ବସନ୍ତ କୁମାର ପଣ୍ଡା
ଜାତିର ପିତା ମହାତ୍ମାଗାନ୍ଧୀ ଠିକ ଜାଣିଥିଲେ ଯେ ଗଣତନ୍ତ୍ର ଶାସନକୁ ସଫଳ ଏବଂ ସୁଦୃଢ଼ କରିବା ପାଇଁ ଶାସନ ବ୍ୟବସ୍ଥା ଗ୍ରାମାଞ୍ଚଳର ଘରେ ଘରେ ପହଞ୍ଚିବା ଆବଶ୍ୟକ । ଆଉ ସେଇଥି ପାଇଁ ସେ କହୁଥିଲେ - "ସ୍ୱରାଜ ପ୍ରତିଷ୍ଠା କରିବା ଅର୍ଥ ଆମ ଗାଁ ମାନଙ୍କର ସେବା କରିବା" । ଗ୍ରାମ ବହୁଳ ଭାରତବର୍ଷକୁ ସୁନାର ଭାରତ ରୂପେ ଗଢ଼ି ତୋଳିବାର ଗାନ୍ଧୀଙ୍କର ଯେଉଁ ସ୍ୱପ୍ନ ଥିଲା ତାହାକୁ ଚରିତାର୍ଥ କରିବାର ଲକ୍ଷ୍ୟରେ ଭାରତବର୍ଷରେ ପଞ୍ଚାୟତିରାଜ ଶାସନର ବ୍ୟବସ୍ଥା ଅଛି ।
ଆମ ଓଡ଼ିଶାରେ ପୂର୍ଣ୍ଣାଙ୍ଗ ପଞ୍ଚାୟତିରାଜ ବ୍ୟବସ୍ଥା ୧୯୬୧ ମସିହାରେ ଆସିଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସ୍ବର୍ଗତଃ ଡ଼ଃ ହରେକୃଷ୍ଣ ମହତାବ ଏବଂ ଶ୍ରୀଯୁକ୍ତ ଲକ୍ଷ୍ମୀ ପ୍ରସାଦ ମିଶ୍ର ଥିଲେ ଗ୍ରାମ୍ୟ ଗୋଷ୍ଠୀ ଉନ୍ନୟନ ଜାତୀୟ ସମ୍ପ୍ରସାରଣ ଆଉ ପଞ୍ଚାୟତ ଗୁଡିକର ମନ୍ତ୍ରୀ । ଅତି ଆନନ୍ଦ ଉଲ୍ଲାସର ସହିତ ସେହି ବର୍ଷ ଜାନୁଆରୀ ୨୬ ତାରିଖ ଦିନ ଆମ ରାଜ୍ୟରେ କାର୍ଯ୍ୟକାରୀ କରାଗଲା । ହେଲେ ଓଡ଼ିଶାର ଶାସନ କଳ ତଥା କେତେକ ସ୍ୱାର୍ଥନ୍ୱେଷୀ ଏବଂ ପ୍ରଭାବଶାଳୀ ଲୋକ ମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ଏହାର ସଫଳତା ଆଖିଦୃଶିଆ ହେଇପାରି ନଥିଲା । ସେହି ବର୍ଷ ଜୁନ ମାସରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସ୍ବର୍ଗତଃ ବିଜୁବାବୁ ଶପଥ ଗ୍ରହଣ କରିଥିଲେ । ଗାନ୍ଧୀଜୀଙ୍କ ଚିନ୍ତା ଏବଂ ଚେତନାରେ ଯେଉଁ ସଫଳ ଗଣତନ୍ତ୍ରର ସ୍ୱପ୍ନ ଥିଲା ବିଜୁ ବାବୁ ହୁଏତ ତାହାକୁ ଠିକ ଭାବେ ବୁଝି ପାରିଥିଲେ । ସେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ପଞ୍ଚାୟତ ରାଜକୁ ଅଧିକ ଗୁରୁତ୍ୱ ଦେଇ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କୁ ୧୯୬୩ ମସିହାରେ ନିଜ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ଧୀରେ ଧୀରେ ପଞ୍ଚାୟତିରାଜ ବ୍ୟବସ୍ଥା ଆମ ରାଜ୍ୟରେ ଶିଥିଳ ଅବସ୍ଥାକୁ ଆସିଯାଇଥିଲା । ସରକାର ପରିବର୍ତ୍ତନ ଅନୁସାରେ ପଞ୍ଚାୟତିରାଜକୁ ଭାଙ୍ଗି ଦିଆ ଯାଉଥିଲା କିମ୍ବା ଏହାକୁ ଅନାବଶ୍ୟକ ଶାସନ ବ୍ୟବସ୍ଥା ରୂପେ ଗ୍ରହଣ କରାଯାଉଥିଲା ।