତ୍ୟରେ ବିରୋଧିଙ୍କର ସ୍ବରକୁ ଥମାଇ ଦିଆ ଯିବ । କିନ୍ତୁ ଓଡିଶାରେ ରାଜନୀତି ପାଇଁ ଅନେକ ଯୋଜନା କରାଯାଇଥାଏ । ଯେଉଁଥିରେ ଜନ ସାଧାରଣଙ୍କ ହିତ ଅପେକ୍ଷା ରାଜ୍ୟର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖା ଯାଇଥାଏ । ରାଜ୍ୟରେ ପୃଷ୍ଠ ପୋଷକତା କରୁଥିବା ଶାସକ ଦଳର ନେତା ଏବଂ ପ୍ରଶାସନିକ ଅଧିକାରୀମାନେ ଏ ସଂପର୍କରେ ସଂପୂର୍ଣ୍ଣ ଅବଗତ ହେବା ଆବଶ୍ୟକ । ଭୋଟ ବ୍ୟାଙ୍କ ନିର୍ମାଣ ଆଳରେ ଜନ ସାଧାରରଣଙ୍କୁ ଭିକ୍ଷା ପ୍ରଦାନ କରି ମାଗି ଖିଆ ସଜାଇବା ଯୋଜନାର ଲକ୍ଷ ଅତ୍ୟନ୍ତ ବିପଦ ଜନକ ଅଟେ । ଏଥିପାଇଁ ରାଜ୍ୟରେ ବେକାରୀ ସମସ୍ୟା, ମାଓବାଦୀ ଓ ଗରିବୀ ପରି ଅନେକ ବଢିଥାଏ । କାରଣ ପ୍ରତ୍ୟେକ ଯୋଜନାରେ ମାନବ ସମ୍ବଳ ବିନିଯୋଗ ହେବା ସହିତ ରାଜ୍ୟର ରାଜସ୍ବ ବଢିବାରେ ସହାୟକ ହେବା ସହିତ ଏହା ପ୍ରଗତି ମୂଳକ ହେବା ଆବଶ୍ୟକ ।
                         ଓଃ,ଏଇତ କେତେ ଗୁଡିଏ ଡି.ଟି.ପି ପାଇଁ କେତେ ଗୁଡିଏ ପିଟିସନ୍
ଆସିଛି । କେଉଁଠି ପଂଚାୟତରେ ଆଲୋକୀକରଣ କରିବାରେ ଦୁର୍ନୀତି ତ କେଉଁଠି ପ୍ରିୟା ପ୍ରିତୀରେ ବାତ୍ୟା ଜନିତ ସହାୟତା କିମ୍ବା କୃଷକ ସହାୟତାରେ ଚଂଚକତା କରା ଯାଇଛି । ଗ୍ରାମାଂଚଳରେ ଆଲୋକୀକରଣ ପାଇଁ ସରକାର ଅର୍ଥ କମିଶନଙ୍କ ଦ୍ୱାରା ଅନୁଦାନ ପ୍ରଦାନ କଲେ । କ୍ରିସ୍ ଇଂଡିଜେନସ ଟେକ୍ନୋ ଇକ୍ୱିପମେଂଟ୍ ନାମକ ସଂସ୍ଥା ଠାରୁ ଆଲୋକୀକରଣ ପାଇଁ ପ୍ରଶାସନ ବିଦୁ୍ୟତ ଉପକରଣ ପାଇଁ ବାଆର ଶତକଡା ଟିକସ ସହିତ ଏଗାର ହଜାର ପାଂଚ ଶହ ଟଙ୍କା ସତାଅଶୀ ପଇସା ବୋଲି କାଗଜାତ ପତ୍ରରେ ବିଲ୍ ହୋଇଥିବା