କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି
ସେଦିନ ଥିଲା ୨୦୨୨ ଜାନୁୟାରୀ ୨୫ ତାରିଖ , ମଙ୍ଗଳବାର ; ସମୟ ଅପରାହ୍ନ ୪ଟା ବାଜି କେତେ ମିନିଟ୍ ହେବ । ମୁଁ ମୋର ଶୋଇବା ଘର ଖଟ ଉପରେ ବସିଥାଏ , ମୋ' ହାତରେ ଥିବା ଚା' କପ୍ଟି ବାରମ୍ବାର ମୋ' ଓଠକୁ ଚୁମ୍ବନ ଦେଇ ଚାଲିଥାଏ । ଉଦୟ ଭାନୁ (ସାହିତ୍ଯ ଓ ସମାଜସେବା ସଙ୍ଗଠନ)ର ମାସିକ ଇ ପତ୍ରିକା ପ୍ରକାଶନ ପାଇଁ ପ୍ରସ୍ତୁତି ଜୋର୍ ଧରିଥିବା ବେଳେ ମୁଁ ସମ୍ପାଦକ ଭାବରେ ମୋ' କାର୍ଯ୍ଯ ପ୍ରାୟ ତୁଲେଇ ସାରିଥାଏ । ବାକି କେବଳ ସାଙ୍ଗଠନିକ ସମ୍ପାଦକ ତାଙ୍କର କାର୍ଯ୍ଯ ତୁଲାଇବା । ସବୁ କାମ ସରିଛି , ଖାଲି ପ୍ରକାଶ ପାଇବା କଥା ; ଡେରି କାହିଁକି ହେଉଛି ଭାବି ଯୋଗାଯୋଗ କରିବାକୁ ମନସ୍ଥ କଲା ବେଳକୁ କପ୍ରୁ ଚା' ଖାଲି । କପ୍ଟି ଧୁଆଧୋଇ କରି ଯଥା ସ୍ଥାନରେ ରଖି ଫୋନ୍ କଲି ସାଙ୍ଗଠନିକ ସମ୍ପାଦକ ମାଧବାନନ୍ଦ ଭୋଇଙ୍କୁ । ସେ ଫୋନ୍ ଉଠାଇ "ହ୍ଯାଲୋ" କହିବା ମାତ୍ରେ ମୁଁ ପଚାରିଲି - "ଭାଇ ! କ'ଣ କରୁଛ ?" ସେ ଗୁରୁଗମ୍ଭୀର ସ୍ବରରେ ଉତ୍ତର ଦେଲେ - "ନିବାସ ସାର୍ଙ୍କ ଘରେ ଅଛି ।" ଭାବିଲି ବୋଧହୁଏ ସଙ୍ଗଠନ କାମରେ ଯାଇଥିବେ । ମୁଁ କହିଲି - "କ'ଣ କିଛି କାମରେ ଯାଇଥିଲେ କି ?" ସେ କହିଲେ - "ନା , ତାଙ୍କ ଦେହ ପୁରାପୁରି ଖରାପ । ଡାକ୍ତର ଫେରେଇ ଦେଇଛନ୍ତି । ଏବେ ସେ ଘରେ ।" ମୁଁ ସ୍ତବ୍ଧ ; ଡାକ୍ତର ଫେରେଇ ଦେଇଛନ୍ତି ! ତେବେ କ'ଣ....... ମନଟା ପୁରା ମରିଗଲା ମୋର । ଦୀର୍ଘଦିନ ଧରି କର୍କଟ ବେମାରୀରେ ଆକ୍ରାନ୍ତ ଥିଲେ ସେ। ମୁଁ ଜାଣିଛି କର୍କଟ ବେମାରୀ କେତେ ମାରାତ୍ମକ । ଥରେ ହେଲେ ଜୀବନ ନନେଇ ସହଜେ ଯିବନି । ହେଲେ ଏତେଶିଘ୍ର...... ଆଖି କୋଣରେ ଜକେଇ ଆସିଲା ଲୁହ ।
ମୋ' ପାଟିରୁ ସ୍ବତଃପ୍ରବୃତ୍ତ ଭବରେ ନିସ୍ପେଷିତ ସ୍ବରରେ ବାହାରି ଆସିଲା - "ହେ ପ୍ରଭୁ !" କିଛି ସମୟ ନିରବତା ପରେ ମୁଁ କହିଲି - "ହଉ , ଘରକୁ ଫେରି ଫୋନ୍ କରିବେ ।" ସେ "ହଉ" ବୋଲି କହି ଫୋନ୍ କାଟିଲେ । ତା'ପରଠୁ ମତେ ଆଉ କିଛି ଭଲ ଲାଗିଲାନି । ବେଳ ଗଡ଼ି ରାତି ହେଲା , ମାଧବ ଭାଇଙ୍କର ଫୋନ୍ ଆସିଲାନି । ମନଟା ଘାଣ୍ଟି ଚକଟି ହେଉଥାଏ । ବିଳମ୍ବିତ ରାତିରେ ଫୋନ୍ କଲି କିନ୍ତୁ ଫୋନ୍ ଉଠାଇଲେ ନାହିଁ । ନୈରାଶ୍ଯରେ ଶଯ୍ୟା ଧରିଲି ।