ପୁନର୍ବାର ବିଜୁବାବୁ ନବେ ଦଶକରେ ମୁଖ୍ୟମନ୍ତ୍ରୀ ଭାବରେ ଶାସନକୁ ଆସିବା ପରେ ଏହାକୁ ଅଧିକ ଗତିଶୀଳ କରାଇ ଅଦ୍ଭୁତପୂର୍ବ ସଫଳ କରାଇ ପାରିଥିଲେ। । ଯାହା ଫଳରେ ଗ୍ରାମାଞ୍ଚଳରେ ଶିକ୍ଷା , ସ୍ୱାସ୍ଥ୍ୟ , କୃଷି , ପଶୁ ସମ୍ପଦ , ପୂର୍ତ୍ତ ବିଭାଗ , ମହିଳା ଓ ଶିଶୁ ବିକାଶ ଏବଂ ଅନ୍ୟାନ୍ୟ ଜନ କଲ୍ୟାଣ କ୍ଷେତ୍ରରେ ଅଧିକ ବିକାଶ ହୋଇ ପାରିଥିଲା । ପଞ୍ଚାୟତର ପଞ୍ଚବାର୍ଷିକ ଯୋଜନାର ସଫଳତା ପୂର୍ବକ କାର୍ଯ୍ୟକାରୀ କରାଗଲା । ଏହି ସମୟରେ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟରେ ମହିଳା ମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ ପ୍ରୟାସ କରାଯାଇଥିଲା । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ସହିତ ମହିଳା ଏବଂ ଅନୁସୂଚିତ ଜାତି ଏବଂ ଜନ ଜାତିର ଲୋକ ମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଗଲା । ସେହି ସମୟକୁ ଆମ ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥାର ସ୍ବର୍ଣ୍ଣିମ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ସରକାରଙ୍କର ଜନ କଲ୍ୟାଣକାରୀ ଯୋଜନା ଗୁଡିକ ସଫଳ ରୂପାୟନ ହେବା ସହିତ ଗ୍ରାମାଞ୍ଚଳରେ ନୂଆ ନେତୃତ୍ୱ ମଧ୍ୟ ସୃଷ୍ଟି ହେଇ ପାରିଥିଲା ।
ବିଜୁବାବୁଙ୍କ ପରି ତାଙ୍କ ପୁତ୍ର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ପାଞ୍ଚାୟତିରାଜ ବ୍ୟବସ୍ଥାକୁ ବହୁ ଅଧିକ ଗୁରୁତ୍ୱ ଦେବା ସହିତ ଗ୍ରାମାଞ୍ଚଳର ନେତୃତ୍ୱ ବା ପ୍ରଶାସନକୁ ଅଧିକ ଶକ୍ତିଶାଳୀ କରିବା ସହିତ ସରକାରଙ୍କର ସମସ୍ତ ଜନକଲ୍ୟାଣ ମୂଳକ ଯୋଜନାକୁ ଏହି ନେତୃତ୍ୱ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ସିଧାସଳଖ ସରକାରଙ୍କର ଗଣତାନ୍ତ୍ରିକ ଭାବଧାରା ତଥା କାର୍ଯ୍ୟକଳାପକୁ ଅତି ନିକଟରୁ ଅନୁଭଵ କରିବା ସହିତ ସରକାର ପ୍ରତି ନିଜର ସପକ୍ଷବାଦୀ ଭାବନା ବ୍ୟକ୍ତ କରୁଛନ୍ତି ।