ସ୍ଥଳେ ସେହି ସଂସ୍ଥା ଠାରୁ ସମାନ ଉପକରଣ ପାଇଁ ଲିଖିତ କୋଟେସନରେ ଏହା ପାଂଚ ହଜାର ଛୟାନବେ ଟଙ୍କା ହେବା ଅତ୍ୟନ୍ତ ପରିତାପର ବିଷୟ ଅଟେ । ଯାହା ଫଳରେ ବିପୁଳ ଲକ୍ଷାଧିକ ଟଙ୍କାର ରାଜସ୍ବ ଲୁଟ୍ ହେଲା । ଲୋକମାନଙ୍କୁ ଭକୁଆ ବନାଇ ଦିଆଗଲା ।ଏହାପରେ ଫନି ଆସିଲା, ଘର ଦ୍ୱାର ଭାଙ୍ଗିଗଲା । ହେଲେ କୋଠା ଘର ଥିବା ଲୋକ, ଘର ଭଙ୍ଗା ସହାୟତା ଟଙ୍କାରେ ମଉଜ ମସ୍ତି କଲାବେଳେ ଗରିବ ଲୋକଟି ଘର ଭଙ୍ଗା ସହାୟତା ଦରଖାସ୍ତ କାଗଜଟିକୁ ଲେଖିବା ପାଇଁ ବାବୁ ଭାୟା, ଚାମଚାମାନଙ୍କ ପାଖକୁ ଧାଉଁଥିଲା । ଟଙ୍କା ପାଇବା ପାଇଁ ହତାଶ ଲୋକଟି,ସାଇତିଥିବା ମଇଳା ଲୋଚା କୋଚା ଦସ୍ତାବିଜକୁ ଜେରକ୍ସ ପରେ ଜେରକ୍ସ କରୁଥିଲା । ଦରକାର ପଡିଲେ ସେମାନଙ୍କର ମୁଣ୍ଡ ଥଂଡା କରିବା ପାଇଁ ଗୋଟିଏ ମଦ ବୋତଲ ଆଉ ଚାଖଣ ପାଇଁ ପକେଟରେ ଟଙ୍କା କିଛି ଗୁଂଜି ଦେଉଥିଲା । ଦିନ ଗଡି ଚାଲୁଥିଲା । କିନ୍ତୁ ଟଙ୍କା ମିଳୁ ନ ଥିଲା ।
ସରକାରଙ୍କ ଦ୍ୱାରା କୃଷକ ସହାୟତା ପାଇଁ ଘୋଷଣା କରାଗଲା । ଦଳଗତ ପ୍ରିୟା ପ୍ରିତୀ ଆଧାରରେ କେଉଁଠି ସ୍ବାମୀ ସ୍ତ୍ରୀ ପାଇଲେ ତ କେଉଁଠି ସରକାରୀ ଚାକିରିଆ ପାଇଗଲେ । ବିରୋଧି ବାଲାଙ୍କ ପିଟିସନ୍ ଲେଖିବା ଆରମ୍ଭ ହୋଇଗଲା । ସରକାର ବି ମାନିଗଲେ । ସାର୍ବଜନୀନ ଘୋଷଣା ବି ହୋଇଗଲା । ଅଯୋଗ୍ୟ ବାହାରିଯିବେ ଆଉ ନୂଆ ଯୋଗ୍ୟ ଲୋକମାନେ ପଶିଯିବେ । ସେଥିପାଇଁ ଦରଖାସ୍ତକୁ ଡିଜିଟାଲକରଣ କରାଗଲା । ସୁବିଧାରେ ସଭିଏଁ ଆବେଦନ କରିବେ ଆଉ ସହାୟତା ପାଇବେ । ହେଲେ କେମିତି ହେବ, କଣ ହେବ ? ବିଚରା ଗରିବ ଅଶିକ୍ଷିତ ଲୋକ ଏ ବିଷୟରେ କଣ ବା ଜାଣି ପାରିଥାନ୍ତା ? ଭାଗ ଚାଷୀ ଲୋକଟି ଜୀବନସାରା ଜମିବାଲାର ଚାଷ କରୁଥିବା ଲୋକଟି ନିଜର କାଗଜାତପତ୍ର ମଧ୍ୟ ଦେଇପାରୁନଥିଲା । ସେ ଏ ପାଖରୁ ସେପାଖ ଧାଉଁଥିଲା ଦ୍ରୁତଗାମୀ ଜଳନ୍ତା ଉଲକା ପରି । ସହାୟତା ପାଇଁ ଲୋକ ସେବା କେନ୍ଦ୍ରରେ ଆବେଦନ କରାଯିବ । ସରକାରୀ ଖାତା ପତ୍ରରେ ବଡ ଚାଷୀ ଆଉ ସାନ ଚାଷୀ ପାଇଁ ଅନେକ ନିୟମାବଳୀ ଥିଲେ ମଧ୍ୟ ଅନ୍ ଲାଇନ୍ ଦରଖାସ୍ତରେ ଦେବା ପାଇଁ କିଛି ତଥ୍ୟ ନ ଥିଲା । ପଂଚାୟତରେ ଦରଖାସ୍ତ ଦେଲା ବେଳେ ଆଧାର କାର୍ଡ ଆଉ ଜମି ପଟ୍ଟା ପରି ଅନେକ କାଗଜାତପତ୍ର ଦାଖଲ କଲା ବେଳେ ଅନ୍ ଲାଇନ୍ ଦରଖାସ୍ତ ବେଳେ ସବୁ କିଛି ଶୁନ୍ ହୋଇ ଯାଉଥିଲା । ଅନ୍ୟ ଅନ୍ ଲାଇନ୍ ଫର୍ମ ପରି ଏ କୃଷକ ସହାୟତା ପାଇଁ ଦରଖାସ୍ତ କଲା ପରେ କିଛି ପ୍ରାପ୍ତି ସ୍ବୀକାର ରସିଦ କିମ୍ବା ଦରଖାସ୍ତ କ୍ରମିକ ସଂଖ୍ୟା ସୃଷ୍ଟି ହେଉ ନ ଥିଲା । ଏମିତ କି ମୋବାଇଲକୁ ମଧ୍ୟ କୌଣସି ବାର୍ତା ଯାଉ ନଥିଲା । ଏପରି ହିତାଧିକାରୀମାନଙ୍କ ବିଚିତ୍ର ଚୟନ ପ୍ରକ୍ରିୟାରେ ମନେ ମନେ ଚିଡି ଉଠୁଥିଲା ଡୁନି । ସତରେ ବେଳେ ବେଳେ ଶୋଇଲା ସମୟରେ ଆଖିରେ ଲୁହ ଚାଲି ଆସେ, ଦିନ ସାରା ସରିଥିବା କାମ ଗୁଡିକୁ ସମୀକ୍ଷା କଲା ବେଳେ । ମନ ଗହନକୁ କିଲ ବିଲ୍ ହୋଇ ପଶି ଆସନ୍ତି ମୋ ଅଂଚଳର ଗାଉଁଲି ମଣିଷମାନେ । ସହାୟତା ପାଇଁ ଆଧାର କାର୍ଡକୁ ଚେକ୍ କରିବେ , ବ୍ୟାଙ୍କ ଖାତାକୁ ଟଙ୍କା ଆସିଲା ନା ନାହିଁ । ଆଖିରେ ଆଖିଏ ସପନ । ପିଲାଟାର କଲେଜ୍ ଆଡମିସନ୍ କରିବି । ଏ ସନ ଫସଲ ଭଲ ହୋଇ ନାହିଁ । ଧାନୁଆ ଆଣିଛି, ଟଙ୍କା ତାକୁ ଫେରାଇବି । ଝିଅ ଘିଅ କଥାଲୋ ବାପା, ଘରେ କାଇଁ ତାକୁ ରଖିବି । ଏ ଟଙ୍କା ଆସିଥିଲେ, ଯାହାର ଜମି ଲିଜ୍
