9/01/2019

ବର୍ତ୍ତମାନ ସମାଜ ଓ ଗଣ ବିବାହ

ଅଞ୍ଜନା କୁମାରୀ ଖଣ୍ଡୁଆଳ
     ସଂସ୍କୃତି - ପରମ୍ପରା ଦୃଷ୍ଟିରୁ ଦେଖିଲେ ଭାରତବର୍ଷରୁ ହିଁ ସଂସ୍କୃତିର ସୃଷ୍ଟି , ଆମ ସଂସ୍କୃତି ହେଉଛି ବୈଦିକ ସଂସ୍କୃତି ; ଆମର ସନାତନ ହିନ୍ଦୁ ସଂସ୍କୃତି ସବୁବେଳେ କହି ଆସିଛି -"ସର୍ବେ ଭବନ୍ତୁ ସୁଖୀନଃ" । ଅର୍ଥାତ୍ ସମସ୍ତେ ଭଲରେ ରୁହନ୍ତୁ । ମହାନ ସନ୍ଥ ସ୍ବାମୀ ବିବେକାନନ୍ଦ ମଧ୍ୟ ସମଗ୍ର ଭାରତ ଭ୍ରମଣ କରି ଅନୁଭବ କରିଥିଲେ - ଧର୍ମ ହିଁ ଭାରତର ଶକ୍ତି ଓ ସମ୍ପଦ ; ବସୁଧୈବ କୁଟୁମ୍ବକମ୍‌ - ସାରା ବସୁଧା ଗୋଟିଏ ପରିବାର । ଏହି ମହାନ ବିଚାର ହେଉଛି ହିନ୍ଦୁ ସଂସ୍କୃତିର । ଆମେ ଯଦି ଇତିହାସ ପୃଷ୍ଠା ଓଲଟାଇବା ତେବେ ଜାଣି ପାରିବା ଭାରତର ସଭ୍ୟତା କେତେ ପ୍ରାଚୀନ ; ଏତେ ବଡ଼ ସୃଷ୍ଟିର ନିଶ୍ଚୟ ଜଣେ କେହି ସ୍ରଷ୍ଟା ଅଛନ୍ତି ଏ କଥା ଭାରତର ମୁନିଋଷି ମାନେ ହିଁ ପ୍ରଥମେ ସମଗ୍ର ବିଶ୍ୱକୁ ଜଣାଇଥିଲେ । ଅନ୍ଧାରରେ ବାଉଳିଚାଉଳି ହେଇଥିବା ବିଶ୍ୱବାସୀଙ୍କୁ ଦେଇଥିଲେ ଆଲୋକର ସନ୍ଧାନ ; "ମିଳିମିଶି ରହିବା ,ବାଣ୍ଟିକୁଣ୍ଟି ଖାଇବା" - ଏହି ବାଣୀ ଥିଲା ତାଙ୍କ ହୃଦୟର ବାଣୀ ।

    ଏହି ମହାନ ଉକ୍ତିକୁ ସାର୍ଥକ କରିବା ପାଇଁ ସେମାନେ ବିଧିବଦ୍ଧ ଭାବରେ ବିବାହ କାର୍ଯ୍ଯ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ହିନ୍ଦୁ ଧର୍ମ ଅନୁସାରେ ବିବାହ ଆଠ ପ୍ରକାର ଯଥା :- ୧) ବ୍ରାହ୍ମ , ୨) ଦୈବ , ୩) ଆର୍ଷ , ୪)
