ସ୍ମିତା ମହାନ୍ତି
ମଣିଷର ଏଇଟା ହୁଏତ ଗୋଟେ ସହଜାତ ପ୍ରକୃତି । ବଞ୍ଚି ଥିବା ମଣିଷର ସୁଲଭ ଗୁଣ ଗୁଡିକ ଉପଲବ୍ଧି କରି ପାରେନି ସେ । କିନ୍ତୁ ସେହି ମଣିଷଟି ଇହଲୀଳା ସମ୍ବରଣ କଲା ପରେ ତା'ର ସମସ୍ତ ଦୁର୍ଗୁଣ ଗୁଡିକ ପାଶୋରି ଯାଇ କେବଳ ସୁଗୁଣ ଗୁଡିକ ମନେ ପକାଇ ବାହୁନୁ ଥାଏ । ମୁଁ ବା ସେଥିରୁ ବାଦ୍ ପଡନ୍ତି କିପରି ? ସେଇ ମଣିଷ ନା ମୁଁ ! ଦୀର୍ଘ ବାଇଶି ବର୍ଷର ବିବାହିତ ଜୀବନ ଭିତରେ ଅନେକ ଗୁଡିଏ ଚରିତ୍ର ଜୀବନରେ ଆସିଛନ୍ତି । କିନ୍ତୁ ଆଜି ଯୋଉ ଚରିତ୍ର ବିଷୟରେ ଲେଖିବାକୁ ଯାଉଛି ସେ ଚରିତ୍ର ବୋଧହୁଏ ସମାଜରେ କାଁ ଭାଁ ଦେଖିବାକୁ ମିଳିବେ। କି ତ୍ୟାଗ ନିଜ ସ୍ତ୍ରୀ ଓ ପରିବାର ପାଇଁ ! ଆଜି ମନେ ପଡିଲେ ଆଖିରେ ଲୁହ ଆସେ । କିନ୍ତୁ ସେତେବେଳେ ଅତି ପାଖରେ ଥିଲେ ମଧ୍ୟ କାହିଁକି କେଜାଣି ସେ ମହାନ ଚରିତ୍ର ପାଇଁ କିଛି କରି ପାରି ନଥିଲି ? ଏକୁଟିଆ ବସିଲେ ବହୁତ ଭାବେ ତାଙ୍କ ବିଷୟରେ । ଖାଲି ତ୍ୟାଗ , ଦାୟିତ୍ୱ ଓ କର୍ତବ୍ୟଵୋଧାତା ଭିତରେ ସଙ୍କୁଚିତ ହୋଇ ରହିଗଲା ମଉସାଙ୍କ ଜୀବନ ।କ'ଣ ପାଇଲେ ଜୀବନରେ ! କ'ଣ ହରାଇଲେ ଜୀବନରେ !
ମୋଅ ପୁଅର କ୍ଳାସ - ୧ ହୋଇଥାଏ । ଆମ ଉପର ଘର ଖାଲି ଥାଏ । ଦିନେ ହଠାତ୍ ଘର ଖୋଲା ହୋଇ ସଫା ସଫି ଚାଲିଲା। ସେଥିରୁ ଅନୁମାନ କଲି ଯେ କିଏ ଜଣେ ନୂଆ ଲୋକ ଆସିବେ । ଦୁଇ ତିନି ଦିନ ପରେ ଗୋଟେ ଟ୍ରକରେ ଜିନିଷ ଆସିଲା । ଜିନିଷପତ୍ର ଦେଖି ନାକ ଟେକି ଦେଲି । ମନେ ମନେ ଭାବିଲି କି ଅପରିଷ୍କାର ଜିନିଷ ଗୁଡା ! କେମିତିକା ଲୋକ ଅସୁଛନ୍ତି କେଜାଣି । ତା'ପରେ ପାଖାପାଖି ୫ଟା ବେଳକୁ ଗୋଟେ ଅଟୋ ଆସି ରହିଲା । ସେଥିରୁ ଓଲ୍ହେଇଲେ ଦୁଇଜଣ ସ୍ତ୍ରୀ ଲୋକ , ଗୋଟେ ଝିଅ ଆଉ ଗୋଟେ ପୁଅ । ଜଣେ ଥିଲେ ବୟସ୍କା ମହିଳା । ଚାଲିଚଳଣୀ ରଂଗଢଙ୍ଗ ଲାଗୁଥାଏ ଅଜୀବ । ଆଉ ଜଣେ ଅଳ୍ପ ବୟସ୍କ ମହିଳା ।ଦେଖିବାକୁ ଖୁବ ସୁନ୍ଦର । ଦେଖିକି ଭାବିଲି ଇଏ ବୋଧେ ବୋହୂ । ଆର ଯୁବକ ଜଣକ ପୁଅ ଓ ଝିଅ ଜଣକ ବୋଧେ ମଉସାଙ୍କ ସାନ ଝିଅ । ଆଉ ଗୋଟେ ଝିଅ ଥାଏ ୩ /୪ ବର୍ଷର , ତାକୁ ଭାବିଲି ନାତୁଣୀ । ମୋ' ଅନୁମାନ କିଛି ପରିମାଣରେ ଠିକ୍ ଥିଲେ ବି କିଛିଟା ଭୁଲ ଥିଲା । ପଛରେ ହିରୋପୁକ ଗାଡ଼ିରୁ ଓଲ୍ହେଇଲେ ମଉସା । ତା'ପରେ ସେମାନେ ଉପରକୁ ଗଲେ । ମୋର କିନ୍ତୁ ମନ ଲାଗିଥାଏ ପରିବାର ବିଷୟରେ ଜାଣିବା ପାଇଁ । ସନ୍ଧ୍ୟା ୭ଟା ପାଖାପାଖି ଝିଅଟି ଆସିଲା ପିଇବା ପାଣି ଦୁଇ ବୋତଲ ନେବା ପାଇଁ । ସେ ମନକୁ ମନ ସବୁ କହିଦେଲା । ଝିଅଟି ଯେମିତି ସୁନ୍ଦର କଥାବାର୍ତ୍ତା ମଧ୍ୟ ସେପରି । ପଢୁଥାଏ +୩ । ତା' କଥାରୁ ଜାଣିଲି ବୟସ୍କା ମହିଳା ଜଣଙ୍କ ତା' ମା' । ଆଉ ସିଏ ଭାଇ ଜନ୍ମ ହେବାକୁ ଥିବା ସମୟରୁ ପାଗେଳି ହୋଇଯାଇଛନ୍ତି । ଅଳ୍ପବୟସ୍କ। ସ୍ତ୍ରୀ ଲୋକ ଜଣଙ୍କ ତା' ବଡ଼ ଭଉଣୀ , ବିବାହିତା ତିନି-ଚାରି ବର୍ଷର ଝିଅଟି ଭଉଣୀର ଝିଅ । ପୁଅଟି ତା' ଭାଇ । ବାପା ପାଖାପାଖି ୧୦ ବର୍ଷ ହେବ ଚାକିରୀରୁ ଅବସର ନେଲେଣି ।
ସକାଳ ୫ଟାରୁ ଉପରେ ବେଶ୍ କଥାବାର୍ତ୍ତା ଶୁଭୁ ଥାଏ । ମଉସାଙ୍କ ପାଟି ବହୁତ ବଡ଼ । ବେଳେବେଳେ ବିରକ୍ତ ଲାଗେ । ୟା' ଭିତରେ ୨/୪ ଦିନ ବିତି ଗଲାଣି । ବଡ ଝିଅ ଘର ସଜାସଜି ପରେ ନିଜ ଘରକୁ ଯିବାକୁ ବାହାରିଲା । ମଉସା ସେଦିନ ସକାଳ ବୁଲlରୁ ଫେରିବା ବେଳେ ମୋତେ ବାହାରେ ଠିଆ ହୋଇ ଥିବାର ଦେଖି ରହିଗଲେ । କହିଲେ "ଆଜି ମୋ' ବଡ଼ଝିଅ ଯିବ ତା' ଘରକୁ । ପ୍ରତି ମାସରେ ଆସେ ଟିକେ ମୋତେ ଦେଖା କରିବାକୁ । ଜୋଇଁ ମୋର ବହୁତ ଭଲ। ଝିଅକୁ ପଠାଇ ଦିଅନ୍ତି ସବୁ ମାସରେ ବାପାର ଭଲ-ମନ୍ଦ ବୁଝି ଆସିବାକୁ । ସ୍ତ୍ରୀର ଟିକେ ମୁଣ୍ଡ ଖରାପ ।