ରାତି ପାହି ସକାଳ ହେଲା । ସେଦିନ ଥିଲା ସାଧାରଣତନ୍ତ୍ର ଦିବସ । ଗାଁ , ବିଦ୍ଯାଳୟ ସର୍ବତ୍ର ଦେଶ ମାତୃକାର ଚରଣ ବନ୍ଦନ ପାଇଁ ପ୍ରସ୍ତୁତି ହେଉଥା'ନ୍ତି । ଜାତୀୟ ପତାକା ଫରଫର ଉଡୁଛି ଏବଂ ଜାତୀୟ ସଙ୍ଗୀତର ସୁଲଳିତ କଣ୍ଠସ୍ୱର ମନ ଆଉ ପ୍ରାଣକୁ ପୁଲକିତ କରୁଛି । ବୀରବାଦ୍ଯର ତାଳେ ତାଳେ କଦମ୍ ପରେ କଦମ୍ ପକାଇ ପ୍ଯାରେଡ଼ରେ ଚାଲିଥା'ନ୍ତି ଦେଶର ଆଗାମୀ ଭବିଷ୍ଯତଗଣ । ବାତାବରଣ ସଙ୍ଗୀତର ମୂର୍ଚ୍ଛନା ଓ ବାଦ୍ଯର ତାଳରେ ବେଶ୍ ସରଗରମ ଥାଏ । ନିର୍ବାଚନ ସମୟ ହେତୁ ନେତାମାନେ ବି ପଇଁତରା ମାରୁଥା'ନ୍ତି । ଗଛଲତା ବି ଗାନ କରୁଥା'ନ୍ତି ବାତ ବାଦ୍ଯର ତାଳେ ତାଳେ ଜାତୀୟ ସଙ୍ଗୀତ । ଦିନ ପ୍ରାୟ ୧୦ଟା କେଇ ମିନିଟ୍ ହେବ , ଫୋନ୍ କଲି ସାଙ୍ଗଠନିକ ସମ୍ପାଦକ ମାଧବାନନ୍ଦ ଭୋଇଙ୍କୁ । କିନ୍ତୁ ଉତ୍ତର ଆସିଲାନି କିଛି । ଦିନ ଦୁଇଟା ପରେ ମୋ' ହ୍ବାଟ୍ସଆପ୍ରେ କିଛି ଫଟୋଚିତ୍ର ମାଧବ ଭାଇଙ୍କ ହ୍ବାଟ୍ସଆପ୍ରୁ ଆସିବା ପରେ ମୁଁ କଲ୍ କଲି ତାଙ୍କୁ । ସାଧାରଣତନ୍ତ୍ର ଦିବସରେ ଶରୀର ଅସୁସ୍ଥ ଥାଇ ବି ସେ ଉଦୟ ଭାନୁର କାର୍ଯ୍ଯକ୍ରମରେ ଯୋଗ ଦେଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣେ ସ୍ଥାନୀୟ ଛାତ୍ରକୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ତାଙ୍କର ଓଜୋନଦାର ଅଭିଭାଷଣ ବି ଉପସ୍ଥିତ ଜନତାଙ୍କୁ ଆଚମ୍ବିତ କରିଥିଲା ବୋଲି ଯାହା ମାଧବ ଭାଇଙ୍କ ଠାରୁ ଶୁଣିବାକୁ ପାଇଲି । ରୋଗଶଯ୍ୟାରେ ଥାଇ ବି ତାଙ୍କର ଲଘୁ ଗମ୍ଭୀର ସ୍ବରରେ ଆସି ନଥିଲା ମଳିନତା ।
ବିତିଗଲା ସେଦିନ ; ଦିନ ସରି ରାତି ହେଲା । ରାତି ଦଶଟା ବାଜି ନଥାଏ , ଫୋନ୍ କଲି ମାଧବ ଭାଇଙ୍କୁ । ପଚାରି ବୁଝିଲି ପ୍ରତିଷ୍ଠାତା ନିବାସ ସାର୍ଙ୍କ କଥା , କହିଲେ ହଁ ସେମିତି ଅଛନ୍ତି । କେତେବେଳେ କ'ଣ ହେବ କିଛି କହି ହେଉନି । ମନଟା ଜମା ଭଲ ଲାଗିଲାନି ଏକଥା ଶୁଣି । ଭାବିଲି ଭଗବାନ କ'ଣ ଏଡ଼େ ନିର୍ଦ୍ଦୟ ! ଭଲ ଲୋକର କ'ଣ ଏ ମରଧାମରେ ସ୍ଥାନ ନାହିଁ ! ଇଏ କି ଲୀଳା ପ୍ରଭୁ ! ନିରବିତ କଣ୍ଠ ଦ୍ବାର ରୁଦ୍ଧ ହୋଇଯାଉଥାଏ ମୋର । କଣ୍ଠ - ତାଳୁ ଶୁଷ୍କ ହୋଇ ବାରମ୍ବାର ଜଳର ଆମନ୍ତ୍ରଣ କରୁଥାଏ । ଗ୍ଲାସ୍ ପରେ ଗ୍ଲାସ୍ ଖାଲି ହୋଇ ଚାଲୁଥାଏ ସିନା ତୃଷା ମେଣ୍ଟୁ ନଥାଏ । ସତେ ଅବା ମନଟା ମୋର ଯନ୍ତ୍ରଣାର ଜତୁଶାଳେ ଜର୍ଜରିତ ହେଉଥାଏ , ମୃତ୍ଯୁ ସହ ସଂଗ୍ରାମ କରୁଥାଏ । ରାତି ପାହି ସକାଳ ହେଲା , ରାତି ସାରା ଭାବି ଭାବି ଆଖିକୁ ନଥିବା ନିଦ କେତେବେଳେ ପାହାନ୍ତି ପ୍ରହରରେ ମତେ କବଳିତ କରିନେଇଥିଲା ଜାଣିନି ; ନିଦ ଭାଙ୍ଗିବା ବେଳକୁ ସକାଳ ଆଠଟା ବାଜିଲାଣି । ମୁହଁ ଧୋଇ ଚା' ପ୍ରସ୍ତୁତ କରି ଶୋଇବା ଘର ଖଟ ଉପରେ ବସି ଚା' ପିଉଥାଏ ।