ଆଣିଛି, ତାକୁ ଫେରାଇ ଦେଇଥାନ୍ତି । ଫସଲ କିଛି ବିକିରି କରି ସୁନା ଜିନିଷଟେ କରିଥାନ୍ତି । ଛାଡ, ମୋ ଭାଗ୍ୟରେ ନାହିଁ । ଦି ଚାରି ଦିନ ପରେ ପୁଣି ମୁଁ ଆସିବି କହି, ଛଳ ଛଳ ଆଖିରେ ଫେରି ଯାଆନ୍ତି । ମୋତେ ଲାଗେ, ଏମାନେ କଣ ସହାୟତା ପାଇବା ପାଇଁ ମଣିଷ ନୁହନ୍ତି । କୃଷକ ସହାୟତା ଯୋଜନାରେ କର୍ମ କୋଢିଆ ଆଉ ଚିକଣିଆ ମଣିଷମାନେ ଟଙ୍କା ପାଉଥିବା ସମୟରେ ଏମାନେ କି ଦୋଷ କରିଛନ୍ତି ?
ଗରିବୀରେ ସଢୁଥିବା ମଣିଷମାନଙ୍କ ଚାଷଜମି ଥିବା ଦୂରର କଥା, ରହିବା ପାଇଁ ଦୁଇ/ଚାରି ଡିସିମିଲ ଘର ବାରି ବି ରହିବା ପାଇଁ ନ ଥାଏ । ଯାହା ଥାଏ କୋଉ ଚଉଦ ପୁରୁଷ ବାପ ଅଜାଙ୍କ ନାମରେ ଘର ବାରି ଥାଏ । ଗୋଟିଏ ଘରେ ପୁଅ ବୋହୁ ଶୋଇଲା ବେଳେ, ବାପା ମାଆ କାହା ଘରେ କିମ୍ବା ଦାଣ୍ଡ ପିଣ୍ଡାରେ ଶୋଇଯାନ୍ତି । ଅଥଚ ବର୍ଷ ସାରା ଏମାନେ ବିଲରେ ଖଟନ୍ତି । ଢୁ ଢୁ ବରଷାରେ ବି ଗଂଡାଏ ପଖାଳ ସହିତ ଶୁଖୁଆ ପୋଡା କି ଲଙ୍କା ଲୁଣ ହେଉ ଠିକା ମାରିବା ପାଇଁ ବିଲକୁ ଚାଲି ଯାନ୍ତି । ଖାଉନ୍ଦର ଭାଗ ଚାଷ ବି କରନ୍ତି । ମାଟି ସହିତ ମାଟି ହୋଇଯାନ୍ତି । ଶେଷରେଏମାନଙ୍କର ଘରଣୀ ଆଉ ପିଲାମାନଙ୍କର ଜୀବନ ବି ମାଟି ହୋଇଯାଏ । ମେଘ ଦୁରୁ ଦୁରୁ ସଂଜ ପହରରେ ଘରକୁ ଓଦା ଜୁଡୁ ସୁଡୁ ଥରି ଥରି ଆସୁଥିବା ମହିଳାମାନେ ବିଲରେ ମୂଲ ଲାଗୁଥିବା ମଣିଷମାନଙ୍କର ଘରଣୀ ଏଇ ମାନେ ହିଁ ଥାନ୍ତି । ଗରିବ ଖଟି ଖିଆ ଲୋକମାନଙ୍କ ପିଲା ମାନେ କେବେ ପଢିବାକୁ ଯାଆନ୍ତି ଯେ ? ସକାଳୁ ହୁକୁମ ହୋଇଯାଏ, ହେକ୍, ବାପା ଯାଇଛି ବିଲକୁ । ଗାଧୂଆ ବେଳକୁ କଂସାରେ ଖାଇବା ପାଇଁ ଥୁଆ ହୋଇଛି । ନେଇଯିବୁ । ମୁଁ ଧାନ ରୋଇବାକୁ ଯିବି । ବାସ୍ । ସମୟ ହିଁ ଏମିତି ସରିଯାଏ । ଅଥଚ ଏମାନେ ନା କ୍ଷୁଦ୍ର ଚାଷୀ ହୋଇ ପାରନ୍ତି ନାଁ ଭୂମି ହୀନ ହୋଇ ପାରନ୍ତି । ଶେଷରେ ମୁହଁ ଶୁଖାଇ ଦିନ କାଟିବା ଛଡା ଆଉ କିଛି ନ ଥାଏ । ଜୀବନରେ ଅର୍ଥ ହୀନ, ଜ୍ଞାନ ହୀନ ଓ କ୍ଷମତା ହୀନ ନିଷ୍ପେସିତ ମଣିଷଟିଏ କେବେ ନିଜର ହକ୍ ପାଇଁ ସ୍ବର ଉଠାଇ ପାରେ ନାହିଁ । କିନ୍ତୁ ମୋ ଦେଶରେ “ଜୟ ଜବାନ, ଜୟ କିସାନ”ର ନାରା ଛୁଟେ । ସଭା କରା ଯାଏ । ଧଳା ହାତୀମାନେ ବେଶ୍ ନାଚି କୁଦି ହୋଇ ଗଳା ଝାଡି ଭାଷଣ ଦିଅନ୍ତି । ଶେଷରେ ଗରିବ ଚାଷୀଟି ନିଷ୍ପେସଣର ଶିକାର ହୋଇ, “ଢୋକେ ପିଇ,ଦଂଡେ ଜୀଇଁ” ନ୍ୟାୟରେ ଜୀବନ ବିତାଏ ନତୁବା ଦଉଡି ଦିଏ ଆଉ ବିଷ ପିଇ ଜୀବନ ହାରି ଦେଇଥାଏ ।
     ପ୍ରତି ଦିନ କିଛି ନା କିଛି ପିଟିସନ୍ ଆଉ ଦରଖାସ୍ତ ଆସି ପହଂଚୁଥିଲା । ଲୋକମାନଙ୍କୁ
ବିଭିନ୍ନ ପ୍ରଶ୍ନର ଉତର ଦେଉ ଦେଉ ଥକା ଲାଗୁଥିଲେ ବି ସରକାରଙ୍କ ଠୁ ମାଗଣା ସହାୟତା ପାଇଁ କିଛି ଅଯୋଗ୍ୟ ଲୋକଙ୍କର ମାଗି ଖିଆ ଢଙ୍ଗ ବିରକ୍ତ କରି ଦେଉଥିଲା । ଓଡିଶା ରାଜ୍ୟରେ ମାଗି ଖିଆମାନଙ୍କ ସଂଖ୍ୟା କମ୍ ନୁହେଁ । ବିନା ବିନିମୟରେ ଅନ୍ୟ ଠାରୁ କୌଣସି ଦ୍ରବ୍ୟ କିମ୍ବା ଅର୍ଥ ହେଉ ଗ୍ରହଣ କରିବା ବଡ ଅପରାଧ ଅବା ବିବେକହୀନ ହେଲେ ବି ଆମର ଲୋକମାନେ ମାଗି ଖାଇବାରେ ମାହିର୍ ଅଟନ୍ତି । ଓଡିଶାରେ ପ୍ରଚୁର ଖଣିଜ ସଂପଦ ଅଛି । ବିସ୍ତୀର୍ଣ୍ଣ ସାଗରର ବେଳା ଭୂମି ସହିତ କୃଷି