ପ୍ରଜାପତ୍ଯ , ୫) ଆସୁର , ୬) ଗାନ୍ଧର୍ବ , ୭) ରାକ୍ଷସ ,୮) ପୈଶାଚ ; ସାଧାରଣତଃ ବ୍ରାହ୍ମ ବିବାହ ସମ୍ପାଦିତ ହୋଇ ଥାଏ । ବର-କନ୍ୟା ଦୁହେଁ ଯଥାବିଧି ବ୍ରହ୍ମଚର୍ଯ୍ୟ ପୂର୍ବକ ବିଦ୍ବାନ, ଧାର୍ମିକ ଓ ସୁଶୀଳ ହୋଇ ପରସ୍ପର ପ୍ରସନ୍ନତାର ସହିତ  ବିବାହ  ରୀତିକୁ  ବ୍ରାହ୍ମ  ବିବାହ  କୁହାଯାଏ । ରୀତିନୀତି ଅନୁସାରେ ବିବାହ କାର୍ଯ୍ଯ ସମ୍ପନ୍ନ ହେବା ସମୟରେ ପତିପତ୍ନୀ ଉଭୟେ ଉପବୀତ ଧାରଣ କରିଥା'ନ୍ତି ; ଏହାର ଅର୍ଥ ଦାମ୍ପତ୍ଯ ଜୀବନକୁ ସରସ-ସୁନ୍ଦର କରିବା ପାଇଁ ତିନି ଜଣଙ୍କୁ ପ୍ରାଧାନ୍ୟ ଦେବେ, ସେମାନେ ହେଲେ ପିତା-ମାତା-ଗୁରୁ । ଏହି ତିନି ଜଣ ଯେବେ ଖୁସି ହୁଅନ୍ତି ପରିବାରଟି ମନ୍ଦିର ପାଲଟି ଯାଏ ଓ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ ; ଯେଉଁ ସୁଖ-ଶାନ୍ତି ପାଇଁ ପ୍ରତ୍ଯହ ଆମେ ମନ୍ଦିର ଯାଉ , ତାହା ଆମ ପରିବାରରୁ ମିଳିବ ।

              ଆମର ପରମ ଗ୍ରନ୍ଥ ବେଦରେ ପ୍ରଭୁ ଆଦେଶ ଦିଅନ୍ତି ଯେ - "ହେ ମନୁଷ୍ୟଗଣ ! ତୁମ ମାନଙ୍କର ପାରସ୍ପରିକ ବ୍ଯବହାର ସଦ୍‌ଭାବ ପ୍ରତିଷ୍ଠିତ ହେଉ , ମନରେ ଶୁଭ ସଙ୍କଳ୍ପ ଉଦ୍ରେକ ହେଉ ତଥା ପରସ୍ପର ମଧ୍ୟରେ ଦ୍ବେଷ ଭାବ ବିନିଷ୍ଟ ହେଉ । ଜଣେ ମନୁଷ୍ୟ ସହିତ ଅନ୍ଯ ଜଣଙ୍କର ଏପରି ସ୍ନେହ ପୂର୍ଣ୍ଣ ବ୍ଯବହାର ହେଉ ଯେପରି ସଦ୍ଯ ପ୍ରସୂତା ଧେନୁ ନିଜର ନବଜାତ ବାଛୁରୀକୁ ସ୍ନେହ କରେ ; ବ୍ଯବହାର ପ୍ରେମପୂର୍ଣ୍ଣ କର । କୌଣସି ମନୁଷ୍ୟ କାହାରିକୁ ପତିତ କରିପାରେ ନାହିଁ । ପ୍ରତ୍ଯେକ ମନୁଷ୍ୟ ନିଜର କୁକର୍ମ ଯୋଗୁ ହିଁ ପତିତ ହୋଇଥା'ନ୍ତି , ତଥା ସଦ୍‌ଗୁଣ ଗୁଡ଼ିକୁ ଧାରଣ ଦ୍ବାରା ଋଷି ଏବଂ ଦେବତା ହୁଅନ୍ତି । ପୁରାଣ ଶାସ୍ତ୍ରବିତ୍‌ ମହାମନିଷୀ ମାନଙ୍କର ମତ ଅନୁଯାୟୀ ଚତୁଃବର୍ଣ୍ଣାଶ୍ରମ ମଧ୍ୟରୁ ଗୃହସ୍ଥି ହେଉଛି ଶ୍ରେଷ୍ଠ ଆଶ୍ରମବସ୍ଥା , ଯାହାକି ସମଗ୍ର ସମାଜର ପୃଷ୍ଠପୋଷକତା କରେ । ସେଥିପାଇଁ ବିବାହର
