9/01/2019

ଦରଦୀ ବନ୍ଧୁ

ଗାୟତ୍ରୀ ଭୋଇ 
ସବୁ କହିଦେଲା ପରେ ମଧ୍ୟ                                  ତୁମେ ବୁଝି ପାରନାହିଁ ମୋର                                ଭାବନାକୁ ,କିନ୍ତୁ ବାରମ୍ବାର ପ୍ରଶ୍ନ କର 
ମୁଁ କାହିଁକି କିଛି କୁହେ ନାହିଁ ତୁମକୁ ?

ମୋ ଉତ୍ତରରେ ସଂଜ୍ଞା, ସ୍ୱରୂପ ତୁମେ 
ବୁଝି ପାରିବ ନାହିଁ ,ଅବୋଧ୍ୟ ମଧ୍ୟ
 ରହିବ ପରିସର ,ପ୍ରକାର ଭେଦ l
ଅଥବା ତୁମେ ବୁଝିଲା ଭଳି ଶବ୍ଦ 
ମୁଁ ଅସମର୍ଥ କହିବା ପାଇଁ l

ତୁମେ ତ ଅଙ୍ଗେ ନିଭେଇ ନାହଁ 
କେମିତି ବୁଝିବ ?
ଧ୍ବଂସବିଧ୍ବଂସ ଜୀବନରେ ସଂଘର୍ଷମୟ 
ମୁହୂର୍ତ୍ତ ଗୁଡିକରେ  ମୁଁ କିପରି ବଞ୍ଚେ ?
ଯନ୍ତ୍ରଣା ଜର୍ଜରିତ କ୍ଷତ ଗୁଡିକ ବିଳାପ 
କରନ୍ତି ,କେଡେ ଅଧୈର୍ଯ୍ୟ ଭାବରେ ?
ଲୁହ ନଈରେ ଅଣନିଶ୍ୱାସୀ ହୋଇ 
ସ୍ବପ୍ନ ସବୁ କିପରି ମୃତ୍ୟୁ ବରଣ କରନ୍ତି ?
ଚନ୍ଦ୍ର ପରି ମୁଁ ମଧ୍ୟ ପକ୍ଷେ ବଞ୍ଚି 
ପକ୍ଷେ ମରେ !

ମୋର ବାହ୍ୟ ଅବୟବ ତୁମକୁ ଶାନ୍ତ ଲାଗେ ,
ତୁମେ କିନ୍ତୁ ଦେଖି ପାରନାହିଁ 
ମୋ ଭିତରେ ନିରନ୍ତର ଝଡ ବହେ !
ମୁଁ କିପରି ସହାନୁଭୂତି ପାଇଁ ଏଣେ 
ତେଣେ ଧାଇଁ ବୁଲୁ ଥାଏ !
ଆର୍ତ୍ତଚିତ୍କାର କରେ !
ସମଗ୍ର ଶରୀର ଥରିଉଠେ  
କେଉଁ ଏକ ଅଜଣା ଆତଙ୍କରେ ,
ଝଡର ପ୍ରଭାବରେ l

ଦୃଢ ସମ୍ପର୍କ ଭିତରେ ଯେବେ 
ଅବିଶ୍ୱାସ ଉଙ୍କି ମାରେ  , ମୁଁ 
ସୀତା ପରି ପରିତ୍ୟକ୍ତ| ହୁଏ ,
ଶୂନ୍ୟକୁ ଜାବୁଡି ଧରି କାନ୍ଦେ l
ପୁଣି ଲୁହପୋଛେ l ସାନ୍ତ୍ୱନା ଦିଏ l
ନିଜ ଭିତରେ ନିଜକୁ ଆବିଷ୍କାର କରେ , 
ନିଜେ ନିଜର ସାଙ୍ଗ ହୁଏ l
ତୁମେ କେବଳ ହସିପାର ! 
ତୁମ ଖୁସିରେ ,ମୋର ଦୁଃଖ ଭରା 
ପରିସ୍ଥିତି ଉପରେ l 
କେବେ ତୁମେ ଲୁହର ସ୍ୱାଦ ଚାଖିନାହଁ   ,
ତେଣୁ ଜାଣିପାରିବ ନାହିଁ 
ମୁଁ କାଇଁ ଲୁହକୁ ଏତେ ଭଲ ପାଏ !
ମରୁଭୂମିରେ ବୁଲି ବୁଲି ଶୋଷ 
ମେଣ୍ଟାଇ ବାରେ କି ଆନନ୍ଦ ଥାଏ ? 
ପରେ ମୁଁ କହିଦିଏ ମୋ ମନ କଥା 
ତୁମ ଆଗରେ ,କାଳେ ତୁମେ ମୋ 
ପାଇଁ ଅବ୍ୟର୍ଥ ଔଷଧ ସାଜିବ ...
ଜୀବନ ମଧୁମୟ କରି ସବୁ ସଂଶୟ 
ଦୂର କରି ଦେବ ...l ପରେ ସବୁ ଚେଷ୍ଟା ବିଫଳ ହୁଏ ,
 ମନ ମୋର ଦରଦୀ ବନ୍ଧୁର ସନ୍ଧାନରେ 
ଘୁରି  ବୁଲୁଥାଏ l

କଣ୍ଟାପଡା ,କଟକ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।