ପୁଅ ତ ଅମଣିଷ । ସାନ ଝିଅ ଆଉ ମୁଁ ମିଶିକି ଘର କଥା ବୁଝୁ।" ସତକୁ ସତ ଦେଖେ ବାପା-ଝିଅ ମଧ୍ୟରେ ଖୁବ୍ ତାଳମେଳ। ସକାଳୁ ଉଠି ମଉସା ଚା' ତିଆରି କରିଦେବେ। ମାଉସୀଙ୍କୁ ଦେବେ । ଝିଅ ଶୋଇଥିବ ତାକୁ ଉଠେଇ ଚା' ଦେବେ । ଗେଲ୍ଲାରେ କହୁଥିବେ "ମୁନି ଉଠୁ , ଟିକେ ଜଳଖିଆ ବନେଇ ଦେବା ।" ଝିଅ ଉଠିଲେ ବାପା ଝିଅ ମିଶିକି ଜଳଖିଆ ତିଆରି କରି ଦେବେ । ଝିଅ ତା'ପରେ ଚାଲିଯାଏ କଲେଜ। ମାଉସା ରୋଷେଇ କରିବା ଠାରୁ ନେଇ ଲୁଗାପଟା ଧୋଇବା ବଜାରରୁ ପରିବା ଓ ନିତ୍ୟାବଶ୍ୟକୀୟ ଜିନିଷ ଆଣିବା ଇତ୍ୟାଦି କରନ୍ତି । ବେଳେ ବେଳେ ରୋଷେଇ ସାରି କୌଣସି କାମରେ ବାହାରକୁ ଯାଇ ଆସିଲା ବେଳକୁ ମାଉସୀ ସବୁ ତରକାରୀ ଖାଇ ଦେଇଥିବେ। ଆସିକି ଦେଖିବେ କଡେଇ ସଫା । ପୁଣି ତିଆରି କରିବେ ତରକାରୀ ; କମ୍ପାନୀ ଚାକିରୀ ହୋଇ ଥିବାରୁ ପେନସନ ନାହିଁ ମଉସାଙ୍କର । ଟଙ୍କା ଯାହା କିଛି ବ୍ୟାଙ୍କରେ ରଖିଥା'ନ୍ତି , ସେଥିରୁ ମାସକୁ ମାସ କିଛି ସୁଧ ଟଙ୍କା ଆସେ । ସେଥିରେ ବହୁ ହିସାବ କିତାବରେ ଚଳନ୍ତି । ଏତେ ବଡ ପୁଅ , ରୋଜଗାର କିଛି ନାହିଁ । କିନ୍ତୁ ନିଜର ଖରାପ ଅଭ୍ୟାସକୁ ଜାରି ରଖିବା ପାଇଁ ସବୁଦିନ ବାପା ସହ ଝଗଡା କରି କିଛି ଟଙ୍କା ନିଏ । ନ ଦେଲେ ମାରପିଟି ଉପରକୁ କଥା ଆସେ । ଏମିତିକି ମାରିକି ଥରେ ଦୁଇଥର ମୁଣ୍ଡ ବି ଫଟେଇ ଦେଇଛି ମଉସାଙ୍କର । ଭଉଣୀ ବିରୋଧ କଲେ ତା ଉପରେ ମାଡ଼। ବହୁତ ଚେଷ୍ଟା କରି ଥିଲେ ତାକୁ ପାଠ ପଢେଇବା ପାଇଁ । ହେଲେ ବାପା ବା ପୁଅ କାହାର ଦୁର୍ଭାଗ୍ୟ ସେଇଟା ଭଗବାନ ନିର୍ଣ୍ଣୟ କରି ପାରିବେ ସିନା ମଣିଷ ନୁହେଁ । ପିଲାଦିନୁ କୁସଙ୍ଗରେ ପଡି ଯାଇଥିଲା ବୋଲି ବୋଡିଙ୍ଗ ସ୍କୁଲରେ ଛାଡିଲେ ; ହେଲେ ସେଠୁ ତିନି ଥର ଲୁଚି କରି ଚାଲି ଆସିଲା ବୋଲି ସ୍କୁଲରେ ରଖିବାକୁ ଅଧ୍ୟକ୍ଷ ମନl କରି ଦେଲେ ।