ଆବଶ୍ଯକତା ଅଛି । ମନୁଷ୍ୟ ମାନଙ୍କ ମଧ୍ୟରେ ବିବାହର ନିୟମ ନ ରହିଲେ ଗୃହସ୍ଥାଶ୍ରମର ସମସ୍ତ ଉତ୍ତମ ବ୍ଯବହାର ନଷ୍ଟଭ୍ରଷ୍ଟ ହୋଇଯିବ । କେହି କାହାର ସେବା ଶୁଶ୍ରୂଷା କରିବେ ନାହିଁ , ନାନା ପ୍ରକାର ବ୍ଯାଧି ବର୍ଦ୍ଧିତ ହେବ ଏବଂ ଲୋକମାନେ ଦୁର୍ବଳ ପୁଣି ଅଳ୍ପାୟୁ ହୋଇ ଯିବେ ; କେହି କାହାକୁ ଭୟ ବା ଲଜ୍ଜା କରିବେ ନାହିଁ, ମହା ବ୍ଯଭିଚାର ବଢ଼ି ଯିବ, ଏପରିକି ମାଜର ଅନେକ ବିଶୃଙ୍ଖଳା ଘଟିବ । ସମସ୍ତ ଦୁର୍ଘଟଣା ନିବାରଣାର୍ଥେ ବିବାହ କରିବା ଅତ୍ଯନ୍ତ ଆବଶ୍ଯକ ।

                               "ସତ୍‌ କାର୍ଯ୍ଯ କରି ଅନୁଷ୍ଠାନ ।
                                 ସାର୍ଥକ କର ଦେହ ପ୍ରାଣ  ।।"

         ଆମ ହିନ୍ଦୁ ଶାସ୍ତ୍ରାନୁଯାୟୀ "ଗଣ ବିବାହ" ପ୍ରଚଳନ କେଉଁଠି ଉଲ୍ଲେଖ ନାହିଁ , କିନ୍ତୁ ବର୍ତ୍ତମାନ ସମାଜକୁ ଲକ୍ଷ୍ଯ କରି "ଗଣ ବିବାହ" କରାଯାଉଛି । ଏହି "ଗଣ ବିବାହ"ର ଆଦର୍ଶ କ୍ଷଣିକ ନ ହୋଇ ହେଉ ଚିରନ୍ତନ ଶାଶ୍ବତ । ବିବାହ କେବଳ ନୂତନ ଜୀବନର ଆରମ୍ଭ ନୁହେଁ ; ବରଂ ପୂର୍ବତନ ସମ୍ପର୍କ ଓ ବର୍ତ୍ତମାନର ଦାୟିତ୍ବ ମଧ୍ୟରେ ଏହା ଏକ ଅପୂର୍ବ ସମନ୍ବୟ - ଏକ ସୁସଂହତ ଜୀବନ ଶୈଳୀର ଅନୁସରଣ । ବିବାହରେ ପୁରୁଷ ଅପେକ୍ଷା ନାରୀର ଭୂମିକା ଗୁରୁତ୍ତ୍ବପୂର୍ଣ୍ଣ । ନାରୀର ଅନ୍ଯ ଏକ ରୂପ - ପତ୍ନୀ , ପତ୍ନୀ - ପତିର ଅର୍ଦ୍ଧାଙ୍ଗିନୀ । ଯଦି ଅର୍ଦ୍ଧେକ ଅଙ୍ଗ ଶକ୍ତିହୀନ ପକ୍ଷାଘାତ ରୋଗାକ୍ରାନ୍ତ ହୁଏ , ତେବେ ଅପରାର୍ଦ୍ଧ ମଧ୍ୟ ଅଚଳ ପାଲଟି ଯାଏ । ଏଣୁ ଯେଉଁ ନାରୀ ଭିତରେ ଅନଗ୍ରସରତା ଭରିଥାଏ ସେ ସମାଜ ପାଇଁ କିଭଳି ଏକ ଶିଶୁର ମୂଳଦୁଆ ତିଆରି କରିବ ତାହା