9/01/2019

ବନ୍ଧନୀ

ନାରାୟଣ ଚନ୍ଦ୍ର ସେନାପତି 


ଖୁସିକୁ ସେତେବେଳକୁ ମାତ୍ର ଦଶ ବର୍ଷ ବୟସ ହୋଇଥାଏ । ବାପା ପ୍ରକାଶ ଚନ୍ଦ୍ର ଜଣେ ଜଣାଶୁଣା ଗଣିତଜ୍ଞ । ଗଣିତର ଜଣେ ଏକନିଷ୍ଠ ସାଧକ ଓ ପ୍ରମୁଖ ପୂଜାରୀ ।ଗଣିତକୁ ସେ ଏତେ ଭଲ ପାଉଥିଲେ ଯେ ବସିଲେ ଉଠିଲେ ସବୁବେଳେ ଗଣିତର ବ୍ୟାଖ୍ୟା କରି ଆନନ୍ଦ ନେଉଥିଲେ ଓ ଅନ୍ୟକୁ ଆନନ୍ଦ ଦେଉଥିଲେ ମଧ୍ୟ । ଝିଅ ଖୁସି ବି କମ୍ ନୁହଁ ; କଥାରେ ଅଛି ବାପ୍ ସେ ଜାଦା ବେଟି । ପଣିକିଆ ମିଶାଣ ଫେଡାଣ,ସରଳ ଗଣିତର ସମାଧାନ ମୁହେଁ ମୁହେଁ କରିଦିଏ । କିନ୍ତୁ ତା'ର ଟିକେ ମଝିରେ ମଝିରେ ମନ ଖରାପ ହୁଏ ।କାହିଁକି ନା ତା ସାଂଗ ମାନଙ୍କୁ ଗଣିତ ଭଲ ଲାଗେନା ।ସେମାନେ କହନ୍ତି ଗଣିତଟା ଗୋଟେ ନିରସ ପାଠ । ଏଥିରେ ସାହିତ୍ୟ କି ଇତିହାସ ପରି ମଜା ନ ଥାଏ । ଖାଲି ହିସାବ ପରେ ହିସାବ । ଏ କଥା ସବୁ ତା ବାପାଙ୍କୁ କହିଲା । ବାପା କିନ୍ତୁ କହିଲେ ତା ଓଲଟା । ଗଣିତଟା ସବୁଠୁ ମଜାଳିଆ ପାଠ । ବୁଝି ଗଲେ, ଆଉ ତା ଭିତରେ ହଜିଗଲେ ନା, ସେ ଆମକୁ ଆନନ୍ଦରେ କେବଳ ଭିଜାଏ ନାହିଁ, ବରଂ ଗାଧୋଇ ଦିଏ ।

ଖୁସି ମନରେ ଦ୍ବନ୍ଦ୍ୱ ଆସିଲା । ସତରେ ଗଣିତଟା ସରସ ନା ନିରସ । ସେ ସାଧାରଣ କଥାରେ କୌଣସି କଥାକୁ ଅନ୍ଧ ପରି ଗ୍ରହଣ କରେ ନାହିଁ । ଯଦି ବାପା କହୁଛନ୍ତି ତେବେ ସେ ବାସ୍ତବରେ ଦେଖାନ୍ତୁ ଯେ ଗଣିତଟା ସରସ ବୋଲି ।ସେ ବାପାଙ୍କୁ ଯାଇ କହିଲା,ବାପା,,ସତରେ କଣ ଗଣିତଟା ସରସ, ଆନନ୍ଦଦାୟକ ? ତୁମେ ମୋତେ ଗଣିତର ଏକ ବିଷୟବସ୍ତୁ ବୁଝାଅ ଯିଏ ଆମ ସାହିତ୍ୟ କି ଇତିହାସ ପରି ଗଳ୍ପଟିଏ ହୋଇଥିବ,ସେଥିରୁ ଆନନ୍ଦ ମିଳୁଥିବ,ଆଉ ସହଜରେ ଜାଣି ହେଉଥିବ ଏଥିରେ ଗଣିତ କେଉଁଠି ଅଛି ।