9/01/2019

ଗଣ ବିବାହ

ଛବିରାଣୀ ପତି 


    "ସରଳ ଓ ଅସହାୟ ମଣିଷଟେ ...... ସବୁବେଳେ, ଉପହାସର ପାତ୍ର ହୋଇଥାଏ" । ଏଥିରେ ଦୁଇମତ ନାହିଁ । ସମସ୍ତେ ଦିନେ ନା ଦିନେ ଦାସତ୍ୱ ସ୍ୱୀକାର କରେ ସମୟର । ସେ ପଚାରିକି କି ଗ୍ରହ-ନକ୍ଷତ୍ର , ଧନୀ -ଗରିବ , କି ବୟସର ପାହାଚ ଦେଖି ଆସେନି ! ଆସେ ଅଚାନକ । ଆଉ ସ୍ତବ୍ଧ କରିଦିଏ ସମସ୍ତଙ୍କୁ ।
       ସମୟଟା ସତରେ ବେଇମାନ !! କହି .... କାନ୍ଦ କାନ୍ଦ ହୋଇଗଲେ ଆଦିତ୍ୟ ବାବୁ । ପ୍ରକୁତିସ୍ଥ ହେବା ଲାଗି ଦୁଇ , ଚାରିଟା ଦୀର୍ଘ ନିଃଶ୍ଵାସ ଛାଡ଼ି ଦିଅନ୍ତି..... ଆଖି,ନାକ ବାଟେ କୋହ ଉତୁରି ଆସିବା ପୂର୍ବରୁ । ନିଜର, ଅଜ୍ଞତା ବଶତଃ କରିଥିବା ମସ୍ତବଡ ଭୁଲ ପାଇଁ ସେ ଯେ  ଆଜି କେତେ ଅନୁତପ୍ତ ..... କହିବେ କାହାକୁ  ? ସେ କେବେ ତ କାହା ପାଇଁ ଗାତଟେ ଖୋଳି ନାହାନ୍ତି ! ତେବେ ସେ ଗାତରେ ପଡିଲେ କାହିଁକି ? ଆଜି ସେ ଅଜବ ପରିସ୍ଥିତିର ଶିକାର ହୋଇ ଯନ୍ତ୍ରଣାରେ ଛଟପଟ ହୋଇ ଭାବୁଥିଲେ .....
         