ଏମିତି ସମୟ ଗଡି ଚାଲେ । ସାନ ଝିଅ ଇଂରାଜୀ ଅନର୍ସ ରଖି ଆଉ ଡିଷ୍ଟିଙ୍କସନ ରଖି ଯୁକ୍ତ ତିନି ପାସ କଲା ପରେ ମଉସାଙ୍କର ଆଉ ସ୍ନାତକୋତ୍ତର ଡିଗ୍ରୀ କରାଇବାକୁ ଇଚ୍ଛା ନଥାଏ । କିନ୍ତୁ ତାଙ୍କର ଜଣେ ଦୂର ସମ୍ପର୍କୀୟ ଝିଅର ପାଠ ପଢିବା ପାଇଁ ଯାହା ଖର୍ଚ୍ଚ ହେବ ଦେବେ ବୋଲି ପ୍ରତିଶ୍ରୁତି ଦେବାରୁ ମଉସl କୌଣସି ମତେ ରାଜି ହୋଇଥିଲେ ପଢେଇବା ପାଇଁ । ଝିଅ ଘରକାମରେ ବାପାଙ୍କୁ ସାହାଯ୍ୟ କରିବା ସହ ପାଠ ବି ପଢେ । ବଡ଼ଝିଅ ମାସକୁ ଥରେ ଲେଖାଁ ଆସି ପରିବାର କଥା ବୁଝି ଦେଇ ଯାଏ ।ତା' ଶାଶୂଘର ଗାଁରୁ ଘର ପାଇଁ ଚାଉଳ ଗହମ ଇତ୍ୟାଦି ଆଣି ଆସେ ।ଏଠାରେ ଆସି ଗହମ ପାଛୁଡି ଧୋଇ ଭଉଣୀ ହାତରେ ପେଷେଇ ମାସକ ପାଇଁ ଅଟା ଥୋଇବା , ମୁଗ ଆଣିଥିଲେ ତାକୁ ଭାଜି ଡାଲି କରି ଥୋଇଦେଇ ଯିବା କାମ କରିଦିଏ । ମାଉସା ବହୁତ ଗର୍ବ କରନ୍ତି ନିଜ ଝିଅ ମାନଙ୍କୁ ନେଇ । ସ୍ତ୍ରୀ ପାଗେଳୀ ହେଲେ ବି ଦିନେ ସ୍ତ୍ରୀ ପାଇଁ ମନ ଦୁଃଖ କରନ୍ତିନି ବରଂ ସ୍ତ୍ରୀର ସମସ୍ତ କାମ ଯେମିତି ଗାଧେଇ ଦେବା ,ଲୁଗା ଧୋଇ ଦେବା ଇତ୍ୟାଦି କାମ କରିବାରେ କୁଣ୍ଠାବୋଧ କରନ୍ତିନି । ସlନଝିଅ ବେଳେ ବେଳେ ବିରକ୍ତି ଭାବ ପ୍ରକାଶ କରେ ଓ କୁହେ ମା'ଟା କେତେ ମୋ' ବାବାଙ୍କୁ ହଇରାଣ କରୁଚି ଆଉ କରିବ କେଜାଣି । ତା' ପିଲାଦିନ କଥା ବେଳେ ବେଳେ କହି ପକାଏ । ବାବା ତାଙ୍କ ଜୀବନରେ ଖୁସି କ'ଣ ଜାଣି ନାହାନ୍ତି ।ସେମାନେ ଛୋଟ ଥିବା ସମୟରେ ମଉସା ରାତି ୪ଟାରୁ ଉଠି ଜଳଖିଆ ବନେଇ ନିଜେ ଖାଇ ଛୁଆ ମାନଙ୍କୁ ଉଠେଇ ଜଳଖିଆ ଖୁଆଇ (ଏ ସିଫ୍ଟ) ଡ୍ୟୁଟି ଯାଉଥିଲେ । ଆସିଲେ ଦିନ ୨ଟା ; ପୁଣି ରୋଷେଇକରି ପରିବାରକୁ ଖୁଆଉ ଥିଲେ । ଟିକେ ବିଶ୍ରାମ କରି ପିଲାଙ୍କୁ ପଢେଇବା ତାପରେ ରାତି ପାଇଁ ରୋଷେଇ। ଏଇୟା ଥିଲା ତାଙ୍କ ଦିନଚର୍ଯ୍ୟl ।