ତେବେ ଯାଇ ମୁଁ ମାନିବି, ନ ହେଲେ ନାହିଁ । ବାପା ପ୍ରକାଶ ଚନ୍ଦ୍ର ଜାଣିଛନ୍ତି ଝିଅ ତାଙ୍କର ଜିଦ୍‌ଖୋର, ନଛୋଡବନ୍ଧା ।ତେବେ ହଉ ଠିକ୍‌ ଅଛି କହି ଭାବନାର ମୁଣିରୁ ଅଭିଜ୍ଞତା ଗୁଡିକୁ ଖୋଜିଲେ । ସେଥିରୁ କେତୋଟି ସାଉଁଟି ପରୀ  ରାଇଜର ଗପ ମାଳା ତିଆରି କଲେ । ମଝିରେ ମଝିରେ ଖାଲି ଗଣିତର କେଇଟା ସଜ ଫୁଟା ଫୁଲ ଖୋସିଦେଲେ ।ଆରମ୍ଭକଲେ ମଜାଳିଆ ଗପ।କହିଲେ ଆରେ ଖୁସି,ମା ତୁ ମନ ଦେଇ ଶୁଣୁ,ଆଉ ଗଣିତ କେଉଁଠି ଲୁଚିଛି ମୋତେ ନିଶ୍ଚୟ କହିବୁ ।

    ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ।ତାଙ୍କର ଥିଲେ ସାତୋଟି ଝିଅ । ଝିଅମାନେ ରୂପରେ ଯେମିତି ଗୁଣରେ ବି ସେମିତି । ଚନ୍ଦ୍ରକଳାର ବୃଦ୍ଧି ପରି ବଢୁଥାନ୍ତି ସେମାନେ ।ସମସ୍ତଙ୍କର ବିବାହ ସମୟ ଉପସ୍ଥିତ । ରାଣୀ ଭାନୁମତି ବ୍ୟସ୍ତ,ରାଜା ଚନ୍ଦ୍ରଭାନୁ ସବୁବେଳେ କହୁଥାନ୍ତି ଆମ ଝିଅମାନଙ୍କ ପାଇଁ ବରପାତ୍ର ଖୋଜ । ରାଜା କିନ୍ତୁ କହୁଥାନ୍ତି ମୋ ଝିଅମାନେ କଣ ବୁଢ଼ୀ ହୋଇଗଲେଣି ନା କଣ ?ରହିଥା, ଦେଖିବା । ଦିନେ ସେ ଚିନ୍ତାକଲେ ପ୍ରକୃତରେ ଭାନୁମତୀ ଯାହା କହୁଛି ଠିକ । ରାଜା ମନ୍ତ୍ରୀ ଓ କିଛି ପରିଷଦ ଧରି ଚାଲିଲେ ବର ଅନୁସନ୍ଧାନରେ । ମଧ୍ୟାହ୍ନ ସମୟ। ଜଙ୍ଗଲ ରାସ୍ତାରେ ଘୋଡାରେ ଯାଉ ଯାଉ ସେ କ୍ଲାନ୍ତ ଅନୁଭବ କଲେ।ସମସ୍ତେ ଗୋଟିଏ ବୃକ୍ଷ ମୂଳେ ବିଶ୍ରାମ ନେଲେ।ଠିକ ସେହି ସମୟରେ ଅନ୍ୟ ଏକ ରାଜ୍ୟର ରାଜା ତାଙ୍କର ସାତପୁଅଙ୍କ ବିବାହ ନେଇ କନ୍ୟା ସନ୍ଧାନରେ ବାହାରିଥାନ୍ତି।ସେମାନେ ବି କ୍ଳାନ୍ତ ଅନୁଭବ କରୁଥିବାରୁ ସେଠାରେ ବିଶ୍ରାମ ନେଲେ।