         ସେ ଥିଲେ ସେଦିନର ସେ "ଗଣ ବିବାହ"ର ଜଣେ ସାଧାରଣ କର୍ମକର୍ତ୍ତା । ସ୍ବେଛାସେବୀର ମନଭାବ ....ତାଙ୍କୁ ଟାଣି ନେଇଥିଲା, ସେ ଅସ୍ୱାଭାବିକ ପରିସ୍ଥିତିକୁ । ପଚିଶିରୁ ଅଧିକ ବିଭାଘରର ଆୟୋଜନ ହୋଇଥିଲା ସେଦିନ । ଏତେ ଜନ ସମାରୋହ ...ଯୋଡି ଯୋଡି ବର-କନ୍ୟା .....ବିନା ବାଜା-ବାଣ, ରୋଷଣୀରେ ବି ବେଶ୍‌ ଆଡମ୍ବର ପୂର୍ଣ ଲାଗୁଥିଲା ପରିବେଶ । ହଠାତ, ଶୁଭିଥିଲା ....ବୁକୁଫଟା ଚିତ୍କାର !!! ଆଦିତ୍ୟ ଧାଇଁଲେ ଘଟଣାସ୍ଥଳୀକୁ । ଦେଖିଲେ, ଗୋଟେ କନ୍ୟା
(ମଧୁଚନ୍ଦ୍ରିକା)ର ବାପା-ମାଆ ଭୂଇଁରେ ଲୋଟି ପଡିଲେଣି କାନ୍ଦି କାନ୍ଦି । କାରଣଟା ହେଲା, ..... ଉଭୟ ତରଫର ମାତା,ପିତାଙ୍କର ଦୀର୍ଘ ଦିନର ବନ୍ଧୁତ୍ବ   ସତ୍ତ୍ୱେ ...ତାଙ୍କର ଭାବି ଜୋଇଁ , ବେଦିରୁ ବହା ହେବା  ପାଇଁ ମନା କରିଦେଇ..ଚମ୍ପଟ ମାରିଛନ୍ତି । ମଙ୍ଗୁଳା କନ୍ୟାକୁ ଧରି କୋଉ ମୁହଁ ନେଇ ଘରକୁ ଫେରିବେ...? ତା' ଉପରେ ଦାରିଦ୍ର୍ୟର କସାଘାତ !!! ବିଚରା ଆଦିତ୍ୟ ବାବୁ ଗୋଟେ ସଂସାର ଗଢିବା ପୂର୍ବରୁ ଭାଙ୍ଗି ଯିବାର ଦେଖି .....ପୁଣି ବୃଦ୍ଧ ପିତା-ମାତାଙ୍କର ବିକଳତା ସହି ପାରି ନଥିଲେ । ତାଙ୍କ ସରଳ ମନଟି ତରଳି ଯାଇଥିଲା । ବସି ପଡିଥିଲେ ସେହି ବେଦିରେ ।ଆଦିତ୍ୟ ବାବୁଙ୍କ ମୁଣ୍ଡରେ ମୁକୁଟ ଦେଖି ; ସେଠାରେ ଉପସ୍ଥିତ ସମସ୍ତେ .....ଏହି ଉତ୍ସର୍ଗିକୃତ ମହନୀୟତା ମନଭାବର ଭୁରି ଭୁରି ପ୍ରଶଂସା କରିଥିଲେ । ବାହାଘର ଯଥାରୀତିରେ ସମ୍ପର୍ଣ୍ଣ ହୋଇଗଲା । ବାବୁ ମଧୁଚନ୍ଦ୍ରିକାଙ୍କୁ ଧରି ଘରକୁ ଫେରିଲେ । ତା' ପୂର୍ବରୁ.....ଏ:ଅପ୍ରତ୍ୟାଶିତ ବିଭାଘରର ସୁସମ୍ବାଦ ପହଞ୍ଚି ଯାଇଥିଲା ଆଦିତ୍ୟ ବାବୁଙ୍କ ଘରେ । ମାଆ-ଭଉଣୀଙ୍କ ହାତରେ ଗୃହ ପ୍ରବେଶର ବନ୍ଦାପନା ଥାଳି ଦେଖି.....ଅତ୍ୟନ୍ତ ଖୁସି ହୋଇ ଯାଇଥିଲେ ସେ । ବାଟଯାକ ଉଙ୍କି ମାରୁଥିବା  ନାନା ଭୟ ଓ କଳ୍ପନାଜଳ୍ପନାର ଅବସାନ ଘଟିଥଲା କ୍ଷଣକ ମଧ୍ୟରେ । ଆଦରର ସହିତ ମାଧୁଚନ୍ଦ୍ରିକାଙ୍କୁ ସମସ୍ତେ ହସଖୁସିରେ ଗ୍ରହଣ ବି କରି ନେଇଥିଲେ । କରିବେନି ବି କାହିଁକି  ? ଶିକ୍ଷିତ,ସୁନ୍ଦର ସହିତ ଶାଶୁ - ଶଶୁରଙ୍କୁ ମାନ୍ୟ ଓ ନଣନ୍ଦକୁ ଅପାର ସ୍ନେହ.....ଆଉ ସ୍ୱାମୀ ପାଇଁ ଅଗାଧ ଭକ୍ତି  !!