ସେଦିନ ଥିଲା ୨୭ ତାରିଖ ; ମୁଁ ସାର୍ଙ୍କ ଖବର ବୁଝିବାକୁ ଫୋନ୍ କଲା ବେଳକୁ ଅଶୁଭ କାକ ସମ୍ବାଦ ପାଇ ନିଜର କୋହକୁ ରୋକି ପାରି ନଥିଲି । "ସାର୍ ଆଉ ନାହାନ୍ତି" ଖବର ପାଇବା ପରେ ପାଦ ତଳୁ ଖସି ପଡୁଥିଲା ମାଟି ଆଉ ମୁଣ୍ଡ ଉପରେ ଛିଡ଼ି ପଡୁଥିଲା ଆକାଶଟା । ସତେ ଅବା ମୋ' ଚତୁର୍ପାର୍ଶ୍ବରୁ ପବନ ବହିବା ବନ୍ଦ ହୋଇଯାଇଥିଲା , ଆଉ କିଛି କହି ନପାରି ଥମ୍ କିନା ବସି ପଡ଼ିଲି ତଳେ । ମୋ' ମନରେ ଅବସୋସ ରହିଗଲା କି ମୁଁ ତାଙ୍କୁ ସଶରୀରରେ ଦେଖି ପାରିଲି ନାହିଁ । ଏତେ ବଡ ମହାନ ବ୍ଯକ୍ତିତ୍ବଙ୍କୁ ଭେଟିବାର ସୌଭାଗ୍ୟରୁ ବଞ୍ଚିତ ହୋଇ ଦୁଃଖ ଓ ଅନୁତାପର ଅନଳରେ ଦାହ ହେଉଥିଲା ମନଟି । ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ମତେ ଅସ୍ତବ୍ୟସ୍ତ କରି ପକାଉଥିଲା । ମନ ହେଉଥିଲା ଏଇଠି ପିଟି ପକାନ୍ତି ମୁଣ୍ଡଟାକୁ ହେଲେ । ଅବୋଲକରା ଅଶ୍ରୁ ନିର୍ଝର ସିକ୍ତ କରି ପକାଉଥିଲା ମୋର ପରିଧାନିତ ବାସକୁ । ଆଉ କିଛି ବି ଭଲ ଲାଗିଲାନି । ପାଟି ଅଠା ହେବାକୁ ଲାଗିଲା । ଶୋଷ ବଢ଼ିବାକୁ ଲାଗିଲା ହେଲେ ପାଣି ମତେ ବାରଣ କରୁଥିଲା ତାକୁ ଛୁଇଁବାକୁ । ପାଟିଟା ପିତା ହେଉଥିଲା ସତେ ଯେମିତି ଜ୍ବରରୁ ଉଠିଥିବା ଲୋକ ପରି । ପୁଣି ବଢ଼ି ଚାଲିଥିଲା ଦେହର ତାତି । ମନ ଆକାଶରେ ଘନେଇ ଆସୁଥିଲା ଅମାରାତ୍ରି । ଗୋଟିଏ ଥର ଫୋନ୍ରେ କଥା ହୋଇଥିଲି ; ବହୁତ ମେଳାପୀ , ମିଷ୍ଟଭାଷୀ ସେ । ରୋକଡ଼ା କଥା ଏବଂ ସଚ୍ଚୋଟବାଦୀ । ମତେ କହିଥିବା କଥାଟି ଏଯାଏଁ ବି ଭୁଲିନି ମୁଁ । ସେ କହିଥିଲେ - "Do your work yourself." ଏବଂ "Work is god." ସାଧାରଣତନ୍ତ୍ର ଦିବସରେ ରୋଗଗ୍ରସ୍ତ ଥାଇ ବି ତାଙ୍କର ଓଜୋନଦାର ଅଭିଭାଷଣ ସମସ୍ତଙ୍କୁ ଆଚମ୍ବିତ କରିଥିଲା । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣେ ଛାତ୍ରକୁ ସେ ସମ୍ବର୍ଦ୍ଧନା ଦେଇଥିଲେ ସେଦିନ । ସେ ଛାତ୍ର ଜଣକ ସତରେ ମହାନ । ଏଭଳି ଜଣେ ମହାନ ବ୍ଯକ୍ତିତ୍ବଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି ଏବଂ ସମ୍ବର୍ଦ୍ଧନାର ପରଦିନ ମୃତ୍ଯୁ ସହ ରଣ କରି ପଞ୍ଚତ୍ବ ପ୍ରାପ୍ତ କରିଛନ୍ତି ; ସତେ ଯେମିତି ସେ ଜାଣିଥିଲେ ସାଧାରଣତନ୍ତ୍ର ଦିବସଟି ତାଙ୍କର ଶେଷ କାର୍ଯ୍ଯକ୍ରମ ଆଉ ସେ ଛାତ୍ର ଜଣକ ତାଙ୍କର ଶେଷ ସମ୍ବର୍ଦ୍ଧିତ ପ୍ରତିଭା ।
ସୂଚନାଧିକାର କର୍ମୀ ତଥା ସମାଜସେବୀ ଭାବରେ ସେ ସମାଜରେ କରି ଚାଲିଥିଲେ ଉନ୍ନତି ମୂଳକ କାର୍ଯ୍ୟ ; ଯାହା ତାଙ୍କୁ ପ୍ରିୟପାତ୍ର କରି ପାରିଥିଲା ପ୍ରତ୍ଯେକଟି ଲୋକଙ୍କ ପାଖରେ । ଖାଲି ସେତିକି ନୁହେଁ , ସେ ଏକାଧାରରେ ଜଣେ କବି , ଲେଖକ ଓ ନାଟ୍ଯକାର ଭାବରେ ନିଜ ଜନ୍ମମାଟି ଭୋଦଳ ତଥା ଆଖପାଖ ଅଞ୍ଚଳରେ ବେଶ୍ ପରିଚିତ ।