କଥାବାର୍ତ୍ତା ଓ ଭାବ ବିନିମୟରୁ ଉଭୟ ଉଭୟଙ୍କ ଆଗମନର ଅଭିପ୍ରାୟ ଜାଣିପାରିଲେ।ଉଭୟଙ୍କ ଝିଅ ପୁଅଙ୍କ ବିବାହ ପାଇଁ ସିଧ୍ୟାନ୍ତ ନେଲେ।ଦିନ ବାର ତିଥି ନିର୍ଘଣ୍ଟ କରାଗଲା।ସେଠାରୁ ସେମାନେ ପ୍ରତ୍ୟାବର୍ତ୍ତନ କରି ବିବାହ ପ୍ରସ୍ତୁତିରେ ମାତିଲେ।

    ବିବାହ ଦିନ କିନ୍ତୁ ଗୋଟିଏ ଘଟଣା ଘଟିଲା।ସାତପୁଅଙ୍କ ଭିତରୁ ସାନ ପୁଅ ଯିବାକୁ ରାଜି ହେଲା ନାହିଁ।ରାଜା ବୁଝାଇଲେ ଓ କାରଣ ଜାଣିବାକୁ ଚାହିଁଲେ।ପୁଅ କହିଲା ବାପା ଆମେ ସମସ୍ତେ ଚାଲିଗଲେ ପଡୋଶୀ ରାଜ୍ୟ ଏଇ ସୁଯୋଗରେ ଆକ୍ରମଣ କରିପାରେ।ଆମେ ଆସିଲା ବେଳକୁ ଆମ ରାଜ୍ୟ ଥିବ ତ?ରାଜା ଗମ୍ଭୀର ଭାବେ ଦୀର୍ଘଶ୍ଵାସ ଟିଏ ପକାଇ କହିଲେ ଏହା ଉଚିତ୍ ଓ ଉପାଦେୟ କଥା।ତେବେ ଜଣଙ୍କର ଅନୁପସ୍ଥିତିରେ ତା ବିବାହ କାର୍ଯ୍ୟ ହେବ କେମିତି।ଯାହେଉ ତାର ପ୍ରତିମା ସହ ବରଯାତ୍ରୀ ବାଜା ବାଣ ର ଭରପୁର ରେ ଚାଲିଲା ରାଜାଙ୍କର ବରଯାତ୍ରୀ ରୋଷଣୀ କରି।

    ଆନନ୍ଦ ଉଲ୍ଲାସରେ ସମ୍ପନ୍ନ ହେଲା ବିବାହ କାର୍ଯ୍ୟ।ଭୋଜି ଭାତରେ ବୋଧ ହେଲେ ବରଯାତ୍ରୀ।ବାଣ ବାଜାର ନିନାଦରେ ପ୍ରକମ୍ପିତ ହେଲା ପରିବେଶ।ଶେଷରେ କ୍ରନ୍ଦନର ରୋଳରେ ଫେରିଲେ ବରବୋହୁ।କିନ୍ତୁ ସାନ ବୋହୂର ସନ୍ଦେହ,ଦୁଃଖ,ଆଶଙ୍କା ଅତି ମାତ୍ରାରେ ଥିଲା ସାନ ରାଜପୁଅଙ୍କ ଅନୁପସ୍ଥିତି ପାଇଁ।
    ଫେରନ୍ତା ବାଟ ।ପାରି ହେବାକୁ ହେବ ଏକ ନଦୀ ଓ ଘଞ୍ଚ ଜଙ୍ଗଲ।ସତେ ଯେମିତି ଆନନ୍ଦ ଓ ହସ ଖୁସିକୁ ସହି ପାରିନଥିଲା ଦୁଃସମୟ।ଏକ ଦୁର୍ଦ୍ଦାନ୍ତର ଆଡ୍ଡାସ୍ଥଳୀ ଥିଲା ଏ ଜଙ୍ଗଲ।ଯେ କୌଣସି ବରବୋହୁ ଫେରନ୍ତା ବାଟରେ ହେଉଥିଲେ ତାର ଶିକାର।