          ବିବାହର ଦିନ କେଇଟା ଯାଇନି, ହଠାତ ଦିନେ .....ଆଦିତ୍ୟ ଘରେ ପଶୁ ପଶୁ ଶୁଣିଲେ...ବାପା - ମାଆ ବଖାଣୁଛନ୍ତି - "ଏମିତି ଲକ୍ଷ୍ମୀ ପ୍ରତିମାଟେ ଆମେ ଖୋଜି ଥିଲେ ବି ପାଇ ନଥାନ୍ତେ । କୋଟିକରେ .... ଗୋଟିଏ । କି'ଭାଗ୍ୟ ଆମ ପୁଅର ! ପର ଝିଅ ଦେଖ !!...ଘରେ ପଶୁ ପଶୁ ସମସ୍ତଙ୍କୁ ସ୍ନେହ ପଣତରେ ଆବୋରି ନେଲାଣି ।"  ନିଜକୁ ବିଶ୍ୱାସ କରି ପାରୁନଥିଲେ ଆଦିତ୍ୟ । ଏ ଭଳି ଝିଅ.....ଏ'ପରି ଅଭିନୟ ବି କରିପାରେ  ! ତାଙ୍କ ଗୋଡ ତଳୁ ଖସି ଖସି ଯାଉଥିଲା ଯେମିତି ବାଟ ଘରର ଚଟାଣଟି । କାହାକୁ କହିବ ?, କ'ଣ ବା କହିବ ??.....ଏଇ ତ' ଫେରୁଛି ............... ମଧୁଚନ୍ଦ୍ରିକାକୁ ବିବାହ ପ୍ରତ୍ୟାଖ୍ୟାନ କରିଥିବା, ସେହି ଯୁବକକୁ ଭେଟି ।

         ପ୍ରେମ ବିବାହର ବିରୋଧାଚରଣ କରୁଥିବା ବାପା-ମା'ଙ୍କ ତେଜ୍ଯପୁତ୍ର କରିଦେବାର ଧମକରେ ସୁନା ପିଲାଙ୍କ ପରି ଉପସ୍ଥିତ ହୋଇଥିଲେ ସେହି "ଗଣ ବିବାହ"ରେ । ମାତ୍ର,,, " ପ୍ରେମର ଶକ୍ତି" କୁହନ୍ତୁ କି' କୁହନ୍ତୁ," ବିଧିର ବିଧାନ " ....., ବେଦୀକୁ ଯାଉ ଯାଉ ଆଖି ପଡି ଯାଇଥିଲା ମଧୁଚନ୍ଦ୍ରିକାଙ୍କ ଉପରେ । ଆଉ ସେ ମଧୁଚନ୍ଦ୍ରିକାଙ୍କର ସତ୍ୟତା ପ୍ରମାଣ ସହ ପରିପ୍ରକାଶ କରନ୍ତି ନିଜ ବାପା-ମା'ଙ୍କ ଆଗରେ ।ଆଉ ସେଠୁ ତୁରନ୍ତ ପଳାଇ ଯାଆନ୍ତି ଚୁପ୍‌ଚାପ୍‌ । କି ଜାଣି ଥିଲେ ଆଦିତ୍ୟ ବାବୁ.....ଆଳୁ ଖୋଳୁ ଖୋଳୁ , ମହାଦେବ ବାହାରିବେ ବୋଲି ? ସେ ତ ଖାଲି ସେଦିନ ଘଟଣାକୁ ଉପସ୍ଥାପିତ କରନ୍ତେ.... ଯୁବକ ଜଣକ ବଖାଣି ବସନ୍ତି ମଧୁଚନ୍ଦ୍ରିକାର ଚରିତ୍ରକୁ ; ବାହାରେ ରୁହନ୍ତି । ଚାକିରିର ବ୍ୟସ୍ତ ବହୁଳ ଜୀବନ । ଥରେ ଘରକୁ ଫେରନ୍ତେ.... ସୁରା,ନାରୀ ନିଶାଗ୍ରସ୍ତ ସାଙ୍ଗମାନେ, ଟାଣି ନିଅନ୍ତି.... ସେହି ମଧୁଚନ୍ଦ୍ରିକାର ,ମଧୁ ରାତିକୁ । ସହଜେ , ବୟସଟା କରେ ଅଡୁଆ । ଆଉ ନଗଦ ଦେଖିବାକୁ ପାଆନ୍ତି ଖବରକାଗଜରେ "ତାଜା ଖବର" ।  ନିଜ ସୌକ୍‌ ,ଦେହର ଭୋକ.... ଏ ଘୃଣ୍ୟ କାର୍ଯ୍ୟ କରିବାକୁ ବାଧ୍ୟ କରେ ମଧୁଚନ୍ଦ୍ରିକାଙ୍କୁ । ଏପରିକି ଅର୍ଥର ପ୍ରଲୋଭନ ଦେଖାଇ ଟାଣି ନିଅନ୍ତି.... କେତେ କେତେ ସରଳ - ନିରୀହ ଝିଅ ମାନଙ୍କୁ..... ସେହି ଅଫେରା ବାଟର ଅନ୍ଧାରୀ ଗଳିକୁ । ଘର ଲୋକ ଜାଣନ୍ତି.... ଝିଅ ଆମର ହୋଷ୍ଟେଲରେ ରହି ପାଠ ପଢୁଛି । ଦିନେ ହଠାତ୍‌ ହୋଟେଲରେ ରେଡ ହ୍ଯାଣ୍ଡେଡ୍‌ରେ ଧରା ପଡେ । ଆଉ ଚକ୍‌ମା ଦେଖେଇ ଖସି ଆସନ୍ତି ମଧୁଚନ୍ଦ୍ରିକା ।  ଯାହାର ପ୍ରମାଣ ମୁଁ ନିଜେ ଆଉ ଏ  ଖବରକାଗଜ। ଘରକୋଣର ଓଢଣା ତଳେ ଲୁଚି ରହିବାର  ଏକ ପ୍ରୟାସ ମାତ୍ର ।

