ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
ବସନ୍ତର ମଳୟ ପବନ ଚାରିଆଡେ ମଧୁର ପ୍ଲାବନ ସୃଷ୍ଟି କରିଛି । କୋଇଲି କୁହୁ ତାନରେ ମନ ଆନ୍ଦୋଳିତ । ସତେ ଯେମିତି ଆକାଶ ଓ ଧରଣୀର ମିଳନ କେଉଁ ଯୁଗରୁ ହୋଇନି । ବସୁମତୀ ତା' ସରଳ ଚାହାଣିରେ ଆକାଶକୁ ଚାହିଁଛି । ସତେ ଅବା ମୌନ ଭାବରେ କ'ଣ ସବୁ ମାନ ଅଭିମାନ ଭରା କଥା କହୁଛି । ଦୋଳପୂର୍ଣ୍ଣିମା ରାସ ହୃଦୟରେ ରାଧା କୃଷ୍ଣଙ୍କ ଅମୃତ ପ୍ରେମର ବୀଜ ବପନ କରୁଛି । ମନୀଷା ଆଜି ଖୁସିରେ ପାଗଳ , କାରଣ ଆଜି ତା'ର ବାହାଘର । ଆଜି ତା'ର ସ୍ବପ୍ନ ସାକାର ହୋଇଛି । ବିବାହକୁ ନେଇ କେତେ ଯେ ସ୍ବପ୍ନ ସେ ଦେଖିଥିଲା । ଘରର ଆର୍ଥିକ ପରିସ୍ଥିତି ତା'ର ସବୁ ଇଚ୍ଛା ଓ ସ୍ବପ୍ନକୁ ପୋଡି ପାଉଁଶ କରି ଦେଇଥିଲା ।
ମନୀଷା ଦେଖିବାକୁ ଯେତିକି ସୁନ୍ଦର , ପାଠପଢ଼ା ଓ ଗୁଣରେ କିଛି କମ ନଥିଲା । ନିରୀହ ସରଳ ଝିଅଟିଏ ; ଛୋଟ ବେଳୁ ଅଭାବ ଓ ଅନଟନ ଭିତରେ ସେ ତା'ର ଜୀବନ ଅତିବାହିତ କରି ସ୍ନାତକ ପର୍ଯ୍ୟନ୍ତ ଅଧୟନ କରିଛି । ଚାକିରୀଟିଏ ପାଇଁ ବହୁତ ଚେଷ୍ଟା କରି ଶେଷରେ ଅସଫଳ ହୋଇଛି । ଘରେ କେତୋଟି ସ୍କୁଲ ପିଲାଙ୍କୁ ଟିଉସନ କରି ପରିବାରର ଭରଣ ପୋଷଣ କରିଥାଏ । ଘରେ କହିଲେ ମା' ଆଉ ସିଏ । ବାପା ଛୋଟ ବେଳୁ ମୃତ୍ଯୁ ବରଣ କରିଛନ୍ତି । ଘରର ସମସ୍ତ ଭାର ତା'ରି ଉପରେ । ଦିନେ ମନୀଷା ମଧ୍ୟ ସ୍ବପ୍ନ ଦେଖି ଥିଲା ରାଜେଶକୁ ନେଇ । ସ୍ନାତକ ପଢା ସମୟରେ ମନୀଷା ଆଉ ରାଜେଶର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।
ରାଜେଶ ଜଣେ ଧନୀ ବ୍ୟବସାୟୀର , ପୁଅ ଟଙ୍କା ପଇସାର କୌଣସି ଅସୁବିଧା ନଥିଲା । କିନ୍ତୁ ତା'ର ଘରର ଅଭିଜାତ୍ୟ ଦ୍ୱାହି ଦେଇ ତା'ର ବାପା ଅଶୋକ ମହାନ୍ତି ଦୁଇଜଣଙ୍କର ପ୍ରେମ ସମ୍ପର୍କକୁ ଅସ୍ବୀକାର କରିଦେଇ ଥିଲେ । କାରଣ ମନୀଷା ସହିତ ବିବାହ କଲେ ରାଜେଶକୁ ମୋଟା ଅଙ୍କର ଯୌତୁକ ମିଳିବନି କି ଷ୍ଟାଟସ୍ ଅନୁସାରେ ସମାସ୍କନ୍ଧ ବନ୍ଧୁତା ପାଇ ପାରିବେନି ରାଜେଶର ବାପା । ତେଣୁ ବିବାହକୁ ପ୍ରତ୍ୟାଖାନ କରି ଦେଇଥିଲେ । କିନ୍ତୁ ରାଜେଶ ମନୀଷାକୁ ବହୁତ ଥର କହିଛି ତୁମେ ମୋ' ସହିତ ବିବାହ କର ଆମେ ଅଲଗା ରହିବା , କିଛି ଦରକାର ନାହିଁ ଧନ ସମ୍ପତି, ମୁଁ ନିଜେ ରୋଜଗାର କରିବି ତୁମକୁ ଭଲରେ ରଖିବି.. । କିନ୍ତୁ ମନୀଷା କେବେ ସେଥିରେ ରାଜି ହୋଇ ନଥିଲା । ସେ ରାଜେଶକୁ ସଫା ସଫା ମନା କରିଦେଇଥିଲା , କହିଲା ମୋତେ ତୁମେ ଭୁଲିଯାଅ । ମୋ' କଣ୍ଟକିତ ପଥରେ ମୋତେ ଏକୁଟିଆ ଛାଡିଦିଅ..। ତୁମେ ମୋ' ପାଇଁ କାହିଁକି କଷ୍ଟ ପାଇବ । ସେହିଦିନ ଠାରୁ ରାଜେଶ ଆଉ ମନୀଷା କେବେ ଦେଖା ହୋଇ ନାହାନ୍ତି ।
ରାଜେଶ ଏକ ଧନୀଶାଳୀ ଘରେ ବିବାହ କରି ଖୁସିରେ ନିଜର ସମସ୍ତ ଦୁଃଖକୁ ଭୁଲି ଯାଇଛି । ସେ ମୋଟା ଅଙ୍କରେ ଯୌତୁକ ମଧ୍ୟ ପାଇଛି । ଏସବୁ ଭିତରେ ମନୀଷାର ମା' ଝିଅର ଅଜାଣତେ ମଧ୍ୟ ତା' ପାଇଁ କେତେ ବିବାହ ପ୍ରସ୍ତାବ ଆଣିଛନ୍ତି । କିନ୍ତୁ ମନୀଷା ସବୁଠି ନାସ୍ତି ବାଣୀ ଶୁଣିଚି । ସେ ପାଠ ପଢ଼ାରେ ଓ ରୂପରେ ଗୁଣରେ କେଉଁଥିରେ କମ ନଥିଲା । କିନ୍ତୁ ଯୌତୁକ ରୂପୀ ରାକ୍ଷସ କବଳରେ ଶିକାର ହୋଇଛି ଆଜି ମନୀଷା । ତା'ର ଏତିକି ଉଣା ଥିଲା କି ତା'ର ବିଧବା ମା' ପାଖରେ ମୋଟା ଅଙ୍କରେ ଯୌତୁକ ପାଇଁ ଧନ ନଥିଲା । ସେଥିପାଇଁ ସଜଫୁଲ ଭଳି ପ୍ରସ୍ଫୁଟିତ ପୁଷ୍ପ ପ୍ରାୟ ମନୀଷାକୁ ଆଜି ଯୌତୁକ ରୂପୀ ଅନଳ ଗ୍ରାସ କରି ଚାଲିଥିଲା । ସାଙ୍ଗ ସାଥୀଙ୍କ ବିବାହକୁ ଯାଇଥାଏ କିନ୍ତୁ କେବେ ବିବାହ ସ୍ବପ୍ନ ଦେଖିନି ସିଏ । ବରଯାତ୍ରୀ ଦେଖିଥାଏ କିନ୍ତୁ ଦରପୋଡା ମନ ଭିତରେ ମନର ମଣିଷକୁ ଆଉ କେବେ ଦେଖେନି । ସେ ଉପଲବ୍ଧି କରି ସାରିଥିଲା ତା'ର ଜୀବନ ମରୁଭୂମିର ମରୀଚିକା ସଦୃଶ ଜଳକଣା ପ୍ରାପ୍ତ ଅସମ୍ଭବ । ପଳାସ ଫୁଲ ଭଳି ନିଜକୁ ମାନି ନେଇଥିଲା । ସତରେ ଏହି ବଣ ମଲ୍ଲୀ କଣ ବନରେ ମଉଳି ଯିବ , ସେ କେବେ ପ୍ରଭୁଙ୍କ ମଥାରେ ଚଢି ପାରିବନି ? ଆଉ ଫଗୁଣ ତାକୁ ସ୍ପର୍ଶ କରିବନି !!
