ସୁଭାଷିନୀ ଜୀ

ମାଗିବାକୁ ଆଉ କିସ ଅଛି ବାକି
ମାଗିବି ଆଞ୍ଜୁଳା କରି
ଜଳ,ସ୍ଥଳ,ନଭ, ବନ,ତରୁ,ଲତା
ସବୁ ତ ଦେଇଛ ଭରି ।
ବୃକ୍ଷରେ ଭରିଛ ସୁମଧୁର ଫଳ
ସୁଶୀତଳ ଛାୟା ତା'ର
ଶୀତଳ ସମୀର ବହେ ନିରନ୍ତର
ଧରି କୁସୁମ ସମ୍ଭାର ।
ପ୍ରାଚୀ ଲଲାଟରେ ସିନ୍ଦୂର ଟୋପାଟେ
ଦିଶେ ପାହିଗଲେ ରାତି
ଜହ୍ନ ସଙ୍ଗେ ତାରା ଫୁଲମାନ ଫୁଟେ
ଚ଼ିରି ରଜନୀର ଛାତି ।
ସୁଉଚ୍ଚ ପର୍ବତ ସୁନୀଳ ସାଗର
ଉପରେ ନୀଳ ଚ଼ାନ୍ଦୁଆ
ତୁମେ ଦେଇଅଛ ଏ ଧରିତ୍ରୀ ମାତା
ଯେଉଁଠି ହୋଇଛି ଠିଆ ।
ସରୁ ଝରଣୀଟେ ଦେଇଅଛ ପ୍ରଭୁ
ମେଣ୍ଟାଇବାକୁ ମୋ' ତୃଷ୍ଣା
ନିଶି ହେଲେ ଶଶୀ ନୀଳ ଆକାଶରୁ
ଢ଼ାଳଇ ଶୀତଳ ଜ୍ଯୋତ୍ସ୍ନା ।
କିସ ଆଉ ପ୍ରଭୁ ମାଗିବି ତୁମକୁ
ସବୁ ତ ଦେଇଛ ଭରି
ଏତିକି ମାଗୁଛି ଯାଉ ଏ ଜୀବନ
ତୁମ ନାମ ଝୁରି ଝୁରି ।
ସମ୍ପାଦିକା - ସାରସ୍ବତ ସାଧନା ସମନ୍ବୟ ସମିତି
ଘାଟଘର ସାହି,ରାଜନୀଳଗିରି,ବାଲେଶ୍ବର
ମୋ-୯୮୫୩୭୮୦୬୯୮
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।