       ସବୁ ଜାଣି ସାରିଲା ପରେ ; ଆଦିତ୍ୟ ବାବୁଙ୍କ ମୁଣ୍ଡରେ, ହଠାତ ପଡ଼ିଯାଏ ଚଡକ । ସେ ଭାବୁଥା'ନ୍ତି ଅନେକ କିଛି । ମୋ' ଗେଲ୍ଲା ଭଉଣୀଟା ଭାରି ସରଳ, ତା'ହେଲେ କ'ଣ....! ନା, ନା.... ମୁଁ ଏ କ'ଣ ଭାବୁଛି ? କ'ଣ ସବୁ ହେଇଗଲା  ?.....ଚାହୁଁ ଚାହୁଁ ଚାହୁଁ....ମୋ' ଦୁନିଆଁଟା.....! ବହୁତ ଚିନ୍ତା କଲା ପରେ  ସେଦିନ.... କୁହୁଳୁ ଥିବା ମନ ଯନ୍ତ୍ରଣା ଦଗ୍ଧ ଶରୀରକୁ ନେଇ ଛାତ ଉପରେ ରାତିଟା କାଟି ଦିଆନ୍ତି.... ନିରବରେ । ତା' ପରଦିନ ପୋଲିସ୍‌କୁ ଖବର ଦେଇ.....ମଧୁଚନ୍ଦ୍ରିକାକୁ ଛାଡ଼ି ଦେଇ ଆସନ୍ତି ମନ୍ଦିର ବାହାନାରେ । ଧୀରେ ଧୀରେ  କିଛିଦିନ ଅତିକ୍ରାନ୍ତେ....ଘର ଲୋକ ଜାଣିବାକୁ ପାଆନ୍ତି ସତ୍ୟତା । ଆଉ ସମୟ ଓ ଭାଗ୍ୟ ହାତରେ ଛାଡିଦିଅନ୍ତି ଅଦିତ୍ୟଙ୍କର ଭବିଷ୍ୟତକୁ ।
                                                                                            ମଧ୍ୟଶାସନ 
ଜଗତସିଂହପୁର 
ଜୟ ସାହିତ୍ୟ, ଜୟ ସମାଜ

1 comment:

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।