ପରିକଳ୍ପନୀୟ । ଇତିହାସ ସାକ୍ଷୀ ରହିଅଛି , ଅଭିମନ୍ଯୁ ଚକ୍ରବ୍ଯୁହ ଭେଦ କରିବାର ମୂଳମନ୍ତ୍ର ମାତା ସୁଭଦ୍ରାଙ୍କ ଗର୍ଭରୁ ପାଇଥିଲେ । ଜେଜୀ ମାତାଙ୍କ କୋଳରେ ରାମାୟଣ ଓ ମହାଭାରତର ବୀର ପୁରୁଷଙ୍କ କାହାଣୀ ଶୁଣି ଶୁଣି ମହାରାଜ ଶିବାଜୀ ଛତ୍ରପତି
ହୋଇଥିଲେ । କଠିନ ଆଧ୍ଯାତ୍ମିକତା ଏବଂ ସଞ୍ଜମର ଗୁଣ ଗାନ୍ଧିଜୀ ନିଜ ମାଆ ପୁତୁଳିବାଇଙ୍କ ଠାରୁ ଆହରଣ କରିଥିଲେ , ରାଣୀ ମଦାଳସା ତାଙ୍କ ପୁତ୍ର ମାନଙ୍କୁ ଗର୍ଭରେ ଥିଲା ସମୟରେ ବ୍ରହ୍ମଜ୍ଞାନର ଶିକ୍ଷା ଆହରଣ କରାଇଥିଲେ । ବିଶ୍ୱବିଜୟୀ ବିବେକାନନ୍ଦ କହନ୍ତି - "ପୃଥିବୀର ଅନ୍ଯ କୌଣସି ନାରୀ ଅପେକ୍ଷା ଭାରତୀୟ ନାରୀ ଅଧିକ ସୁସଂସ୍କୃତ ଓ ସୁରୁଚି ସମ୍ପନ୍ନା" ; ଯାହା ତାଙ୍କଜୀବନରେ ପ୍ରତିଫଳିତ ନିଜ ମାଆଙ୍କ ପାଇଁ ।
               ଉପରୋକ୍ତ ଆଲୋଚନାରେ ଆମେ ବେଦ ପୁରାଣ ଓ ଇତିହାସ ବିଷୟରେ କିଛି ଆଲୋଚନା କଲେ । ସଦ୍‌ଗ୍ରନ୍ଥ ପଠନ ଦ୍ବାରା ମନୁଷ୍ୟର ମନ ପବିତ୍ର ହେବା ସହିତ ଭଗବାନଙ୍କ ପାଖରେ ସମର୍ପିତ ହୋଇଥା'ନ୍ତି । ମହାପୁରୁଷଙ୍କ ପଦାନୁସରଣ ଦ୍ବାରା ଜୀବନର ପଥ ସୁଗମ ତଥା ସରଳ ହୁଏ , ମନରେ ନମ୍ରତା ଆସେ । ବର୍ତ୍ତମାନ ବିଶୃଙ୍ଖଳିତ ସମାଜକୁ ଶୃଙ୍ଖଳିତ କରିବା ଦାୟିତ୍ବ ପିତାମାତାଙ୍କର । ପିଲାମାନଙ୍କୁ ନିଜଠାରୁ ଦୂରେଇ କେବଳ ଭଲ ରୋଜଗାର କ୍ଷମ କରିବାକୁ ଆମେ ଶିକ୍ଷା ଦେଉଛେ , ମାତ୍ର ଭଲ ମଣିଷ ହେବା କଥା ଭୁଲି ଯାଉଛେ । ଝିଅଟିଏ ବଡ଼ ହେଲେ ତାକୁ ଉଚିତ୍ ସଂସ୍କାର ଦେବା ମାଆର କର୍ତ୍ତବ୍ୟ , ତାହା ଆଜି ଓଲଟା ହେଉଛି । ଝିଅଟିଏ ଶାଶୁଘରକୁ ଗଲେ ପ୍ରଥମେ ତା'ର କାର୍ଯ୍ଯ - ଚାଲିଚଳନର ଭଲ ମନ୍ଦ ବିଚାର ହୁଏ ମାଆର ସଂସ୍କାର ଉପରେ , ତେଣୁ ବର୍ତ୍ତମାନ ମାଆ ମାନେ ଏ ବିଷୟରେ ସଚେତନ ହେବା ଦରକାର । ଯୌତୁକ ଦାନବ ଆମକୁ ଏପରି ଭୟଭୀତ କରିଛି ଯେ ଝିଅଟିକୁ ସଂସାରର ଆଲୋକ ଦେଖାଇବା ପୂର୍ବରୁ ମାରି ଦେଉଛେ ; ଝିଅ ବିନା ସଂସାର ବନ୍ଧନ ଅସମ୍ଭବ ।