ଏହିସବୁ ଭିତରେ ଦୁଇବର୍ଷ ପାରି ହୋଇଯାଏ ଓ ସ' ନ ଝିଅର ପି .ଜି ସରିଯାଏ । ବାହାଘର ପ୍ରସ୍ତାବ ଆସେ । କିନ୍ତୁ ଝିଅ ଘରର ପରିସ୍ଥିତି ଦେଖି ବାହା ହେବା ପାଇଁ ନାରାଜ। କୁହେ ବି .ଏ.ଡ କରି ସ୍କୁଲରେ ମାଷ୍ଟରାଣୀ ହେବି ନ ହେଲେ କଲେଜରେ ଅଧ୍ୟାପିକା ହେବି। ବଡ଼ ଝିଅ କିନ୍ତୁ ବେଶ ଭଲ ପ୍ରସ୍ତାବଟିଏ ଆଣିଥାଏ । ପିଲାଟିର ବାପା ଝିଅକୁ ବଡ଼ଝିଅ ଘରେ ଦେଖି ବହୁତ ଉତ୍ସହିତ ଥିଲେ ନିଜ ପୁଅ ପାଇଁ ବାହାଘର କରିବାକୁ । ସେ ନିଜେ କଲେକ୍ଟର । ଗୋଟେ ପୁଅ ; ଝିଅ ଦୁଇଜଣ ବାହା ହୋଇ ଯାଇଛନ୍ତି । ପୁଅ ଦିଲ୍ଲୀରେ କମ୍ପାନୀ ଚାକିରୀ । ଘରେ କେବଳ ସ୍ତ୍ରୀ ଓ ବୁଢ଼ୀ ମ।' ମଉସା ମଧ୍ୟ ଖୁସି । ଏତେ ଭଲ ପ୍ରସ୍ତାଵ ମିଳିବନି । ବନ୍ଧୁବାନ୍ଧବଙ୍କ ସହାୟତାରେ ବାହାଘର କରିଦେଲେ । ଏବେ ଘର ସମସ୍ତ ଦାୟିତ୍ୱ ନିଜକୁ ତୁଲାଇବାକୁ ପଡିଲା । ସେପଟେ ସାନଝିଅକୁ ନେଇ ବହୁତ ଖୁସି । ବହୁତ ଭଲରେ ଥିଲା ଦିଲ୍ଲୀରେ । ବଡ଼ ଝିଅ ମଝିରେ ମଝିରେ ଆସି ବୁଲି ଯାଏ ।କିଏ ଅଛି ଦେହରେ ମୁଣ୍ଡରେ ଟିକେ ହାତ ବୁଲାଇବାକୁ। ଧୀରେ ଧୀରେ ଶରୀର ଦୁର୍ବଳ ଓ କ୍ଷୀଣ ହେବାରେ ଲାଗିଲାଣି । ଆଉ ସକାଳେ ବୁଲିବାକୁ ଯାଇ ପାରୁ ନାହାନ୍ତି । ପରିବା ଆଣିବାକୁ ଜଣେ ପୁତୁରାକୁ କୁହନ୍ତି ନହେଲେ ତା'ସହ ଗାଡ଼ିରେ ବସି ଯା'ନ୍ତି । କିଏ ଜଣେ ଦୂର ସମ୍ପର୍କୀୟ ରାଜସ୍ଥାନରେ ଥା'ନ୍ତି । ସେ କୌଣସିମତେ ପୁଅକୁ ବୁଝାସୁଝା କରି ସେଠାକୁ ନେଇ ଗୋଟେ କାମରେ ଲଗାଇ ଦିଅନ୍ତି । ମାଉସା ଟିକେ ଶାନ୍ତିରେ ନିଶ୍ୱାସ ମାରନ୍ତି । ମୋ' ଅନ୍ତେ ଭଉଣୀ ମାନଙ୍କ ଉପରେ ବୋଝ ନ ହେଉ ବୋଲି ଭାବନ୍ତି । ବିଚରା ମୋ' ଝିଅ ମାନେ କେତେ କରିବେ ? ପାଗେଳୀ ମା'କୁ ତ ମୋ' ପରେ ସମ୍ଭାଳିବେ ; ପୁଣି ଏ ଭେଣ୍ଡା ପୁଅକୁ ବି । କିନ୍ତୁ ପୁଅ କାମରେ ଲାଗିବl ପରେ ନିଜକୁ ବେଶ ହାଲୁକା ମନେ କରୁଥିଲେ ।
