2/28/2022

ସୌର ସକ୍ରିୟତା

                     ଦେବଯାନୀ ଦାସ    

  ପୃଥିବୀ ସୌର ମଣ୍ଡଳର ଏକ ଅଂଶ । ଏଠାରେ  ସଂଘଠିତ ଜୀବନ  ଚକ୍ର   ଓ   ଭୌତିକ  ସଂରଚନାରେ  ସୂର୍ଯ୍ୟଙ୍କ  ପ୍ରତ୍ୟକ୍ଷ ପ୍ରଭାବ ରହିଛି  ।  ବହୁ ଦୂରରେ ଥିଲେ  ମଧ୍ୟ ସୂର୍ଯ୍ୟ  ଓ  ପୃଥିବୀ  ମଧ୍ୟରେ  ଅନ୍ୟାନ୍ୟ  ଗ୍ରହ ତୁଳନାରେ ସମ୍ପର୍କ ଅତି ନିବିଡ଼।

              ସେଥିପାଇଁ  ସୂର୍ଯ୍ୟ  ମଣ୍ଡଳର  ଗତିବିଧିରେ ଘଟୁଥିବା ପରିବର୍ତ୍ତନର  ସିଧାସଳଖ  ପ୍ରଭାବ  ପୃଥିବୀ  ଉପରେ  ପଡ଼େ  । ପ୍ରାୟତଃ ପ୍ରତି ଏଗାର ବର୍ଷରେ ଥରେ  ସୌର ସକ୍ରିୟତାର  ବୃଦ୍ଧି ଘଟିଥାଏ  ।  ମାତ୍ର ପରାଗ ସମୟରେ ଏହା  ଅସାଧାରଣ ଭାବେ ବଢ଼ିଥାଏ   ।   ଏହା  ଛଡ଼ା  ପୂର୍ଣ୍ଣ   ପରାଗ   ସମୟରେ  ଏହାର ସକ୍ରିୟତାରେ ବହୁଗୁଣ ଅଭିବୃଦ୍ଧି  ଘଟେ  ଏବଂ  କଳଙ୍କ  ସଂଖ୍ୟା ମଧ୍ୟ ବଢ଼ିଯାଏ । ଛୋଟସୂର୍ଯ୍ୟ ପରାଗର ଅବଧି ଅପେକ୍ଷାକୃତ କମ । ଏହା ଗୋଟିଏ ବର୍ଷ ମଧ୍ୟରେ ଏକାଧୁକବାର ହୋଇପାରେ । କିନ୍ତୁ ପୂର୍ଣ୍ଣ ପରାଗ ଅନେକ ବର୍ଷ ପରେ ଥରେ ସମ୍ଭବ ହୁଏ । 

      ସୌରକଳଙ୍କ ଓ ସୌର ଶିଖା ପ୍ରାଣୀ ଜଗତ ଓ ଅନ୍ତର୍ଗ୍ରହୀୟ ଭାରସାମ୍ୟ ଉପରେ ଅସାଧାରଣ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଏହା ମଣିଷର ଶରୀର ଓ ମନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯେତେବେଳେ ସୂର୍ଯ୍ୟ ଦେହରେ ଏଭଳି ପରିବର୍ତ୍ତନ ବୃଦ୍ଧିପାଇବାର ଦେଖାଯାଏ ସେତେବେଳେ ପ୍ରକୃତି ଭାରସାମ୍ୟ ହରେଇବା ଲକ୍ଷ୍ୟ କରାଯାଏ।