ସମାଜ ତଥା ସାହିତ୍ଯରେ ସୁଧାର ଆଣିବାକୁ ସେ ୧୯୭୮ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରଥମେ ଅଠର ବର୍ଷରୁ ଅଧିକ ଏଗାର ଜଣଙ୍କୁ ନେଇ ଗଢ଼ିଥିଲେ ଉଦୟ ଭାନୁ (ସାହିତ୍ଯ ଓ ସମାଜସେବା ସଙ୍ଗଠନ) ଏବଂ ଏହାକୁ ସେହିବର୍ଷ ସେପ୍ଟେଟେମ୍ବର ୨୫ରେ ୧୮୬୦ ନିୟମଧାରାରେ ସରକାରୀ ସ୍ତରରେ ପଞ୍ଜୀକୃତ କରିଥିଲେ ଏହା ଆଦ୍ଯେ ଥିଲା କେବଳ ସମାଜସେବା ସଙ୍ଗଠନ ; ଏହି ସଂଗଠନର ପ୍ରାଥମିକ ଲକ୍ଷ୍ଯ ଭାବରେ ନିଶା ନିବାରଣ , ଯୌତୁକ ପ୍ରଥା , ପାଠାଗାର , ସାଂସ୍କୃତିକ/କଳାର ବିକାଶ , ଶିଶୁ/ମହିଳା ସ୍ବାସ୍ଥ୍ୟ ସଚେତନତା ଏବଂ ଗ୍ରାମାଞ୍ଚଳ ପରିଷ୍କାର ପରଚ୍ଛନ୍ନତା ବିଷୟ ଗୁଡିକୁ ଗୁରୁତ୍ୱ ଦିଆଯାଇଥିଲା । ତେବେ ସଂଗଠନର ନିଜସ୍ବ ଗୃହ ନଥିବାରୁ ଗ୍ରାମରେ ଥିବା ଏକ ବସ୍ତି ଆବାଦ ଯୋଗ୍ୟ ପ୍ଲଟକୁ ସରକାରଙ୍କ ଠାରୁ ନବେ ବର୍ଷ ଲିଜ୍ ସୁତ୍ରରେ ସ୍ଥାୟୀ ପଟ୍ଟା ହାସଲ କରିଥିଲା । ଅତୀତରେ ଉପରୋକ୍ତ ବିଷୟରେ ଗ୍ରାମରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବିଗତ ଦିନରେ ଉକ୍ତ ସଂଗଠନର ସଭ୍ୟା/ସଭ୍ୟମାନଙ୍କ ଦ୍ୱାରା ଅଭିନୀତ ନାଟକ “ଗାଁଆର ନାମ ମଙ୍ଗଳପୁର ଝିଅର ନାମ ମିନି”ଟି ମଦନ ମୋହନ ସାଂସ୍କୃତିକ ଯୁବ ପରିଷଦ,ବ୍ରାହ୍ମଣସାଇଲୋ ଓ ବାଲିପଡା ଯୁବ ପରିଷଦ,ଗୋବିନ୍ଦପୁର ଦ୍ୱାରା ନାଟ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଉପଢୌକନ ଏବଂ ପ୍ରମାଣପତ୍ର ହାସଲ କରିଥିଲା । ଏପରିକି ଗ୍ରାମାଞ୍ଚଳରେ ନିୟମିତ ଭାବରେ ଉକ୍ତ ସଂଗଠନର ସଭ୍ୟା/ସଭ୍ୟମାନଙ୍କ ଦ୍ୱାରା ଅଭିନୀତ ନାଟକ ଗୁଡିକ ମଧ୍ୟରେ "ଅତ୍ୟାଚାରୀର ଲାଲ୍ ରକ୍ତ" , "ବହିଗଲା ପାଣି ଫେରି ଆସେନା" , "ପର ଝିଅ ଘର ଭାେଙ୍ଗନା" ଓ "ବଗୁଲୀ ଝରାନା ଲୁହ" ପ୍ରମୁଖ ନାଟକ ଗୁଡିକ ଜନ ସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇ ଜନ ମାନସରେ ବିଶେଷ ଛାପ ଛାଡି ଯାଇଥିଲା । ବିଶେଷ କରି ସେ ସମୟରେ ରାଜନୀତି ଭେଦଭାବ ନଥିବା ହେତୁ , ଗ୍ରାମ ଜନସାଧାରଣଙ୍କ ସହଯୋଗ ଦ୍ୱାରା ନିୟମିତ ଭାବରେ ଉକ୍ତ ସଂଗଠନ ଦ୍ୱାରା ନୃତ୍ୟ ନାଟିକା , ପାଲା , କାଳ୍ପନିକ ନାଟକ ଏବଂ ସାମାଜିକ ନାଟକ ମଞ୍ଚସ୍ଥ କରାଯାଉଥିଲା । ତେବେ ଏହି କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ଭାବେ ଯୁବ ଗୋଷ୍ଠୀଙ୍କୁ ଏକତ୍ର କରି ଆୟୋଜିତ କାର୍ଯ୍ୟକ୍ରମ ଗୁଡିକୁ ମଞ୍ଚସ୍ଥ କରାଇବାରେ ପ୍ରମୁଖ ଭୂମିକା ଥିଲା ସଂଗଠନର ପ୍ରତିଷ୍ଠାତା ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇଙ୍କର ।
