ଅକ୍ଷୟ ଓଝା
ବାହାର ଜାଗା । ସହରରେ ରୁହେ । ଆଜି ଘରେ ଟିକେ ମନ ମାଳିନ୍ୟ ହେଇଗଲା ସ୍ତ୍ରୀ ସୁରଭିଙ୍କ ସହିତ । ସୁରଭି କଥା ହେଉ ନଥିଲେ । ପିଲାମାନେ ଚୁପଚାପ ତାଙ୍କର ରୁମ୍ରେ ବସି ପଢୁଥିଲେ । ଆମ ତର୍କରେ ବେଳେବେଳେ ପିଲାମାନେ ଉଦାସ ହେଇ ଯାଆନ୍ତି । ତାଙ୍କର ହସ ଖୁସିର ମୁହଁ ଛୋଟ ହେଇଯାଏ । ଅନାଥ ପରି ଲାଗନ୍ତି ।ଆମ ଦୁହିଁଙ୍କ ପାଖରୁ ଦୁରେଇ ରୁହନ୍ତି । ଏହି ଛୋଟ ଛୋଟ ଝଗଡାରେ ବିଶେଷ କୌଣସି କାରଣ ନଥାଏ ।ବେଳେବେଳେ କାହା ମନ ଉଣା ହେଇ ଯାଏ ,ଭାଙ୍ଗି ଯାଏ ।ଆକ୍ଷେପ କରି ଚାଲୁ ପରସ୍ପରକୁ । ବେଳେବେଳେ ଏ ସଂସାରକୁ ବୁଝି ହୁଏନା । ପରିବାରକୁ ସୁଖରେ ରଖିବାକୁ ବୋଝ ମୁଣ୍ଡେଇ ଥିବା ଏକ ସଂସାରୀ ଗାଁ, ଘର,ମା',ବାପ ସବୁ ତେଜ୍ୟାକରି ଶେଷରେ ନିରାଶ ହେଇ ଯାଏ । ଏ ପରି ମନ ମାଳିନରେ ତ୍ୟାଗ ସବୁ ନିରର୍ଥ ପରି ଲାଗନ୍ତି । ନିରାଶା ଛାଇ ଯାଏ । କମ୍ ବୟସରେ ମୁରବି ହେଇ କମ୍ ଅଭିଜ୍ଞତାରେ ସବୁ କିଛି ସମ୍ଭାଳି ହୁଏନି ।
ବାପା ମନେ ପଡନ୍ତି। ବୋଉ ମନେ ପଡେ ।ବଡ କେହି ଜଣେ ଥାଆନ୍ତେ ଏ ଅଡ଼ୁଆ ସୁତାକୁ ଠିକ୍ କରି ଦିଅନ୍ତେ । ସୁଖ ଫେରେଇ ଆଣନ୍ତେ । ସୁରଭି ରାଗିଲେ କେଇ ଦିନ କଥା ହୁଅନ୍ତିନି । ପିଲାମାନେ ଦୁଃଖୀ ରୁହନ୍ତି । ମୁଁ ଚୁପ୍ଚାପ୍ ଅଫିସ୍ ଚାଲିଯାଏ । ଭାରି ଭାରି ମନ ନେଇ ଫେରେ ଅଫିସରୁ । ପିଲାମାନେ ବି ଦୁଃଖୀ ହେଇ ଫେରନ୍ତି ସ୍କୁଲ୍ରୁ ଘରକୁ ; ସୁରଭି ପାଖକୁ । ଘର ଭିତରେ ଏକ ଶୂନ୍ଶାନ୍ ପରିବେଶ ଘର କରିଥାଏ । ବହୁତ ସମୟ ମନ କଷ୍ଟ ହୁଏ ସୁରଭିଙ୍କୁ ଦେଖି । ମୋ ପିଲାଙ୍କୁ ପାଳନ୍ତି । ପରିବାରକୁ ଦେଖନ୍ତି । ପରିବାର ପାଇଁ ଘର କାମରେ ବ୍ୟସ୍ତ ରୁହନ୍ତି । କପଡା ଧୋଇବା ଠୁ ରୋଷେଇ ପର୍ଯନ୍ତ ସବୁବେଳେ ଲାଗି ରହି ଥାଆନ୍ତି । ସିଏବି ନିଜ ମା ବାପା ଙ୍କୁ ଛାଡି ମୋ' ପାଖରେ ଅଛନ୍ତି । ଏ ମନ ମାଳିନ୍ୟର ଅର୍ଥ ମୁଁ ବୁଝି ପାରେନା ବେଳେବେଳେ । କ'ଣ ପାଇଁ କେତେବେଳେ ସୁରଭିଙ୍କର ଆତ୍ମବିଶ୍ବାସ ମୋ ପ୍ରତି କମ୍ ହେଇଯାଏ ମୁଁ ବୁଝି ପାରେନା । ପୁଣି ସମୟ କ୍ରମରେ ସବୁ ଠିକ୍ ହେଇ ଯାଏ ।
ଏ ମୋ ସଂସାର ।ଏ ମୋ ଅଭିବ୍ୟକ୍ତି। ଏ ପରିବାରଠୁ ମୋ ପାଖରେ ବଡ଼ ଆଉ କିଛି ନାହିଁ । ଯାହା ପାଇଁ ମୁଁ ମୋ ମା'କୁ ଛାଡିଛି । ମା' ବୁଢ଼ୀ ହେଇଗଲାଣି । କେମିତି ଖାଉଥିବ, କେମିତି ରହୁଥିବ ଥରୁଟିଏ ପଚାରି ବୁଝି କର୍ତ୍ତବ୍ୟ ସାରି ଦିଏ । ଏ କଠୋର ବଳିଦାନ ପରେ ମୁଁ ମୋ ସଂସାର ଧର୍ମକୁ ପାଳନ କରୁଛି । ଏ ସବୁ କଲା ପରେ ବି ସୁରଭିଙ୍କର ରାଗ ରୁଷା ମୋତେ ଆହୁରି ତଳକୁ ନେଇ ଯାଉଛି ।
ମନେ ଅଛି, ପ୍ରଥମ ଥର ପରିବାରକୁ ନେଇ ସହର ଆସୁଥିଲି । ପୁଅ ବାବୁ ଝିଅ ରିତା ଓ ସୁରଭିଙ୍କୁ ଧରି ସହର ଆସୁଥିଲି ।ଘରଠୁ ଦୁଇ ଶହ ମିଟର ଦୂର ବସ ଧରିବା ରାସ୍ତା । ସାଙ୍ଗରେ ଗୋଡେଇ ଗୋଡେଇ ଆସିଲା ବୋଉ । ବିଦେଶ ଜାଗା ଏମିତି ଚଳିବ, ସେମିତି ଚଳିବ ବୋଉ ବୁଝେଇ ଚାଲିଥିଲା ସୁରଭି କୁ । ମୋ ବିଷୟରେ କହିବାକୁ ଯାଇ ବୋଉ କହୁଥିଲା ସେ ଟିକେ ଅଳସୁଆ । ସମୟରେ ଖାଏନି ସବୁ ଇଆଡ଼େ ସିଆଡେ ଫିଙ୍ଗି ରଖେ ।କପଡାପତ୍ରର ଯତ୍ନ ନିଏନି । ଟିକେ ଧ୍ୟାନ ଦେବୁ ବୋଲି କହୁଥିଲା ସୁରଭିକୁ।
ବସ୍ ଆସିଲା । ଆମେ ଚାରିଜଣ ବସ୍ ଧରିଲୁ । ବୋଉ ରହିଗଲା ବସଷ୍ଟପ୍ରେ । ବସ୍ ଆଗକୁ ବଢ଼ିଲା । ମୁଁ ଝରକାରେ ଲୁହ ଭିଜା ଆଖିରେ ବୋଉଠୁ ବିଦା ହେଉଥିଲି । ତା' ମୁଁହର କରୁଣତା ମୋ ଛାତି ଭିତରେ ଭୂକମ୍ପ ସୃଷ୍ଟି କରିଥିଲା । କେଡେ କଠିନ ପରିସ୍ଥିତିରେ ମୁଁ ମା' ଛଡା ହେଉଥିଲି ବୁଝି ପାରୁ ନଥିଲି । କ'ଣ ହାସଲ କରିବାକୁ ମୁଁ ମୋ ମା'ର ଜଳାଞ୍ଜଳି ଦେଉଥିଲି ମୁଁ ନିଜେ ବୁଝି ପାରୁନଥିଲି । ବୋଉ ରାସ୍ତା କଡରେ ତା' ଲୁଗା କାନିରେ ଲୁହ ପୋଛୁ ଥିଲା । ବସ୍ ମୋଡ ମୋଡ଼ିବା ଯାଏ ସେ ଆମ ଆଡକୁ ଅନେଇ ଛିଡା ହେଇଥିଲା । ମୁଁ ମୋ ଆଖିର ଲୁହ ରୁମାଲରେ ଲୁଚାଉଥିଲି । ଭାବନାର ଅତୀତ ଓ ବର୍ତ୍ତମାନକୁ ମୁଁ ଫେଣ୍ଟି ସାଉଁଟି ଭିତର ଘର ଖଟ ଉପରେ ଆଉଜେଇ ହେଇ ଖବରକାଗଜଟିକୁ ଧରି ବସି ଥିଲି।
ଝିଅକୁ ସମ୍ବୋଧନ କରି ରୋଷେଇ ଘରୁ ସୁରଭିଙ୍କ ଡାକ ଶୁଭିଲା । ମୋ ଭାବନାର ଭଙ୍ଗ ହେଲା । ମୁଁ ଖବରକାଗଜଟିକୁ ବେଡ଼୍ ଉପରେ ରଖି ଦେଲି। ଚାହିଁଲି ସୁରଭିଙ୍କ ଆଡେ । ସୁରଭିଙ୍କ ମନ ପ୍ରାୟ ପରିବର୍ତ୍ତନ ହେଇ ଯାଇଥିଲା ବୋଧହୁଏ । ରୋଷେଇ ଘରୁ ଖୁସି ମନରେ ସେ ଖାଇବାକୁ ବାଢୁଛି ବୋଲି କହୁଥିଲେ ।ପିଲା ମାନେ ପ୍ରସନ୍ନ ଦିଶୁଥିଲେ । ଖବର କାଗଜ ପୃଷ୍ଠା ଭିତର ସେଇ ଦୁଃସମ୍ବାଦ "ପାରିବାରିକ କଳହରୁ ଆତ୍ମହତ୍ୟା"ର ଚିତ୍ର ଅସ୍ପଷ୍ଟ ହେଇ ଆସୁଥିଲା ।
ରାଇଁଲୋ-ନୂଆପଡ଼ା-
କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।