କରୁଣାକର ଦାସ

କେବେ କେବେ ତୁମେ ନୀଳ ପରୀଟିଏ
କେବେ ତୁମେ ମଧୁମଗ୍ନା
କେବେ ପୁଣି ତୁମେ ସପନ ନାୟିକା
କେବେ ତୁମେ ପ୍ରୀତିପର୍ଣ୍ଣା ।
କେବେ କେବେ ତୁମେ ମନ ଆଇନାର
ପ୍ରତିବିମ୍ବ ପୁଣି ମୋର
ଋତୁ ଶ୍ରାବଣର ଛମ୍ ଛମ୍ ବର୍ଷା
ଅଳସୀ ନଇର ଧାର ।
କେବେ କେବେ ତୁମେ ନୀଳ ଜୋଛନାର
ସ୍ବପ୍ନର ବାସ୍ତବ ମାୟା
କେବେ ପୁଣି ତୁମେ ଅଭିମାନିନୀଟେ
ପ୍ରଣୟିନୀ ପ୍ରାଣପ୍ରିୟା ।
କେବେ କେବେ ପୁଣି ପ୍ରେମର କବିତା
କେବେ ବେସୁରା ରାଗିଣୀ
କେବେ ମିଠା ହସ ଫୁଲର ସୁବାସ
ପ୍ରୀତି ରତି ସୁହାଗିନୀ ।
କେବେ ପ୍ରିୟା ତୁମେ ହୃଦୟର ମୋର
କାମନାର ନୀଳ କଇଁ
ବୟସ ବିଜନ ଅନ୍ଧାର ତୁଠର
ନୀଳ ନୀଳ ମଉସୁମୀ ।
କେବେ କେବେ ତୁମେ ଚ଼ୋରା ବସନ୍ତର
ଚ଼ାନ୍ଦିନୀ ପଖଳା ରାତି
କେବେ କେବେ ତୁମେ ପ୍ରୀତି ପୂଜାରିଣୀ
ପ୍ରଣୟ ଅମରାବତୀ ।
କେବେ କେବେ ତୁମେ ମୁକୁଳା ମନର
ସାଇତା ଅଲିଭା ସ୍ମୃତି
ବିଶ୍ବାସ ନଇର ନିଃଶ୍ବାସଟିଏ ଗୋ
ଅନାହତ ସ୍ବପ୍ନ ଗୀତି ।
ତଉଲି ବସିଛି ତୁମକୁ ପ୍ରିୟା ମୁଁ
ଅସ୍ତଗାମୀ ସୂର୍ଯ୍ୟ କାଳେ
ତୁମେ ତ କେବଳ ଜୀବନସାଥୀଟେ
ଶେଷ ହୀନ ଶୋଷଟିଏ ।।
ୱାର୍ଡ ନଂ- ୬,ଉଦଳା-ମୟୁରଭଞ୍ଜ
ମୋ- ୯୯୩୭୫୮୮୨୦୨
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।