ଉପଯୋଗୀ ଚାଷ ଜମି ଅଛି । ଜଙ୍ଗଲ ଅଛି । ପାହାଡ ଅଛି । ହେଲେ କିଛି ଅପାରଗ ନେତୃତ୍ୱରେ ଲୋକମାନଙ୍କୁ ମାଗଣା ଖିଆ ମାନସିକତାର ଅଭ୍ୟାସ ପଡି ଗଲାଣି । ସବୁ ଠାରୁ ଦୁଃଖର କଥା, ଏପରି ନେତୃତ୍ୱରେ ରାଜ୍ୟର ଅର୍ଥନୀତି ଭୁଷୁଡି ପଡିବା ସହିତ ଶୋଷଣ ଓ କଷଣର ମାତ୍ରା ବଢି ଚାଲିଛି । ନିଷ୍ପେସିତ ଜନତାମାନଙ୍କ ନିଷ୍ପେସଣତାର ଆର୍ତନାଦରେ ରାଜ୍ୟରେ ଗରିବୀ ବଢିଛି ସତ, ବୁଡିଗଲା ଗୋଡ ତଳକୁ ତଳକୁ ନ୍ୟାୟରେ ଶୋଷକ ଏବଂ ଶୋଷିତ ବୋଲି ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଛି । ଯାହାର ପରିଣାମ ଅତ୍ୟନ୍ତ ଭୟାବହ ଅଟେ । ତେବେ ଏ ସଂପର୍କରେ କୌଣସି ଗଣ ମାଧ୍ୟମ ସଂସ୍ଥାକୁ ଦେଖା ଯାଏ ନାହିଁ । ଦୁର୍ନିତୀ ପାଇଁ ଲେଖିଲେ ସଂସ୍ଥା ବନ୍ଦ ହୋଇଯିବ ବୋଲି ମାଲିକକୁ ବହୁତ ଭୟ ଥାଏ ।
କ୍ରିଂ.. କ୍ରିଂ । ଡୁନିର ଲୋକ ସେବା କେନ୍ଦ୍ର ସମ୍ମୁଖରେ ମଟର ସାଇକେଲଟିଏ ପାର୍କିଂ କଲା । କଣ ବା କାମ ଥାଏ ପାରେ ? ଅଫିସ ଭିତରକୁ ସୁନା ଫ୍ରେମଲଗା ଚଷମାଧାରୀ ଭଦ୍ର ବ୍ୟକ୍ତି ଜଣକ ପ୍ରବେଶ କଲେ । ବ୍ୟକ୍ତି ଜଣକ ନମସ୍କାର କଲାପରେ ଫାଇଲରୁ ବାହାର କଲେ ବ୍ୟାଙ୍କ ପାସ ବୁକ୍, ଆଧାରକାର୍ଡ ଆଉ ଜମି ପଟ୍ଟା ଆଉ କୃଷକ ସହାୟତା ଯୋଜନା ଆବେଦନ କରିବା ପାଇଁ କହିଲେ । ପାଂଚ ମିନିଟ ମଧ୍ୟରେ କାମ ସରିଗଲା ପରେ କିଛି ଅନୌପଚାରିକ କଥାବାର୍ତା ଆରମ୍ଭ ହୋଇଗଲା ।
-ସାର୍, ଆପଣ କଣ କରନ୍ତି ?
-ରାଜ୍ୟ ସରକାରଙ୍କ ମୃତିକା ସଂରକ୍ଷଣ ବିଭାଗରୁ ମୁଖ୍ୟ କିରାଣୀ ଭାବରେ ଅବସର ଗ୍ରହଣ କଲା ପରେ, ଗାଁରୁ ଭୁବନେଶ୍ୱରରେ ଅଛି ।
-ଆଉ ପିଲାମାନେ ?
