2/28/2022

ଅଗାଣ୍ଡିଆ ରାଜାକୁ ପାଳଚୁଣ୍ଟା ମନ୍ତ୍ରୀ

   ଶ୍ରୀମତୀ ଲୋରୀ ସ୍ବାଇଁ 
କହୁଛି ମୋ' ବାପି ସିଏ ଭାରି ହାପି
ବିକିବ ଆସିକା ଫଟି
ରାଜ୍ୟ ସରକାର ହାତେ ଦେବେ ତା'ର
ଲମ୍ବା ଚଉଡା ତାରିଫି ।
ନିଇତି ମାରିବ ସିଟି ;
ପାଞ୍ଚିଛି ମନରେ ଖୋଲିବ ଗାଆଁରେ 
ଠିପି ଖୋଲା ମଦ ଭାଟି ।।

ମନ କଲକଲ ବିଦେଶୀ ମାଆଲ
ବିକିବ ବୋଲିକି ତା'ର 
କରିଛି ଘୋଷଣା ଅବକାରୀ ନନା
ବେପାରୀଙ୍କୁ ପୁରସ୍କାର ।
ପଥର କଲାଣି ଠୁଳ ;
ମଦୁଆଙ୍କୁ କହି ବୁଲିଲାଣି ସେହି
ଶସ୍ତାରେ ଦେବି ମାଆଲ ।

କେବଳ ବିଦେଶୀ ଜମା ନାହିଁ ଦେଶୀ
ହାଆଡ ରଅମ ହ୍ବିସ୍କି
ପିଇଲା ବାଲାଏ ଚାଖଣାକୁ ପ୍ରାୟେ
ପାଇବେ ରେଏଟ ଫିକ୍ସି ।
ଚିଲିକା ଚିଙ୍ଗୁଡି ରାଇସି ;
ବୋତଲକୁ ଧୋଇ ସବୁ ଯାଅ ପିଇ
କିଛି ବି ନାହିଁ ରିଇକ୍ସି ।

ଆମ ସରକାର କେତେ ଯେ ଉଦାର
କହିବାକୁ ନାହିଁ ଭାଷା
ଆମ ଚଷା ଭାଇ ମଥାକୁ ପିଟଇ
ଉଜୁଡ଼ିଲାଣି ବେଉସା ।
ଭାସି ଯାଉ ଏ ଓଡ଼ିଶା ;
ମଦ ବିନା କେହି ପାରିବେନି ରହି
କଚ୍ଛା ତଳେ ଗଳୁ ମୂଷା ।

ଚାଷୀ କରି ଋଣ ହରାଏ ପରାଣ
ଦିଘା ନାହିଁ ସେଥିପାଇଁ 
ମରଦ ପଣିଆ ଦେଖାଏ ମଦୁଆ
ଗରଜି ମାଇପ ଠେଇଁ ।
କାହାର କିସ ବା ଯାଇ ; 
ଅନ୍ଧ ସରକାର ସ୍ଥାଣୁ ଓ ସ୍ଥବିର
ପ୍ରଶାସନ ଜାତି ଭାଇ ।

କହନ୍ତି ରାଜନ ନାରୀ ଅସମ୍ମାନ
କେହି କେବେ କର ନାହିଁ 
ନିୟମ ନୂତନ କରି ପ୍ରଶାସନ 
ସଂସାର ଚୁନା କରଇ । 
ଷେଣ୍ଢଠୁ ବଳୁଆ ଗାଇ ;
ଅର୍ଥରୁ ଅନର୍ଥ ବୁଝେ ନାହିଁ ସେ ତ
ମୁରୁଖ ଗଣଙ୍କ ସାଇଁ ।

ନାରୀ ନିର୍ଯ୍ୟାତନା ଯାନ ଦୁର୍ଘଟଣା 
କେତେ କେ' ମରୁଛି ମରୁ
ଆର ଗାଁ ମୁତୁରା ମେତେ କହୁଥେଲା
ମଦ ମୋ' ପରମ ଗୁରୁ ।
ମାଇପ ତା' ଗାରୁଗାରୁ ;
ଭଗିଆ ଭାରିଯା ହୋଇ ରାଜିରୁଜା
ଫେରାର ସେ ତା'ର ଘରୁ । 

କେତେ ଉପକାର କରେ ସରକାର
ସବୁରି ସେ ଇଷ୍ଟ ଦିଅଁ
ବାପକୁ ମଉସା ବନାଏ ପଇସା
ଗୁହରେ ବି ପୋତା ମୁହଁ ।
ଇଏ କି ନିୟମ କୁହ ;
ମଦ ପାଇଁ ଏଠି ନିତି ଉଠେ ଲାଠି
ବାପ ବିକ୍ରି କରେ ଝିଅ ।

ଭିକ୍ଷୁକ ଯଦି ବସେ ରାଜଗାଦି
ମୁରୁଖ ପାଳିଲେ ପ୍ରଜା
ରାମ ବଦଳରେ ରାବଣ ହଜାରେ
ଟେକିବେ ବିଜୟ ଧ୍ବଜା ।
କହିଲା ହଗୁରା ଅଜା ;
କଚ୍ଛା ଖୋଲି ତା'ର ବିଛୁଆତି ପତ୍ର
ଲାଛ ଗଣୁଥିବ ରେଜା । 

ଅଗାଣ୍ଡିଆ ରାଜା ମନ୍ତ୍ରୀ ପାଳଚୁଣ୍ଟା
ପରଜା ଅଧା ପାଠୁଆ
କୁଜି ନେତାଙ୍କର ଅଳିଆ ହଜାର
ବାଇ ଓଧ ବଣଭୁଆ । 
ସେଥିରେ କହୁ ବଢ଼ିଆ ;
ନଅଟା ରାତିରେ ଛଅଟା ଛୁଆରେ 
ପାଞ୍ଚଟା ଘୋଡ଼ା ମଦୁଆ ।।

ଓସ୍ତପୁର , କାକଟପୁର , ପୁରୀ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।