ସଙ୍ଗେ ସଙ୍ଗେ ରାକ୍ଷସମାନେ ମାରିପକାଇଲେ ବରଯାତ୍ରୀ ଓ ଛଅ ରାଜାପୁତ୍ର ସହ ତାଙ୍କ ଆତ୍ମୀୟ ଜ୍ଞାତି କୁଟୁମ୍ବ ଙ୍କୁ।କେବଳ ରଖିନେଲା ସାତ ବୋହୁଙ୍କୁ କରିବାକୁ ତାର ଦାସୀ।ଆଶ୍ରୁର ଧାର ଓ ଯନ୍ତ୍ରଣାର କୋହ ଓ ଆଖିର ଲୁହ ସତେ ଯେମିତି ପ୍ରତିଯୋଗୀତା କରୁଥିଲେ ପରସ୍ପର।ବନଭୂମି ପ୍ରକମ୍ପିତ ହେଉଥିଲା ଆକୁଳ ବୁକୁଫଟା ଚିତ୍କାରରେ।ଏପଟେ ସାନ ରାଜାପୁଅ ବରଯାତ୍ରୀଙ୍କର ଅଫେରନ୍ତା ରେ ସନ୍ଦେହର ଅଡୁଆସୁତାରର ଘେରି ହେଉଥାଏ ଓ ମନକୁ ଭୟ ପାପ ଛୁଉଥାଏ।

   ଦିନ ପରେ ଦିନ ବିତି ଗଲା।ରାକ୍ଷସ ଟା ବୋହୁ ମାନଙ୍କୁ ଦାସୀ ପରି ଖଟାଉଥିଲା।ସାନ ବୋହୁଟା ଅତି ବିଚକ୍ଷଣ ବୁଦ୍ଧୀମତୀ ଥିଲା।ସେ ସେବା ଶୁଶୁଷା ବାହାନାରେ ତାର ଅତି ପ୍ରିୟଭାଜନ ହୋଇଗଲା।

   ଦିନେ ଗାଧୋଇବାକୁ ପାଖ ନଈକୁ ଯାଇଥାନ୍ତି ବୋହୁମାନେ।ସାନ ବୋହୁ ଥିଲା ପଛରେ।ନଦୀ ସେପଟେ ସାନ ରାଜାପୁଅ ବୁଲି ବୁଲି ଖୋଜି ଖୋଜି କ୍ଲାନ୍ତ ଅନୁଭବ କରି ନଦୀର ଅପରପାଶ୍ୱରେ ପିଉଥିଲା ଟୋପେ ନଈ ପାଣି।ଏଭଳି ଦିବ୍ୟସୁନ୍ଦରୀ ନାରୀଟିଏ ଏ ଜଙ୍ଗଲ ଭିତରେ ଦେଖି ତା ମନରେ ଅସୁମାରୀ ପ୍ରଶ୍ନ ଉଙ୍କି ମାରିଲା।ଏପଟେ ସାନ ରାଜାଝିଅଟି ବି ଏଭଳି ଯୁବକ ରାଜପୁତ୍ର ହୋଇ ବି ପାରନ୍ତି ଭାବିଲା।ନଦୀ ଏପଟକୁ ଆସିଲା ରାଜାପୁଅ।ପରସ୍ପରର କେଇପଦ ପଚରାଉଚୁରା ଓ କଥୋପକଥନରେ ଦୁହେଁ ଦୁହିଁଙ୍କୁ ଚିହ୍ନି ଥିଲେ।ମିଳନର ଆବେଗ ଓ ଦୁଃଖର କୋହର ସଙ୍ଗମ ସତେ ଅବା ଚକିତ କରୁଥିଲା ପରିବେଶ ପରିସ୍ଥିତିକୁ।କଥାହେଲେ ଉଭୟେ ଉଭୟେ କିଛି ଯୋଜନା କରି ରାକ୍ଷସ ଠାରୁ କିପରି ରକ୍ଷାପାଇବେ।ଏଭଳି ପ୍ରତିଦିନ ଦେଖାହେଉଥାଏ ଦୁହିଁଙ୍କର ସେ ନଦୀକୂଳରେ।