ତାଙ୍କ ପ୍ରେରଣାରେ ଗ୍ରାମରେ ଯୁବଗୋଷ୍ଠୀଙ୍କ ଦ୍ୱାରା ପୋଖରୀରୁ ଦଳ କାଢିବା , ମାଟି ରାସ୍ତା ନିର୍ମାଣ , ବୃକ୍ଷ ରୋପଣ , ମାଛ ଚାଷ , କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏବଂ ନିଶା ନିବାରଣ କାର୍ଯ୍ୟ ଗୁଡିକ କରାଯାଉଥିଲା । ଏତତ୍ ବ୍ୟତୀତ ସଂଗଠନ ଆରମ୍ଭ ହେବା ଠାରୁ ଅଦ୍ୟାବଧି ଜାତୀୟ ଦିବସ ଗୁଡିକ ନିୟମିତ ଭାବରେ ପାଳନ କରାଯାଉଅଛି । ଉକ୍ତ ସଂଗଠନ ଆନୁକୁଲ୍ୟରେ ପ୍ରତ୍ୟେକ ବର୍ଷ ସ୍ବାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସ ଅବସରରେ ଭୋଦଳ ଉପ୍ରା ବିଦ୍ୟାଳୟର ପିଲାମାନଙ୍କୁ ପାଠ୍ୟୋପକରଣ ପ୍ରଦାନ କରାଯାଇଥାଏ । ଏହା ସଙ୍ଗେ ସଙ୍ଗେ ପ୍ରତିବର୍ଷ ସଙ୍ଗଠନ ତରଫରୁ ଉରୁଜଙ୍ଗ ସ୍ଥିତ ଭଗବତୀ ବିଦ୍ୟା ମନ୍ଦିର ସମ୍ମୂଖରେ ଜଳ ବିତରଣ କେନ୍ଦ୍ର ସ୍ଥାପନ ସହିତ ବିଭିନ୍ନ ସଚେତନତା ପ୍ରଚାରପତ୍ର ବଣ୍ଟନ କରାଯାଇଥାଏ । ଏହା ସହିତ ଅଂଶୁଘାତ ଜନିତ ପ୍ରାଥମିକ ସେବା ପ୍ରଦାନ କରାଯାଇଥାଏ । ବିଭିନ୍ନ ସମୟରେ ସଂଗଠନ ତରଫରୁ ଚାନ୍ଦା କରାଯାଇ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ ପ୍ରଦାନ କରାଯାଇଥାଏ ।ଏତଦ୍ ବ୍ୟତୀତ ବାତ୍ୟା/ବନ୍ୟା ସମୟରେ ପ୍ରପୀଡିତମାନଙ୍କୁ ସହଜ ଭାବେ ରିଲିଫ୍ ପହଞ୍ଚାଇବା ପାଇଁ ସଂଗଠନ ତରଫରୁ ଆବଶକୀୟ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଏତେ ସବୁ କାର୍ଯ୍ଯ ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇଙ୍କ ତତ୍ତ୍ବାବଧାନରେ କରାଯାଉଥିଲା । ସମାଜସେବା କ୍ଷେତ୍ରରେ ନିଜକୁ ଯେମିତି ସେ ଉତ୍ସର୍ଗ କରିଦେଇଥିଲେ ସମ୍ପୂର୍ଣ୍ଣ ଭାବରେ । ଆଜି ସେ ନାହାନ୍ତି ବୋଲି ଭାବିଲା ବେଳକୁ ଛାତି ଭିତରଟା କୋରେଇ ପକଉଛି । ତାଙ୍କ ବିଷୟରେ ଲେଖିଲା ବେଳକୁ ହାତ ଥରି ଯାଉଛି । ସତେ ଅବା ମୁଁ ଶକ୍ତିହୀନ ହୋଇପଡ଼ିଛି ଯେମିତି କଲମ ଧାରଣ ଶକ୍ତି ବି ହରାଇ ବସିଛି । ମନକୁ କଲମ ଆଉ ଲୁହକୁ ସ୍ଯାହି କରି ଲେଖିଲା ବେଳକୁ କୋହ ସମୁଦ୍ର ଲହଡ଼ି ଭାଙ୍ଗି ଭସାଇ ନେଉଛି ଭାବନାର କାଗଜକୁ ସାଗର ଗର୍ଭକୁ ।ଲ
