9/01/2019

ବର୍ଷା ରାତିର କପୋତୀ

ରବିନାରାୟଣ ମଙ୍ଗରାଜ 

ଶୁନ ଶାନ୍ ଅନ୍ଧକାର ରାତ୍ରି
ଝିଙ୍କାରୀଟା ଶୋଇ ଗଲାଣି କେତେବେଳୁ
ପୃଥିବୀକୁ ପରଖୁଛି ଜ୍ୟେଷ୍ଟମାସ ଜ୍ୟେଷ୍ଟ ଜଳବିନ୍ଦୁ
କୋହଲା ପବନର କୋହରେ ଦୋଳାୟିତ ନୀଡ
ଶୁପ୍ତ ଶାବକର ମାୟାରେ ବାନ୍ଧି ହୋଇଛି ଡେଣାଦୁଇଟା
ପଲକରେ ପୃଥିବୀର ପରିବର୍ତ୍ତନ
ସୃଷ୍ଟିର ସୃଷ୍ଟିଟା ପର ହୋଇଯିବ କ୍ଷଣିକରେ
ଚଞ୍ଚୁରେ ଚଞ୍ଚୁରଖି ଅନ୍ଧକାରେ ମାପୁଛି ପବନ
ଜୀବନର ଚଲାପଥେ କ୍ଷଣିକର ଯାତ୍ରୀ....!!

ଡେଣାତଳ ସାମିଆନା ତଳେ
ନିଦାଘେ ଶୋଇଛି ସୃଷ୍ଟି ସ୍ରଷ୍ଟାର ଛାୟାରେ
ନିବିଡେ ବନ୍ଧନଯୁକ୍ତ ସ୍ରଷ୍ଟା ତା' ମାୟାରେ
ମାତୃତ୍ବ ମାୟାରେ ପର ପଖାଳେ ସଧୀରେ
ସମୟର ଦୟାନଦୀ ବହିଯାଏ ଥରେ
ଚଞ୍ଚଳ ପାଦଟା ତୋ'ର ବଢାଇ ନେ' ଦୂରେ
ପୂରୁବା ରକ୍ତିମ ଆଭା ଦେଖାଇ ଦେ' ଥରେ
ଜୀବନ ବେଦୀଟା ଆମ ଦିକିଦିକି ଜଳେ...!!

ମିଳିଥିଲା ଭିଜାପଥେ ଈଶ୍ବର ଆସରା
ଧୀରେ ଧୀରେ ଥମିଗଲା ଆଦ୍ୟ ବାରିଧାରା
ପ୍ରାଚୀ ନଭେ ଫାଟିଲା ସିନ୍ଦୂରା
କେଳି କାକଳିତ ଧରା ହେଲା ଆତ୍ମହରା
କୋକିଳ ଗାଇଲା ସୁଖେ କୁମ୍ଭାଟୁଆ ସାଥେ
ବାଇଆ କିଚିରି କଲା ଦୂର ତାଳ ବଣେ
ପର ଝାଡି ପର କରି ଦୂରେ ଗଲା ମେଘ
ମତୁଆଲା ମହୁ ଖାଇ ପାଶେ ଡେଣା ମେଲି
ସତେ କହେ କପୋତୀ ଲୋ ହେଲାଣି ସକାଳ
ବିଛୁରିଛି ଧରଣୀରେ ନାଲିନାଲି ଖରା......!!

ଭବବୈଦ୍ଯେଶ୍ବର-ବାଙ୍କୀ-କଟକ
ହାଲୋ - ୯୪୩୭୪୪୧୩୯୮
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।