   ସାନବୋହୁ ଅତି ମାତ୍ରାରେ ଆଦରଣୀୟ ହେଉଥାଏ ରାକ୍ଷସର ତାର ଅତି ଆତ୍ମୀୟ ଓ ଆନ୍ତରିକତା ର ସେବାରେ।ରାକ୍ଷସ ବି ତାକୁ ନିଜ ଝିଅପରି ମନେକରୁଥାଏ,ତାର ସବୁ କଥା କହୁଥାଏ।ସେଇ ସୁଯୋଗରେ ଦିନେ ରାତିରେ ତାକୁ ଘଷି ଦେଉଦେଉ କହିଲା,ବାପା ତୁମେ ବହୁତ ଭଲ।ତୁମ ସ୍ନେହ ଶ୍ରଦ୍ଧା ଭୁଲିହେବନି।ହେଲେ ଗୋଟିଏ ଦୁଃଖ।ରାକ୍ଷସ ପଚାରିଲା,ଆରେ ମା,କୋଉଟା ଦୁଃଖ ମୋତେ ଖୋଲି କହୁନୁ।ବୋହୁ କହିଲା,ବାପା ମୁଁ ଚାହୁଁଛି ଆପଣ ଜମା ବୁଢା ହୁଅନ୍ତୁ ନାହିଁ।କାରଣ ବୁଢ଼ାହେଲେ ତ ଜଣେ ମରି ଯାଏ।ହେଲେ ଆପଣଙ୍କ ମୃତ୍ୟୁ ମୁଁ ସହିପାରିବିନି।
    ରାକ୍ଷସ କହିଲା,ଆରେ ପାଗଳି ମୁଁ କେବେ ବି ମରିବି ନାହିଁ।ଏକଥା ଶୁଣି ବୋହୁ ଚିନ୍ତାରେ ପଡିଗଲା।ଅଭିନୟ କରି କହିଲା,ଭଲ ହୋଇଛି ବାପା...ତୁମେ ସଦା ବଂଚିଥାଅ,ମୁଁ ବହୁତ ଖୁସି ହେବି।
    ଅବଶ୍ୟ ମୋର ମରିବାର ଗୋଟିଏ ଉପାୟ ଅଛି,କିନ୍ତୁ ତାହା ସଭିଙ୍କୁ ସମ୍ପୂର୍ଣ୍ଣ ଅଜଣା।ବହୁତ ଭଲ କଥା ବାପା,ହେଲେ ମୋତେ ସେ ଉପାୟ ଟା ଟିକେ କୁହନ୍ତ ନାହିଁ।ରାକ୍ଷସ କହିଲା,ନାଁରେ ମା,ଏହା ମୁଁ ଆଜି ପର୍ଯ୍ୟନ୍ତ କାହାକୁ କହି ନାହିଁ କି କହିବି ନାହିଁ।ହଉ ବାପା ମୁଁ ତାହେଲେ ତୁମର କେହି ନୁହଁ କହି ଅଭିମାନ କଲା।ରାକ୍ଷସଟାକୁ ଭଲ ଲାଗିଲା ନାହିଁ।ସେ କିଛି ଦିନରେ ତା ସହ ବେଶ ମିଶିଯାଇଥିଲା।ତାକୁ ବୁଝେଇଲା ଏବଂ ଶେଷରେ ଗୋଟିଏ ସର୍ତ୍ତରେ ତାକୁ କହିଲା।ମୁଁ କହିବି କିନ୍ତୁ ସେ ଜିନିଷ ଦେଖେଇବି ନାହିଁ।ରାଜି ହେଲା ରାଜା ଝିଅ।ରାକ୍ଷସ କହିଲା କେବଳ ଗୋଟିଏ ଗୁପ୍ତ ରହସ୍ୟ ଅଛି ଯେଉଁଥିରେ ମୁଁ ମରିବି।ଆମ ଏ ଜଙ୍ଗଲ ଭିତରେ ଏକ ନୀଳ ଜଳର ପୁଷ୍କରିଣୀ ଅଛି।ସେ ପୋଖରୀ ଭତରେ ଏକ ଭଅଁର ବି ଅକ୍ଷତ ଅବସ୍ଥାରେ ଅଛି।