- ବଡ ପୁଅ ଏକ ସରକାରୀ ମେଡିକାଲରେ ଚାକିରୀ କରିଛି । ସାନ ପୁଅ ଏକ କଂପାନୀରେ ଅଛି । ହେଲେ ୟେ ଯୋଜନା ବାହାରିଲା ପରେ ବୋହୁ ମୋର ରଖେଇ ଥୋଇ ଦେଉନାହିଁ । କାଲି ରାତିରେ ଗଜର ଗଜର ହୋଇ ଶୋଇଲା । ଖାଇଲା ନାହିଁ । କଣ ବାପା, କରିବି କୁହ । ତାରି ନାମରେ ପକାଇ ଦେଇଛି । ଯଦି ହେଇଯିବ ଭଲ କଥା ???
(୨)
ସମୟ ସକାଳ ଆଠଟା । ଚଉଦ/ ପନ୍ଦର ବର୍ଷର ପିଲାଟିଏ ସହିତ ଜଣେ ବୟସ୍କା ମହିଳା ସାଇକେଲରେ ଆସି ପହଂଚିଲେ । ସକାଳୁ କେଉଁ ଜରୁରୀ କାମ ପାଇଁ ଆସିଲେ ଯେ? ବୟସ୍କା ମହିଳା ଜଣକ ଥର ଥର କଂଠରେ ବାପା, ମୋର ଗୋଟିଏ ଏଫ ଆଇ ଆରଟିଏ ଲେଖି ଦେ । ମୁଁ ଥାନାରେ ଦେବି ବୋଲି କହି କାନ୍ଦିବାକୁ ଲାଗିଲେ । ମନଟା ଭଲ ଲାଗିଲାନି ।
-କଣ ହେଇଛି, କୁହ ମାଆ ।
-କଣ ବାପା, କହିବି । ଘରେ ବଢିଲା ଝିଅ ଦିଟା । ଏବେ ଠୁ ମୂଲ ଲାଗି ଆଉ ଛେଳି ବିକି ଦି ପଇସା ରଖିଛି । ଏବେ ଚାଷୀଙ୍କୁ ପାଂଚ ହଜାର ଟଙ୍କା ମିଳିଥିଲା । ହେଲେ ସେ ବାଡି ଖିଆ ସବୁ ପଇସାକୁ ଆସିକା ଫଟି ପିଇ ଉଡେଇ ଦେଲା । ମୁଁ ତାକୁ କହିବାରୁ ମୋତେ ଦି ଥର ପିଟିଲାଣି ।
-କିଏ ମାଆ ।
-କିଏ ହେବରେ ? ମୋ ଘଇତା ପରା ।
(୩)
- ଭାଇ, ନମସ୍କାର ? ଟିକେ ଆଧାର ନମ୍ବର ଚେକ୍ କରି , କୃଷକ ଟଙ୍କା ପାଇଁ ଫର୍ମ ପକେଇ ଦିଅ ।
- କଣ ପାଇଁ ଭାଇ?
- କଣ କରିବି ଭାଇ, କଲେଜ୍ ପଢିବା ନାଆଁରେ ଅନ୍ନ ଧ୍ୱଂସ କରୁଛି ବୋଲି ମୋ ଭାଇ ସବୁ ଦିନେ ମୋତେ ଶୋଧୁଛି । ସବୁ ଲୋକ ପକାଉଛନ୍ତି । ସରକାର ଦଉଛି । ତୁ କାହିଁକି ସେ ଯୋଜନାରେ ଫର୍ମ ପକାଇ ନ ଥିଲୁ ?
- ତମେ ପରା କଲେଜ୍ ପିଲା ।
- କଣ ହେଲା ସେଉଠୁ ? ଗୋଟେ ଘରେ ତିନି ଚାରି ଜଣ ପାଉଛନ୍ତି । ଭୋଟ ବି ଆମେ ଦଉଛୁ । ଏମିତି କେବଳ କୃଷକ କଉ ପକାଉଛନ୍ତି ଯେ..
- ଯଦି ନ ମିଳିଲା ?
