9/01/2019

ସ୍ବତନ୍ତ୍ର ଓଡ଼ିଶା

ପଙ୍କଜିନୀ ଭୋଇ  


ଭାରତ ଭୂଖଣ୍ଡେ ରାଜ୍ୟ ଅନେକ
ସେ ମଧ୍ୟୁ ଉତ୍କଳ ପ୍ରଦେଶ ଏକ,
ପୂଜ୍ୟସ୍ପଦ ପ୍ରିୟ ଜନନୀ ସେହି
ଜନମ ମାଟି ମୋ' ଉତ୍କଳ ଭୂଇଁ,
ମୋ ସୁନାର ମାଟି ;
ଶାନ୍ତି-ମୈତ୍ରୀ-ପ୍ରୀତି ସଙ୍ଗମ ଏଠି ।।

ଶାନ୍ତିର ବାୟୁ ଏ ମାଟିରେ ବହେ
ସୁନାର ଫସଲ ଏ ମାଟିରେ ଫଳେ,
ଶସ୍ୟଶ୍ୟାମଳା ଚଉଦିଗ ଘେରା
ଚିକିମିକି ଦିଶେ ଆହା ମୋତିହୀରା,
ଆକାଶର ତାରା ;
ଫୁଟେ ଫୁଲ ପରି ଏଇ ମାଟି ସାରା ।।

ସ୍ବର୍ଣ୍ଣମୟ  ଏଇ ରାଇଜ ଦେଖି
ପଡିଲା ବିଦେଶୀ ଲୋଳୁପ ଆଖି
ନିଜ ଅଧିକାର ଜାହିର୍‌ ପାଇଁ
ଏ ମାଟି ଉପରେ ତା' ପାଦ ଥୋଇ,
ଏକ ପରେ ଏକ ;
ନାଟ ଲଗାଇଲେ କିଏ କେତେକ ।।

ଶେଷ ସ୍ୱାଧୀନ ସେ ହିନ୍ଦୁ ନରେଶ
ତାଙ୍କ ମୃତ୍ୟୁ ପରେ ଏଇ ପ୍ରଦେଶ
ବିଦେଶୀ କବ୍ଜାରେ ହେଲା ଆୟତ୍ତ
ହେଲା ଖଣ୍ଡ ଖଣ୍ଡ ଓ ବିଖଣ୍ଡିତ,
ଛିନ୍ନ ବିଛିନ୍ନ ;
ରହିଲାନି ତା'ର ନାଁ କି ଚିହ୍ନ ।।

ଇଂରେଜ-ଆଫଗାନ ଆଉ ମୋଗଲ
ମରହଟ୍ଟା ମିଶି କଲେ ଗୋଳମାଳ
ଖଣ୍ଡ ଖଣ୍ଡ କରି ପକାଇ ଦେଲେ
ଓଡିଶାବାସୀଙ୍କ କାଳ ସାଜିଲେ,
କଲେ ଅଲଗା,
ଛିଟିକି ପଡିଲା ମୋ ମାଟି ମା ।।

ଏଇ କି ଉତ୍କଳ ମାଆଟି ମୋର
କି ଅବସ୍ଥା ଆଜି ହେଇଛି ତା'ର
ବୀର ସନ୍ତାନ ସେ ଉଠିଲେ ମାତି
ଚଢ଼ି ଗଲା ପିତ୍ତ, ରକ୍ତରେ ତାତି
ଭିଡ଼ିଲେ ଅଣ୍ଟା ;
ତିଆରି କରିବୁ ନୁଆ ଓଡିଶା ।।

ଖଣ୍ଡ ବିଖଣ୍ଡିତ ଭୁଇଁକୁ ଯୋଡି
ନୁଆ ପ୍ରଦେଶଟି ଦବାକୁ ଗଢି
କୃଷ୍ଣ ଗଜପତି-ମଧୁସୂଦନ
ମିଶ୍ରେ କୃପାସିନ୍ଧୁ-ଫକୀରମୋହନ
ବୀର ଗଙ୍ଗାଧର ;
ନୀଳମଣି ମିଶି କଲେ ବିଚାର ।।

ବିଛିନ୍ନାଂଚଳର ଏକାଠି ପାଇଁ
ଆନ୍ଦୋଳନ ସର୍ବେ କରନ୍ତି ଯାଇ
ନବ ଜାଗରଣ ନୂଆ ଚେତନା
ପ୍ରଦେଶ ଗଠନେ ଦେଲା ପ୍ରେରଣା
ମାତିଲେ ଉଠି ;
ବରଷା ବିଜୁଳି କି ଆଜି ଏକାଠି !!

କେତେ ଆନ୍ଦୋଳନ କରିଲେ ସର୍ବେ
କେତେ ଘାତ-ପ୍ରତିଘାତ ସହିଲେ
ଆସି ପହଞ୍ଚିଲା ଗୋଟିଏ ଦିନ
ଉଣେଇଶ' ଶହ ଛତିଶି ମସିହା ଜାଣ
ଏପ୍ରିଲ ଏକ ;
ସ୍ୱତନ୍ତ୍ର ଓଡିଶା ହେଲା ଗଠିତ ।।

ବିଛିନ୍ନ ଭୁଇଁଟି ହେଲା ଏକାଠି
ଏକାଠି ହୋଇଲା ମୋ ମା' ମାଟି
ନିର୍ଦ୍ଧାରିତ ହେଲା ସ୍ୱତନ୍ତ୍ର ସୀମା
ସ୍ୱତନ୍ତ୍ର ହୋଇଲା ଉତ୍କଳ ମାଆ ,
ପୁଣି ସ୍ୱାଧୀନ ;
ନୁହଁ ଆଉ ବିଦେଶୀଙ୍କ ଅଧିନ ।।

ଲାଞ୍ଜି , ଗୋଲମୁଣ୍ଡା, କଳାହାଣ୍ଡି  
ପିନ୍‌ ନଂ- ୭୬୬୦୧୬ 
ଦୂରଭାଷ - ୭୬୮୪୮୬୪୩୩୧
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।