ୟା' ଭିତରେ ୪/୫ ବର୍ଷ ବିତି ଗଲାଣି । ଆମେ ଘର ବଦଳାଇ ନୂଆ ଯାଗାକୁ ଆସି ଯାଇଛୁ । ସେ ବର୍ଷ ପ୍ରବଳ ଶୀତ ପଡିଥାଏ । ସକାଳ ପ୍ରାୟ ଆଠଟା କି ସାଢେ ଆଠଟା ହେବ ଫୋନ ବାଜି ଉଠିଲା ମୋର । ଫୋନ କରିଥିଲେ ପୁରୁଣା ଘର ପଡୋଶୀ | ଷଡ଼ଙ୍ଗୀ ମଉସା ଗାଧୁଆ ଘରେ ସକାଳୁ ପଡି ଯାଇଛନ୍ତି । କ୍ଷୀରଵାଲା କବାଟ ବlଡେଇଛି । କେହି ନ ଖୋଲିଲାରୁ କବାଟ ଆଉଜା ହୋଇଥିବା ଦେଖି ଭିତରେ ପଶିଲା । ମଉସା ଗାଧୁଆ ଘରେ ପଡି ଥିବାର ଦେଖି ପଡିଶା ଘର ଲୋକଙ୍କୁ ଡାକି ଉଠାଉଠି କରି କୌଣସିମତେ ହସ୍ପିଟାଲରେ ଆଡ଼ମିଟ କରି ତାଙ୍କ ଝିଅ ମlନଙ୍କୁ ଫୋନ କଲେ । ଝିଅ ଦୁଇଜଣ ରାଞ୍ଚି ଆସି ପହଁଚିଲା ବେଳକୁ ଆଉ କିଛି ନଥିଲା । ସବୁ ସରି ଯାଇଥିଲା । ହୃଦ୍ଘାତ ଜନିତ ମୃତ୍ୟୁ ବୋଲି ଡାକ୍ତର ଘୋଷଣା କରି ସାରିଥିଲେ । ଏବେ ଥିଲା ପୁଅକୁ ଅପେକ୍ଷା । ଜୀବନ ସାରା ଯାହା ପାଇଁ ସବୁଠୁ କଷ୍ଟ ଓ ଦୁଃଖ ପାଇ ଆସିଥିଲେ ସେ ପୁଣି ମୁଖାଗ୍ନି ନ ଦେଲେ ମଉସାଙ୍କର ଆତ୍ମା ଶାନ୍ତି ହେବନି ! ଧନ୍ୟ ଆମ ପ୍ରଥା ଓ ବିଚାର ।ଯାହା ହେଉ ପୁଅ ତା'ପର ଦିନ ସନ୍ଧ୍ୟାରେ ଆସି ରାଜସ୍ଥାନରୁ ପହଞ୍ଚିବା ପରେ ଶବ ସଂସ୍କାର ହେଲା । ସମସ୍ତ କ୍ରିୟା କର୍ମ ଝିଅମାନେ ସମାପନ କଲେ । ମା'ର ଦାୟିତ୍ବ ଏବେ ଦୁଇ ଝିଅଙ୍କ ଉପରେ । ସେଦିନ ବୋଧେ ମାଉସୀଙ୍କର ଦାୟିତ୍ୱ ଦୁଇ ଝିଙ୍କ ହାତରେ ସମର୍ପି ସେ ମହାନ ଆତ୍ମା ଚୀରବିଶ୍ରାମ କଲେ ବୋଲି ମୁଁ ଭାବେ । ପ୍ରକୃତରେ କଥାଟି କଣ ସତ ନୁହେଁ କି "ଦୁହିତା , ଦୁଇ କୂଳକୁ ହିତା" ??
❇ରାଉରକେଲା❇
Smitamohanty73@gmail.com
ଜୟ ସାହିତ୍ୟ, ଜୟ ସମାଜ🌠
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।