- ଓଃ ଭାଇ, ସମୟ ମୋତେ ନାହିଁ । ତମେ କାମ କରିବା ଲୋକ,କର । ପଇସା ନବ । ଚକୁଳି ନ ଖାଇ ବିଂଧ କାହିଁ ଗଣୁଛ । ମୋ ଭାଇ, ବିଧାୟକର ପାଖ ଲୋକ, ନ ହେଲେ ଚୋପା ଛଡେଇ ଦେବି ।
- ରାଗୁଛ ଯେ.. ହେଲେ ମୁଁ କରି ପାରିବିନି ।
- ସେଇଆ କହୁନ । ସେ କୃଷକ ବନ୍ଧୁ କହିଲା ବୋଲି, ମୁଁ ଆସିଲି । କଟକରେ ପଇସା ପକାଇଲେ କଉ ଜିନିଷ ଅଭାବ ଯେ?
- ହଉ ଆଧାର ନମ୍ବର କୁହ ।
ଡୁନି ଆଉ ଯୁକ୍ତି ତର୍କ କରି ପାରୁ ନ ଥିଲା । ତାର କିଛି ବି ରୋଜଗାର ଦରକାର ନା ! ହେଲେ ତାକୁ ଆଶ୍ଚର୍ଯ୍ୟ ଲାଗୁଥିଲା । ଆଧାର ସଂଖ୍ୟା କଂପୁ୍ୟଟରର ପରଦାରେ ଦେଇ ସାରିଲା ପରେ,ହିତାଧିକାରୀ ଟଙ୍କା ପାଇ ସାରିଛି ବୋଲି ଇଂଟରନେଟ ମାଧ୍ୟମରେ ବାର୍ତା ଆସୁଥିଲା । କି ଆଶ୍ଚର୍ଯ୍ୟ ! କଲେଜ ପିଲାମାନେ ବି କୃଷକ ହୋଇ ଯାଆନ୍ତି ????
ସତରେ ଲାଜରେ ଆଖି ନଇଁ ଯାଉଛି । ଭଦ୍ରମୁଖା ପିନ୍ଧା ନେତାଙ୍କ ଚରିତ୍ର ଦେଖି । କେମିତ ଏମାନେ ଜନ ସାଧାରଣମାନଙ୍କ ଭାବ ପ୍ରବଣତା ସହ ଖେଳି ଶାସନ ନାମରେ ଶୋଷଣ କରନ୍ତି । ଏହା ଶାସକର ଆତ୍ମ ଘାତୀ ନୀତି ସହିତ ସମାନ ଏବଂ ଅଭିସନ୍ଧି ମୂଳକ ଅଟେ । କାରଣ ନିଜର ଗୋଷ୍ଠୀଗତ ସ୍ବାର୍ଥ ଭାବେ ଅଭି ସନ୍ଧି ପୂରଣ ପାଇଁ ଅଧିକାରୀମାନଙ୍କୁ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ କରିବା ଦ୍ୱାରା ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି ହୁଏ । ଏକ ଦିଗ ହରା ପ୍ରଶାସନିକ କ୍ଷେତ୍ର ସୃଷ୍ଟି ହେବା ଦ୍ୱାରା ଜନ ସାଧାରଣମାନେ ହା ହୁତାଶନରେ ଜୀବନ ବିତାଇବା ବ୍ୟତୀତ ଆଉ କିଛି ନଥାଏ । ଶେଷରେ ବୁଡି ଗଲା ଗୋଡ ତଳକୁ, ତଳକୁ ।

କାର୍ଯ୍ୟ ନିର୍ବାହୀ ସଂପାଦକ-ଉଦୟ ଭାନୁ,
ସା-ଭୋଦଳ,ପୋ-ପାଟସୁନ୍ଦରପୁର
କଟକ-୦୧୮,ବ୍ରାହ୍ମଣ ସାଇଲୋ
ସଂପର୍କ-୯୨୩୮୫୮୯୧୦୦
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।