9/01/2019

ଆସିଛି ପହିଲି ରଜ

ନିବେଦିତା ମହାପାତ୍ର 
~~~~~~~~~
ପହିଲି ଆଷାଢରେ ପାଇ ଶୀତଳ ପରଶ
ଶ୍ୟାମଳ ଶୋଭାରେ ଧରଣୀ ହୋଇଲା ସରସ। ୧                  ଦାରୁଣ ନିଦାଘ ମନରେ ଭରିଥିଲା କ୍ଳେଶ
ସଳିଳଧାରା ପ୍ରବାହନେ ହେଲା ସବୁ ଶେଷ। ୨
ଘନ ମେଘମାଳା ଗଗନ ପଥେ ଭାସିଭାସି
ଅବନୀ ବକ୍ଷେ ଢାଳନ୍ତି ଅଜସ୍ର ବାରିରାଶି । ୩
ଜ୍ୟେଷ୍ଠ ଶେଷ ଦିନ ଆଦ୍ୟ ଆଷାଢ ଦ୍ବିଦିବସ
ସୃଜନ ଶୀଳା ବସୁମତୀ ହୁଅଇ ରଜସ୍। ୪
ଧରିତ୍ରୀ ମାତାକୁ କରିବେ ନାହିଁ ବୋଲି ସ୍ପର୍ଶ
କୃଷିକର୍ମରୁ ଚଷାଭାଇ ନିଏ ଅବକାଶ। ୫
କୁମାରୀ କନ୍ୟାଙ୍କର ମନ ହୁଅଇ ହରସ
ରଜର ପ୍ରସ୍ତୁତି କରନ୍ତି ହୋଇ ହସହସ। ୬
ପହିଲି ରଜ ଅଟଇତ ପ୍ରଥମ ଦିବସ
ଅଳତା କୁଙ୍କୁମକୁ ନାଇ ହୋଇଥାନ୍ତି ବେଶ। ୭
ପରିଧାନ କରି ଅଳଙ୍କାର ନୂତନ ବାସ
ଗୁଆବକଳ ପାଦେ ପୁଣି ପାଦୁକା ସଦୃସ। ୮
ଦୋଳି ଖେଳ ନିମନ୍ତେ ହୋଇଲେ ସମାବେଶ
କୋଳାହଳମୟ ହୋଇ ଉଠଇ ପରିବେଶ। ୯
ଗ୍ରାମ୍ୟସୁତା କଣ୍ଠେ ରଜ ସଂଗୀତର ଉନ୍ମେଷ
ଦୂର କରିଦିଏ ସବୁରି ମନର ଆଳସ। ୧୦
ପୋଡପିଠା ଅଟଇ ଏହି ପର୍ବରେ ବିଶେଷ
ଖାଆନ୍ତି ପ୍ରିୟ ପରିଜନ ହୋଇଲେ ପ୍ରତ୍ୟୁଷ। ୧୧
ରଜ ସଂକରାନ୍ତି ଅଟଇ ଦ୍ବିତୀୟ ଦିବସ
ଭୂମିଦହଣ ନାମେ ପୁଣି ତୃତୀୟ ଦିବସ। ୧୨
ପିଠା,ତାମ୍ବୁଳ ବଣ୍ଟନେ ବିତଇ ଦିବାନିଶି
ଆମୋଦପ୍ରମୋଦରେ ମଜ୍ଜି ହୋଇଥାନ୍ତି ଖୁସି। ୧୩
ଧରାସ୍ନାହାନ ନାମେ ଖ୍ୟାତ ଚତୁର୍ଥ ଦିବସ
ଲଙ୍ଗଳ ଈଷକୁ ପୂଜା କରିଥାନ୍ତି ଗୃହସ୍ଥ। ୧୪
ବିତିଯାଏ ନାଚି ଗାଇ ଆନନ୍ଦେ ତ୍ରିଦିବସ
ରଜ ଭରିଦିଅଇ ଜୀବନେ କେତେ ଉଲ୍ଲାସ। ୧୫

ମୁକୁନ୍ଦ ମିଶ୍ର ନଗର (ପୁରୀ)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।