ଏକଦା ଗଞ୍ଜାମର ମୁସ୍ଲିମ ସଙ୍ଘ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଜାତି ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଅର୍ଥରେ ଗଣବିବାହ ବା ସମୂହ ବିବାହ କାର୍ଯ୍ୟକ୍ରମ ହାତକୁ ନେଲେ । ଆର୍ଥିକ ଅନଟନରେ ସମୟ ଅତିବାହିତ କରୁଥିବା ପରିବାର,ପିତା ମାତା ଛେଉଣ୍ଡ ଅଠର ବର୍ଷରୁ ଅଧିକ ଯୁବତୀ ମାନଙ୍କୁ ମାଗଣାରେ ବିବାହ କରାଇ ଦିଆଯିବ..। ସଙ୍ଘ ନିଜେ କନ୍ୟା ମାନଙ୍କୁ ଯୌତୁକ ପ୍ରଦାନ କରି ସମୂହ ଭାବରେ ବିବାହ କରାଇବେ ବୋଲି ପ୍ରତିଶୃତି ରଖିଲା । ଯେଉଁମାନେ ଏଥିରେ ଆଗ୍ରହୀ ସେମାନେ ଫର୍ମ ପୂରଣ କରି ଆବେଦନ କରିପାରିବେ । ଏସବୁ କଥା ଜାଣି ମଧ୍ୟ ମନୀଷା ଚୁପ୍ ରହିଥିଲା ,କାରଣ ତା'ର ବିବାହ ପ୍ରତି ଘୃଣ୍ୟ ଭାବ ଆସିି ଯାଇଥିଲ| । ତା'ର ମା' ଓ ସାଙ୍ଗ ସାଥୀ ତାକୁ ଏହି ବିଷୟରେ ବୁଝାଇ ଥିଲେ.. । ଏହିପରି ଗଣ ବିବାହ କରି ବହୁତ ଦମ୍ପତି ତାକୁ ଦାମ୍ପତ୍ୟ ଜୀବନରେ ବହୁତ ଖୁସିରେ ଅଛନ୍ତି.. ତେଣୁ ତୁ କାହିଁକି ଡରୁଛୁ ? ତୁ ବି ଏଥିରେ ଆବେଦନ କରେ ଅସୁବିଧା କିଛି ହେବନାହିଁ.. । ମନୀଷା ମଧ୍ୟ ନିଜ ମା' ଓ ସାଙ୍ଗସାଥୀଙ୍କ କଥା ରଖି ବିବାହ ପାଇଁ ଆବେଦନ କଲା । ଏହିପରି ଅନେକ ଯୁବକ ଆଉ ଯୁବତୀ ଆବେଦନ କରିଥିଲେ । ଏହାପରେ ପ୍ରକାଶ ବୋଲି ଏକ ସୁସ୍ଥ ସବଳ ସୁନ୍ଦର ଯୁବକ ସହିତ ମନୀଷାର ବିବାହ ସଙ୍ଘରେ ସ୍ଥିର କରାଗଲା । ପ୍ରକାଶ ଏକ ଚାଷୀ ପରିବାରର ପୁଅ ସ୍ନାତକ ପଢ଼ିଛି, କୁକୁଡ଼ା ଫାର୍ମଟିଏ ଦେଇଛି ; ଭଲ ରୋଜଗାର ମଧ୍ୟ କରିପାରୁଛିି। ସେଦିନ ମନୀଷାର ମଉଳି ଯାଉଥିବା ବିବାହର ଚାରା ଉପରେ ସତେକି ଗଣବିବାହ ବ୍ୟବସ୍ତା ଜଳ ସିଞ୍ଚନ କରି ସତେଜ କରିଦେଇଥିଲା l
ସେଦିନ ସେ ମନ୍ଦିର ରେ ଛବିଶ ଜଣ ଦମ୍ପତି ଙ୍କୁ ଏହି ମୁସଲିମ ସଙ୍ଘ ବିବାହ ଭଳି ପବିତ୍ର ବନ୍ଧନ ରେ ବାନ୍ଧିଥିଲା, ବହୁ ପ୍ରତିଷ୍ଠିତ ଓ ମାନ୍ୟଗଣ ବ୍ୟକ୍ତି ସେଠାରେ ଉପସ୍ଥିତ ରହି ନବ ଦମ୍ପତି ମାନଙ୍କୁ ଶୁୁଭ ଆଶୀର୍ବାଦ ପ୍ରଦାନ କରିଥିିଲେ । ମନୀଷା ବହୁତ ଆନନ୍ଦରେ ବିବାହ କରି ପ୍ରକାଶ ସହିତ ନିଜର ଦାମ୍ପତ୍ୟ ଜୀବନକୁ ଶୁଭାରମ୍ଭ କଲା । ଚାରି ବର୍ଷ ଭିତରେ ସେ ଗୋଟିଏ ପୁତ୍ର ଆଉ ପୁତ୍ରୀର ଜନନୀ ହୋଇ ପାରିଛି । ନିଜ ମା'କୁ ମଧ୍ୟ ପାଖରେ ରଖିଛିି। ଶାଶୁ ଶଶୁରଙ୍କ ସେବାରେ ଜୀବନକୁ ଧନ୍ୟ କରିି ପାରିଛି । ଦିଅର ନଣଦ ମାନଙ୍କଠୁ ଭାଇ ଭଉଣୀର ସ୍ନେହ ପ୍ରାପ୍ତ କରି ଭଉଣୀ ଭାଇର କମିକୁ ସେ ପୂର୍ଣ୍ଣ କରିପାରିଛି । ଦେବତା ଭଳି ସ୍ୱାମୀ ପ୍ରାପ୍ତ କରିଛି । ସ୍ୱାମୀଙ୍କ ଠାରୁ ସ୍ନେହ କିମ୍ବା କୌଣସି ଜିନିଷରେ କେବେ ଉଣା ଅନୁଭବ କରିନି ମନୀଷା । ଏହାକୁ ତ କୁହାଯାଏ ଏକ ସୁଖୀୀ ପରିବାର. ସବୁ ଝିଅଙ୍କର ଏହା ହିଁ ଥାଏ ସ୍ବପ୍ନ.. ଯୌତୁକ ଲୋଭୀ କ'ଣ ଏହିପରି ସୁଖ ଗୋଟେ ଝିଅକୁ ଦେଇପାରିବେ କିି ? ପ୍ରକୃତରେ ଏହି ଗଣବିବାହ ସୁଖର ବୀଜ ବପନ କରିଥିଲା ମନୀଷାର ଶୁଷ୍କ ଜୀବନ ମରୁଭୂମିରେେ , ଜଳର ପ୍ଲାବନ ସୃଷ୍ଟି କରିି ପାରିଥିଲା, ତାା'ର ହୃଦୟର ଅନଳରେ ଶୀତଳ ଜଳ ସିଞ୍ଚନ କରିଥିଲା । ବଣମଲ୍ଲୀ ହୋଇ ପ୍ରଭୁଙ୍କ ମଥାରେ ଲାଗିି ପାରିଥିଲା ମନୀଷା ।
ସଂପ୍ରତି ସମାଜରେ ଯୌତୁକ ରୂପୀ ରାକ୍ଷସ କେତେ ନିରୀହ ଅବଳା ଦୁର୍ବଳା ମାନଙ୍କର ଜୀବନ ଦୀପକୁ ଅଚିରେ ଲିଭାଇ ଦେଉଛି । କେତେ ଯେ କନ୍ୟା ନିଜର କୁମାରୀତ୍ବକୁ ଯୌତୁକ ରୂପୀ ନିଆଁରେ ଜଳାଇ ଦେଉଛନ୍ତି । ଗଙ୍ଗଶିଉଳି ଫୁଲ ପରି ସକାଳର ଦର୍ଶନ କରିବା ପୂର୍ବରୁ ଝାଉଁଳି ପଡୁଛି ତାଙ୍କର କୁମାରୀ ମନ.. । କେତେକ ସଙ୍ଘ ଆଜି ଦେବତା ସାଜି ଏହି ଗଣ ବିବାହ ଦ୍ୱାରା ଗରିବ ଓ ଅନାଥ କୁମାରୀ ମାନଙ୍କୁ ବିବାହ ର ସୁଯୋଗ ଦେଇ ତାଙ୍କ ଜୀବନରେ ସୁଖ ଆଣି ଦେଇଛନ୍ତି l କେତେକ ସଙ୍ଘ ଆଜି ପଞ୍ଜିକରଣ ନକରି ଏହି ଗଣ ବିବାହ କାର୍ଯ୍ୟକ୍ରମ କରୁଛନ୍ତି l ଫଳରେ ଏଥିରେ ଅନେକ ଯୁବକ ଓ ଯୁବତୀ ମାନେ ଶିକାର ହେଉଛନ୍ତି l କେତେକ ସ୍ଥାନରେ ମଧ୍ୟ ଭୁଲ ପଞ୍ଜିକରଣ କରି ଅଠର ବର୍ଷରୁ କମ ଯୁବକ ଯୁବତୀ ମାନଙ୍କ ବିବାହ କରାଇ ଦିଆଯାଉଛି ; ଫଳରେ ଭବିଷ୍ୟତରେ ସେମାନେ ବହୁତ ଅସୁବିଧାର ନିକଟତର ହେଉଛନ୍ତି lଯେତେ ସୁବିଧା ଆଉ ଅସୁବିଧାର ସମୁଖୀନ ହୋଇଥିଲେ ମଧ୍ୟ ଆଜି ଏ ଗଣବିବାହ ବା ସାମୁହିକ ବିବାହ ସମାଜରେ ଜାତି, ଧର୍ମ, ବର୍ଣ୍ଣ ନୀରିଵିଶେଷରେଏକ ଭାଇଚାରା ସୃଷ୍ଟି କରିପାରିଛି |
ବେଦପୁର, ବାଙ୍କୀ, କଟକ
ଜୟ ସାହିତ୍ୟ, ଜୟ ସମାଜ


ଭାରି ମନ ଛୁଆଁ
ReplyDeleteଅଶେଷ ଧନ୍ୟବାଦ ଜଣାଉଛି।🙏🙏🙏🙏🙏❤️❤️❤️
Delete