ମୋର ଏକ କୁହୁକ ବାଡ଼ିରେ ଯେ ତାକୁ ମାରିଦେଵ,ସେତେବେଳେ ମୁଁ ମରିବି।ପୁନଶ୍ଚ ସେ ପୁଷ୍କରିଣୀ ଜଳ ଛିଞ୍ଚିଲେ ଆଜି ଯାଏ ଯେତେ ଲୋକ ମୋ ଦ୍ୱାରା ମରିଛନ୍ତି ସେମାନେ ପୁନର୍ଜ୍ଜୀବନ ପାଇବେ।ସେଠାକୁ ଯିବାର ନକ୍ସା କିଏ ପାଇବ ନା ମୁଁ ମରିବି।ଅଭିନୟରେ ବୋହୁ ଟି କହିଲା ବାପା କେହି ସେସବୁ ନ ପାଆନ୍ତୁ,ତୁମେ ଆମର ହୋଇ ରହିଥାଅ।ସେଦିନ ରାତିରେ ତାର ନିଦ ନାହିଁ,କେମିତି କେତେବେଳେ ସଂଗ୍ରହ କରିବ ତାକୁ।ରାତି ପାହିଲା।ରାକ୍ଷସ ଚାଲିଲା ଜଙ୍ଗଲ।ସେଇ ଭିତରେ ସେ ଖୋଜି ଚାଲିଲା ସେ ସଲ।ଖୀନ ଭିନ କରିଦେଲା ସେ ଘରକୁ।ଶେଷରେ ଏକ ରେଜେଇ,ଭିତରେ ଏକ ଛୋଟ ତକିଆ,ତା ଭିତରେ ଗୋଟେ ଛୋଟ ବାକ୍ସ।ସେଥିରେ ଏକ ନକ୍ସା,ଲେଖା କାଗଜ ଓ ବାଡ଼ି।ଯେଉଁଥିରେ ଲେଖା ଅଛି ରାକ୍ଷସର ମୃତ୍ୟୁ ବିବରଣୀ।ସେସବୁକୁ ସାଥ୍ୱୀରେ ଧରି ଖୁବ୍ ଶୀଘ୍ର ସେ ଛୁଟିଲା ନଦୀକୂଳକୁ।ନଦୀକୂଳରେ ରାଜା ପୁଅକୁ ସବୁତକ ନଥି ଦେଇ ସେ ସଅଳ ଫେରି ଆସିଲା।ଜୀବନରେ ଯେତିକି ସମ୍ମାନ ଆଦର ଅଜାଡି ଦେଲା ସେ ରାକ୍ଷସ ବାପାକୁ।ମୁହୂର୍ତ୍ତେ ବି ଫୁରୁସତ ଦେଲା ନାହିଁ ତାକୁ, ତା ନଥିପତ୍ର କଥା ମନେ ପକାଇବାକୁ।
 ରାତି ପାହିଲା।ସୁବିଧା ଉଣ୍ଡି ଚାଲିଲା ରାଜା ଝିଅ ଆଶା ଭରସାକୁ ହୃଦୟେ ଧରି।ରାଜା ପୁଅ ବି ରାତି ଉଜାଗର ରହି ଖୋଳୁଥିଲା ସୁବର୍ଣ୍ଣ ସୁଯୋଗ।ହଠାତ ରାଜଝିଅକୁ ଦେଖି ତା ହୃଦୟ ସ୍ପଂଦିତ ହେଲା।ଦୁହେଁ ନକ୍ସା ଦେଖି ଚାଲିଲେ ପୋଖରୀ କୂଳକୁ।