       ପରିଶେଷରେ ସ୍ବାର୍ଥାନ୍ଧ ସମାଜରେ ଏକତ୍ରିତ  ବସବାସ ବା ଅବସ୍ଥାନ କରିବା ଜଟିଳ ହୋଇପଡ଼ି ଥିବା ବେଳେ କେତେକ ମହାନୁଭବୀ ସମାଜ ହିତୈଷୀ ମାନେ ଏହି "ଗଣ ବିବାହ" କାର୍ଯ୍ଯକୁ ହାତକୁ ନେଇ ମହତ କାର୍ଯ୍ଯ ସମ୍ପାଦନ କରୁଛନ୍ତି ; ସେମାନଙ୍କୁ ଶତ ଧନ୍ୟବାଦ । କୌଣସି ମହତ କାର୍ଯ୍ଯ କରିବାକୁ ହେଲେ ବହୁ ବାଧାବିଘ୍ନ ଉପୁଜେ । ହେଲେ ସେମାନେ ଭୟଭୀତ ନ ହୋଇ ଲକ୍ଷ୍ଯ ପଥରେ ପହଞ୍ଚିବା ପାଇଁ ଶତତ ପ୍ରୟାସ କରିଥା'ନ୍ତି  ଓ ଦଳିତ ପତିତ ନିଷ୍ପେଶିତ ମଣିଷକୁ ବଞ୍ଚିବା ପଥ  ଦେଖାଇଥା'ନ୍ତି । ସମାଜରୁ ଯୌତୁକ ଜନିତ ନିର୍ଯାତନା ଦୂର କରିବାକୁ ସମାଜ ସଂସ୍କାରକ ସାଧୁ ସନ୍ଥଙ୍କ ମିଳିତ ଆନୁକୁଲ୍ୟରେ ପଠିତ ଏହି "ଗଣ ବିବାହ" କାର୍ଯ୍ଯକ୍ରମ ଲୋକ ମାନଙ୍କ ଉପରେ କିନ୍ତୁ ମହତ ପ୍ରଭାବ ପକାଉ , ଏହା ହିଁ କାମନା । ଏହି ଗଣ ବିବାହ ଦ୍ୱାରା ବିନା ଖର୍ଚ୍ଚରେ ବିନା ଯୌତୁକରେ ଏକାଧିକ ଯୁବକ-ଯୁବତୀ ସେମାନଙ୍କ ସୁଖମୟ ଦାମ୍ପତ୍ଯ ଜୀବନ ଗଠନ କରି ସମାଜକୁ ଦିଗଦର୍ଶନ ଦିଅନ୍ତୁ, ଏହା ବର୍ତ୍ତମାନ ସମାଜ ପାଇଁ ହେଉ ଆଦର୍ଶର ଉତ୍ସ ।
                                🔰 ସାଧୂକ୍ତମ୍‌:-🔰
              ଧନାନି ଜୀବିତଂ ଚୈବ ପରାର୍ଥେ ପ୍ରାଜ୍ଞ ଉତ୍ସୁଜତ୍‌ ।
              ସନ୍ନିମିତ୍ତେ ବରଂ ତୀଗୋ ବିନାଶେ ନିୟତେ ସତି ।।

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।