           ପ୍ରତି ଏଗାର ବର୍ଷ ଅନ୍ତରରେ ସୂର୍ଯ୍ୟଙ୍କର ସକ୍ରିୟତା ବୃଦ୍ଧି ପାଇ ସୂର୍ଯ୍ୟମଣ୍ଡଳରେ ଆଣବିକ ବିସ୍ଫୋରଣ  ଘଟାଇଥାଏ। ଏହି କାରଣରୁ ସେତେବେଳେ  ସୂର୍ଯ୍ୟଙ୍କ ଠାରୁ ଅତି ମାତ୍ରାରେ ରେଡିଓ ବିକିରଣ ହୋଇଥାଏ । ପ୍ରାକୃତିକ ନିୟମାନୁଯାୟୀ ବିଶ୍ବର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ଜଳବାୟୁ ଅନୁଭୂତ ହୋଇଥାଏ ଏବଂ ସମୟାନୁଯାୟୀ ତାହାର ପରିବର୍ତ୍ତନ ମଧ୍ୟ ହୁଏ। କିନ୍ତୁ ଯେତେବେଳେ ସୂର୍ଯ୍ୟକଳଙ୍କର ବୃଦ୍ଧିହୁଏ ସେତେବେଳେ ପୃଥିବୀ ଉପରେ ଏକ ବିଶେଷ ପ୍ରକାର ଚୁମ୍ବକୀୟ ଲହରୀ ପ୍ରବାହିତ ହୁଏ । ଏହାକୁ ଉଭିଦ ଶ୍ରେଣୀ ପ୍ରତ୍ୟକ୍ଷ ଅନୁଭବ କରନ୍ତି ।

       ବାହ୍ୟସ୍ତରରେ ମଣିଷ ଏହାକୁ ଜାଣିପାରେ ନାହିଁ ମାତ୍ର ସୁକ୍ଷ୍ମ ତରଙ୍ଗ ମଣିଷ ମସ୍ତିଷ୍କରେ ଭୟଙ୍କର ଆଲୋଡନ ସୃଷ୍ଟିକରେ ଓ ସେ  ସ୍ଵତଃପ୍ରବୃତ୍ତଭାବେ କିଛି ନା କିଛି କରିବସେ। ଏହାଦ୍ଵାରା ପ୍ରାୟତଃ ଅଧିକ ଅବାଞ୍ଛନୀୟ ପରିସ୍ଥିତି ଉତ୍ପନ ହୋଇଥାଏ।

       ଅଧିକାଂଶ ଜୈବ ଓ ଭୌତିକ ପରିବର୍ତ୍ତନ ସୌର  ବିସ୍ଫୋଟ କାରଣରୁ ହୋଇଥାଏ। ଭୂକମ୍ପ ଓ ଆଗ୍ନେୟଗିରି ଉଦ୍‌ଗୀରଣଠାରୁ ଆରମ୍ଭ କରି ଜଳବାୟୁର ଅସାଧାରଣ ପରିବର୍ତ୍ତନ, ମହାମାରୀ ଘଟଣାଗୁଡିକ ସୌର ବିସ୍ଫୋଟ କାରଣରୁ ହୋଇଥାଏ।  ବ୍ୟୋମଯାନ ଦୁର୍ଘଟଣା ଓ ସମୁଦ୍ର ପୋତ ର ଦୁର୍ଘଟଣା ମଧ୍ୟ ଏହି ସୌର ପ୍ରକ୍ରିୟା ବୃଦ୍ଧି ସହ ସମ୍ପର୍କ ରହିଛି । ମନୁଷ୍ୟ ଠାରେ ଏହାର ପ୍ରଭାବ କିଛି ବିଳମ୍ବରେ ଦେଖା ଦେଇଥାଏ। 

      ଏହା ମଧ୍ୟ ଦେଖାଯାଇଛି ଯେ ଶଲ୍ୟକ୍ରିୟା ପରେ ସ୍ଵାସ୍ଥ୍ୟଲାଭ ଅପେକ୍ଷାରତ ରୋଗୀଙ୍କର ସୌର ବିସ୍ଫୋଟ ସମୟରେ  କ୍ଷତସ୍ଥାନରୁ ଅନିୟମିତ ରକ୍ତସ୍ରାବ ହୁଏ। ଏହି କାରଣରୁ କେତେକ ରୋଗୀଙ୍କଠାରେ ଭାବନାତ୍ମକ ଅସନ୍ତୁଳନ  ଏବଂ ରୋଗ ପ୍ରତିଷେଧକ ଔଷଧର ପ୍ରତିକ୍ରିୟା ମଧ୍ୟ ଦେଖାଯାଏ । କେବଳ ଗୋଟେ ପିଢ଼ି ହିଁ ନୁହେଁ ପିଢ଼ି ପରେ ପିଢ଼ି ଉପରେ ମଧ୍ୟ ମନୁଷ୍ୟ କୁ ନାନା ପ୍ରକାର ଜେନେଟିକାଲ ରୋଗ ରେ ପୀଡ଼ିତ ହେବାକୁ ପଡେ।ଦେହ ର ଅଙ୍ଗ ସବୁ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୁଅନ୍ତି।