    ଏକ ବିଶାଳ ପ୍ରାଚୀର।ଭିତରକୁ ପ୍ରବେଶ କଲେ।ତାପରେ ଏକ ଶକ୍ତ ଲୁହା ତାର ବାଡ଼।ବାଟ ଖୋଲି ପଶିଲେ ଭିତରକୁ।ଡେଇଁ ପଡିଲା ରାଜା ପୁଅ ପୋଖରୀ ଭିତରକୁ।ପୋଖରୀ ଭିତରୁ ବୁଡି ଆଣିଲା ପଙ୍କ ଭିତରୁ ଏକ ବାକ୍ସ।ବାକ୍ସ ଭିତରେ ଏକ ଫରୁଆ।ଫରୁଆ ଭିତରୁ ଏକ ଭଅଁର।ଭଅଁରକୁ ଟିପରେ ଦଳିଦେଲା।ଛଟପଟ ଭଅଁରକୁ କୁହୁକ ବାଡ଼ିରେ ପିଟୁଥାଏ।ଅଦ୍ଭୁତ ଚିତ୍କାର।ରାକ୍ଷସର ଗର୍ଜ୍ଜନରେ ଗଗନ ପବନ ପ୍ରକମ୍ପିତ ହେଲା।ବିକଟାଳ ରଡି ଛାଡି ନିମିଷକେ ପ୍ରାଣ ହରାଇଦେଲା ସେ।ଆଶ୍ଚର୍ଯ୍ୟ ଜନକ କଥା,ଭିନ୍ନ ଭିନ ସ୍ଥାନରେ ମରି ପଡିଥିବା ମଣିଷ ସବୁ ଆଖି ମଳି ମଳି ନିଦରୁ ଉଠିଲା ପରି ଲାଗିଲେ।ସଭିଙ୍କ ମୁହଁରେ ହସ ଆନନ୍ଦର ପୁଲକର ଜୁଆର।ରାଜା ପୁଅମାନେ ନିଜ ନିଜର ପତ୍ନୀ ମାନଙ୍କୁ  ପାଇ ଖୁସି ହେଲେ।ରାଜା,କର୍ମଚାରୀ ଓ ପାତ୍ର ମିତ୍ର ଖୁସିରେ ଫାଟି ପଡିଲେ।

    ବାପା କହିଲେ ଖୁସି, ବୁଝିଲୁ କି ଏହା ଭିତରେ ଗଣିତରେ ଏକ କଥା ମୁଁ କହି ଦେଇଛି,କହିପାରିବୁ ତ?ଖୁସି ଭାବିଲା,ଆରେ ଏ ତ ଭଲ ମଉଜିଆ ଗପଟେ।ହେଲେ ଗଣିତ କାହିଁ?ଟିକେ ମୁଣ୍ଡକୁ ସେସବୁ ନେଇ ଦେଖିଲା,ପାଚେରୀ,ତା ପରେ ବାଡ଼,ତା ପରେ ବାକ୍ସ, ତା ପରେ ଫରୁଆ,ତା ଭିତରେ ଭଅଁର,ତା ମୁଣ୍ଡରେ କଲା ଗାର।ଅଭିଜ୍ଞତା କୁ ଗଣିତର ସାଙ୍କେତିକ ଚିହ୍ନ...ଅନ୍ୟାନ୍ୟ  ସଂଯୋଗ କରି ଭାବିଲା...ଭାବିଲା ....ତାପରେ ହଠାତ କହିଲା ବାପା ପାଇଗଲି...ପାଇଗଲି,ତାହା ହେଲା ବନ୍ଧନୀ।ଏଇଟି ଅଛି ରେଖା ବନ୍ଧନୀ,ଚନ୍ଦ୍ର ବନ୍ଧନୀ,କୁଟୀଳ ବନ୍ଧନୀ ଆଉ ମଧ୍ୟ ବର୍ଗ ବନ୍ଧନୀ।ବାପା ଆନନ୍ଦରେ ବିଭୋର ହୋଇଗଲେ।ଆନନ୍ଦର ଅଶ୍ରୁ ଧାର ଧାର ବୋହିଗଲା।ଝିଅକୁ କୁଣ୍ଢେଇ ପକାଇ କହିଲେ,ତୁ ମୋର କେବଳ ନୁହଁ,ବରଂ ଗଣିତର ବି ମାନ ରଖିଦେଲୁରେ ଖୁସି।

 ଜମ୍ଭରା,କେନ୍ଦୁଝର।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।