କୈଳାସ ଚନ୍ଦ୍ର ପାଢ଼ୀ
(ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ଯରେ ରଚିତ)
ବହୁଦିନୁଁ ସିଏ ଗଲେଣି
ଏ ପୁରୁ ବାହୁଡ଼ି,
ଜାଳି ଦେଇ ଯେଉଁ ଦୀପ୍ତ-
ଆଲୋକ-ଦିହୁଡ଼ି ।
ସେ ଆଲୋକ-ଶିଖା ନିଷ୍ପ୍ରଭ
ହୋଇ ଆସେରେ,
ରାଜନୀତି ଏଇ ପ୍ରଳୟ
ତୁହିନ-ତ୍ରାସେରେ ।
ସଭ୍ୟତା-ରଥେ ବସି
ଆଜିର ଏ ମଣିଷ,
ତିମିରିତ କେଉଁ ଅଜଣା
ରାଇଜେ ଧାଇଁଛି ।
ଅନ୍ଧାରେ ପରା ଜୀବନ
ହୋଇବ ସରସ,
ଆଲୋକ ସେ ପଥେ
ଅନ୍ତରାୟ ଯେ ହେଉଛି ।
ବିଜ୍ଞାନୀ ଏଇ ମଣିଷ
ସାଜିଲା ଠାକୁର,
ଠାକୁର ଏଠାରେ ପାଲଟି
ଗଲେଣି ପଥର ।
ପଥର କି ଅବା ପ୍ରଳୟ
ସାଜିଲେ କେଜାଣି,
ଉଠିଲାଣି ଏଠି ଧ୍ବଂସ-
ନଦୀର-ଉଜାଣି ।
ବୁକୁର-ବେଦନା କହି ନୁହେଁ
ଆଜି କାହାରେ,
ଅତଡ଼ା ପଡ଼ିଛି କର୍ଣ୍ଣ-
କୁହରେ ସବୁରି ।
ଅତ୍ୟାଧୁନିକ କାଦମ୍ବିନୀ-
ରସ ପାନରେ,
ଏ ଜାତି-ସିନ୍ଧୁ ରଚି଼ଛି
ପ୍ରଳୟ-ଭଉଁରୀ ।
ଆଜି ଏତେବେଳେ
ତାଙ୍କରି କଥା
ବାରମ୍ବାର ମନେ ପଡ଼ିଯାଏ,
ଉଦ୍ବେଳି ଉଠେ
ଆଖିର-ଝରଣା
ଛଳ ଛଳ ଲୁହ ବହିଯାଏ ।
ଜୀବନର-ରାହା ହଜିଯାଏ,
ବିଜନ-ବନର ଘାସ ଫୁଲଟିଏ
ମର୍ମର ଗୀତ ଗାଇଯାଏ ।।
*******************
କୁମାରପୁର , ଅନନ୍ତପୁର , ବାସୁଦେବପୁର (ଭଦ୍ରକ)
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।