           ସୌର ବିସ୍ଫୋଟର ଗତିବିଧି  ଅନୁସାରେ ମନୁଷ୍ୟର ଏକ ବିଶେଷ ଶାରୀରିକ, ମାନସିକ ଏବଂ ଭାବନାତ୍ମକ ପରିବର୍ତ୍ତନ ସଂଘଠିତ ହୁଏ। ସୌର ସକ୍ରିୟତା ଦ୍ଵାରା ସବୁ ଜୈବିକ କ୍ରିୟା ପ୍ରାୟ ଅନିୟମିତ ହୋଇଥାଏ। ସୂର୍ଯ୍ୟଙ୍କର ଯେଉଁ ପ୍ରେରକ ବଳ ମନୁଷ୍ୟର ଦୈହିକ ଓ ମାନସିକ ଲକ୍ଷଣରେ ପରିବର୍ତ୍ତନ ଆଣେ ସେହି ବଳ ଭୂକମ୍ପ ସୃଷ୍ଟି ପ୍ରକ୍ରିୟାକୁ ମଧ୍ୟ ସାହାଯ୍ୟ କରେ। ଏହା ପଶୁପକ୍ଷୀଙ୍କ ବ୍ୟବହାରରେ ମଧ୍ୟ ବିଷମତା ସୃଷ୍ଟି କରିଥାଏ। ସେମାନେ ଭୂକମ୍ପ ପୂର୍ବରୁ କିମ୍ବା ପରେ ଏହାକୁ ପ୍ରଦର୍ଶନ କରିଥାଆନ୍ତି ।

        ପୃଥିବୀ ପୃଷ୍ଠରେ ପ୍ରଚଣ୍ଡ ଗତିଶୀଳ ବାୟୁ ପ୍ରବାହିତ ହେଲା ପରି ସୂର୍ଯ୍ୟଦେହରେ ମଧ୍ୟ ସୌର ତୋଫାନ ପ୍ରବାହିତ ହୁଏ। ଉତ୍ତପ୍ତ ତୋଫାନ ମଧ୍ୟରେ ଏହି ପାର୍ଥକ୍ୟ ରହିଛି ଯେ ପୃଥିବୀ ଉପର ବାୟୁ ଗୋଟିଏ ଦିଗରୁ ବିପରୀତ ଦିଗକୁ ପ୍ରବାହିତ ହେଉଥିବା ବେଳେ ସୌର ତୋଫାନ ସୌର ମଣ୍ଡଳରୁ ପୃଥିବୀ ଆଡ଼କୁ ବହେ । ସୂର୍ଯ୍ୟ ରଶ୍ମୀ ସାହାଯ୍ୟରେ ଘଣ୍ଟାରେ ପନ୍ଦର ଲକ୍ଷ କିଲୋମିଟର ଗତିରେ ପ୍ରବାହିତ ସୂର୍ଯ୍ୟକିରଣ ସହ ସଂଯୁକ୍ତ ଏହି ତୋଫାନ ପୃଥିବୀର ଚୁମ୍ବକୀୟ ସ୍ଥିତିରେ ଯେଉଁ ପରିବର୍ତ୍ତନ ଆଣେ ତାହା ପ୍ରାଣୀ ଜଗତ ତଥା ଉଦ୍ଭିଦ  ଜଗତକୁ ପ୍ରଭାବିତ କରେ। ଏହାର କୁପ୍ରଭାବ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି, ସଂଚାର ମାଧ୍ୟମ, ବିଦ୍ୟୁତ୍ ଉତ୍ପାଦନକାରୀ ଯନ୍ତ୍ର, କୃତ୍ରିମ ଉପଗ୍ରହ ଓ ପାରମାଣବିକ ଯନ୍ତ୍ର ଉପରେ ମଧ୍ୟ ପଡ଼ିଥାଏ।