ଶାସନ କଳର ଅତି ଲାଭଦାୟକ ଏହି ପଞ୍ଚାୟତିରାଜ ବ୍ୟବସ୍ଥା ପରି ଗଣତନ୍ତ୍ର ଶାସନର ବିକେନ୍ଦ୍ରିକରଣ ନୀତି ସତ୍ତ୍ୱେ ମଧ୍ୟ ବେଳେବେଳେ ଗ୍ରାମାଞ୍ଚଳରେ ଭ୍ରଷ୍ଟାଚାର ବହୁ ମାତ୍ରାରେ ସାମ୍ନାକୁ ଆସୁଅଛି । ଗ୍ରାମାଞ୍ଚଳରେ ରହୁଥିବା କେତେକ ପ୍ରଭାବଶାଳୀ ଲୋକଙ୍କର ସ୍ୱାର୍ଥପର ନୀତି ବା ଜନ ମାରଣ ମନୋଭାବ ଯୋଗୁଁ ଗରିବ ନିଷ୍ପେସିତ ଲୋକ ମାନଙ୍କ ପାଇଁ ହେଉଥିବା ସରକାରୀ ଯୋଜନା ଗୁଡିକ ପ୍ରକୃତ ହିତାଧିକାରୀଙ୍କ ପାଖରେ ନପହଞ୍ଚି ବାଟମାରଣା ହେଇ ଯାଉଛି । ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ଏବଂ କୃଷି ଠାରୁ ପଶୁ ସମ୍ପଦ ଯାଏଁ ଅନେକ ଯୋଜନାରେ ଭ୍ରଷ୍ଟାଚାର ଅତ୍ୟଧିକ ପରିମାଣରେ ବଢିଯାଇଥିବାର ନିତିଦିନ ଖବରରୁ ଜଣାଯାଏ । ପୂର୍ବ ପରି ଲୋକ ମାନଙ୍କର ରାଜନୀତିକୁ ଆସି ଗରିବ ନିଷ୍ପେସିତ ଲୋକମାନଙ୍କର ସେବା କରିବାର ଯେଉଁ ମନୋଭାବ ଥିଲା ତାହା ଆଜି ବଦଳି ଯାଇଛି । ରାଜନୀତି ଦ୍ୱାରା ଜନ ସେବା କରିବାର ବାହାନା କରି ଅନେକ ପ୍ରଭାବଶାଳୀ ଲୋକ ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ଜନସଧାରଣଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ବିଜୟୀ ହେବା ପରେ ସରକାରୀ ଅର୍ଥକୁ ଲୁଣ୍ଠନ କରୁଛନ୍ତି । ବେଳେବେଳେ ଦେଖାଯାଏ ସରକାରୀ ଚାକିରୀ ଛାଡି ପଞ୍ଚାୟତ ନିର୍ବଚାନରେ ଲଢ଼ିବାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି । ଏହାର ଅର୍ଥ ସାରା ଜୀବନ ସରକାରୀ ଚାକିରୀରୁ ଯେତିକି ଉପାର୍ଜନ ହେଇ ପାରିଥା'ନ୍ତା ତାହା ପ୍ରାୟ ଗୋଟିଏ ରାଜନୈତିକ କାର୍ଯ୍ୟକାଳ ମଧ୍ୟରେ ଉପାର୍ଜନ ହେଇପାରୁଛି ।
ତେଣୁ ଏବେ ହେବାକୁ ଥିବା ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ମୋର ପାଠକ ମାନଙ୍କୁ ନିବେଦନ କରିବାକୁ ଚାହେଁ ଯେ ସେମାନେ ନିଜ ଗ୍ରାମ ପଞ୍ଚାୟତ ପାଇଁ ଏକ ଯୋଗ୍ୟ , ଦକ୍ଷ ତଥା ସ୍ୱାର୍ଥପର ନୀତି ଠାରୁ ଦୂରରେ ରହି ଜନସେବା କରିବାର ଇଚ୍ଛା ରଖୁଥିବା ବ୍ୟକ୍ତିତ୍ୱଙ୍କୁ ଚୟନ କରି ନିଜ ମୂଲ୍ୟବାନ ଭୋଟ ଦେବା ସହିତ ନିଜ ପଂଚାୟତର ବିକାଶ ଧାରାକୁ ଉର୍ଦ୍ଧ୍ବମୁଖୀ କରିବାକୁ ପ୍ରୟାସ କରିବେ ।
ନୈନିତାଲ , ଉତ୍ତରାଖଣ୍ଡ
୮୯୭୯୪୪୭୦୩୬ ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।