ଯୁବ ଗୋଷ୍ଠୀଙ୍କ ବିକାଶ ପାଇଁ ଅନେକ ସମୟରେ ଉଦୟ ଭାନୁ ସଙ୍ଗଠନ ତରଫରୁ ନେହେରୁ ଯୁବ କେନ୍ଦ୍ର , ଭାରତ ସରକାର ଆନୁକୁଲ୍ୟରେ ଉକ୍ତ କଣ୍ଟାପଡା ବ୍ଲକର ବିଭିନ୍ନ ଯୁବ ପରିଷଦର କର୍ମକର୍ତ୍ତା ମାନଙ୍କୁ ନେଇ ଯୁବ ଦକ୍ଷତା ଶିବିର , ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଓ ଧନ୍ଦାମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରି ଅନେକ କାର୍ଯ୍ୟକ୍ରମ କରିଆସିଛନ୍ତି ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇ ସାର୍ । ସରକାରଙ୍କ ନିର୍ଦ୍ଦେଶାନୁସାରେ ବିଭିନ୍ନ ପଞ୍ଚାୟତରେ ଉକ୍ତ ସଂଗଠନ କର୍ମକର୍ତ୍ତା ମାନଙ୍କ ଦ୍ୱାରା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସମୀକ୍ଷା ପାଇଁ ବିଭିନ୍ନ ସମୟରେ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମକୁ ପରିଚାଳିତ କରିଥା'ନ୍ତି ।ତାଙ୍କ ଆବାହନରେ ଉକ୍ତ ସଂଗଠନ ଆନୁକୁଲ୍ୟରେ ଗରିବ ଅସହାୟ ବ୍ୟକ୍ତିମାନଙ୍କୁ ନ୍ୟାୟ ପ୍ରଦାନ କରିବା ପ୍ରରିପ୍ରେକ୍ଷୀରେ ମାନବିକ ଅଧିକାର ଆଇନ , ସୂଚନା ଅଧିକାର ଆଇନ୍ , ଶିଶୁ ଓ ମହିଳା ବିକାଶ ଆଇନ୍ ମାଧ୍ୟମରେ ସଚେତନତା ପୂର୍ବକ ନ୍ୟାୟ ପ୍ରଦାନ କରାଯାଇଥାଏ । ସମୟେ ସମୟେ ଖାଉଟି ଅଦାଲତ ଦ୍ୱାରା କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ନ୍ୟାୟ ପ୍ରଦାନ କରାଯାଇଥାଏ ।
ଏତେବଡ଼ ମହାନ ବ୍ଯକ୍ତିତ୍ବ ଚିରନିଦ୍ରାରେ...... ଏ ଖବର ଖାଲି ମୋତେ ନୁହେଁ ତାଙ୍କ ସହ ଜଡ଼ିତ ପ୍ରତ୍ଯେକ ଆତ୍ମାକୁ ସ୍ତମ୍ଭୀଭୂତ କରିଛି । ତାଙ୍କ ବିଷୟରେ କହିଲେ ବହିଟିଏ ହେବ । ସମୟାନୁକ୍ରମେ "ସାହିତ୍ଯ ବି ସମାଜର ପ୍ରାଣ" ଭାବି ତାଙ୍କ ପରାମର୍ଶରେ ସାହିତ୍ଯକୁ ଏହି ସଙ୍ଗଠନ ସହିତ ସାମିଲ୍ କରାଗଲା ଏବଂ ତା:୧୧/୦୧/୨୦୧୮ରିଖ ୧୧ ଘଟିକା ୧୧ ମିନିଟ ସମୟରେ ଏକ ହ୍ୱାଟସଅପ୍ ଗୃପ ଗଠନ କରାଯାଇଥିଲା । ଏହା ପରଠୁ ଉଦୟ ଭାନୁରେ ଆରମ୍ଭ ହୋଇଥିଲା ସାହିତ୍ୟର ମହାଯାତ୍ରା । ସଂଗଠନର ସାହିତ୍ୟ ପରିବାର ଭାବେ କିଛି ମହାମାନ୍ୟ ବିଜ୍ଞ ସାହିତ୍ଯିକ ମାନଙ୍କୁ ଅବସ୍ଥାପିତ କରି ସାହିତ୍ଯର ଅଗ୍ରଗତି ପାଇଁ ବିଭିନ୍ନ ପ୍ରତିଯୋଗିତା ଓ ଇ ପତ୍ରିକା ପ୍ରକାଶ କରାଗଲା । ପରେ ପରେ ତାଙ୍କ ପରାମର୍ଶରେ ସୁଲଭ ଦରରେ ସାହିତ୍ଯ ପୁସ୍ତକ କିଛି କବି/କବୟିତ୍ରୀଙ୍କଠୁ ସଂଗୃହିତ କରି ପ୍ରକାଶନ କରିବାର ମନସ୍ଥ ହେଲା । ସାହିତ୍ଯ ପ୍ରବେଶ ପରେ ପ୍ରଥମ ବାର୍ଷିକ କବିତା ପାଠୋତ୍ସବ ପୁରୀ ଜିଲ୍ଲାର କଣାସ ବ୍ଲକର ଭାଟପଡ଼ା ଗ୍ରାମରେ ତାଙ୍କ ଠାରୁ ପରାମର୍ଶ ପାଇ (ସଙ୍ଗଠନର ସମ୍ପାଦକ ଭାବରେ) ମୋରି ଆବାହକତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ବୁଦ୍ଧିଜୀବୀ ଓ ବିଶିଷ୍ଟ ସାରସ୍ବତ ସାଧକ ମାନେ ଉପସ୍ଥିତ ରହି ସାହିତ୍ଯ ଓ ସମାଜସେବା ବିଷୟରେ ନିଜର ଅଭିମତ ପ୍ରକାଶ କରିବା ସହ ରାଜ୍ଯର ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ କବି/କବୟିତ୍ରୀଙ୍କ ଦ୍ବାରା କବିତା ପାଠ କରାଯାଇଥିଲା । ଧିରେ ଧିରେ ଏହି ସଙ୍ଗଠନ କୋଣେ ଅନୁକୋଣେ ପ୍ରଶଂସନୀୟ ହୋଇପାରିଛି ।