            କାଲିଫର୍ନିଆର ବିଖ୍ୟାତ ଜୀବବିଜ୍ଞାନୀ ଏଡମସ ସୌର ସକ୍ରିୟତାର ପ୍ରଭାବକୁ ପ୍ରମାଣ କରିବାକୁ ଯାଇ କହିଛନ୍ତି ଯେ ଆର୍ଜେଣ୍ଟିନା ଓ ବ୍ରିଟେନ ମଧ୍ୟରେ ଅବସ୍ଥିତ ଫାକଲ୍ୟାଣ୍ଡ ଦ୍ବୀପର ବିବାଦ ସୌର ପ୍ରକ୍ରିୟା ବୃଦ୍ଧି ହେବା ପରେ ହିଁ ଘନୀଭୂତ ହୋଇଥିଲା । ଓଜେରିନ୍‌ ନ୍ୟାସନାଲ ଲାବୋରଟରୀର ଦୁଇ ବିଶେଷଜ୍ଞଙ୍କ ଅନୁସନ୍ଧାନ ଫଳାଫଳ ଅନୁଯାୟୀ ୧୯୮୯ ମସିହା ମାର୍ଚ୍ଚ ୧୩ ତାରିଖ ରେ ବିଶ୍ଵ ଇତିହାସର ସର୍ବାଧକ ସୌର ଶିଖା  ସଂଘଠିତ ହୋଇଥିଲା। ଏହି ଶିଖାର ସୁକ୍ଷ୍ମକଣା ବିଶିଷ୍ଟ ପ୍ରଚଣ୍ଡ ତୋଫାନ ପ୍ରବାହିତ ହୋଇ ଫ୍ଲୋରିଡା, ନିକଟସ୍ଥ  ହାଇଡ୍ରୋକ୍ୟୁବେଟ୍ ପାୱାର ସିଷ୍ଟମକୁ ସମ୍ପୂର୍ଣ ଅଚଳ କରିଦେଇଥିଲା । 

               ଡେନମାର୍କର ବୈଜ୍ଞାନିକମାନେ ମଧ୍ୟ ସୂର୍ଯ୍ୟ କଳଙ୍କର କ୍ରିୟାଶୀଳତା ଓ ବିଶ୍ୱତାପମାନ ରେ ତାହାର ସମ୍ପର୍କ ଉପରେ ଗବେଷଣା କରିଛନ୍ତି । ସେମାନଙ୍କର କହିବା ଅନୁଯାୟୀ ଆଳିକାଲି ସୂର୍ଯ୍ୟକିରଣର ଅସମତା ହେତୁ ପୃଥିବୀ କ୍ରମେ ଅଧିକ  ଉତ୍ତପ୍ତ ହେଉଛି ।

                   ଆଗାମୀ ଦିନରେ ସୌରକଳଙ୍କ ବୃଦ୍ଧି ପାଇବାକୁ  ଥିବାରୁ ପୃଥିବୀ ଉପରେ ଏକ ଭୟଙ୍କର ଚୁମ୍ବକୀୟ  ତୋଫାନ ବହିବ ଏବଂ ଏହାର ପରିଣାମ ମଧ୍ୟ ସେପରି  ଭୟଙ୍କର ହେବ। ଏଥିରେ ଯେ କେବଳ ପାର୍ଥିବ  ବାତାବରଣ ଓ ଜଳବାୟୁର ପରିବର୍ତ୍ତନ ହେବ ତା’ ନୁହେଁ ବରଂ ମନୁଷ୍ୟର ଶାରୀରିକ ଓ ମାନସିକ ସ୍ତର ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହେବ ।

ଅୟେନା
ଶ୍ରିନିକ୍ସ ଇଞ୍ଜିିୟରିଙ୍ଗ୍ କଲେଜ ପାଖ 
ଚୂନଭାଟି,ବାଲେଶ୍ୱର।
7978884188
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।