2/28/2022

ଏକାନ୍ତ କାମ୍ୟ

ସଂଗ୍ରାମ କେଶରୀ ରାଉତରାୟ 
 ସଭାପତି(ଉଦୟ ଭାନୁ)

ସମୟ ସ୍ରୋତରେ ଭାସି ଭାସି
ଶୈଶବ ହଜିଯାଏ
ହଜିଯାଏ କୈଶୋର
ଆଉ ଯୌବନ
ଶୈଶବର ଚପଳତା
କୈଶୋରର ବାଚଳାମି
ଯୌବନର ଉଦ୍ଦାମତା 
ସ୍ମୃତି ହୋଇ ନୃତ୍ଯ କରେ
ପରଦା ଉପରେ ଚଳଚ୍ଚିତ୍ର ପରି
ବୟସର ଅପରାହ୍ନରେ ।
ଆକାଶରେ ଗୁଡିଟି ଉଡାଉ ଉଡାଉ
କେତେବେଳେ ସରିଯାଏ
ନଟେଇର ସବୁତକ ସୂତା
ଉଡୁ ଉଡୂ କେବେ କଟିଯାଏ
ଦୋହଲି ଦୋହଲି ଚାଲିଯାଏ
ଗୁଡିଟା
ଦୃଷ୍ଟିର ଆଢୁଆଳକୁ
ଶୂନ୍ୟ ନଟେଇଟା
ପଡ଼ିଯାଏ ଶାନ୍ତ.................
କିଏ ସେ ମାନ୍ତ୍ରିକ
ଗାଇ ଚାଲିଥାଏ
କାହିଁକି ଆସିଛୁ ମନ......
କିଛି ଲୋଡା ନାହିଁ
କେବଳ ତୁମରି ସାନ୍ନିଧ୍ୟ
ପାଇ
ତୁମର ଅନନ୍ତ ପ୍ରେମରେ
ପ୍ରେମୀଟିଏ ହେବା
ମୋର ଏକାନ୍ତ କାମ୍ୟ ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।