ତେବେ ପରିତାପର ବିଷୟ ଏଭଳି ଏକ ସୁନ୍ଦର ସଙ୍ଗଠନର ପ୍ରତିଷ୍ଠାତା ଆଜି ଆମ ଗହଣରେ ନାହାନ୍ତି । ଯିଏ ସ୍ବଳ୍ପରୁ କଳ୍ପ ସୃଷ୍ଟି କରିଥିଲେ ଏବଂ ଯାହା ପାଇଁ ଏ ସଙ୍ଗଠନ ଦ୍ବାରା ସମାଜ ଓ ସାହିତ୍ୟ ରଙ୍ଗମୟ ହୋଇଥିଲା , ସେ ଆଜି ଚିରନିଦ୍ରାରେ .....। ନିଜର ପୈତୃକ ଜାଗା ବିକ୍ରି କରି ସେ ସମାଜର ଅବହେଳିତ , ନିଷ୍ପେଷିତ , ଭୋକିଲା ଲୋକଙ୍କ ମୁହଁରେ ଆହାର ଦେଇଥିଲେ । ସେ ଖାଲି ସମାଜସେବୀ ନଥିଲେ , ସେ କବି , ଲେଖକ ଓ ନାଟ୍ଯକାର ବି ଥିଲେ । ତାଙ୍କ ଆରାଧ୍ୟା ଥିଲେ ମାଆ ମଙ୍ଗଳା । ତାଙ୍କ ରଚିତ ପ୍ରଥମ ନାଟକ "ଅତ୍ଯାଚାରୀର ଲାଲ୍ ରକ୍ତ" ବେଶ୍ ମନଛୁଆଁ ହୋଇପାରିଛି । ଏଇ ନାଟକ ଲେଖା ଭିତରେ ବିତି ଯାଇଛି ଅନେକ ଝଡ଼ଝଞ୍ଜା , ଦେଶାନ୍ତର ହୋଇ ମାତୃ ସେବାରୁ ବଞ୍ଚିତ ହୋଇ ଶୋକ ପ୍ରକାଶ କରିଛନ୍ତି ବୋଲି ତାଙ୍କ ମୃତ୍ୟୁ ପରେ ଏକ ଦୈନନ୍ଦିନ ପାଣ୍ଡୁଲିପିରୁ ଉଦ୍ଧୃତ କରାଯାଇଛି । ପାଣ୍ଡୁଲିପିର ଆଲେଖ୍ୟନୁଯାୟୀ ସେ ଯୋଉ ଡ଼ାଳରେ ଗୋଡ଼ ଦେଇଛନ୍ତି , ସେ ଡ଼ାଳ ଭାଙ୍ଗିଛି ; ବହୁ ଲୋକଙ୍କ ଗାଳି , ଅସହ୍ଯ କଷଣ ଏବଂ ଅହଂଭାବକୁ ଖାତିର ନକରି ସବୁକିଛି ସହ୍ଯ କରି ଆଗକୁ ଅଗ୍ରସର ହେବାର ପ୍ରୟାସରେ ସେ ସର୍ବଶେଷରେ ସଫଳତା ପ୍ରାପ୍ତ କରିଛନ୍ତି । ତାଙ୍କ ନାଟକ ଲେଖାର ଉତ୍ସାହକ ଭାବରେ ତାଙ୍କର ପ୍ରିୟ ବନ୍ଧୁ ହରେକୃଷ୍ଣ ବାବୁ ଏବଂ ଅଲେଖ ବାବୁ ଅଛନ୍ତି ଯାହାକୁ ସେ ଅଜସ୍ର ଭଲପାଇବା ଓ ଧନ୍ଯବାଦ ଅର୍ପଣ କରିଛନ୍ତି ବୋଲି ପାଣ୍ଡୁଲିପିରୁ ଉଦ୍ଧୃତ । ଏହି ନାଟକ ପୁସ୍ତକଟିକୁ ସେ ମାଆ ମଙ୍ଗଳାଙ୍କୁ ସମର୍ପଣ କରିଥିଲେ ।
ଦାରୁଣ ଦୈବ ଦାଉ ସାଧିଲା ପରି କର୍କଟ ବେମାରୀ ଛଡ଼ାଇ ନେଲା ତାଙ୍କ ଠାରୁ ସବୁ ହସଖୁସି ; ସୁଦିନ ଦେଖିବା ପୂର୍ବରୁ ଦୁର୍ଦ୍ଦିନକୁ ଆପଣାର କରିନେଲେ ନିବାସ ଚନ୍ଦ୍ର ଭୋଇ ସାର୍ । ସେ ଗୋପବନ୍ଧୁ ଦାସଙ୍କ ନିୟମର ଅନୁଗାମୀ ଥିଲେ । ସମାଜ ପାଇଁ ସେ ଦକ୍ଷ କର୍ମୀଟିଏ ଥିଲେ । ସୂଚନାଧିକାର କର୍ମୀ ଭାବରେ ସେ ଲୋକଙ୍କ ସୁବିଧା ଅସୁବିଧାକୁ ସରକାରଙ୍କ ପାଖରେ ପହଞ୍ଚାଇ ଜନ କଲ୍ଯାଣ ନିମନ୍ତେ ସର୍ବଦା ନିଜକୁ ଉତ୍ସର୍ଗୀକୃତ କରିଥିଲେ । ସେ ଥିଲେ ସଦାସର୍ବଦା କର୍ମତତ୍ପର । ଭଗବତ ଗୀତାକୁ ସେ ବେଦ ବୋଲି ମାନି ଗ୍ରନ୍ଥ ବର୍ଣ୍ଣିତ ଆଖ୍ୟାନନୁସାରେ କାର୍ଯ୍ଯ କରି ଚାଲୁଥିଲେ । - " କର୍ମ କର , ଫଳ ଆଶା ରଖନାହିଁ ; କର୍ମାନୁରୂପ ଫଳ ଈଶ୍ୱର ଦେବେ " - ଏହି ଗୀତାବାଣୀକୁ ସେ ନିଜ ଜୀବନରେ ଫୁଟାଇ ପାରିଥିଲେ । ଏଭଳି ଜଣେ ମହାନ ଚିନ୍ତାଧାରାର ବିରଳ ବ୍ଯକ୍ତିତ୍ବଙ୍କୁ ହରାଇ ଆମେ ସତରେ ନିଃସ୍ବ ପାଲଟି ଗଲୁ । ତାଙ୍କର ଶୂନ୍ଯସ୍ଥାନ ପୂରଣ କରିବାକୁ ଆଉ ସେଭଳି ଯୋଗଜନ୍ମା ବ୍ଯକ୍ତିତ୍ବର ଆବଶ୍ଯକତା ଥିଲେ ବି ସେ ସ୍ଥାନରେ ଅବସ୍ଥାପିତ କରିବାକୁ ସେମିତି ଜନନାୟକ ଜଣେ ଖୋଜିବା ଜଟିଳ ବ୍ଯାପାର ।
ତାଙ୍କ ବିୟୋଗରେ ଆଭାସି ଶୋକସଭା ପାଳନ ହୋଇଥିଲା । ପୁନରାୟ ତାଙ୍କ ଏକାଦଶ ଦିବସରେ ସ୍ବତନ୍ତ୍ର ଶୋକସଭା କରାଯାଇ ଜଣେ ସମାଜସେବୀଙ୍କୁ ମଞ୍ଚ ଉପରେ ଶ୍ରୀନିବାସ ସ୍ମୃତି ସମ୍ମାନ ପ୍ରଦାନ ସହିତ ପ୍ରତିଷ୍ଠାତା ସ୍ବର୍ଗତଃ ନିବାସ ଚନ୍ଦ୍ର ଭୋଇଙ୍କୁ ଉଦୟ ଭାନୁ ପରିବାର ତରଫରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଉଅଛି । ତାଙ୍କ ଦ୍ବାରା ପ୍ରତିଷ୍ଠିତ "ଉଦୟ ଭାନୁ"ର ସ୍ଥାନ ମଣ୍ଡନ କରି ନିଜକୁ ଗର୍ବିତ ମନେ କରୁଛି । ସେ ସିନା ମରଧାମ ତ୍ଯାଗ କରି ଚାଲିଯାଇଛନ୍ତି , ହେଲେ ମନଧାମରେ ଚିର ଜୀବିତ ଅଛନ୍ତି । ଆମ ମାନଙ୍କ ଗହଣରେ ଅଛନ୍ତି ; ପ୍ରତିଟି କାର୍ଯ୍ୟକୁ ନିରୀକ୍ଷଣ କରୁଛନ୍ତି । ସେ ନିରବରେ ଦେଖୁଛନ୍ତି ସେ ଆମ ମାନଙ୍କୁ ଦେଇ ଯାଇଥିବା ଦାୟିତ୍ବ ସୂଚାରୁ ରୂପେ ସମ୍ପାଦିତ ହେଉଛି ନା ନାହିଁ । ସେ ଅଧା କରି ଯାଇଥିବା କାର୍ଯ୍ଯକୁ ଆମକୁ ପୂରା କରିବାକୁ ପଡ଼ିବ ନିଶ୍ଚୟ ।
ତାଙ୍କର ଏ ଅକାଳ ବିୟୋଗ "ଉଦୟ ଭାନୁ" ସଙ୍ଗଠନରେ ଖେଳାଇ ଦେଇଛି ଶୋକର ଛାୟା । ତାଙ୍କ ବିୟୋଗରେ ଗଛପତ୍ର ବି କରୁଛନ୍ତି ଅଶ୍ରୁ ବର୍ଷା । ଆଉ କିଛି ଲେଖିବାର ବଳ ଆଉ ଶୌର୍ଯ୍ୟ ମୋର ନାହିଁ ; ଏମିତି ଲେଖୁଥିଲେ ଲେଖୁଥିବି କେତେ ଦିବସ ବିତିଯିବ କହି ହେଉନି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ମୁଁ ଧୈର୍ଯ୍ୟଶକ୍ତି କ୍ଷୀଣ ପାଷାଣ ମୂରତି । ସତେ ଅବା ପାଲଟି ଯାଇଛି ପଙ୍ଗୁ , ସ୍ଥବିର । ତାଙ୍କୁ ଦେଖି ନପାରିବାର ଦୁଃଖଠୁ ବଳି ପଡ଼ିଲା ତାଙ୍କୁ ହରେଇବାର ଦୁଃଖ । ମତେ ଟିକେ କାନ୍ଦିବାକୁ ଦିଅ , ଅମାନିଆ ଲୁହ ଗୁଡ଼ାକ ଝରିଯାଉ ତାଙ୍କରି ସ୍ମୃତିରେ । ଅଶ୍ରୁ ଜଳରେ ମାନସୋପଚାର ପୂଜା ପୂର୍ବକ ତାଙ୍କ ଚରଣ ଧୌତ କରିବାର ସୌଭାଗ୍ୟ ତ ଟିକେ ମିଳୁ ; ଅମର ଆତ୍ମାର ସଦଗତି ପାଇଁ ଜଗତ ଠାକୁର ଜଗନ୍ନାଥଙ୍କ ପୟରପଦ୍ମ ଯୁଗଳେ ପରାର୍ଦ୍ଧ ପରାର୍ଦ୍ଧ ପ୍ରାର୍ଥନ ସହିତ ଆଜୀବନ ଦୁଃଖୀ ହୋଇ ରହୁଛି ମୁଁ । ଓଁ ଶାନ୍ତି.....
ସମ୍ପାଦକ - ଉଦୟଭାନୁ
ଭାଟପଡ଼ା,ନିରାକାରପୁର,କଣାସ,ପୁରୀ
୮୯୧୭୪୮୦୫୩୬
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।